ବୟସ୍କଙ୍କ ରୋଗ : ପାର୍କିନସନ୍

ଡା ରାଜକିଶୋର ପଣ୍ଡା



ଡା ରାଜକିଶୋର ପଣ୍ଡା

ପ୍ରତିବର୍ଷ ଏପ୍ରିଲ ଏଗାରକୁ ବିଶ୍ୱ ପାର୍କିନସନ୍ ଦିବସ ଓ ଏପ୍ରିଲକୁ ପାର୍କିନସନ୍ ସଚେତନା ମାସ ଭାବେ ବିଶ୍ୱବ୍ୟାପୀ ପାଳନ କରା ଯାଇଥାଏ୤ ବୟସ୍କମାନଙ୍କ କ୍ଷେତ୍ରରେ ଏହା ଏକ ଚିନ୍ତାଜନକ ରୋଗ ଓ ଏଥିରେ ବୃଦ୍ଧଜନଙ୍କର କାର୍ଯ୍ୟ କରିବାର କ୍ଷମତା, ଗତିଶୀଳତା ଓ ମାନସିକ ଦକ୍ଷତା ଆଦି ଦ୍ରୁତ ଭାବରେ ହ୍ରାସ ପାଇଥାଏ୤ ତେବେ ଏହି ରୋଗର ସମ୍ୟକ ଇତିହାସ, କାରଣ, ନିରାକରଣ ଓ ପରିସଂଖ୍ୟାନର ଆଲୋଚନା ହିଁ ଆମର ଏହି ନିବନ୍ଧର ବିଷୟବସ୍ତୁ୤
ପ୍ରଥମେ ଆମେ ଆସିବା ପାର୍କିନସନର୍ ଇତିହାସକୁ୤ ପ୍ରାଚୀନ ଭାରତୀୟ ଓ ଚୀନର ଶାସ୍ତ୍ରମାନଙ୍କରେ ଏହି ରୋଗର ଲକ୍ଷଣ ବିଷୟରେ ଉଲ୍ଲେଖ ଅଛି୤ ଆଧୁନିକ ଔଷଧ ବିଜ୍ଞାନକୁ ଦେଖିଲେ, ୧୮୧୭ ମସିହାରେ ଲଣ୍ଡନର ଡାକ୍ତର “ଜେମ୍ସ ପାର୍କିନସନ୍” ପ୍ରଥମେ ଏହି ରୋଗଟିକୁ ଆନୁଷ୍ଠାନିକ ଭାବେ ଚିହ୍ନଟ କରିଥିଲେ୤ ନିଜର ପ୍ରବନ୍ଧ “ଆନ୍ ଏସେ ଅନ୍ ସେକିଙ୍ଗ୍ ପାଲସି”ରେ ସେ ପାର୍କିନସନ ରୋଗର ସବିଶେଷ ଲକ୍ଷଣ ଜନିତ ବିବରଣୀକୁ ଲିପିବଦ୍ଧ କରିଥିଲେ୤ ମଜାର କଥା ଏହି ଯେ, ଡାକ୍ତର ଜେମସ ରୋଗଟିର ନାମକରଣ କରିଥିଲେ “ପାରାଲିସିସ୍ ଏଜିଟାନସ୍”୤ ତାଙ୍କ ପରେ ୧୮୬୭ ମସିହାରେ ପ୍ରଖ୍ୟାତ ସ୍ନାୟୁ ରୋଗ ବିଶେଷଜ୍ଞ “ଜିନ୍ ମାର୍ଟିନ୍ ଚାରକୋଟ୍”, ଯିଏ କି ପାର୍କିନସନ ବିଷୟରେ ଆହୁରି ଉନ୍ନତ ଧରଣର ଗବେଷଣା କରିଥିଲେ, ଡାକ୍ତର ଜେମ୍ସଙ୍କ ସମ୍ମାନରେ
ରୋଗଟିକୁ “ପାର୍କିନସନ୍ ଡିଜିଜ୍” ନାମରେ ନାମିତ କଲେ୤ ୧୮୯୩ ମସିହାରେ ବୈଜ୍ଞାନିକମାନେ ଏହି ବ୍ୟାଧିଟି ମସ୍ତିଷ୍କର “ସବ୍ଷ୍ଟାନସିଆ ନାଏଗ୍ରା”ରେ ରୋଗଜନିତ ପରିବର୍ତ୍ତନ ଯୋଗୁଁ ହୋଇଥାଏ ବୋଲି ଦର୍ଶାଇଥିଲେ୤ ୧୯୧୯ ମସିହାରେ ରୁଷୀୟ ସ୍ନାୟୁ ବିଶେଷଜ୍ଞ “କୋନଷ୍ଟାଣ୍ଟିନ୍”, ପାର୍କିନସନରେ ମସ୍ତିଷ୍କରେ ହେଉଥିବା ଅତିକ୍ଷୁଦ୍ର ପରିବର୍ତ୍ତନକୁ ଚିହ୍ନଟ କରିବା ସହିତ ଏହାକୁ “ଲିୱି ବଡି” ନାମରେ ନାମକରଣ କରିଥିଲେ୤ ୧୯୬୭ ମସିହାରେ “ଆର୍ଭିଡ଼ କାର୍ଲସନ୍” ପାର୍କିନସନର୍ ମୁଖ୍ୟ କାରଣକୁ “ଡୋପାମିନ”ର ଅଭାବ ବୋଲି ପ୍ରମାଣିତ କରିବା ସହିତ ଏହାର ଔଷଧ “ଲିଭୋଡୋପା”କୁ ପ୍ରସ୍ତୁତ କରିଥିଲେ୤ ପରିଶେଷରେ ୧୯୯୭ ମସିହାରେ ଏହି ରୋଗର ଆନୁବଂଶିକ କାରଣ ଜଣାପଡ଼ିବା ସହ, ଏହାର ଏକ ଶଲ୍ୟ ଚିକିତ୍ସା ପଦ୍ଧତି “ଡିପ୍ ବ୍ରେନ୍ ଷ୍ଟିମୁଲେସନ୍” କୁ ଅନୁମତି ପ୍ରଦାନ କରାଗଲା୤
ଆସିବା କାରଣକୁ୤ ପାର୍କିନସନର ପ୍ରମୁଖ କାରଣ ହେଉଛି ଡୋପାମିନର ଅଭାବ୤ ଏହି ଡୋପାମିନ, ମନୁଷ୍ୟ ଶରୀର ପାଇଁ ଏକ ଆବଶ୍ୟକ ହରମୋନ୍ ଅଟେ୤ ଆମ ଶରୀରରେ ଦେଖାଯାଉଥିବା ଗତିଶୀଳତା, ସ୍ମରଣ ଶକ୍ତି, ଧ୍ୟାନ ଶକ୍ତି, ଉତ୍ସାହ, ଆନନ୍ଦ ନିମନ୍ତେ ଏହି ଡୋପାମିନ୍ ନିତାନ୍ତ ଜରୁରୀ୤ ଏହା କମିଗଲେ ମନ ଭାରାକ୍ରାନ୍ତ ହେବା ସହ ଶରୀର ମଧ୍ୟ ହାଲିଆ ହୋଇଯାଇଥାଏ ଓ କାମ କରିବାର ସ୍ପୃହା ହ୍ରାସ ପାଇଥାଏ୤ ପାର୍କିନସନରେ ମସ୍ତିଷ୍କରେ ଡୋପାମିନ୍ ପ୍ରସ୍ତୁତ କରୁଥିବା ସ୍ନାୟୁ କୋଷମାନେ ନଷ୍ଟ ହୋଇଯାଇଥାନ୍ତି୤ ଏହି ସ୍ନାୟୁକୋଷମାନଙ୍କର ଉପସ୍ଥିତି ହେଉଛି ମସ୍ତିଷ୍କର “ସବ୍ଷ୍ଟାନସିଆ ନାଏଗ୍ରା”୤ କାଳକ୍ରମେ ଏହି ନଷ୍ଟ ହୋଇଯାଇଥିବା ସ୍ନାୟୁକୋଷମାନଙ୍କ ମଧ୍ୟରେ ଏକ ଅସ୍ୱାଭାବିକ ବା ତ୍ରୁଟିଯୁକ୍ତ ପ୍ରୋଟିନର ସୃଷ୍ଟି ହୋଇଥାଏ୤ ଏହି ପ୍ରୋଟିନଟି ହେଉଛି “ଆଲ୍ଫା- ସାଇନ୍ୟୁକ୍ଲିନ୍”୤ ଏହି ପ୍ରୋଟିନର ଜମାକୁ କୁହାଯାଏ “ଲିୱି କୋଷ” ବା “ଲିୱି ବଡି”୤
ଏହି ରୋଗର ଦ୍ୱିତୀୟ କାରଣ ହେଉଛି କିଛି ନିର୍ଦ୍ଦିଷ୍ଟ ଜିନରେ ପରିବର୍ତ୍ତନ ବା ମ୍ୟୁଟେସନ୍୤ ଏହି ଜିନ୍ଗୁଡ଼ିକ ହେଉଛନ୍ତି, ଝଘଉଇ, ଖଜଜକ୨, ଚଇଜକ୭ ଇତ୍ୟାଦି୤ ଏହି କାରଣଟି କିନ୍ତୁ ଅତ୍ୟନ୍ତ ବିରଳ ଓ ଏହା ଯୋଗୁଁ ମାତ୍ର ପନ୍ଦର ପ୍ରତିଶତ ପାର୍କିନସନ ହୋଇଥାଏ୤ ତୃତୀୟରେ ପରିବେଶ ଜନିତ କାରଣ୤ ବିଭିନ୍ନ ବିଷାକ୍ତ ପଦାର୍ଥ ଯେପରିକି କୀଟନାଶକ, ପ୍ରଦୂଷିତ ବାୟୁ, କଳକାରଖାନାରୁ ନିର୍ଗତ ବିଭିନ୍ନ ବର୍ଯ୍ୟବସ୍ତୁ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ହୋଇଥାଏ୤ ସାଧାରଣତଃ ବୟସ ବଢ଼ିବା ସହିତ ଏହି ରୋଗରେ ପୀଡ଼ିତ ହେବାର ସମ୍ଭାବନା ବଢ଼ିଯାଇଥାଏ୤ ଅଧିକାଂଶ କ୍ଷେତ୍ରରେ ଏହା ଷାଠିଏ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଆକ୍ରାନ୍ତ କରିଥାଏ ଓ ତୁଳନାତ୍ମକ ଭାବରେ ପୁରୁଷମାନେ ମହିଳାମାନଙ୍କ ଅପେକ୍ଷା ଏହି ରୋଗରେ ବେଶୀ ପ୍ରଭାବିତ ହୋଇଥାନ୍ତି୤ ଏହି ରୋଗର ପ୍ରମୁଖ ଲକ୍ଷଣମାନ ହେଉଛି- ଥରିବା (ହାତ, ଆଙ୍ଗୁଠି ପ୍ରଭୃତି), ଗତିଶୀଳତାରେ ହ୍ରାସ, ମାଂସପେଶୀଗୁଡ଼ିକର ଅନମନୀୟତା ବା ଶକ୍ତ ଓ ଯନ୍ତ୍ରଣାଦାୟକ ହେବା, କଥା କହିବା ଶୈଳୀରେ ପରିବର୍ତ୍ତନ, ଲେଖିବାରେ କଷ୍ଟ ଅନୁଭବ, ଶରୀରର ଭାରସାମ୍ୟ ରକ୍ଷା କରିବାରେ ଅସୁବିଧା ଇତ୍ୟାଦି୤
ବର୍ତ୍ତମାନ ଦେଖିବା ରୋଗଟିର ପରିସଂଖ୍ୟାନକୁ୤ ପାର୍କିନସନ ଉପରେ ବିଶ୍ୱବ୍ୟାପୀ ଗବେଷଣା ଓ ଜନସଚେତନତା ସୃଷ୍ଟି କରୁଥିବା ଆମେରିକାର ସଂସ୍ଥା ପାର୍କିନସନ ଫାଉଣ୍ଡେସନ ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେବଳ ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ୯୦,୦୦୦ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଏବଂ ୧.୧ ମିଲିଅନ ଲୋକ ବର୍ତ୍ତମାନ ସେଠାରେ ଏହି ରୋଗ ସହିତ ବଞ୍ଚିଛନ୍ତି୤ ସଂସ୍ଥା ଏହା ମଧ୍ୟ ଜଣାଇଛି ୨୦୩୦ ସୁଦ୍ଧା ପାର୍କିନସନ ସହ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା, ଆମେରିକାରେ ୧.୧ ମିଲିଅନ୍ ରୁ ୧.୨ ମିଲିଅନକୁ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି୤ ବର୍ତ୍ତମାନ ସମୟରେ ସ୍ନାୟୁକୋଷ ବିନଷ୍ଟକାରୀ ରୋଗ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଛି ଆଲଝାଇମର ଓ ଦ୍ୱିତୀୟ ସ୍ଥାନରେ ଅଛି ପାର୍କିନସନ୍୤ ସମଗ୍ର ବିଶ୍ୱରେ ବର୍ତ୍ତମାନ ୧୦ ମିଲିଅନରୁ ଅଧିକ ଲୋକ ଏହି ରୋଗରେ ପୀଡ଼ିତ ଅଛନ୍ତି୤ ଭାରତ ସନ୍ଦର୍ଭରେ ଦେଖିଲେ ପ୍ରତି ଏକଲକ୍ଷ ଜନସଂଖ୍ୟାରେ ପାର୍କିନସନ ୧୫ ରୁ ୪୩ ଜଣ ଲୋକଙ୍କୁ ଆକ୍ରାନ୍ତ କରିଛି୤ ୨୦୩୦ ସୁଦ୍ଧା ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି୤ ଚିନ୍ତାର ବିଷୟ ହେଉଛି କି, ଭାରତରେ ଏହି ରୋଗରେ ପ୍ରଭାବିତ ହେଉଥିବା ଲୋକମାନଙ୍କ ମଧ୍ୟରୁ ୪୦ ରୁ ୪୫ ପ୍ରତିଶତ ହେଉଛନ୍ତି ୨୨ ରୁ ୪୯ ବର୍ଷ ବୟସ ମଧ୍ୟରେ୤ ତେଣୁ ଯୁବବର୍ଗ ଏହି ରୋଗର ଶିକାର ହେଉଛନ୍ତି ବୋଲି ଆମେ କହିପାରିବା୤ ଡାକ୍ତରମାନେ ଏହା ଉପରେ ମତବ୍ୟକ୍ତ କରି କହିଛନ୍ତି ଯେ, କଳକାରଖାନାର ପ୍ରାବଲ୍ୟ, ବାୟୁ ପ୍ରଦୂଷଣ ଓ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଏହିପରି ଘଟୁଛି୤ ଆହୁରି ମଧ୍ୟ ଉତ୍ତର ଭାରତରେ ଆନୁବଂଶିକ ଇତିହାସ, ମସ୍ତିଷ୍କଘାତ ଥିବା ରୋଗୀ ଓ ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ଏହି ରୋଗ ବେଶୀ ଆକ୍ରାନ୍ତ କରୁଛି୤
ଚିକିତ୍ସାକୁ ଆସିଲେ ଏହି ରୋଗରେ ମୁଖ୍ୟତଃ ଲିଭୋଡୋପାକୁ ଔଷଧ ଭାବରେ ବ୍ୟବହାର କରାଯାଇଥାଏ୤ ଲିଭୋଡୋପାକୁ ଏହି ରୋଗର ଗୋଲ୍ଡ ଷ୍ଟାଣ୍ଡାର୍ଡ଼ ଔଷଧ ବୋଲି ମଧ୍ୟ କୁହାଯାଇଥାଏ୤ ଏହା ମସ୍ତିଷ୍କରେ ଡୋପାମିନକୁ ପରିବର୍ତ୍ତିତ ହୋଇ, ଏହାର ଅଭାବକୁ ପୂରଣ କରିଥାଏ୤ ଲିଭୋଡୋପାକୁ କିନ୍ତୁ ଗୋଟିଏ ଏନଜାଇମ୍ ବିଘଟନ କରି, ଏହାକୁ ମସ୍ତିଷ୍କ ବାହାରେ ଡୋପାମିନରେ ପରିଣତ କରିଥାଏ୤ ଏହାଦ୍ୱାରା ଶତପ୍ରତିଶତ ଲିଭୋଡୋପା ମସ୍ତିଷ୍କରେ ଏହାର କାର୍ଯ୍ୟ ସମ୍ପାଦନ କରିପାରିନଥାଏ୤ ଏହି ଏନଜାଇମର ନାମ ହେଉଛି “ଡୋପା ଡି କାରବୋକ୍ସିଲେଜ୍”୤ ଏହାକୁ ପ୍ରତିରୋଧ କରିବା ନିମନ୍ତେ ଲିଭୋଡୋପାକୁ “କାର୍ବିଡୋପା” ସାଙ୍ଗରେ ମିଶ୍ରିତ କରି ଦିଆଯାଇଥାଏ୤ କାର୍ବିଡୋପା ଉପରୋକ୍ତ ଏନଜାଇମଟିକୁ ପ୍ରତିରୋଧ କରି ମସ୍ତିଷ୍କରେ ଲିଭୋଡୋପାର ଉପସ୍ଥିତିକୁ ସୁନିଶ୍ଚିତ କରାଇଥାଏ୤ ପାର୍କିନସନ ବିଷୟରେ ମତବ୍ୟକ୍ତ କରି ଚେନ୍ନାଇର “ରିଲା ହସ୍ପିଟାଲ”ର ସ୍ନାୟୁ ବିଭାଗର ମୁଖ୍ୟ ଡାକ୍ତର ଏନ. ଦାମୋଦରନ୍ କହିଛନ୍ତି କି, ବିଗତ ଜନବର୍ଷକୁ ତୁଳନା କଲେ, ବର୍ତ୍ତମାନ ସମୟରେ ଏହି ରୋଗ ବିଷୟରେ ଜନସଚେତନାରେ ଯଥେଷ୍ଟ ବୃଦ୍ଧି ଘଟିଛି୤ ସେ କହିଛନ୍ତି କି, ପାର୍କିନସନରେ ଆକ୍ରାନ୍ତ ପ୍ରାୟ ରୋଗୀ, ରୋଗଟିର ପ୍ରାରମ୍ଭିକ ଲକ୍ଷଣକୁ ଗୁରୁତ୍ୱର ସହ ନିଅନ୍ତି ନାହିଁ୤ ହାତ କିମ୍ବା ଗୋଡ଼ ଥରିଲେ ସେମାନେ ଏହାକୁ ଭିଟାମିନ୍ ଅଭାବ ବା ସ୍ନାୟୁବିକ ଦୁର୍ବଳତା ବୋଲି ଧରିନେଇଥାନ୍ତି୤
ପରିଶେଷରେ ଡାକ୍ତରଙ୍କ ପାଖକୁ ଗଲାବେଳକୁ ରୋଗଟି ଜଟିଳ ଆକାର ଧାରଣ କରିସାରିଥାଏ୤
ଯଦିଓ “ଡିପ୍ ବ୍ରେନ-ଷ୍ଟିମୁଲେସନ୍” ନାମକ ଏକ ଶଲ୍ୟ ଚିକିତ୍ସା, ଏହି ରୋଗ ପାଇଁ ଉପଲବ୍ଧ ଅଛି, ଏହାର ପରିସର କିନ୍ତୁ ଅତ୍ୟନ୍ତ ସୀମିତ୤ ବର୍ତ୍ତମାନ ସମୟରେ ପାର୍କିନସନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବିଶେଷ ଓ ତାଙ୍କର କେୟାର ଟେକରମାନ ନେଇ କ୍ଷୁଦ୍ର କ୍ଷୁଦ୍ର ସହଯୋଗ ଗୋଷ୍ଠୀମାନ କରାଯାଉଛି । ଏହି ଗୋଷ୍ଠୀ ଜରିଆରେ କେୟାର ଟେକରମାନଙ୍କୁ ରୋଗୀର ଯତ୍ନ ବିଷୟରେ ଶିକ୍ଷା ଓ ରୋଗୀମାନଙ୍କୁ ଫିଜିଓଥେରାପି ସାଇକୋଥେରାପି ଆଦି ପ୍ରଦାନ କରାଯାଉଛି । ଏହା ଏକ ଭଲ ପଦକ୍ଷେପ ।
ଏ ମଧ୍ୟରେ ଲଣ୍ଡନରୁ ବାହାରୁଥିବା ପୃଥିବୀ ପ୍ରସିଦ୍ଧ ବିଜ୍ଞାନ ପତ୍ରିକା “ନିଉ ସାଇଣ୍ଟିଷ୍ଟ୍” ରେ ପାର୍କିନସନକୁ ନେଇ ଏକ ପ୍ରବନ୍ଧ ପ୍ରକାଶ ପାଇଛି । ଏହି ଆଲେଖ୍ୟଟି ରୋଗର ଏକ ସମ୍ଭାବ୍ୟ ଔଷଧ ସମ୍ପର୍କରେ୤ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣସ୍ଥିତ “ସ୍ୱିନବର୍ଣ୍ଣ ବିଶ୍ୱବିଦ୍ୟାଳୟରେ” ବୈଜ୍ଞାନିକମାନେ ଏକ ପରୀକ୍ଷା କରିଥିଲେ ମୂଷାମାନଙ୍କୁ ନେଇ । ଗବେଷକମାନେ ମୂଷାମାନଙ୍କୁ “ଆଲଫା ସାଇନ୍ୟୁକ୍ଲିନ୍” ପ୍ରୋଟିନର କିଛି ଦ୍ରବଣକୁ ନିୟମିତ ଭାବରେ ନାକ ମାଧ୍ୟମରେ ଦେଲେ୤ ପୂର୍ବରୁ ଆମେ ଜାଣିଛେ ଯେ ଏହି ପ୍ରୋଟିନ ହିଁ ପାର୍କିନସନ କରାଇଥାଏ୤ ଫଳସ୍ୱରୂପ ମୂଷାମାନଙ୍କ ଦେହରେ ପାର୍କିନସନର ଲକ୍ଷଣ ଦେଖାଗଲା୤ ଏହାପରେ ଏହି ମୂଷାମାନଙ୍କୁ ଦୁଇଦଳରେ ବିଭକ୍ତ କରାଯାଇ, ଗୋଟିଏ ଦଳକୁ କମ୍ପାଉଣ୍ଡ- ଏକ୍ସ ସମ୍ଭାବ୍ୟ ଔଷଧ ଦିଆଗଲା୤ ଅନ୍ୟ ଦଳକୁ କୌଣସି ଔଷଧ ଦିଆଗଲା ନାହିଁ୤ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଲା ଯେ, ଯେଉଁ ଦଳଟି ଉପରୋକ୍ତ ଔଷଧ ପାଇଛନ୍ତି, ସେମାନେ ନ ପାଇଥିବା ଦଳଠାରୁ ଅପେକ୍ଷାକୃତ ସୁସ୍ଥ ଅଛନ୍ତି୤
ଏହି କମ୍ପାଉଣ୍ଡ- ଏକ୍ସ ଔଷଧଟି ସମ୍ପ୍ରତି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନର୍ ସ୍ୱୀକୃତି ପାଇଛି୤
ବୈଜ୍ଞାନିକମାନେ ଦାବି କରୁଛନ୍ତି କି, ଏହି ଔଷଧଟିର ମୁଖ୍ୟକାମ ହେଉଛି ମସ୍ତିଷ୍କରୁ ବର୍ଜ୍ୟବସ୍ତୁର ନିଷ୍କାସନ କରିବା । ଯେହେତୁ ଔଷଧକୁ ନେଇ ଆଉ କିଛି ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି, ତେଣୁ ଏହାର ପୂର୍ଣ୍ଣାଙ୍ଗ ନାମକରଣ ଏପର୍ଯ୍ୟନ୍ତ କରାଯାଇନାହିଁ । ଆଗାମୀ ସମୟରେ ଏହି ଔଷଧ ପାର୍କିନସନ ରୋଗୀମାନଙ୍କ ପାଇଁ ଏକ
ଆଲୋକବର୍ତ୍ତିକା ହେବ ବୋଲି ଆଶା କରାଯାଉଛି ।









ଓଡ଼ିଶା ସ୍ୱାସ୍ଥ୍ୟ ସେବା
ଭୁବନେଶ୍ୱର
ମୋବାଇଲ ନଂ- ୮୧୪୪୦୪୨୯୯୭


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା