ଶିକ୍ଷାର ଶିଖା

ସୁନନ୍ଦା ମହାନ୍ତି



ସୁନନ୍ଦା ମହାନ୍ତି

ଯିଏ ଯେତେ ଭଲରେ ଥାଉ ବା ନଥାଉ ଚିନ୍ତା ଅନେକ. କାହାର କୋଉ ପ୍ରକାର ଭୋକର ଚିନ୍ତା୤ କିଏ ଖାଦ୍ୟ ବସ୍ତ୍ର ଆଶ୍ରୟ ଭଳି ସର୍ବନିମ୍ନ ଆବଶ୍ୟକତା ଚିନ୍ତା କରୁଥିଲା ବେଳେ କିଏ ପ୍ରତିଷ୍ଠା, ସମ୍ମାନ, ଯଶ, ବିଭବ, ଗୌରବ ଓ ଗରିମା ଚିନ୍ତା କରୁଛି୤ ସାଧାରଣତଃ ପିଲାଦିନେ ପାଠ ଚିନ୍ତା୤ ବଡ଼ ହେଲେ ରୋଜଗାର ଚିନ୍ତା, ଯୌବନରେ ଭଲ ପତି, ପତ୍ନୀ, ପୁତ୍ର, କନ୍ୟା, ଜମାତା, ବଧୂ ଚିନ୍ତା କରୁ କରୁ ବାର୍ଦ୍ଧକ୍ୟରେ ଶରୀର ଚିନ୍ତା୤ ସେତେବେଳେ ଲାଗେ ଥିଲେ ଥାଉ ପଛେ ଧନ ଅପାର... ସୁସ୍ଥତା ନଥିଲେ ଜୀବନ ଅସାର୤ ତେଣୁ ପିଲାଦିନୁ ନିରୋଗ ରହିବା ଚିନ୍ତା କରି, ଖେଳକୁଦ ବ୍ୟାୟମ, ଯୋଗ, ପ୍ରାଣାୟାମ ପ୍ରତି ନିଜେ ଧ୍ୟାନ ଦେବା ସହ ଦୁନିଆଁକୁ ଶିକ୍ଷା ଦେବା ଜରୁରୀ ଅଟେ୤
ବରପୁତ୍ର ମାନେ ଆମ ଦେଶରେ ଜନ୍ମ ଗ୍ରହଣ କରି ଦୁନିଆଁକୁ ବଦଳାଇଦେବା ଚିନ୍ତା କରି ଆଜି ଇତିହାସ ପୃଷ୍ଠାରେ ସେମାନଙ୍କ ନାମ ଲିପିବଦ୍ଧ କରିଛନ୍ତି୤ ଚିନ୍ତା ନ କରି ଥିଲେ, ଗାନ୍ଧିଜୀ କଣ ମହାତ୍ମା ହୋଇ ପାରିଥାନ୍ତେ ନା ବିନା ରକ୍ତପାତରେ ଅହିଂସା ମନ୍ତ୍ରରେ ସ୍ବାଧୀନତାର ସ୍ୱାଦ ଚଖାଇ ପାରିଥାନ୍ତେ! ସେହିଭଳି ଦେଶ, ଜାତି, ଭାଷା ସୁରକ୍ଷା, ସଂସ୍କୃତି ରକ୍ଷା, ପରମ୍ପରା ପାଳନ ରକ୍ଷା କରି ସମାଜକୁ ବଦଲେଇ ଯାଇଛନ୍ତି ଅନେକ ଅନେକ ମହିୟସୀ ଜନନାୟକ, ସାଧୁ, ସନ୍ଥ ଓ ସନ୍ୟାସୀ୤ ଓଡ଼ିଆ ଭାଷା, ଓଡ଼ିଆ ଜାତି ପାଇଁ ଚିନ୍ତା କରି କୁଳବୁଦ୍ଧ, ଉତ୍କଳ ଗୌରବ ମଧୁସୂଦନ, ଗୋପବନ୍ଧୁ ଆଦି ପଞ୍ଚସଖା, ପାରଳା ଗଜପତି କୃଷ୍ଣ ଚନ୍ଦ୍ର ଦେବ, ଉତ୍କଳ ଦୀପିକାର ସମ୍ପାଦକ, ଇତ୍ୟାଦିଙ୍କ ନାମ ସ୍ମରଣ କରୁଛି ଦୁନିଆଁ୤
ବିଭୁଦତ୍ତ ଆଜି ଚିନ୍ତା କରୁଛି୤ ପଦ୍ମିନୀ ସ୍ତ୍ରୀ ପାଇବାକୁ, ଚିହ୍ନିବ କେମିତି? ବାପା ଯେତେ ବୁଝାଇଲେ ମଧ୍ୟ ତା ମନ ବୁଝୁନି୤ ଯେତେ ଝିଅ ଦେଖିଲେ ତାର ପସନ୍ଦ ହେଉନି୤ ବାପା ବ୍ୟସ୍ତ ହୋଇପଡୁଛନ୍ତି, ପିତାମାତାଙ୍କ ଆୟୁଷ ସରିବା ସହ ବିଭୁଦତ୍ତର ବୟସ ବଢୁଛି୤ ଥଳ, କୂଳ ଜାତି ଗୋତ୍ର ଦେଖି କନ୍ୟା ଆଣିଲେ ସେ ହିଁ ପଦ୍ମିନୀ ଜାତୀୟ ସ୍ତ୍ରୀ ହୋଇପାରିବ୤ ତା ଛଡା ଝିଅଟି ବୋହୁ ହୋଇ ଆସିଲା ପରେ ତାକୁ ସ୍ନେହ, ଶ୍ରଦ୍ଧା, ଆବଶ୍ୟକ ସ୍ଥଳେ ସମ୍ମାନ ଦେଇ, ସଂସ୍କୃତି ସଂହତି ଓ ପରମ୍ପରାରେ ଉଦବୁଦ୍ଧ କରିବାକୁ ଧର୍ଯ୍ୟ ରଖିଲେ, ନବବଧୂ ସମୟ କ୍ରମେ ପଦ୍ମିନୀ ସ୍ତ୍ରୀର ସମସ୍ତ ଗୁଣ ଆହରଣ କରିପାରିବ୤ ତଥାପି ବୁଝୁନି ବିଭୁଦତ୍ତ ମନ୤
ସେଦିନ ବାପା ପାଖକୁ ଡାକିଲେ, କହିଲେ ଆଛା କହିଲୁ ବିଭୁଦତ୍ତ ତୋର, ସବୁଠୁ ଭଲ ସାଙ୍ଗ କିଏ? ଅଶୋକ ବୋଲି କହିବା ପରେ ବାପା ପଚାରିଥିଲେ, ତୋ ସହ କେତେ ସାଙ୍ଗ ଯଥା ମାନସ, ପ୍ରଭାକର, ଶୁଭେନ୍ଦୁ ଇତ୍ୟାଦି ପୁଅ ଥିଲା ବେଳେ ତୁ ଅଶୋକକୁ କାହିଁକି ଭଲ ସାଙ୍ଗ ରୂପେ ବାଛିଲୁ ପୁଅ୤ ବିଭୁଦତ୍ତ କହିଲା ବାୟୁ ମଣ୍ଡଳରେ ଅନେକ ଗ୍ୟାସ ଅଛି ହେଲେ ଆମେ ଆମ୍ଳଜାନକୁ ନିଶ୍ୱାସରେ ନେଉଛୁ ବଞ୍ଚିବା ପାଇଁ ସେମିତି ଅଶୋକ ଭିତରେ ମୁଁ ମୋ ପ୍ରତି ସ୍ନେହ, ଅନୁରାଗ, ଭଲପାଇବା ସହ ସର୍ତ୍ତ ଓ ସ୍ୱାର୍ଥ ରହିତ ସମ୍ପର୍କ ଦେଖିଛି ବାପା୤ ବାପା କହିଲେ ଠିକ ପୁଅ, ସେମିତି ତୁ ତୋ ନିଜ ହୃଦୟ ଓ ମନକୁ ପଚାର, ଯୋଉ ଝିଅର ମୁହଁ ତୋ ନଜରକୁ ଆସୁଛି ତାକୁ ଜୀବନସାଥି କରିନେ୤
ବିଭୁଦତ୍ତ ନଜରକୁ ଶିଖା ପଶି ଆସୁଥିଲା ବାରମ୍ବାର୤ ଯିଏ ତାଙ୍କ ଅଫିସରେ ଜଣେ ସହକର୍ମୀ୤ ବିଧବା ସିଏ, ପୁତ୍ର ସନ୍ତାନର ଜନନୀ ମଧ୍ୟ୤ ବେସାହାରା ଶିଖାର ଦାୟିତ୍ବ, କର୍ତ୍ତବ୍ୟ, ସାମାଜିକତା, ପରୋପକାରୀ ଗୁଣ, ସମୟନୁବର୍ତ୍ତିତା ତଥା ମଧୁର କଥା ଓ ବ୍ୟବହାର ଇତ୍ୟାଦି ଗୁଣ ଗୁଡିକ ମୁଗ୍ଧ କରେ ବିଭୁଦତ୍ତକୁ୤ ହେଲେ ଅଜାତି, ବୈଧବ୍ୟ ଭୋଗୁଥିବା, ଗୋଟେ ଛୁଆର ମାଆକୁ ସେ ସିନା ଗ୍ରହଣ କରିପାରିବ କିନ୍ତୁ ଦୁନିଆଁ?ପିତାମାତା?? ସବୁ ଶୁଣି ଉଚ୍ଚମନା ପିତାମାତା ରାଜି ହୋଇଗଲେ୤ ଦୁନିଆଁକୁ ଶିକ୍ଷା ଦେଇ ଶିଖାକୁ ଗ୍ରହଣ କରିନେଲା ବିଭୁଦତ୍ତ, ଯିଏ କି ପଛରେ ପଦ୍ମିନୀ ସ୍ତ୍ରୀଟିଏ ହୋଇପାରିଥିଲା ବିଭୁଦତ୍ତର ଜୀବନରେ୤










ସାକ୍ଷୀଗୋପାଳ, ପୁରୀ
୯୦୪୦୯୭୭୩୨୭


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା