ଆଧୁନିକ ଯୁଗରେ ସଂସ୍କୃତିର ଅବକ୍ଷୟ

ଡଃ ମିଥୁନ କୁମାର ଶତପଥୀ



ଡଃ ମିଥୁନ କୁମାର ଶତପଥୀ

(ଅଧ୍ୟାପକ, ସାହିତ୍ୟ ବିଭାଗ) ,
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ , ଶ୍ରୀ ସଦାଶିବ ପରିସର, ପୁରୀ
ଆଧୁନିକ ସଂସ୍କୃତି ହେଉଛି ଅପସଂସ୍କୃତିର ବାର୍ତ୍ତାବହ୤ ସଂଶୟବାଦ, ବେପରୁଆ ରୀତିନୀତି, ଯଥେଚ୍ଛାଚାରିତା, ବ୍ୟକ୍ତିଗତ ସ୍ବାଧୀନତାର ଦୁରୁପଯୋଗ ଆଜି ସମଗ୍ର ସାମାଜିକ ସତ୍ତାକୁ ବିପର୍ଯ୍ୟସ୍ତ କରିଛି। ସଂସ୍କାରରୁ ସଂସ୍କୃତିର ଉଦ୍ଭବ । ମଣିଷ ଜାତିକୁ ଶୃଙ୍ଖଳିତ ରଖିବା ପାଇଁ ବିଭିନ୍ନ ନୀତିନିୟମର ସଂହତି ଘଟାଇ ମହାପୁରୁଷଗଣ ମୁକ୍ତି, ଶାନ୍ତି ଓ ଆତ୍ମିକ ଉନ୍ନତିର ପଥ ଦେଖାଇଥିଲେ୤ କିନ୍ତୁ କାଳକ୍ରମେ ଆଜି ମଣିଷ ନୀତିହୀନ ଓ ଭ୍ରଷ୍ଟ ପାଲଟିଯାଇଛି୤
କଥାରେ ଅଛି, “ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ୤” ଶାସ୍ତ୍ର ଭାରତୀୟ ସଂସ୍କୃତି ସମ୍ବନ୍ଧରେ ମତ ବ୍ୟକ୍ତ କରେ, “ସା ପ୍ରଥମା ସଂସ୍କୃତି ବିଶ୍ବବାରା୤” ଅର୍ଥାତ୍ ଭାରତୀୟ ସଂସ୍କୃତି ହିଁ ସମଗ୍ର ବିଶ୍ବରେ ସର୍ବ ପ୍ରଥମ ସଂସ୍କୃତି୤
ଏଠାରେ ଜନ୍ମିତ ମୁନିଗଣ ଯଥା:-ବଶିଷ୍ଠ, ସାନ୍ଦିପନୀ, ଶୁକ, ସନକ, ଯାଜ୍ଞବଳକ୍ୟ, ବ୍ୟାସ, ବାଲ୍ମିକୀ ଓ ଧୌମ୍ୟ ଇତ୍ୟାଦି ବହୁ ସଂହିତାମାନ ରଚନା କରି ସମାଜ ଓ ବ୍ୟକ୍ତିର ଉନ୍ନତି କଳ୍ପେ ତାହା ଛାଡି ଯାଇଛନ୍ତି୤ କିନ୍ତୁ ଆଧୁନିକ ମାନବ ସେସବୁର ତର୍ଜମା ନକରି ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ହୋଇ ହେତୁବାଦୀ ଚିନ୍ତାଧାରା ଦ୍ବାରା ସମାଜର ଭିତ୍ତିଭୂମିକୁ ଧ୍ବଂସୀଭୂତ କରିବାରେ ଲାଗିଛି୤ ପୂର୍ବ କାଳରେ ଗୁରୁକୂଳ ଆଶ୍ରମରେ ରହି ବ୍ରହ୍ମଚର୍ଯ୍ୟ ପାଳନ କରି ଗୁରୁଙ୍କ ପ୍ରତି ଭକ୍ତି ଅଟଳ ରଖି ଶିଷ୍ୟଟିଏ ବହୁ ଜ୍ଞାନର ଅଧିକାରୀ ହୋଇ ପାରୁଥିଲା୤ ପରବର୍ତ୍ତୀ ସମୟରେ ଗାର୍ହସ୍ଥ୍ୟାଶ୍ରମରେ ଅତିଥି ସେବା, ବାନପ୍ରସ୍ଥରେ ତପ ଆଚରଣ ଓ ସନ୍ନ୍ୟାସରେ ଈଶ୍ବର ଚିନ୍ତନ କରି ଏକ ଶୃଙ୍ଖଳିତ, ନୈତିକ, ଆଧ୍ୟାତ୍ମିକ ଜୀବନ ନେଇ କାଳାତିପାତ କରୁଥିଲା୤ କିନ୍ତୁ ଆଜି ସମୟ ବଦଳିଯାଇଛି୤ ପାଶ୍ଚାତ୍ୟ ରୂଚି, ଚାଲିଚଳନ ଦ୍ୱାରା ପ୍ରଭାବିତ ହୋଇ ଆଧୁନିକ ମାନବ ଅବକ୍ଷୟ ଆଡକୁ ଗତି କରୁଛି୤ ଏବେ ତା ପାଇଁ ପୁରାତନ ଶାସ୍ତ୍ର ଅନୁମୋଦିତ କଥାମାନ ମୂଲ୍ୟହୀନ । ରାମାୟଣ ଓ ମହାଭାରତର କଥାବସ୍ତୁକୁ ସେ କପୋଳକଳ୍ପିତ ବୋଲି ଭାବୁଛି୤ ପାରିବାରିକ ଜୀବନ ଓ ପାରମ୍ପରିକ ରୀତିନୀତି ଆଜି ଗୁରୁତ୍ୱହୀନ୤
ପୂର୍ବେ ନାରୀକୁ ଦେବୀ ତୁଲ୍ୟ ସମ୍ମାନ ଦିଆଯାଉଥିଲା୤ ଉପନିଷଦରେ କୁହାଯାଇଛି, “ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ୤” ନାରୀ ପାଖରେ ମଧ୍ୟ ଅପରିମିତ ପତିଭକ୍ତି ଥିଲା୤ ସ୍ୱାମୀଙ୍କୁ ସେ ଇହକାଳର ଓ ପରକାଳର ଦେବତା ମନେ କରୁଥିଲା୤ ତେଣୁ ସ୍ତ୍ରୀକୁ ଧର୍ମପତ୍ନୀ ବୋଲି କୁହାଯାଉଥିଲା୤ କିନ୍ତୁ ଏ ସମୟର ନାରୀ ପୁରୁଷକୁ କେବଳ ତା’ର କାମନାର ପୂର୍ତ୍ତି ପାଇଁ ପୁରୁଷବନ୍ଧୁ ବା (ବୟଫ୍ରେଣ୍ଡ୍) ବୋଲି ଭାବୁଛି୤ ସେ ଧର୍ମ କର୍ମ ଠାରୁ ବହୁ ଦୂରରେ୤ ପରକୀୟା ପ୍ରୀତି, ବିବାହ ବିଚ୍ଛେଦ, ଛାଡପତ୍ର, ଏକାଧିକ ପୁରୁଷ ସହ ଶାରିରୀକ ସମ୍ପର୍କ ନାରୀର ଚରିତ୍ର ରୂପକ ଭୂଷଣକୁ ଆଜି
କଳୁଷିତ କରିଛି୤ ପୁରୁଷମାନଙ୍କର ଆଚରଣ ମଧ୍ୟ ତଦୃପ୤ ଏ ପରିପ୍ରେକ୍ଷୀରେ ସାମାଜିକ ସଂସ୍କୃତି ଯେ କେତେ ମାତ୍ରାରେ ବାଧାପ୍ରାପ୍ତ ତାହା ସହଜରେ ଅନୁମେୟ୤ ଜଣାପଡିଲାଣି ଆଉ କିଛି ବର୍ଷ ପରେ ଭାରତୀୟ ସଂସ୍କୃତି ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବ ଯଦି ଏହାର ଠିକ୍ ରୂପେ ସଂରକ୍ଷଣ ନ ହୁଏ୤
ଏଭଳି ଏକ ବିଷମ ପରିସ୍ଥିତି ଓ ପରିବେଶ ଭିତରେ ଅସନ୍ତୁଳିତ ଜୀବନ ନେଇ ବଞ୍ଚିବା ଅସମ୍ଭବ ହୋଇ ପଡିଛି୤ ଭାରତୀୟ ସଂସ୍କୃତିର ମୌଳିକ ସ୍ବରୂପକୁ ଫେରି ପାଇବା ପାଇଁ ପୁଣି ଫେରିଯିବାକୁ ହେବ ସେହି ବୈଦିକ ଯୁଗକୁ୤ କେବଳ ଆମ ସଂସ୍କୃତିର
ବସୁଧୈବ କୁଟୁମ୍ବକମ୍ ନୀତି ଏହାକୁ ଜଗତରେ ମହିମାନ୍ବିତ କରିଛି୤ ଭାରତର ବିଶ୍ବଭାତୃତ୍ବ, ପାରିବାରିକ ସ୍ନେହ ସହାନୁଭୂତି, ପିତୃମାତୃ ପୂଜନ, ଗୁରୁଭକ୍ତି, ଶାନ୍ତି, ସଦ୍ଭାବ ପାଖରେ ସମଗ୍ର ବିଶ୍ୱ ସର୍ବଦା ମଥାନତ୤ ଅତଏବ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେତେ ଉନ୍ନତି ଘଟିଲେ ବି ଭାରତୀୟ ସଂସ୍କୃତି ବିପର୍ଯ୍ୟସ୍ତ ହେଲେ ସମଗ୍ର ବିଶ୍ୱ ଧ୍ୱଂସୀଭୂତ ହେବ୤


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା