ଐତିହାସିକ କୀର୍ତ୍ତିରାଜୀର ଗନ୍ତାଘର - ବାମଣ୍ଡା

ଡଃ ସମୀର କୁମାର ନନ୍ଦ



ଡଃ ସମୀର କୁମାର ନନ୍ଦ

(ରାଜା ସାର ବାସୁଦେବ ସୁଢଳ ଦେବଙ୍କ ଜୟନ୍ତୀ ଉପଲକ୍ଷେ)
ଉତ୍କଳର ଉଜ୍ଜୟିନୀ ଭାବେ ପରିଚିତ ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅଖୋଜ ବାମଣ୍ଡା ରାଜ୍ୟ ୩୪୩.୭୩ ବର୍ଗ କି.ମି ଅଂଚଳରେ ପରିବ୍ୟାପ୍ତ ଥିଲା୤ ସମୁଦାୟ ୯୩୦ ଗ୍ରାମକୁ ନେଇ ଗଠିତ ଏହି ରାଜ୍ୟରେ ୧୯୦୧ ମସିହା ଜନଗଣନା ଅନୁସାରେ ୧୨୩.୩୭୮ ଲୋକ ବାସକରୁଥିଲେ୤ ପ୍ରାୟ ୩୩୨.୯୪୦ ବର୍ଗମାଇଲ ସଂରକ୍ଷିତ ଜଙ୍ଗଲକୁ ମିଶାଇ ସର୍ବମୋଟ ୬୨୦.୯୪୦ ବର୍ଗମାଇଲରେ ବିସ୍ତୃତ ବାମରା ବନଖଣ୍ଡ ବାମଣ୍ଡା ରାଜ୍ୟର ଏକ ବନ୍ୟସଂପଦଭରା ଅଂଚଳ ଭାବେ ସର୍ବଦା ପରିଚିତ ।
ଇତିହାସ
ପୂର୍ବ ଭାରତର ଏକ ବିତ୍ତଶାଳୀ ରାଜ୍ୟ ରୂପେ ବାମଣ୍ଡା ପରିଚିତ ଥିଲା । ପ୍ରଜାଙ୍କ ଉନ୍ନତିକୁ ପାଥେୟ କରିଥିଲା ଏହାର ରାଜ ପରମ୍ପରା ଯାହାର ପୃଷ୍ଠପୋଷକତାରେ ଓଡିଆ ଭାଷା ପାଇଁ ବଢିଥିଲା ଜାଗୃତିର ସ୍ରୋତ୤ ପ୍ରତ୍ନତତ୍ୱବିତ ମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ଖୋଦନ କରି ଏହି ଅଂଚଳରୁ ଉଦ୍ଧାର କରାଯାଇଥିବା ପ୍ରସ୍ତର ନିର୍ମିତ କୁରାଢି ଓ କୋଦାଳ ଇତ୍ୟାଦି ପ୍ରମାଣିତ କରେ ଯେ ଏ ଅଂଚଳ ପ୍ରସ୍ତର ଯୁଗ ଆରଂଭ ସମୟରୁ ହିଁ ପ୍ରତିଷ୍ଠା ହୋଇଥିଲା । ପୁନଶ୍ଚ, କୈାଟିଲ୍ୟଙ୍କ ଅର୍ଥଶାସ୍ତ୍ର ପରି ପୁରାତନ ଗ୍ରନ୍ଥ ରେ ମହାନଦୀର ପୂର୍ବ ଓ ବ୍ରାହ୍ମଣୀର ପଶ୍ଚିମରେ ଅବସ୍ଥିତ ଏହି ଅଂଚଳକୁ ଇନ୍ଦ୍ରବନ ବୋଲି ନାମିତ କରାଯାଇଛି୤ ପ୍ରଜାମାନଙ୍କ ଦ୍ୱାରା ସ୍ଥାପନ ହୋଇଥିଲା ଏହି ରାଜ୍ୟ୤ ଏକଦା ଅଖୋଜ ବାମଣ୍ଡା ନାମରେ ବିଦିତ ବାମଣ୍ଡା ରାଜ୍ୟର ସ୍ଥାପନା ଓ ନରପତିମାନଙ୍କ ସମ୍ପର୍କରେ ବିଭିନ୍ନ ଐତିହାସିକ ଭିନ୍ନ ଭିନ୍ନ ମତବ୍ୟକ୍ତ କରି ଆସିଛନ୍ତି । କେତେକ ତଥ୍ୟକୁ ଅନୁସନ୍ଧାନ କଲେ ଜଣାପଡେ ଯେ ରାଜା ସରଜୁଦେବ ପ୍ରାୟ ୧୩୭୦ ମସିହାରେ ପ୍ରଜାମାନଙ୍କ ଦ୍ୱାରା ଟିକିଲିପଡା ଗ୍ରାମରେ ବାମଣ୍ଡାର ପ୍ରଥମ ରାଜା ରୂପେ ଅଭିଷକ୍ତ ହୋଇଥିଲେ ଏବଂ ଶେଷରାଜା ରୂପେ ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବ ୧୯୩୫ରୁ ୧୯୪୮ ମସିହା ଗଡଜାତ ରାଜ୍ୟ ମିଶ୍ରଣ ପର୍ୟ୍ୟନ୍ତ ଶାସନ କରିଥିବାର ଜଣାପଡେ ।
ଉତ୍କର୍ଷ କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଥିଲା ତତ୍କାଳୀନ ବାମଣ୍ଡା ରାଜ୍ୟ୤ ଏହି ରାଜ୍ୟର ଗାରିମାମୟ ତଥା ଗୈାରବମୟ ଇତିହାସ ପୃଷ୍ଠାର କିୟଦଂଶ ଦେବଗଡ ଠାରୁ ବାମରା ପର୍ଯ୍ୟନ୍ତ ପରିବ୍ୟାପ୍ତ୤ ଟିକିରା, ଗୋହିରା, ବ୍ରାହ୍ମଣୀ, ଖର୍ଲା ଓ ଭେଡେନର ଅବବାହିକାରେ ସୁନାର ଫସଲ,ଘଂଚ ଅରଣ୍ୟାନି, ଉତୁଙ୍ଗ ପର୍ବତମାଳା, କୁଳୁକୁଳୁ ନିନାଦିନୀ ଝରଣା, ସାହିତ୍ୟ ଓ ସଂସ୍କୃତି କେଉଁ କାଳରୁ ପର୍ୟ୍ୟଟକ, ପଥଚାରୀ ଓ ବିଦ୍ୱାନ ମାନଙ୍କୁ ଆକର୍ଷିତ କରିପାରିଛି୤ ବସ୍ତୁବାଦୀ ସଭ୍ୟତା ଯେଉଁଠି ମାନବିକ ମୂଲ୍ୟବୋଧର ପ୍ରାସାଦ ଭୂଲୁଣ୍ଠିତ ସେତେବେଳେ ଏ ଅଂଚଳର ସାରସ୍ୱତ ସାଧକ, ପଣ୍ଡିତ ଓ ଜନମାନସର ପ୍ରାଣତନ୍ତ୍ରୀର ଉଲ୍ଲାସମୟ ଅଭିପ୍ସାକୁ ପରିପୂରଣ କରିବାପାଇଁ ଏବଂ ବୁଦ୍ଧିଜୀବିଙ୍କ ଲେଖନୀ ନିସୃତ ଅନୁଚିନ୍ତନକୁ ପ୍ରକାଶ କରିବା ନିମନ୍ତେ ରାଜା ବାସୁଦେବ ସୁଢଳ ଦେବ ଜୀବନର ଶେଷ ସମୟ ପର୍ୟ୍ୟନ୍ତ ଚେଷ୍ଟା କରିଥିଲେ୤ ଆଧୁନିକ ଓଡିଶାର କେତେକ ଅଂଚଳ ସେଂଟ୍ରାଲ ପ୍ରେସିଡେନ୍ସି ର ଅଧିନରେ ରହି ଛତିଶଗଡ ରାଜ୍ୟ ସମୁହରେ ବାମଣ୍ଡା ଆଦି ଶାସିତ ହେବାଦ୍ୱାରା ଓଡିଆ ଭାଷା ଅବହେଳିତ ହୋଇପଡିଥିଲା୤ ତେଣୁ, ରାଜା ବାସୁଦେବ ମର୍ମାହତ ହୋଇ ଓଡିଆ ଭାଷା ସାହିତ୍ୟର ବିକାଶ ପାଇଁ କେତୋଟି ପତ୍ର ପତ୍ରିକା ଆରମ୍ଭ କରିଥିଲେ ।
ପର୍ଯ୍ୟଟନସ୍ଥଳୀ
ବାମଣ୍ଡାର ସାଂସ୍କୃତିକ ଐତିହ୍ୟ ଅତ୍ୟନ୍ତ ମହାନ୍୤ ଏହି ଅଂଚଳର ପ୍ରାକୃତିକ ପରିବେଶ, ଘଂଚ ବନାନୀ, ଝରଣାର କୁଳୁକୁଳୁ ନାଦ, ଦେବାଳୟରୁ ଭାସି ଆସୁଥିବା ଘଂଟ ଧ୍ୱନି ଓ ଅନନ୍ୟ ସାଂସ୍କୃତିକ ପରମ୍ପରା ପର୍ଯ୍ୟଟକକୁ ନେଇଯାଏ ଭିନ୍ନ ଏକ ପୃଥିବୀକୁ, ଏକ ସ୍ୱର୍ଗୀୟ ପରିବେଶକୁ । ପ୍ରାକୃତିକ ସୁଷମାର ଭଣ୍ଡାର ଅନେକ ଅନାଲୋଚିତ ପର୍ଯ୍ୟଟନ ସ୍ଥଳୀକୁ ଲୋକଲୋଚନକୁ ଆଣି ସେହି ସ୍ଥାନ ଗୁଡିକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ସହିତ ରକ୍ଷଣାବେକ୍ଷଣ କରିବା ଦିଗରେ ସମସ୍ତ ସ୍ତରରୁ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି୤ ବାମଣ୍ଡାର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ୱାରା ୧୭୦୫ ମସିହାରେ ନିର୍ମିତ ବାମଣ୍ଡାର ପ୍ରଥମ ମନ୍ଦିର ପୁରୁଣାଗଡସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଏକ ପର୍ଯ୍ୟଟନସ୍ଥଳୀ ରୂପେ ସଦା ବିଦିତ ।
କଟାସର ଘାଟ, ଗୋହିରା ନଦୀ ବନ୍ଧ, ଦରଗଡି, ଝାଡେଶ୍ୱର ମନ୍ଦିର, ଦେଓ ଝରଣ, ଓଲଟ ବଟ, କୈଳାସ, କୋରଡକୋଟ, ଗୁଦଗୁଦା ଓ ଚକଦର୍ହ ଆଦି ପର୍ଯ୍ୟଟନସ୍ଥଳୀ ତତ୍କାଳୀନ ବାମଣ୍ଡା ରାଜ୍ୟର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରେ ଅନ୍ୟତମ୤
ଅକ୍ଷରଶିଳା
ବାରକୋଟ ବ୍ଲକର “ଅକ୍ଷରଶିଳା” ଗ୍ରାମରେ ରହିଛି ଅନେକ ପ୍ରାଚୀନ ବୈାଦ୍ଧକୀର୍ତ୍ତିର ସମାହାର୤ ଏହି ଗାଁ ନିକଟସ୍ଥ ବ୍ରାହ୍ମଣୀ ଅବବାହିକାରେ ଅନେକ ବୌଦ୍ଧକୀର୍ତ୍ତିରାଜିର ସନ୍ଧାନ ମିଳିଥିବା ବେଳେ, ସୁରକ୍ଷା ଓ ପୁନରୁଦ୍ଧାର ଅଭାବରୁ ଏହା ଜନମାନସରୁ ଲୁପ୍ତ ହେବାକୁ ବସିଛି୤ ଏହି ଗ୍ରାମର ବଡବଡ ଶିଳା ଖଣ୍ଡ ଓ ଶିଳାଲିପି ମନ ମୋହିଥାଏ୤ ଏଠାରେ ଆଶ୍ଚର୍ଯ୍ୟ କଲାଭଳି ଅନେକ ଖୋଦିତ ଶିଳାଖଣ୍ଡ ଓ ବିଭିନ୍ନ ପଶୁ, ପକ୍ଷୀ ଓ ସରୀସୃପ ଆକାରର କଳାକୃତି ଦେଖିବାକୁ ମିଳେ୤
ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ଶିଳାଲିପି ବ୍ରାହ୍ମଣୀ ଗର୍ଭରେ ଲୀନ ହୋଇସାରିଛି । ଲୋକକଥା ଅନୁସାରେ ଦେବାଦେବୀଙ୍କ ଅଭିଶାପରୁ ଏଠାରେ ରାତ୍ରିଯାପନ କରିଥିବା କିଛି ବ୍ୟବସାୟୀ ପଥର ପାଲଟି ଯାଇଥିବାରୁ ଏହାକୁ ଲୋକମାନେ ପୂଜା କରି ଆସୁଛନ୍ତି । ଗ୍ରାମର ଏହିପରି ନାମକରଣ ପଛରେ ରହିଛି ଏକ କିମ୍ବଦନ୍ତୀ । ଅଷ୍ଟମ ଖ୍ରୀଷ୍ଟାବ୍ଦରେ ବୌଦ୍ଧ ସନ୍ୟାସୀମାନେ ଏହି ବ୍ରାହ୍ମଣୀ ଅବବାହିକାରେ ବିହାର ନାଳନ୍ଦାରୁ ଓଡିଶାର ରତ୍ନଗିରି ଅଭିମୁଖେ ଯିବା ଆସିବା ସମୟରେ ସେମାନେ ଏଠାରେ ବିଶ୍ରାମ ନେଉଥିଲେ । ସେତିକିବେଳେ ବୈାଦ୍ଧ ସନ୍ୟାସୀମାନେ କେତେକ ଶିଳାଖଣ୍ଡ ଉପରେ ପାଲି ଭାଷାରେ କିଛି ଲିପି ଖୋଦିତ କରିଥିଲେ ।
ସାହିତ୍ୟ ଓ ସଂସ୍କୃତି ପ୍ରେମୀ ବାମଣ୍ଡାର ପ୍ରଜାବତ୍ସଳ ରାଜା ସାର୍ ବାସୁଦେବ ସୁଢଳ ଦେବ ତାଙ୍କର ରାଜୁତି ସମୟରେ ଏହି ଶିଳା ଲିପି ଗୁଡିକ ଠାବକରିବା ସହିତ ସେଠାରେ ଜନବସତି ସ୍ଥାପନ କରାଇ ଗ୍ରାମର ନାମ “ଅକ୍ଷରଶିଳା” ରଖିଥିଲେ୤
ରେଳ ଓ ସଡକ ପଥ
୧୮୫୩ ମସିହାରେ ଇଂରେଜ ସରକାରଙ୍କ ଶାସନ କାଳରେ ନିର୍ମାଣ ହୋଇଥିବା ମୁମ୍ବାଇରୁ ଥାନେ ରେଳପଥ ଭାରତର ପ୍ରଥମ ରେଳପଥ ଭାବେ ପରିଗଣିତ ହୋଇଥାଏ । ନାଗପୁର- ଛତିଶଗଡ ରେଳପଥକୁ ଉନ୍ନୀତ କରି ପରବର୍ତୀ ସମୟରେ ଏହାକୁ ବିଳାସପୁର ଠାରୁ ଆସାନସୋଲ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ନିମନ୍ତେ ବେଙ୍ଗଲ ନାଗପୁର ରେଳବାଇ ୧୮୮୭ ମସିହାରେ ସ୍ଥାପନ ହୋଇଥିଲା । ଝାରସୁଗୁଡା ଠାରୁ ବାମରା ଦେଇ ଝାଡଖଣ୍ଡର ଗୋଇଲକେରା ମଧ୍ୟରେ ରେଳପଥ କାମ ସରିବା ପରେ ୧୮୯୧ ମସିହା ଫେବୃୟାରୀ ୧ ତାରିଖ ଦିନ ନାଗପୁରଠାରୁ ବାମରା ଦେଇ ଆସାନସୋଲ ପର୍ଯ୍ୟନ୍ତ ରେଳପଥକୁ ଚଳାଚଳ ନିମନ୍ତେ ଖୋଲି ଦିଆଯାଇଥିଲା ।
ବାମଣ୍ଡାର ତତ୍କାଳୀନ ନୃପତି ରାଜା ବାସୁଦେବ ନିଜ ରାଜ୍ୟର ବାମରାଠାରେ ଏକ ରେଳଷ୍ଟେସନ ପ୍ରତିଷ୍ଠା କରିବାପାଇଁ ବେଙ୍ଗଲ ନାଗପୁର ରେଳବାଇ କମ୍ପାନୀକୁ ଅନୁମତି ଦେବା ସଂଗେ ସଂଗେ ବିନା ରାଜସ୍ୱରେ ଅଠର ମାଇଲ ଦୀର୍ଘ ଜମି ପ୍ରଦାନ କରିଥିଲେ । ରେଳପଥ ନିମନ୍ତେ ଆବଶ୍ୟକ ସମସ୍ତ କାଠ ମଧ୍ୟ ରାଜା ଯୋଗାଇଥିଲେ୤ ରାଜାଙ୍କ ଏକମାତ୍ର ସର୍ତ ଥିଲା ଯେ ଯେଉଁ ସବୁ ରେଳଗାଡି ବାମରା ଦେଇ ଚଳପ୍ରଚଳ କରିବ ସେସବୁ ବାମରା ଷ୍ଟେସନଠାରେ ନିଶ୍ଚୟ ଅଟକିବ୤ ଖାଲି ସେତିକି ନୁହେଁ, ନିଜ ରାଜ୍ୟର ପ୍ରଜାମାନଙ୍କ ସୁବିଧା ନିମନ୍ତେ ଓ ବାମରା ରେଳଷ୍ଟେସନ ଠାରୁ ରାଜଧାନୀ ଦେବଗଡକୁ କୁଚିଣ୍ଡା ଦେଇ ଦୁର୍ଗମ ପାହାଡ ସବୁ ଖନନ କରି ଏକ ସଡକ ନିର୍ମାଣ କରିଥିଲେ୤
ହାଓଡା ପୋଲ ଶୈଳୀରେ କୁଚିଣ୍ଡାର ଭେଡେନ ନଦୀରେ ରାଜା ବାସୁଦେବ ୧୮୯୧ ମସିହାରେ ଝୁଲେନ ପୋଲ ନିର୍ମାଣ କରିଥିଲେ୤ ଉକ୍ତ ପୋଲ ତିଆରି ସମୟରେ ରାଜା ବାସୁଦେବ ସ୍ୱଂୟ ପୋଲ ନିକଟରେ ସାତ ଦିନ କାଳ ଅବସ୍ଥାନ କରି ପୋଲ କାମ ସଂପୂର୍ଣ୍ଣ କରିଥିଲେ୤ ରାଜାଙ୍କର ଏତାଦୃଶ ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ ଶୈଳୀ ଓ ରାଜ୍ୟର ପ୍ରଜାମାନଙ୍କ ସୁବିଧା ନିମନ୍ତେ ଆଗ୍ରହ ଦେଖି ଇଂରେଜ ସରକାରଙ୍କ ରାୟପୁର ସ୍ଥିତ ତତ୍କାଳୀନ ଏଜେଂଟ ରାଜା ବାସୁଦେବଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ୤ ରାଜା ବାସୁଦେବଙ୍କ ଦ୍ୱାରା ନିର୍ମିତ ଉକ୍ତ ରାସ୍ତାକୁ ପରବର୍ତୀ କାଳରେ ସରକାର ଜାତୀୟ ରାଜପଥର ମାନ୍ୟତା ପ୍ରଦାନ କରିଥିଲେ୤ ଦୁଃଖର ବିଷୟ ରାଜା ବାସୁଦେବଙ୍କ ଦ୍ୱାରା ନିର୍ମିତ ଉକ୍ତ ଝୁଲେନ ପୋଲ ରକ୍ଷଣା ବେକ୍ଷଣ ଅଭାବରୁ କିଛି ମାସ ତଳେ ଧରାଶାୟୀ ହୋଇଯାଇଛି ।
ଡାକସେବା
ରାଜ୍ୟରେ ଡାକସେବା ପ୍ରତିଷ୍ଠା କରିବା ସହିତ ସ୍ୱତନ୍ତ୍ର ଡାକଟିକଟ ଓ କାଗଜ ଟଙ୍କାର ପ୍ରଚଳନ କରିଥିଲେ୤ ବାମଣ୍ଡାର ଡାକସେବା ୧୮୯୫ ମସିହାରେ ବ୍ରିଟିଶ ଡାକ ବ୍ୟବସ୍ଥା ସହିତ ସହବନ୍ଧ ହୋଇଥିଲା ।
ଟେଲିଫୋନ
ବିଶ୍ୱରେ ୧୮୭୬ ମସିହାରେ ଆଲେକଜାଣ୍ଡାର ଗ୍ରାହାମ ବେଲ ଟେଲିଫୋନ ଉଦ୍ଭାବନ କରିବାର ମାତ୍ର ୨୫ ବର୍ଷ ପରେ ୧୯୦୧ ମସିହାରେ ବାମଣ୍ଡାର ତତ୍କାଳୀନ ରାଜା ସାର ବାସୁଦେବ ସୁଢଳ ଦେବ ରାଜ୍ୟରେ ଟେଲିଫୋନର ପ୍ରଚଳନ କରିଥିଲେ । ଏହି ଲାଇନ ବାମରା, କୁଚିଣ୍ଡା, ଦେବଗଡ ଓ ବାରକୋଟ ଆଦି ରାଜ୍ୟର ଚାରୋଟି ପ୍ରଧାନ ପ୍ରଶାସନିକ କେନ୍ଦ୍ରକୁ ଏହି ସଂଯୋଗ କରୁଥିଲା । ମହୁଲପାଲି ଓ କେଶାଇବାହାଲ ଅଂଚଳରେ ଦସ୍ୟୁ ଦମନ ସହିତ ଆଇନ ଶୃଙ୍ଖଳା ପରସ୍ଥିତିକୁ ସମ୍ଭାଳିବା ପାଇଁ ଏକ ଶାଖା ଟେଲିଫୋନ ଲାଇନ ର ସଂଯୋଗ କରାଯାଇଥିଲା । ୧୯୦୦ ମସିହାରୁ ଆରମ୍ଭ ହୋଇ ଏହି ସଂଯୋଗୀକରଣ ୧୯୦୧ ଶେଷଭାଗକୁ ସଂପନ୍ନ ହୋଇଥିଲା । ସରକାରଙ୍କ ସହିତ ସମସ୍ତ ଆଲୋଚନା ବିଫଳ ହେବାରୁ ରାଜା ବାସୁଦେବ ନିଜେ ଟ ୮୦୦୦/- ଖର୍ଚ୍ଚକରି ଏହି ଲାଇନର ସଂଯୋଗ କରିଥିଲେ୤ ଏହାକୁ ଭାରତର ଦୀର୍ଘତମ ଟେଲିଫୋନ ଲାଇନ ବୋଲି ସେତେବେଳେ କୋଲକାତା ରୁ ପ୍ରକାଶିତ ଷ୍ଟେଟସମେନ ସମ୍ବାଦପତ୍ର ଅଭିହିତ କରିଥିଲେ ।
ଜଳବିଦ୍ୟୁତ ଯୋଜନା
ଦେବଗଡର ଆକର୍ଷଣ “ପ୍ରଧାନପାଟ” ଜଳ ପ୍ରପାତ୤ ବର୍ଷସାରା ଏଠାରେ ପର୍ଯ୍ୟଟକ ମାନଙ୍କର ଭୀଡ ଦେଖାଯାଇଥାଏ । ପର୍ଯ୍ୟଟକମାନେ ଏଠାରେ ବଣଭୋଜୀ କରିବା ପାଇଁ ପସନ୍ଦ କରିଥାଆନ୍ତି । କିନ୍ତୁ, ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଦେବଗଡ ସହରର ଦ୍ବିତୀୟ ଜଳପ୍ରପାତ “କୋରଡକୋଟ”୤ ବାମଣ୍ଡାର ତତ୍କାଳୀନ ରାଜା ରାଜକବି ବିଜ୍ଞାନ ବିନୋଦ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ତାଙ୍କର ଜ୍ୟେଷ୍ଠ ପୁତ୍ର (ବାମଣ୍ଡାର ପରବର୍ତୀ ରାଜା) ଟିକାୟତ ଦିବ୍ୟଶଙ୍କର ସୁଢଳ ଦେବଙ୍କ ବ୍ରତୋପୟନ ସମୟରେ ରାଜନଅର ଓ ରାଜଧାନୀ ଦେବଗଡ ସହରକୁ ଆଲୋକିତ କରିବାପାଇଁ ବିଦ୍ୟୁତ ଉତ୍ପାଦନ ନିମନ୍ତେ ଇଂଲଣ୍ଡରୁ ଦୁଇଟି ଡାୟନାମୋ ଓ ଷ୍ଟିମ ଇଂଜିନ ଆମଦାନୀ କରିଥିଲେ । ଏହି ଇଂଜିନକୁ ଚଲାଇବା ପାଇଁ ପ୍ରଚୁର କାଠର ଆବଶ୍ୟକ ପଡୁଥିଲା୤ ଏହାଦ୍ୱାରା ଜଙ୍ଗଲ ଧ୍ୱଂସ ହେବାର ଆଶଙ୍କା ଥିବାରୁ ରାଜା ୧୯୧୫ ମସିହାରେ କୋରଡକୋଟ ଜଳପ୍ରପାତରେ ଏକ ଜଳବିଦ୍ୟୁତ ଯୋଜନାର ଆରମ୍ଭ କରି ବିଦ୍ୟୁତ ଉତ୍ପାଦନ କରିଥିଲେ୤ ଏସିଆ ମହାଦେଶର ଦ୍ୱିତୀୟ ଓ ଓଡିଶା ର ପ୍ରଥମ ଏହି ଜଳ ବିଦ୍ୟୁତ ଯୋଜନା ଦାର୍ଜିଲିଙ୍ଗ ଠାରେ ଇଂରେଜ ମାନଙ୍କ ଦ୍ୱାରା ୧୮୯୭ ମସିହାରେ ସ୍ଥାପିତ ଜଳ ବିଦ୍ୟୁତ ଯୋଜନା ଢାଂଚା ରେ ନିର୍ମାଣ କରାଯାଇଥିଲା୤ କଲିକତାର ଓସ୍କାର କମ୍ପାନୀରେ କାର୍ଯ୍ୟରତ ଜନୈକ ୟୁରୋପିଆନ ଇଂଜିନିୟର ଏହାକୁ ନିର୍ମାଣ କରିଥିଲେ୤ ଏହି ପ୍ରକଳ୍ପ ଦେବଗଡ ସହରକୁ ୧୯୭୧ ମସିହା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଉଥିଲା୤ ହୀରାକୁଦ ନଦୀବନ୍ଧ କାର୍ଯ୍ୟକ୍ଷମ ହୋଇ ଦେବଗଡକୁ ବିଦ୍ୟୁତ ଯୋଗାଇଲା ପରେ ଏହାକୁ ବନ୍ଦ କରିଦିଆ ଯାଇଥିଲା ।
ପର୍ବପର୍ବାଣୀ
ତତ୍କାଳୀନ ବାମଣ୍ଡା ରାଜ୍ୟରେ ଆଧ୍ୟାତ୍ମିକଭାବ ସର୍ବଦା ପୂର୍ଣ୍ଣମାତ୍ରାରେ ରହି ଆସିଛି୤ ଦିଅଁ ଦେବତାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିବାରେ ଏହି ଅଂଚଳବାସୀ କେବେ ହେଲେ ହେଳା କରନ୍ତି ନାହିଁ । ଏହି ଅଂଚଳରେ ପାଳନ କରାଯାଉଥିବା ପର୍ବପର୍ବାଣୀ ମଧ୍ୟରେ ଗଣେଷପୂଜା, ରଥଯାତ୍ରା, ଭାଇଜୀଉନ୍ତୀଆ, ପୁଜିଉନ୍ତିଆ, ମକରସଂକ୍ରାନ୍ତି, ନୂଆଖାଇ, ଦଶହରା, ପୁଷପୁନୀ ଓ ମାଣବସା ଗୁରୁବାର ଅନ୍ୟତମ । ପୈାଷ ମାସରେ ଖରିଫ ଫସଲ ଅମଳ ହେଲା ପରେ ଚାଷୀ ଖୁସିରେ ପୈାଷ ପୂର୍ଣ୍ଣୀମା ଦିନ ପୁଷପୁନୀ ଉତ୍ସବ ପାଳନ କରିଥାଏ । ଜମି ମାଲିକ ଓ ଚାଷି ମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଏହିଦିନ ସରିଯାଇଥାଏ । ବିଭିନ୍ନ ପ୍ରକାରର ପିଠାପଣା, ଛଅ ତୁଣ ନଅ ଭଜା, ମାଛ ଓ ମାଂସ ରୋଷେଇ କରି ଘର ମାନଙ୍କରେ ଏହି ପର୍ବ ପାଳନ କରାଯାଏ । ଛୋଟ ଛୋଟ ପିଲା ମାନେ ବିଭିନ୍ନ ପ୍ରକାରର ଲୋକ ସଂଗୀତ ଗାନ କରି ବାଜା ବଜାଇ ବଜାଇ ପୁଷପୁନୀ ଖର୍ଚ୍ଚ ମାଗିଥାଆନ୍ତି ଯାହାକୁ ସ୍ଥାନୀୟ ଭାଷାରେ ଛେର ଛେରା ବୋଲି କୁହାଯାଏ । ଏହି ଅବସରରେ ବିଭିନ୍ନ ପ୍ରକାରର ଖେଳକୁଦ, କୁକୁଡା ଲଢେଇ, ମେଣ୍ଢା ଲଢେଇ ଆଦି ପ୍ରତିଯୋଗୀତାର ଆୟୋଜନ ହୋଇଥାଏ ।
ମକର ଯାତ୍ରା
ଓଡିଶା ଜନଜୀବନରେ ମକର ପର୍ବର ସ୍ୱତନ୍ତ୍ର ଭୂମିକା ରହିଛି୤ ମକର ସ୍ନେହ, ସୈାହାର୍ଦ୍ଦ୍ୟ, ସଂପ୍ରୀତି ଓ ଭାଇଚାରାର ପର୍ବ । ପୌରାଣିକ ଅଧ୍ୟାତ୍ମିକ ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ଏହି ପର୍ବର ସାମାଜିକ ମହତ୍ୱ ଏହି ପର୍ବକୁ ଲୋକାଭିମୁଖୀ କରି ପାରିଛି । ବ୍ୟକ୍ତି ଜୀବନର ସମସ୍ତ ଜଡତା ଦୂର କରି ଏହି ପର୍ବ ସମାଜର ଜୀବନ ଶୈଳୀକୁ ଶୃଙ୍ଖଳିତ କରିଥାଏ ।
ବାମରାର ଗୋବିନ୍ଦପୁର ଠାରେ ୧୯୧୬ ଠାରୁ ମକର ଯାତ୍ରା ପାଳନ ହେଉଥିବାର ଲୋକକଥାରୁ ଜଣାପଡେ୤ ବାମଣ୍ଡାର ତତ୍କାଳୀନ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ କନ୍ୟା ରାଜକୁମାରୀ ସୁରତରଙ୍ଗିଣିଙ୍କ ବିବାହ ୧୯୧୬ ମସିହାରେ କଳାହାଣ୍ଡିର ମହାରାଜା ବ୍ରିଜମୋହନ ଦେବଙ୍କ ସହିତ ଅନୁଷ୍ଠିତ ହୋଇଥିଲା୤ ଉକ୍ତ ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମକର ଯାତ୍ରା ପାଳନ ହେଉଥିବା ଜଣାପଡେ୤ ଉକ୍ତ ବିବାହ ଉତ୍ସବରେ ଯୋଗଦେବା ପାଇଁ କବି ଗଙ୍ଗାଧର ମେହେର ନିମନ୍ତ୍ରିତ ହୋଇ ବାମଣ୍ଡା ଆସିଥିଲେ । ରାଜସଭାରେ କବି ଗଙ୍ଗାଧର ତଳେ ବସିଥିଲା ବେଳେ ରାଜା ହଠାତ୍ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ ଆପଣ କାହିଁକି ତଳେ ବସିଛନ୍ତି? ତତକ୍ଷଣାତ, ରାଜସଭାରେ ଉପସ୍ଥିତ ଥିବା କବି ଗଙ୍ଗାଧରଙ୍କ ଜମିଦାର କହିଲେ ସେ ମୋର ଅଧସ୍ତନ କର୍ମଚାରୀ ତେଣୁ ସେ ତଳେ ବସିବେ । ରାଜା ସଚ୍ଚିଦାନନ୍ଦ ତୁରନ୍ତ ସିଂହାସନରୁ ଓହ୍ଲାଇ କବି ଗଙ୍ଗାଧର ମେହେରଙ୍କୁ କୁଣ୍ଢାଇ ପକାଇ କହିଲେ ଆପଣ ଜମିଦାରଙ୍କ କର୍ମଚାରୀ ହୋଇପାରନ୍ତି କିନ୍ତୁ ଏଠାରେ ଆପଣ ମୋର ଅତିଥି ଓ ସାହିତ୍ୟ ଜଗତର ରାଜା ତେଣୁ ଆପଣ ଅନ୍ୟ ଅତିଥି ମାନଙ୍କ ପରି ଉଦ୍ଦିଷ୍ଟ ଆସନରେ ବିରାଜମାନ କରନ୍ତୁ । ରାଜାଙ୍କ ଏ ପ୍ରକାର ବ୍ୟବହାରରେ ଆତ୍ମହରା ହୋଇ କବି ଗଙ୍ଗାଧର ଗାଇଥିଲେ-
ଧନ୍ୟ ଧନ୍ୟ ଧନ୍ୟ ତୁମେ ମହୀପାଳ ମଣି,
ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି,
କରିଅଛ ମୋର ଯେତେ ଯେତେ ଉପକାର,
ମୋ ହୃଦେ ରହିବ ସବୁ ସ୍ମୃତି ହୋଇ ଗାର,
ତୁମ କୀରତିର ଚାରୁ ପତାକା ଜୀବନେ,
ସୁତ୍ର ହେଲେ ଧନ୍ୟ ହେବି ମୁଁ ଦୀନ ଜୀବନେ ।
ମକର ସଂକ୍ରାନ୍ତି ଦିନ ବନ୍ଦାପନା, ରଥ ପହଣ୍ଡି, ଆଳତୀ, ପୁଷ୍ପାଂଜଳୀ ଓ ପୂଜାର୍ଚ୍ଚନା କରାଯାଇ ଉଭୟ ଗୋବିନ୍ଦପୁର ସ୍ଥିତ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶୀହର ମହାପ୍ରଭୁଙ୍କ ପ୍ରସିଦ୍ଧ ହରିହର ମିଳନ ପରମ୍ପରା ଅନୁଷ୍ଠିତ ହୋଇଥାଏ୤ ମକର ଯାତ୍ରାକୁ ଦେବଗଡ ଜିଲ୍ଲାରେ ବେଶ ନିଆରା ଢଙ୍ଗରେ ପାଳନ କରାଯାଏ୤ ଏଠାରେ କେଉଁଠି ଲୋକମାନେ ପାହାଡ ଓ ଗୁମ୍ଫାକୁ ପୂଜା କରନ୍ତି ତ ପୁଣି କେଉଁଠି ଜଙ୍ଗଲକୁ ପୂଜା କରନ୍ତି । ସବୁ ସାହି ଓ ଛକ ମାନଙ୍କରେ ସିମିଳି କଂଟା ଗଛକୁ ପୋତି ତାର ଚାରିପଟେ ବିଭିନ୍ନ ଗଛର ଶୁଖିଲାଡାଳ ଓ ଖଜୁରୀପାଲକୁ ହୁଲ ସଜାଇ ରଖିଥାଆନ୍ତି୤
ମକର ସଂକ୍ରାନ୍ତି ଦିନ ବଡି ଭୋରରୁ ନଦୀ ପୋଖରୀରେ ଗାଧୋଇ ଉକ୍ତ ହୁଲକୁ ଜଳାଇ ମକର ପର୍ବ ପାଳନ କରନ୍ତି୤ ଉକ୍ତ ହୁଲର ଭସ୍ମକୁ ମଥାରେ ଲଗାଇ ଶୁଭ ମନାସି ଥାଆନ୍ତି୤ ପରେ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ଘରେ ଘରେ ପ୍ରସ୍ତୁତ ହୋଇଥିବା ପିଠାପଣା ଖାଇ ମନ୍ଦିରଦର୍ଶନ କରନ୍ତି୤ ଏହା ପରେ ପ୍ରଧାନପାଟ ପର୍ବତ ମାଳାରେ ଅବସ୍ଥିତ “ମକରଧ୍ୱଜ ଶୃଙ୍ଗ”ରେ ବିଶାଳ ପଟୁଆରରେ ଯାଇ ମକରଧ୍ୱଜକୁ ମାନସିକଧାରୀ ମାନେ ବାନ୍ଧନ୍ତି୤ ମକରହୁଲ ଓ ମକରଧ୍ୱଜ ଶୃଙ୍ଗରେ ଧ୍ୱଜା ସ୍ଥାପନ ଏହି ଯାତ୍ରାର ମୂଖ୍ୟ ଆକର୍ଷଣ ଥିବାବେଳେ ସଂକ୍ରାନ୍ତି ଦିନ ନୂଆବସ୍ତ୍ର ପରିଧାନ କରି ଡାଳକୁ ପୂଜା କରି ହୁଲରେ ନିଆଁ ଲଗାନ୍ତି୤ ଏହାପରେ ପ୍ରଧାନପାଟ ପର୍ବତମାଳାର ସୁଉଚ୍ଚ ମକରଧ୍ୱଜ ଶୃଙ୍ଗରେ କ୍ଲବ ତରଫରୁ ପତାକା ସ୍ଥାପନ ସହିତ ପୂଜକ ଆଜ୍ଞାମାଳ ଆଣିବା ପରେ ବିଭିନ୍ନ ସାହିର ମାନସିକଧାରୀ ମାନେ ମଧ୍ୟ ମକରଧ୍ୱଜ ଶୃଙ୍ଗରେ ମାନସିକ ଧ୍ୱଜା ବାନ୍ଧନ୍ତି । ମକରଧ୍ୱଜ ଶୃଙ୍ଗକୁ ଚଢିବା ଏକ କଷ୍ଟକର ଯାତ୍ରା ହୋଇଥିଲେ ମଧ୍ୟ ଶତାଧିକ ଶ୍ରଦ୍ଧାଳୁ ମାନସିକଧ୍ୱଜା ବାନ୍ଧନ୍ତି । ବାରକୋଟ ବ୍ଲକ କଂଟାପାଲି ପଂଚାୟତ ର ବାସିନ୍ଦା ମଧ୍ୟ ଏହି ଧ୍ୱଜା ସ୍ଥାପନ କରନ୍ତି । ସେହିପରି ଜ୍ୟେଷ୍ଠ ମାସଶୁକ୍ଳ ପକ୍ଷ ତ୍ରୟୋଦଶୀ ଦିନ ବାସୁଦେବପୁର ଗ୍ରାମର ପର୍ବତ ଗୁମ୍ଫାରେ “ମାଁ ରମ୍ଭାଦେବୀ”ଙ୍କ ଏକ ବିରାଟ ଯାତ୍ରା ଧୁମ୍ଧାମରେ ଅନୁଷ୍ଠିତ ହୋଇଥାଏ ।
ପାଉଡିଭୁୟାଁଙ୍କ ଉତ୍ସବ
ପାଉଡି ଭୁୟାଁ ମାନେ ବର୍ଷା, ବସନ୍ତ ଓ ଶୀତ ଋତୁରେ ଝରଣା, ନାଳ ଓ ପର୍ବତରୁ ବହିଯାଉଥିବା ଜଳସ୍ରୋତ ନିକଟରେ ପ୍ରକୃତିର ବିଭିନ୍ନ ପ୍ରକାରର ପୂଜାପାଠ କରି ଉତ୍ସବ ମନାଇ ଥାଆନ୍ତି୤ ଏହି ଅବସରରେ ବିବାହ ଯୋଗ୍ୟ ଧାଙ୍ଗଡା(ପୁଅ) ଓ ଧାଙ୍ଗଡି(ଝିଅ) ମାନେ ନିଜର ଗୁରୁଜନ ଓ ଅଭିଭାବକଙ୍କ ସମ୍ମତିରେ ନିଜ ନିଜର ଜୀବନ ସଙ୍ଗିନି କୁ ବାଛିଥାଅନ୍ତି । ବିଭିନ୍ନ ପ୍ରକାରର ସଙ୍ଗୀତ ଓ ପ୍ରଶ୍ନ ଉତ୍ତର ମାଧ୍ୟମରେ ପୁଅ ଝିଅମାନେ ବାକଚାତୁରିକୁ ପ୍ରୟୋଗ କରି ପ୍ରଣୟ ନିବେଦନ କରିଥାଆନ୍ତି । ହାଣ୍ଡିଆ ପରି ସ୍ଥାନୀୟ ରସ ସବୁ ପାନ କରି ବିଭିନ୍ନ ପ୍ରକାରର ଲୋକନୃତ୍ୟ କରି ଏହି ଉତ୍ସବକୁ ସେମାନେ ଉପଭୋଗ କରି ଥାଆନ୍ତି ।
ଭାଷା ଓ ସାହିତ୍ୟ
୧୮୮୬ ମସିହାରେ ରାଜା ବାସୁଦେବ ନିଜ ରାଜଧାନୀ ଦେବଗଡରେ ସୁଢଳ ପ୍ରେସ ସ୍ଥାପନ କରିଥିଲେ । ଏହା ପୂର୍ବରୁ ସେ ଗୈାରୀଶଙ୍କର ରାୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କଟକ ଠାରେ ସୁଢଳ ପ୍ରେସ ପ୍ରତିଷ୍ଠା କରିଥିଲେ । ସମାଜ ସଂସ୍କାର ଉଦ୍ଦେଶ୍ୟରେ ଚତୁର୍ଭୂଜ ପଟନାୟକଙ୍କ ସଂପାଦନାରେ ରାଜା ବାସୁଦେବଙ୍କ ଦ୍ୱାରା କଟକର ସୁଢଳ ପ୍ରେସରୁ ପ୍ରଥମେ “ସଂସ୍କାରକ” ପତ୍ରିକା ପ୍ରକାଶ ପାଉଥିଲା୤ ଭାବଗ୍ରାହୀ ଦାସଙ୍କ ସଂପାଦନାରେ ପ୍ରକାଶିତ “ସେବକ” ପତ୍ରିକା “ସଂସ୍କାରକ” ସହିତ ଯୋଗଦେଲା ।
ଉଭୟ ପତ୍ରିକା ରାଜା ବାସୁଦେବଙ୍କ ଆର୍ଥିକ ସହାୟତାରେ ପ୍ରକାଶିତ ଥିଲା୤ ପରବର୍ତୀ ସମୟରେ କିଛି ଲେଖାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ରାଜା ବାସୁଦେବ ଏହି ପ୍ରେସକୁ ଦେବଗଡ କୁ ସ୍ଥାନାନ୍ତରିତ କଲେ । ଏହି ପ୍ରେସ ଜଗନ୍ନାଥ ବଲ୍ଲଭ ପ୍ରେସ ସହିତ ସଂଯୁକ୍ତ ହେଲା । ବ୍ରିଟିଶ ସରକାରଙ୍କୁ ରାଜ୍ୟର ସମସ୍ୟା ଅବଗତ କରାଇବା ପାଇଁ ରାଜା ବାସୁଦେବ ୧୮୮୭ ମସିହାରେ ପ୍ରଥମେ ଏକ ଇଂରାଜୀ ଓଡିଆ ଦ୍ୱିଭାଷୀ ପତ୍ରିକା ଶ୍ରୀ ଗଣେଶ୍ୱର ପଟନାୟକ ଓ ଶ୍ରୀ ନୀଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ପ୍ରକାଶ କରିଥିଲେ ଯାହାକି ପରବର୍ତୀ ସମୟରେ ବନ୍ଦ ହୋଇ ଯାଇଥିଲା୤ ଦେବଗଡର ଏହି ଜଗନ୍ନାଥ ବଲ୍ଲଭ ପ୍ରେସରୁ ୧୮୮୯ ମସିହା ମେ ମାସ ୩୦ ତାରିଖ ଦିନ ଯୁଗାନ୍ତକାରୀ ସାପ୍ତାହିକ ସଂବାଦ ପତ୍ରିକା “ସମ୍ବଲପୁର ହିତୈଷିଣୀ” ପ୍ରକାଶ ଲାଭ କଲା ।
ରାଜ୍ୟରେ ଶିକ୍ଷା ଓ ସାହିତ୍ୟର ପ୍ରସାର ପାଇଁ ବାମଣ୍ଡାର ଶେଷ ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବ ମଧ୍ୟ ପ୍ରୟାସ କରିଥିଲେ । ତାଙ୍କର ରାଜ୍ୟାଭିଷେକ ଅବସରରେ ୧୯୩୫ ମସିହାରେ ସେ ଉପ୍ତିଆର ନାମକ ଏକ ଓଡିଆ ପତ୍ରିକା ପ୍ରକାଶନ କରିଥିଲେ ଯାହାକି ୧୯୪୪ ମସିହା ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା । ଏହି ପତ୍ରିକା ବାମଣ୍ଡାରେ ସାହିତ୍ୟ ନୂତନ ବାତାବରଣ ସୃଷ୍ଟି କରିଥିଲା । ୧୯୪୫ ମସିହାରେ ଡଃ ମାୟାଧର ମାନସିଂହଙ୍କ ସଂପଦନା ରେ ରାଜ ଭାନୁଗଙ୍ଗଙ୍କ ଦ୍ୱାରା ଶଙ୍ଖ ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଥିଲା । ଓଡିଶା ସରକାରପତ୍ର ସଂଖ୍ୟା- ୫୯୬ ତାରିଖ ୦୩.୦୨.୧୯୪୭ରେ ଶଙ୍ଖ ପତ୍ରିକାକୁ ସବୁ ଶିକ୍ଷାନୁଷ୍ଠାନରେ ପ୍ରଚଳନ କରିବା ପାଇଁ ସୁପାରିଶ କରିଥିଲେ । ରାଜପୁରୋହିତ ମାନଙ୍କ ନିମନ୍ତେ ସଂସ୍କୃତ ଶିକ୍ଷାକୁ ମଧ୍ୟ ରାଜା ବାଧ୍ୟତା ମୂଳକ କରିଥିଲେ । ରାଜ୍ୟରେ ଶିକ୍ଷା ଓ ସାହିତ୍ୟର ପ୍ରସାର ପାଇଁ ବାମଣ୍ଡା ର ଶେଷ ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବ ମଧ୍ୟ ପ୍ରୟାସ କରିଥିଲେ୤ ତାଙ୍କର ରାଜ୍ୟାଭିଷେକ ଅବସରରେ ୧୯୩୫ ମସିହାରେ ସେ ଉପ୍ତିଆର ନାମକ ଏକ ଓଡିଆ ପତ୍ରିକା ପ୍ରକାଶନ କରିଥିଲେ ଯାହାକି ୧୯୪୪ ମସିହା ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା୤ ଏହି ପତ୍ରିକା ବାମଣ୍ଡାରେ ସାହିତ୍ୟ ନୂତନ ବାତାବରଣ ସୃଷ୍ଟି କରିଥିଲା ।
୧୯୪୫ ମସିହାରେ ଡଃ ମାୟାଧର ମାନସିଂହଙ୍କ ସଂପଦନାରେ ରାଜ ଭାନୁଗଙ୍ଗଙ୍କ ଦ୍ୱାରା ଶଙ୍ଖ ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଥିଲା୤ ଓଡିଶା ସରକାର ପତ୍ର ସଂଖ୍ୟା- ୫୯୬ ତାରିଖ ୦୩.୦୨.୧୯୪୭ରେ ଶଙ୍ଖ ପତ୍ରିକାକୁ ସବୁ ଶିକ୍ଷାନୁଷ୍ଠାନରେ ପ୍ରଚଳନ କରିବା ପାଇଁ ସୁପାରିଶ କରିଥିଲେ ।
ରାଜପୁରୋହିତ ମାନଙ୍କ ନିମନ୍ତେ ସଂସ୍କୃତ ଶିକ୍ଷାକୁ ମଧ୍ୟ ରାଜା ବାଧ୍ୟତା ମୂଳକ କରିଥିଲେ । ଉନବିଂଶ ଶତାଦ୍ଦୀର ଓଡିଆ ଭାଷା ସାହିତ୍ୟର ମୂଳକେନ୍ଦ୍ର ଥିଲେ ରାଜା ବାସୁଦେବ । ମାୟାଧର ମାନସିଂଙ୍କ ନରୋତମ ସୁଢଳଦେବ, ଗଙ୍ଗାଧର ମେହେର, ଫକୀରମୋହନ ସେନାପତି ଓ ରାଧାନାଥଙ୍କ କାବ୍ୟରେ ସାହିତ୍ୟକ ବାସୁଦେବଙ୍କ ସମ୍ପର୍କରେ ବର୍ଣ୍ଣିତ ହୋଇଛି୤ ଚିଲିକା ରଚନାରେ ରାଧାନାଥ ନିମ୍ନମତେ ବର୍ଣ୍ଣନା କରିଛନ୍ତି ପାହିଲାଣି ଘୋର ତାମସୀ ଯାମିନୀ,
ଫୁଟିବ ଉତ୍କଳ ଭାଷା କମଳିନୀ
ଏ ଘୋର ଯାମିନୀ ଅବସାନ ଶଂସି,

କାବ୍ୟତାରା ରୂପେ ବୀର ଗଙ୍ଗବଂଶି
ଉଦିଲେ ପ୍ରଥମେ ବାମଣ୍ଡା ରାଜନ,
ବାସୁଦେବ ବିଶ୍ୱ କଲ୍ୟାଣ ଭାଜନ ।
ସୁଢଳଦେବଙ୍କ ଦରବାରରେ ସଂସ୍କୃତଜ୍ଞ ପଣ୍ଡିତ ମଣ୍ଡଳୀ ନବରତ୍ନତୁଲ୍ୟ ଶୋଭା ପାଉଥିଲେ । ଏପରିକି ଭାରତ ମାର୍ତଣ୍ଡ ଶିବ କୁମାର ଶାସ୍ତ୍ରୀ ମଧ୍ୟ ବାମଣ୍ଡା ପଣ୍ଡିତ ମହାସଭା ରେ ପଦାର୍ପଣ କରିଥିଲେ । ଓଡିଶାର ମହାନକଳା ଓ ପରମ୍ପରାକୁ ବାମଣ୍ଡା ବହୁ ଭାବରେ ପରିପୃଷ୍ଠ କରିଛି । ଅତୀତ ଗୈାରବ ମର୍ଯ୍ୟାଦାରେ ପରିପୂର୍ଣ୍ଣ ଏହି ମାଟି ଉପରେ ଦିନେ ଗଙ୍ଗବଂଶ ତାର ଐତିହ୍ୟ ପ୍ରତିଷ୍ଠା କରିଥିଲା । ଉତ୍କଳର ସାଂସ୍କୃତିକ ଇତିହାସରେ ବୁଧହଂସ-କେଳିସର ରୂପେ ପରିଚିତ ବାମଣ୍ଡାର ସାରସ୍ୱତ ବୈଭବ ଏହି ଗଙ୍ଗବଂଶୀୟ ରାଜା ମାନଙ୍କର ଉନ୍ନତ ଚିନ୍ତାଧାରା ତଥା ରୁଚି ଓ ଚେତନାର ପରିଚୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।
















୯୪୩୭୨୧୮୯୧୭


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା