ଅନେକ କଳାଛାଇ - ୪୦
ଅଶୋକ ବିଶ୍ବାଳ
ଅଶୋକ ବିଶ୍ବାଳ
ଏ.ଟି.ଆର. ରାସ୍ତାରେ ଆଜିର ସାଧାରଣ ଜୀବନ-୨
ଅବିନାଶ ଭିତରକୁ ଗଲା । ଭିତରେ କେତେଟା ପ୍ଲଷ୍ଟିକ ଚୌକି ପଡିଥିଲା ଆଉ କେତେଟା ପ୍ଲଷ୍ଟିକ ଟେବୁଲ । ନିଜ ହିସାବରେ ଲୋକେ ବସି ଖାଇବେ । କେତେଜଣ ଲୋକ ଟେବୁଲ ଉପରେ ହାମୁଡି ପଡି ଭାତ ଖାଉଥିଲେ । ଖାଇବା ସାଧାରଣ । ପ୍ଲେଟରେ ଭାତ, ମାଛ, ସମ୍ବର ଆଉ କଛି ଭଜା ଥିଲା । ଥାଳି ହିସାବରେ ପଇସା । ସାଧା ଭାତ ଆଉ ମାଛ । ପାଖରେ ଏକ ଲୋକ ଡଙ୍କି ଲାଗିଥିବା ପରଷା ପାତ୍ର ଧରି କାହାର କିଛି ଦରକାର ହେଲେ ପରଷି ଦେଉଥିଲା । ଏଇ ଛୋଟ ହୋଟେଲରେ ମଧ୍ୟ ସେଲଫ ସର୍ଭିସ । ଭିତରେ ଯାଇ ପଇସା ଦିଅ ଆଉ ନିଜର ପ୍ରଥମ ଖାଇବା ଥାଳି ନେଇଆସି ଉପଯୁକ୍ତ ସ୍ଥାନରେ ବସି ଖାଇବା ଖାଅ । କଥାଟା ସରଳ । ଟୋକୋନ ନିଅ, ଲାଇନ ଦିଅ, ତା’ପରେ ଥାଳି ଆଣ ପୁଣି ଖାଅ, ଏତେ ଝିଂଝଟ ନାହିଁ । ଭିତରେ ଅବିନାଶ ପଇସା ଦେଇ ଏକ ଥାଳି ବରାଦ କଲା ।
ଏକ ପତଳା କଳା ରଙ୍ଗର ଝିଅଟିଏ ବସି ଲୋକଙ୍କଠାରୁ ପଇସା ନେଉଥିଲା । ତା’ର ପାଖରେ ଅନେକ ଖାଇବା ଜିନିଷ, ପକୁଡି ଗୁଲଗୁଲା ଆଉ କୋଲ୍ଡ ଡ୍ରିଙ୍କସ ଆଦି । କିଛି ବିସ୍କୁଟ ମଧ୍ୟ ଥିଲା । ଅବିନାଶ ଏପଟ ସେପଟ ଅନାଇଲା । ସେ କିଛି କୋଲ୍ଡ ଡ୍ରିଙ୍କସ ନେବାକୁ ଚାହୁଁଥିଲା । କିଛି ଜଣା କୋଲ୍ଡ ଡ୍ରିଙ୍କସ ଥିଲା ଭଳି ଲାଗୁନଥିଲା । ତଥାପି ସେ ଏକ କଳା ରଙ୍ଗର କୋଲ୍ଡ ଡ୍ରିଙ୍କସ ବରାଦ କଲା । ନଁଟା ସଂମ୍ପୂର୍ଣ ଅଜଣା ବାହାରେ, ଖାଇବା ସମୟରେ ଏ କୋଲ୍ଡ ଡ୍ରିଙ୍କସ ପିଇଲେ ଖାଇବାରେ ଅମ୍ଳ ହେବିନି. ଗ୍ୟାସ ମଧ୍ୟ ହୁଏନା । ତେଣୁ ଏ ଲମ୍ବା ରାସ୍ତରେ ଖାଇବା ହଜମ ହୋଇଯିବ । ଅନେକ ଆଗକୁ ଯାତ୍ରା କରିବାକୁ ଅଛି ।
ତୁମ ନାଁ?- ଝିଅଟିକୁ ପଇସା ଦେଉଦେଉ ଅବିନାଶ ପଚାରିଲା । ଝିଅଟି ବହୁତ ବ୍ୟସ୍ତ ଥିଲା ତଥାପି ଅବିନାଶକୁ ଅନାଇ ଟିକିଏ ହସିଦେଲା ।
ସରସ୍ୱତୀ ।- ଏକ ସରଳ ହସ ସହ ଝିଅଟି ଉତ୍ତର ଦେଉଥିଲା । ଝିଅଟି ଅତି ତନୁପାତେଳୀ । ଦେହରେ ରୂପପାଇଁ ସେମିତି ମାଂସ ମଧ୍ୟ ନାହିଁ । କିନ୍ତୁ ହାତ ଅତି ଚଞ୍ଚଳ ଥିଲା । ଏକ ମେସିନ ଭଳି ସେ କାମ କରୁଥିଲା । ପାଖରେ ଏକ ମହିଳା ବସିଥିଲେ । ସେ ବେଶ ମୋଟୀ କିନ୍ତୁ ଘୋର କାଳୀ । ସରସ୍ୱତୀର ସମ୍ଭନ୍ଧୀ ହେବେ । ଝିଅ ବି ହୋଇପାରେ । ଅବିନାଶ ଭାବିଲା ଏଠି ତାମିଲ ମହିଳାମାନେ ଦୋକାନରେ ବସି ବେପାର କରନ୍ତି । ତେଣୁ ଏକ ଦୋକାନରେ ଏକ ଝିଅ ବିକାବିକି କରୁଥିବ, ଆଉ ଏକ ମଧ୍ୟ ବୟସ୍କା ମହିଳା ବସି ତା’କୁ ଅନାଇଥିବ । ତା’ହେଲେ ଝିଅଟି ନିଶ୍ଚିତ ଭାବେ ସେହି ମହିଳାର କିଛି ରକ୍ତ ସଂମ୍ପର୍କୀୟ ହୋଇଥିବ । ନା, ସିଧା ପଚାରି ନିଜ ଭିତର ଭାବନାକୁ ଠିକ କି ଭୂଲ ଜାଣିନେବା ଭଲ ।
ତୁମ ମା?- ଝିଅକୁ ପଚାରିଲା ଓ ସରସ୍ୱତୀ ମୁଣ୍ଡ ହଲାଇଲା ।
ତୁମେ ବହୁତ ପତଳୀ ହୋଇଗଲ ।-ଅବିନାଶ କହିଲା । ଝିଅଟି ହସିଲା । ମହିଳାଟି ଅବିନାଶ ଆଡକୁ ଅନାଉଥିଲେ ।
ମୁଁ ବି ଦିନେ ଏମିତି ପତଳା ଥିଲି ।- ସେ କହିଲେ । ତାଙ୍କ ମୋଟା ଶରୀର ଟିକେ ହଲିଲା ନାହିଁ । ଏକ କଣ୍ଢେଇ କହିଲା ଭଳି ସେ ଲାଗୁଥିଲେ । ମା ଆଉ ଝିଅ ଅଲଗା ଅଲଗା ଜିନିଷ ବିକୁଥିଲେ । କିଛି କିଛି ଅପେକ୍ଷା କରିଥିବା ଗ୍ରାହକ ବିସ୍କୁଟ ଆଦି କିଣୁଥିଲେ । ଅବିନାଶର ଆଖି ଖାଇବା ପଦାର୍ଥମାନଙ୍କ ଉପରେ ବୁଲିଗଲା । ଏକ ବଡ଼ ଥାଳିରେ ଗୋଲ ଗୋଲ କିଛି ଜମା ରଖାଯାଇଥିଲା । ଏମିତିଆ ଜିନିଷ ସେ ଆଉ କେଉଁଠି ଦେଖିଛି ବୋଲି ଭାବି ପାରୁ ନଥିଲା ।
ଏ ଗୋଲଗୋଲ କ’ଣ?- ଅବିନାଶ ପଚାରିଲା ପାଖରେ ମୁଥୁ ଠିଆ ହୋଇଥିଲା
ଏଇଟା ଗୋଲା ।- ମୁଥୁ ଝିଅଟି କହିବା ଆଗରୁ କହିଲା
ଗୋଲା!- ଅବିନାଶ କିଛି ବୁଝିପାରୁ ନଥିଲା । ଜିନିଷଟା ଗୁଲୁଗୁଲାଠାରୁ ବଡ, ଆଳୁଚପଠାରୁ ବଡ଼ । ତା’ ଭିତରେ କ’ଣ ଅଛି କେଜାଣି ?
ମଇଦାରେ ତିଆରି ଏକ ଗୋଲା ।– ମୁଥୁ କହିଲା ।
ଓଃ, ତା’ହେଲେ ଗୁଲୁଗୁଲାର ଏକ ସଂସ୍କରଣ ।- ଅବିନାଶ ମନକୁ ମନ କହିଲା । ଏଠି ଅଟା ଜାଗାରେ ମାଇଦାରୁ ଗୁଲୁଗୁଲା ତିଆରି ହୁଏ । ଲୋକେ ଖାଇବାକୁ ପସନ୍ଦ କରନ୍ତି । ଅନେକ ଗୋଲା ଏକ ବଡ଼ ଥାଳିରେ ରଖାଯାଇଥିଲା । ଏଇଟା ତା’ହେଲେ ଏଠାକାର ଲୋକମାନଙ୍କର ଏକ ପ୍ରିୟ ଖାଦ୍ୟ ।
ଆମେ ପରା ଏହି ଗୋଲା ଖାଇ ସ୍କୁଲ ଯାଉଥିଲୁ । ମା ଦୁଇଟଙ୍କା ଦେଇଦେବ । ପାଖ ଠେଲା ଦୋକାନରୁ ଗୋଲା ଖାଇ ଆମେ ସ୍କୁଲ ଚାଲିଯାଉ ।– ମୁଥୁ ନିଜର ସାନ ଦିନମାନଙ୍କ କଥା ମନେ ପକାଉଥିଲା । ଛୋଟ ଦିନମାନଙ୍କରେ ସବୁ ଜିନିଷ କେତେ ଭଲ ଲାଗେ । ମା ଦେଇଥିବା ଛୋଟ ଜିନିଷ କେତେ ବଡ଼ ଲାଗେ । ମା’ର ସ୍ନେହ ଯେ ବୋଳା ହୋଇଛି ।
ଖାଇପାରନ୍ତି । ଭଲ ଲାଗିବ ।– ମୁଥୁ କହିଲା । ଅବିନାଶ ଟିକିଏ ଦୋଦୋ ପାଞ୍ଚ ହେଉଥିଲା । ଭାତ ଆଗରୁ ଏହି ଗୁଲୁଗଲାକୁ ଖିଆଯାଇପାରେ । ସେମିତି କିଛି ବେଶିବଡ ନୁହେଁ । ଭିତରଟା ଫମ୍ପା । ତେଣୁ ପେଟରେ ବେଶି ସ୍ଥାନ ନେବନି ।
ଅବିନାଶ ଏକ ଥାଳିରେ ଗୋଟାଏ ଗୋଲା ଉଠାଇ ନେଲା, ଆଉ ସାଙ୍ଗରେ କିଛି ଘୁଘୁନି ନେଲା । ପାଖରେ ଏକ କଂସାରେ ରଖାଯାଇଥିଲା । ନିଜ ହିସାବରେ ଘୁଘୁନି ନେଇ ଖାଇବା ଜାଗାରେ ବସ ଖାଅ । ଅବିନାଶ ନିଜ ଚେଆରକୁ ଝରକା ଧାରକୁ ଟାଣିନେଲା । ସେପଟେ ପାଣି ଦେଖାଯାଉଥିଲା । ଗାଢ ନୀଳ ସବୁଜ ପାଣି ଧାରରେ ବସି ଗୋଲା ଖାଇବାକୁ ଅବିନାଶକୁ ଭଲ ଲାଗୁଥିଲା ।
ପାଖରେ ଏକ ଝିଅ ଗୋଡ ଲମ୍ବେଇ ବସିଥିଲା । ଏଠାକାର ଅଧିକାଂଶ ଝିଅ କଳା ରଙ୍ଗର । ମୁହଁର ଗଠଣ ଭଲ, ମସୃଣ ସ୍କିନ, କିନ୍ତୁ କଳା । ସୌନ୍ଦର୍ଯ୍ୟପାଇଁ ସବୁବେଳେ ଗୋରା ହେବା କ’ଣ ଦରକାର? ସ୍କିନ ଚମକୁଥିବା ଦରକାର, ଶରୀର ପୂର୍ଣ ହବା ଦରକାର । ସେମିତି ଏକ ତରୁଣୀ ଆଖିରେ ସ୍ୱପ୍ନ ଭରା ରହୁଥିବା ଦରକାର ।
ତୁମକୁ ଅସୁବିଧା ହେବନି ତ ?- ଅବିନାଶ ପଚାରିଲା ।
ନା– ଏକ ସାଧାରଣ ଉତ୍ତର ଥିଲା । ସେ ଝିଅଟି ସାମାନ୍ୟ ହସିଦେଲା ଆଉ ବାହାରକୁ ଅନାଇ ରହିଲା । ସେପଟେ ପାଣିରେ ସାମାନ୍ୟ ତରଙ୍ଗ । ଦୁଇକୂଳ ମଧ୍ୟରେ ବେଶି ଦୂତତା ନାହିାଁ ତେଣୁ ପାଣିରେ ଢେଉ ହୁଏନା । ମଝିରେ କିଛି ଖୁଣ୍ଟ ଉଠାଯାଉଛି । ପରେ ଏହି କ୍ରିକ ଉପରେ ଏକ ସିମେଣ୍ଟ ବ୍ରିଜ ତିଆରି ହେବ । ଲୋକମାନେ ସହଜରେ ନାଳ ଅତିକ୍ରମ କରିବେ । ଆଉ କେହି ଖାଇବାପାଇଁ ଜେଟିରେ ଅପେକ୍ଷା କରିବେ ନାହିଁ । ଜେଟି ନିଜର ରୂପ ହରାଇ ବସିବ ।
ଅବିନାଶ ସେହି ଝିଅଟି କଥା ଭାବୁଥିଲା । ବୋଧହୁଏ ଅନ୍ୟ ଦ୍ୱୀପରୁ ଆସିଥିବ ଆଉ ବସ ପାଇଁ ଅପେକ୍ଷା କରିଥିବା । ବସ ଆସିବା ପାଇଁ କିଛି ସମୟ ଅଛି । ସେପଟୁ ବସ ଆସି ପାରି ହେଲାପରେ ନିମ୍ବୁତାଲା ଜେଟିକୁ ଯିବ । ତେଣି ତା’ର କିଛି କରିବାର ନାହିଁ । ଏମିତି ବସି ପାଣିକୁ ଦେଖିହେବ । ହୋଟେଲ ଭିତରେ ବସି ପାଣିକୁ ଦେଖିବାକୁ ବହୁତ ଭଲ ଲାଗୁଥିଲା, ଆଉ ମନ ଭିତରେ କେତେ ଯେ ଭାବନା ଖେଳିଯାଉଥିଲା । ଝିଅଟି ସେମିତି ଅବିନାଶର ଆଗରେ ବସି ପାଣିକୁ ଅନାଇ ରହିଥିଲା । ସମସ୍ତେ କିଛି ସମୟ ନିଜ ଦୁନିଆରେ ଥିଲେ ।
ବହୁତ ବେଳୁ ଆସିଲଣି ବୋଧହୁଏ ।
ସେ ମୁଣ୍ଡ ହଲାଇଲା କିନ୍ତୁ କିଛି ଶବ୍ଦ କହିଲାନିା କିଛି କଥାହେବାପାଇଁ ଆଉ ଶବ୍ଦ ନଥିଲା । ଅବିନାଶର ଗୋଲା ଖାଇବା ସରିଗଲା । ସେ ଭାତ ଆଣିବା ପାଇଁ ଭିତରକୁ ଗଲା । ସେଠୁ ଭାତ ଆଉ ମାଛ ଆଣି ସାଙ୍ଗରେ ସେହି କଳା ରଙ୍ଗର କୋଲ୍ଡ ଡ୍ରିଙ୍କସ ଧରି ସେଇ ଜାଗାକୁ ଫେରି ଆସିଲା । ଝିଅଟି ସେମିତରି ଚୁପଚାପ ବସିଥିଲା କିଛି ଖାଉ ନଥିଲା ଆଉ ମଝିରେ ମଝିରେ ପାଣିକୁ ଅନାଇ ରହୁଥିଲା ।
ଅବିନାଶର ଭୋକ ବଢିଗଲା ଭଳି ଲାଗୁଥିଲା । ଏକଦମ ସକାଳୁ କିଛି ଖିଆଯାଇନି ଆଉ ତା’ ଉପରେ ସେ ଗୋଲା ଖାଇଲାପରେ ତା’ର ଭୋକ ମରିବ କ’ଣ ବଢିଗଲା । ସେ ଭାତ ଆଉ ମାଛକୁ ଆରାମରେ ହାତରେ ଖାଇବାକୁ ଲାଗିଲେ । ଭାତ ମୋଟା, ଆଉ ସମ୍ବର ବେଶ ଖଟା । କିନ୍ତୁ ମାଛ ତରକାରୀଟା ସୁଆଦିଆ ଥିଲା । ବହୁତ ଦିନ ହେଲା ସେ ନଡିଆ ରସ ଦିଆ ମାଛ ତରକାରୀ ଖାଇ ନଥିଲେ । ଏ ମାଛ ତରକାରୀରରେ ନଡିଆ ଦୁଧ ବାହାରକରି ଖଟା ଦେଇ ରାନ୍ଧନ୍ତି । ବେଶ ସୁଆଦିଆ ଲାଗେ । ଟ୍ରାଡିସନାଲ ଡିସ୍କ । କୋଲ୍ଡ ଡ୍ରିଙ୍କ୍ସ କିନ୍ତୁ ଅଦ୍ଭୂତ । ପ୍ରାୟ କାଶ ଓ÷ାଷଧ ଭଳିଆ ଲାଗୁଥିଲା । କି ଡ୍ରିଙ୍କସ କେଜାଣି? କିନ୍ତୁ ସାମାନ୍ୟ ମିଠାଳିଆ ପାନୀୟ ଯୋଗୁ ଭାତ ସହ ଖାଇବାକୁ ଭଲ ଲାଗୁଥିଲା । ପରଷୁଣିଆ ମଝିରେ ମଝିରେ ଆସି ଆଉ ସମ୍ବର ବା ଅନ୍ୟ କିଛି ପରଶୁଥିଲା । ଏହି ଥାଳି ହିସାବରେ ଖାଇବାଟା ଭଲ । ପେଟ ପୂରେ ।
ଆଗର ଝିଅଟା ସେମିତି ଚୁପଚାପ ବସିଥିଲା । ତା’ ବସ ଆସିନି । ସେପଟୁ ଫେରି ଆସିଲେ ବସ ଆସିବ । ଏପଟୁ ଫେରି ଯାଇ ଆସିବାକୁ ପ୍ରାୟ ଏକ ଘଣ୍ଟା ଲାଗିବ । ତା’ର ସୁନ୍ଦର କଳା ଆଖି ମଝିରେ ମଝିରେ ଖାଉଥିବା ଲୋକମାନଙ୍କ ଉପରେ ବୁଲିଯାଉଥିଲା । ଗେଟ ମୁହଁରେ ଏକ ଲୋକ ଏକ ବ୍ୟାଗ ଧରି ଠିଆ ହୋଇଥିଲା । କ’ଣ ପାଇଁ ସେ ଠିଆ ହୋଇଥିଲା କେଜାଣି? ପରେ ଜଣା ପଡିଲା ଲୋକଟା ହୋଟେଲର ଚୌକିଦାର, ଭିତରକୁ ଆସୁଥିବା ଲୋକଙ୍କୁ ଲକ୍ଷ୍ୟ ରଖିଛି । ସେ ବୋବା । ହାତ ହଲେଇ ଆଉ ଗଁ ଗଁ କରି କିଛି କଥା ହେଉଥିଲା । ବୋବା ଲୋକଙ୍କ ସହ କଥା ହେବା କେତେ କଷ୍ଟ. ଠାରରେ କଥା ହେବ । ସେ ଝିଅଟା ଅବିନାଶ ଆଡକୁ ଟିକେ ବୁଲି ଚାହିଁଲା । ଅବିନାଶ ତା’କୁ ଅନାଇ ହସିଦେଲା । ସାଧାରଣ ହସ । ସେଥିରେ କିଛି ଇଙ୍ଗିତ ନଥିଲା । ହସ ମଣିଷକୁ କେତେ ସହଜ କରିଦିଏ । ଅବିନାଶ ବାହାରକୁ ଅନାଇଲା । ସେପଟେ ଅନେକ ଦୂରରେ ଝାପସା ଝାପସା ହୋଇ ଫେରି ଦେଖାଯାଉଥିଲ । ଆଉ ପନ୍ଦର କୋଡିଏ ମିନିଟ ଭିତରେ ଫେରି ଲାଗିବ । ସେ ତରତର ହୋଇ ଖାଇବାକୁ ଲାଗିଲା ।
ଆଉ ଫେରି ବୋଟଲାଗୁଲାଗୁ ହୋଟେଲର ଲୋକମାନେ ତରତର ହୋଇଗଲେ । ଦରୱାନ ଯେମିତି ସାବଧାନରେ ଠିଆ ହୋଇଗଲା । ସଫା କରୁଥିବା ଲୋକ ସବୁ କିଛି ପରିଷ୍କାର କରିନେଲା । ଯେତେ ସଫା ଦେଖାଯିବ ଲୋକେ ସେତେ ଅଧିକା ଖାଇବେ । ତେଣୁ ଜାଗା ପରିଷ୍କା ଦେଖାଯିବା ଦରକାର । ତଳର ଚଟାଣ ଝାଡୁ ହୋଇଗଲା । ଏଇ ଯେମିତି ହୋଟେଲ ସଜେଇ ହୋଇ ଯାଇଛି । ଅବିନାଶ ପାଖରେ ବସିଥିବା ଝିଅଟି କେତେବେଳୁ ବାହାରକୁ ଚାଲିଗଲାଣି । ସେ ଗଲାବେଳେ ଅବିନାଶକୁ ଅନାଇଦେଇ ଯାଇଛି । ଅବିନାଶ ଆଗରେ ଏକ ଶାନ୍ତ ଶ୍ୟାମାଙ୍ଗୀର ମୁହଁ କିଛି ସମୟପାଇଁ ଭାସି ରହିଲା । ସେ ଜଲଦି ଉଠି ହାତ ଧୋଇ ବାହାରକୁ ଚାଲିଗଲା । ବୋବା ଦରୱାନ ହାତ ଉପରକୁ ଉଠାଇଦେଲା । ଆଉଥରେ ଆସନ୍ତୁ । ଲୋକମାନେ ଓହ୍ଲାଇବା ଆଗରୁ ବସ ଆଉ ଅନ୍ୟଗାଡି ସବୁ ଫେରିରୁ ଓହ୍ଲାଉଥିଲା ।ତା’ପରେ ଲୋକମାନେ ଧାଡିକରି ଓହ୍ଲାଇଲେ । କିଛି ଲୋକେ ହୋଟେଲରେ ପଶିଗଲେ ଆଉ ଭିତରଟା ଚଞ୍ଚଳ ହୋଇଉଠିଲା । ସରସ୍ୱତୀ ଲୋକଙ୍କୁ ହସି କଥା କହୁଥିଲା । ଅନେକ ଲୋକ ଖାଇବାକୁ ବସିଗଲେ ।
ଅବିନାଶ ଆଉ ତାଙ୍କର ଦଳର ଅନ୍ୟଲୋକମାନେ ଫେରି ଉପରକୁ ଚଢ଼ିଗଲେ । ବାହାରେ ହାଲୁକା ବର୍ଷା ଆରମ୍ଭ ହୋଇଯାଇଥିଲା । ସେ ଇଂଜିନ ପାଖରେ ଥିବା ଛୋଟ ଖାଲି ଜାଗାକୁ ଚାଲିଗଲା । ସେଇଠି ବର୍ଷା କମ ହେବ, କିଛି ପାଣି ଛିଟିକା ମାରିପାରେ । ଦେଖୁଦେଖୁ ପାଞ୍ଚ ମିନିଟ ଭିତରେ ଫେରି ଭରିଗଲା ଆଉ ଫେରି ବୁଲିପଡି ରଙ୍ଗତର ବକୁମତଳା ଜେଟି ଆଡକୁ ମୁହାଁଇଲା । ଗାଢ ସବୁଜ ନୀଳ ପାଣି । କେଉଁଠି କିଛି ମଇଳା ନଥିଲା । ମଝିରେ ମଝିରେ କିଛି ବଡ଼ ଖୁଣ୍ଟ ଉପରକୁ ଉଠଥିଲା । ସେ ଖୁଣ୍ଟମାନଙ୍କରେ ଦପ୍ଦପ୍ କରୁଥିବା ଆଲୋକମାନ ଲଗାଯାଇଥିଲା । ସହଜରେ ଦୂରତା ଜାଣିହେବ । ଅବଶ୍ୟ ଦିନରେ କିଛି ଅସୁବିଧା ନାହିଁ କିନ୍ତୁ ରାତିରେ ଏ ଆଲୋକ ଛୋଟ ବୋଟ ଆଉ ଡଙ୍ଗାମାନକୁ ଦୂର ଜଣାଇଦେବ । ଏଇଆଉ କେତେଟା ମାସ । ଉପରେ ପୋଲ ତିଆରି ହୋଇଯିବ ଆଉ ଏ ହୋଟେଲଗୁଡାକୁ ସମସ୍ତେ ଭୁଲିଯିବେ । ଅପେକ୍ଷା କରିବାକୁ କାହାରି ବେଳ ନଥିବ । ଅବିନାଶ ଜେଟିର ହୋଟେଲକୁ ଅନାଇଲା । ଝରକା ଦେଇ କିଛି ଲୋକ ଦେଖାଯାଉଥିଲେ । ସରସ୍ୱତୀ ସେପଟେ ଗରାଖମାନଙ୍କୁ ଜିନିଷ ବିକିବାରେ ବ୍ୟସ୍ତ ଥିବ । ଅବିନାଶର ମନ ହେଉଥିଲା ସେ କାଳି ତନୁପାତେଳୀ ଝିଅଟାକୁ ଟିକେ ଦେଖନ୍ତା । କିନ୍ତୁ କିଛି ମୁହଁ ଆଗକୁ ଆସିଲା ନାହିଁ । ସେ ବୋବା ଲୋକଟା ଯାହା ଦେଖାଯାଉଥିଲା ।
୩-
ସେପଟେ କଦମତାଲା ଜେଟି ପାଖରେ ଅନେକ କଟେଜ ପାଣି ଭିତରେ ଥିଲା । ସେପଟେ ଅଧିକ ଲୋକ । ଏ ପାଣି ଭିତରେ ଥିବା କଟେଜମାନଙ୍କରେ ବସିବାକୁ ମଜା ଲାଗିବ । ପାଣି ସବୁବେଳେ ମଣିଷକୁ ଆକର୍ଷଣ କରେ, ନିଜ ପାଖକୁ ଟାଣିଆଣେ । ମଣିଷ ଭିତରେ ଯେ ଅଧିକାଂଶ ଅଂଶ ପାଣି । ଏଣୁ ଲାଇକ ଆଟ୍ରାକ୍ଟ ଲାଇକ । ଅବିନାଶକୁ ସେ କଟେଜମାନ ଭଲ ଲାଗୁଥିଲା । ଠିକ ପଛରେ ଲୁଣାଗଛମାନ ଚେର ଉପରେ ନିଜକୁ ଟେକି ଧରିଛି । ଏ ଲୁଣା ଜଙ୍ଗଲ କେତେ ଭିନ୍ନ ଲାଗେ । ପତ୍ର କେବେ ଝଡେନି ଆଉ ସବୁବେଳେ ସବୁଜ ଦେଖାଯାଉଥାଏ । ଲୁଣା ପାଣି ଭିତରେ କୁମ୍ଭୀରମାନେ କୁଆଡେ ବୋଝାଇହୋଇ ରହିଛନ୍ତି । ଅନେକ ଲୋକଙ୍କୁ କୁମ୍ଭୀର ଟାଣି ନେଲାଣି । ଜାରୱାମାନେ କାଳେ କୁମ୍ଭୀର ସହ ପହଁରନ୍ତି । ସେମାନଙ୍କୁ କ’ଣ କୁମ୍ଭୀର ଖାଏ ନାହିଁ ନା କ’ଣ? । ଆଜିକାଲି କୁମ୍ଭୀର ସଂଖ୍ୟା ବହୁତ ବଢିଗଲାଣି । କୁମ୍ଭୀରମାନେ ଖୋଲା ସମୁଦ୍ରକୁ ବାହାରିଯାଇ ଅନ୍ୟ ଦ୍ୱୀପରେ ପହଞ୍ଚିଯାଉଛନ୍ତି । ଏ ବଡ଼ ଲୁଣା କୁମ୍ଭୀରମାନେ କିଛି ମାତ୍ରାରେ ଖୋଲା ପାଣିକୁ ଆରେଇ ନେଲେଣି । କିନ୍ତୁ ସେମାନେ ଖୋଲା ସମୁଦ୍ରରେ ରହିପାରିବେ ନାହିଁ । ସମୁଦ୍ରରେ ପରା ବଡ଼ ଶାର୍କ ଅଛନ୍ତି । ଶାର୍କର କ୍ଷିପ୍ରତା ଆଗରେ କୁମ୍ଭୀର କେତେ?
କଦମତାଲା ଜେଟି ଆଗରେ ଏକ କଳା ରାସ୍ତା ଥିଲା । ରାସ୍ତା ଟିକେ ଭଲ ଲାଗୁଥିଲା, ଆଗକୁ ଭଲ ରାସ୍ତା ଥାଉ । ବାରାଟାଙ୍ଗର ଖାଲୁଆ ରାସ୍ତାରେ ଆସି ପିଚା ପିଠି ଦରଜ ହୋଇଗଲାଣି । ଆଉ ଆଗକୁ ଯାତ୍ରା ସୁଖଦ ହେଉ । ପାଣିରେ ଅନେକ କାଠଗର ଭାସୁଥିଲା । ଏ ଜେଟିଦେଇ ଭେଳାକରି କାଠ ବାହାରକୁ ରପ୍ତାନୀ ହୁଏ । ଆଗରୁ ଭାରତର ମୁଖ୍ୟ ଭୂମିକୁ କାଠ ଯାଉଥିଲା । ଆଜିକାଲି କାଠ କେବଳ ପୋର୍ଟବ୍ଲେଆର ଯାଉଛି । ଦ୍ୱୀପର ଲୋକମାନଙ୍କ ଆବଶ୍ୟକତା ପୂରଣ ହେବ । କାଠ କିନ୍ତୁ ବହୁତ ଭଲ । ପାଡକ କାଠ ପରା ବିଶ୍ୱ ବିଖ୍ୟାତ । ଆଣ୍ଡାମାନ ପାଡକ କାଠ କୁଆଡେ କାହିଁ ସୁଦୂର ଲଣ୍ଡନର ବଙ୍କିଙ୍ଗହାମ ପ୍ୟାଲେସରେ ଲାଗିଛି । ଲାଲ କାଠ ଉପରେ ପଲିସ ଲାଗିଗଲେ ସବୁବେଳେ ଚମକୁଥାଏ । ଏତେ କାଠ ପାଣିରେ ଭାସୁଛି । କାଠ ଦର କୁଆଡେ ସୁନା ହୋଇଗଲାଣି । ଅବିନାଶ ଆଗକୁ ଅନାଇଲା ।
ଜାରୱା ଚେକପୋଷ୍ଟ ଆସିଗଲା । କିଛି ଗାଡି ଆଗରେ ନଥିଲା । ମୁଥୁ ନିଜ ଗାଡିର ନମ୍ବର ଆଉ ଯାତ୍ରୀମାନଙ୍କ ବିବରଣୀ ଦେଇଦେଲା । ତା’ପରେ ଦୌଡି ଆସି ଡ୍ରାଇଭର ସିଟରେ ବସିଗଲା । ବର୍ଷା ଆରମ୍ଭ ହୋଇଗଲାଣି । ମୁଥୁ ଆଉଥରେ ସେମିତି ପ୍ରଗଳଭ ହୋଇଉଠିଲା । ଜାରୱାମାନଙ୍କ ଉପରେ ଅନେକ କଥା କହିବାକୁ ଲାଗିଲା । ସବୁ ତା’ର ଅଙ୍ଗନିଭା କଥା । କେମିତି ଜାରୱାମାନେ ରାସ୍ତାକୁ ଆସିଯାଆନ୍ତି । ସେମାନେ କେମିତି ଗାଡି ଭିତରକୁ ହାତ ପୁରାଇ ଜିନିଷ ଖୋଜନ୍ତି । କିଛି ଦେବାକୁ ହେବ । ଉତ୍ତମ ଶିହରି ଗଲା । ପାଖରେ କିଛି ବିସ୍କୁଟ ମଧ୍ୟ ନାହିଁ । ଯଦି ଜାରୱା ଆସନ୍ତି ତେବେ କ’ଣ ହେବ ? କିନ୍ତୁ ଏପଟେ ତ କନଭେୟ କଥା କେହି କହି ନାହାନ୍ତି । କେହି ଡରିବା କଥା କହି ନାହାନ୍ତି । ସବୁ ଯାହାକିଛି କଥା ଅଛି ତାହା ସେପଟ ଦୂର ଜିରକାଟାଙ୍ଗ ଅଞ୍ଚଳର । କିନ୍ତୁ ଯାହାହେଲେ ମଧ୍ୟ ଅଜଣା ଜନଜାତି । ସାବଧାନ ହେବାକୁ ପଡି଼ବ ।
ସରି ସାର । ମୋ କଥାଟା ମୋଟେ ମାଇଣ୍ଡ କରିବେନି । ମୋର ସେମିତି ବକ୍ବକ୍ କରିବା ଅଭ୍ୟାସ – ମୁଥୁ କହିଲା । ଏଇଟା ତା’ର ସବୁବେଳର ଏକ ବାକ୍ୟ । ବହୁତ କିଛି କହିଦେବ ଆଉ ତା’ପରେ ସରି ସାର୍ କହିବ । ଅବିନାଶକୁ ଭଲ ଲାଗୁଥିଲା । ଅନ୍ୟମାନେ ମଧ୍ୟ ମୁଥୁ କଥାକୁ ଉପଭୋଗ କରୁଥିଲେ । ମୋଟା ଲୋକଟାର କଥା ମଝିରେ ଥଙ୍ଗେଇ ଯାଉଥିଲା ।
ତୁମ କଥାକୁ ମାଇଣ୍ଡ କରିବାର କ’ଣ ଅଛି ? ଆମକୁ ଭଲ ଲାଗୁଛି ।- ଅବିନାଶ କହିଲା । ଏମିତି ଲମ୍ବା ଯାତ୍ରାରେ କିଛି କଥା ନହେଲେ ମୋଟେ ଭଲ ଲାଗେନ । କିଛି କଥା ହେବା ଆବଶ୍ୟକ ।
କନଭୟ ଥିଲେ ଭଲ ହୋଇଥାନ୍ତା ।- ମୁଥୁ ଆଉ ଥରେ କହିଲା । ସେ କଥାଟା ଏଭିତରେ କେତେବାର କହି ସାରିଲାଣି । ଜାରୱା ଅଞ୍ଚଳ କିଛି ଅଛି ।ଏକୁଟିଆ ଗାଡି । ଯଦି ସେମାନେ ଅଟକାନ୍ତି ତେବେ ବଡ଼ ଅସୁବିଧା ହେବ । କଥାର କିଛି ଗୁରୁତ୍ୱ ଅଛି ।
ମୁଁ ଅନ୍ୟ ଗୀତ ଲଗାଇ ଦେଉଛି ।– ମୁଥୁ ଆଉ ଏକ ପେନ ଡ୍ରାଇଭ ବାହାର କରି ଲଗାଇଲା ଆଉ ଇଂରାଜୀ ଗୀତ ଜୋରରେ ବାଜି ଉଠିଲା ।
ଆରେ ତୁମେ ତା’ହେଲେ ଇଂରାଜୀ ଗୀତ ବହୁତ ଶୁଣ । ଏତେବେଳ ପର୍ଯ୍ୟନ୍ତ ଖାଲି କିଶୋର କୁମାର ଗୀତ ଶୁଣାଇ ଆସିଛ ।- ଉତ୍ତମ କହିଲା । କିଶୋର କୁମାରଙ୍କ ସ୍ୱର ଅତି ମଧୁର । କିନ୍ତୁ କ’ଣ ପାଇଁ ମୁଥୁ ଏମିତିୁଆ ଜୋରରେ ବାଜୁଥିବା ଆଉ ମୋଟେ ବୁଝିହେଉ ନଥିବା ଇଂରାଜୀ ପପ୍ ଗୀତ ଲଗାଇଲା ? ଅବିନାଶ ଭାବୁଥିଲା ମୁଥୁ ନିଜର ଉତ୍ତେଜନାକୁ କମାଇବା ପାଇଁ ସେମିତି ଗୀତ ଲଗାଇଛି । ଜୋରରେ ଗୀତ ବାଜିଲେ ମନକୁ ସାହାସ ଆସେ ।
ଏ ଗୀତ କେଉଁଠୁ ଆଣିଲ?- ଉତ୍ତମ ପଚାରିଲା । ମୁଥୁ ଏକ ଦଶମ ପର୍ଯ୍ୟନ୍ତ ପଢିଥିବା ଡ୍ରାଇଭର । ସେ ଇଂରାଜୀ ଗୀତ ଶୁଣିବା କଥା ନୁହେଁ । ଏ ଭିତରେ ମୁଥୁ ନିଜ ବିଷୟରେ ଅନେକ କଥା କହି ସାରିଛି । ତା’ର ବାପା ଏବେ ବି ସରକାରୀ ଚାକିରୀରେ ଅଛନ୍ତି ଆଉ ସେ ବିବାହିତ । ସ୍ତ୍ରୀ କେଉଁଠି ସରକାରୀ ଚାକିରୀ କରେ । ମୁଥୁ ପାଇଁ ଏକ ଗାଡି କିଣା ଯାଇଛି । ତା’ର ବ୍ୟାଙ୍କ ଲୋନ ଶୁଝିନି । ଆଉ ବର୍ଷେ ଦୁଇବର୍ଷ ଭିତରେ ଋଣ ପରିଶୋଧ ହୋଇଯିବ ବୋଲି ତା’ର ଆଶା । ସେ ସରକାରୀ ଲାଲ ବସ ଦେଖିଲେ ବଡ଼ ସାବଧାନତାର ସହ ଗାଡି ଚଲାଏ । ଏ ଗାଡିଗୁଡା ତା’ ପାଇଁ ଯମଦୂତ । ଏଗୁଡାକ କେଉଁ ବି ଗାଡିକୁ ବାଡେଇ ଦେଇ ପାରନ୍ତି । ତେଣୁ ସାବଧାନ ହେବା କଥା । ଆଣ୍ଡାମାନରେ ଇନ୍ସ୍ୟୁରାନ୍ସ ଇତ୍ୟାଦି ବଡ଼ ଅଜୀବ ଜିନିଷ । ତେଣୁ ମୁଥୁ ନିଜ ଗାଡିକୁ ବଡ଼ ସାବଧାନତାର ସହ ଚଲାଏ । ଗାଡି ଚଲାଉ ଚଲାଉ ଲୋକମାନଙ୍କ ସହ ଭଲ ବ୍ୟବହାର କରିବା ସେ ଶିଖିଯାଇଛି । ସେମାନଙ୍କ ମନ ଜାଣି କଥା କହେ । ଜାରୱା କଥା ଶୁଣିବାପାଇଁ ଯାତ୍ରୀମାନେ ଯେମିତି ଚାତକ ପରି ଅନାଇ ରହିଥାନ୍ତି । ସେ କଥା ଶୁଣିଲେ ଦୂର ଜଣା ପଡେନି । ଯାତ୍ରୀମାନଙ୍କ ମନୋଭାବ ଦେଖି ନିଜ ଗୀତ ପରିବର୍ତ୍ତନ କରିନିଏ ।
ଏ ଗୀତସବୁ କେଉଁଠୁ ଆଣିଲ?- ଉତ୍ତମ ଆଉଥରେ ପଚାରିଲା ।
ଦୁଇଜଣ ଝିଅ ମୋତେ ଏ ଗୀତ ଦେଇଥିଲେ ।- ମୁଥୁ ଟିକିଏ ହସିଲା ।
ସେମାନେ ନିଜ ବାପା ମା’ଙ୍କ ସାଙ୍ଗରେ ମୋ ଗାଡିରେ ଯାଉଥିଲେ । ବୋଧହୁଏ ଦିଲ୍ଲୀର ଲୋକହେବେ । ଦୁଇ ଝିଅ ଏଇ ଦଶ ବାର ବର୍ଷର ହେବେ । ସେ ଝିଅ ଦୁହେଁ ଖାଲି ଇଂରାଜୀ ଗୀତ ଶୁଣୁଥିଲେ । ମୋତେ ବଡ଼ ମଜା ଲଗୁଥିଲା । ସେମାନେ ଆଉ କିଛି ଗୀତ ଶୁଣିଲେନି ଆଉ ବିଦାୟବେଳେ ମୋତେ ଏ ପେନ ଡ୍ରାଇଭ ଦେଲେ ।– ମୁଥୁ କହିଲା । ତା’ର ଆଖି ରାସ୍ତା ଉପରେ ଲାଗି ରହିଥିଲା । ଅବିନାଶ ମୁଥୁ କଥା ଭାବୁଥିଲା । ଭଲ ଲୋକଟା । ସମସ୍ତଙ୍କୁ ଖୁସି କରିବା ଜାଣେ । ସେ ବାହରାକୁ ଅନାଇଲା । ବହୁତ ବର୍ଷା ହେଉଥିଲା । ରାସ୍ତାଧୂଆଁଳିଆ ଦେଖାଯାଉଥିଲା । ଗାଡିରେ ଓ୍ୟାଇପର ବହୁତ ଜୋରରେ ବୁଲୁଥିଲା ।
ରାସ୍ତାରେ ଏକ ଗାଡି ଠିଆ ହୋଇଥିଲା । ନିରିଖେଇ ଦେଖିଲାରୁ ଜଣାଗଲା ସେଇଟା ଏକ ଟ୍ରାକ୍ଟର । ରାସ୍ତା କାମ ହେଉଛି । କିଛି ଜିନିଷ ଆଣିଥିବ । ବର୍ଷା ଯୋଗୁ ଲୋଡିଙ୍ଗ ଅନଲୋଡିଙ୍ଗରେ ଅସୁବିଧା ହେଉଥିବ । ସେଥିରେ ଦୁଇ ଜଣଲୋକ କୁଙ୍କୁରି କାଙ୍କୁରି ହୋଇ ବସିଥିଲେ । ଆଗରେ ଟିକିଏ ଦୂରରେ ଏକ ଟ୍ରକ ଦେଖାଯାଉଥିଲା । ବର୍ଷା ଯୋଗୁ କିଛି ସ୍ପଷ୍ଟ ଜଣା ପଡୁନଥିଲା ।
ସେମାନେ ଜାରୱା ।- ମୁଥୁ କହିଲା । ସମସ୍ତଙ୍କର ଆଖି ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ ଉପରେ ଥିଲା । ନିଜ ଭିତରେ ସମସ୍ତେ ଶାଙ୍କୁଡି ହୋଇଗଲେ । ସମସ୍ତେ କାଚକୁ ଉପରକୁ କରିଦେଲେ । ଜାରୱା ଲୋକମାନେ ଗାଡି ଅଟକାଇ କିଛି ନଖୋଜନ୍ତୁ । ମୁଥୁ କଥା ହିସାବରେ ଜାରୱାମାନେ ତା’ର ଗାଡିରୁ ଦୁଇଟା ଝିଅଙ୍କର ପର୍ସ ଲୁଟି ନେଇଥିଲେ । ଝିଅ ଦୁହେଁ ଓହ୍ଲାଇ କିଛି କଦମ ଚାଲିଲେ । କିନ୍ତୁ ଜାରୱା ଲୋକଟା କୁଆଡେ ଅଦୃଶ୍ୟ ହୋଇଗଲା । କିଛି ଖାଇବା ଜିନିଷ ନପାଇ ଜାରୱା ଲୋକଟା ପର୍ସକୁ କାଦୁଅକୁ ଫିଙ୍ଗି ଦେଇଥିବ ।
ଆଠ ଦଶ ଜଣ ବା ତା’ ଠାରୁ ଅଧିକା ହେବେ । ଆଗରୁ ଗାଡି ଆସିଥିବାର ଦେଖି ସେମାନେ ରାସ୍ତା ଉପରୁ ହଟିଗଲେ । ଗାଡି ଏକଦମ ପାଖକୁ ଆସିବାରୁ ଜଣାଗଲା ସେମାନେ ଜାରୱା ଛୁଆ । ଠିଆ ହୋଇଥିବା ଗାଡି ପାଖରେ ଏକତ୍ରିତ ହୋଇଛନ୍ତି । ଗାଡି ଉପରେ ବସି ଏଇ ପାଖକୁ କେଉଁଠିକୁ ଯିବେ । କାମ କରୁଥିବା ଗାଡିମାନ ବେଳେବେଳେ ସେମାନଙ୍କୁ ଉଠାଇ ନେଇଥାନ୍ତି । ଅଳ୍ପା ଉଚ୍ଚ ପିଲାମାନେ । ସେମାନେ ରାସ୍ତା ଧାରରୁ ଜୋରରେ ଯାଉଥିବା ମୁଥୁର ଗାଡିକୁ ଆନଇ ରହିଥିଲେ ।
ଆଗରେ କିଛି ଘର ଦେଖାଗଲା । ସେଠି ସାଧାରଣ ଲୋକମାନେ ରହୁଛନ୍ତି । କିଛି ଗୁଆ ଆଉ କଦଳୀ ବା ନଡିଆ ଗଛ । କିଏ ରାଞ୍ଚିବାଲା, ବା ବଙ୍ଗାଳୀ ବା ତାମିଲ ଏଠି ଘରକରି ରହିଲାଣି । ସମସ୍ତେ ସାଧାରଣ ଶ୍ୱାସ ନେଲେ । ଆଉ କିଛି ଡରିବାର ନାହିଁ । ଜାରୱା ଅଞ୍ଚଳ ସରଗଲାଣି ।
୰
କ୍ରମଶଃ. . .
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା