ଉତ୍କଳ ଅସ୍ମିତା ଓ ଓଡ଼ିଆ ଭାଷା

ଅଭୟ କୁଣ୍ଡ



ଅଭୟ କୁଣ୍ଡ

ବର୍ତ୍ତମାନ ଆମ ରାଜ୍ୟର ନାମ ଓଡ଼ିଶା୤ ଏହାର ପ୍ରାଚୀନ ନାମ ଉତ୍କଳ କଳିଙ୍ଗ ମଧ୍ୟ ଥିଲା୤ ପ୍ରଥମେ ବୁଝିବା ଓଡ଼ିଶା, ଉତ୍କଳ ଓ କଳିଙ୍ଗ କହିଲେ କଣ ବୁଝିବା୤ ଏକ ଭୌଗୋଳିକ ଅଞ୍ଚଳ ଯେଉଁ ଅଞ୍ଚଳର ଲୋକମାନେ ନିଜ ମନୋଭାବକୁ ପ୍ରକାଶ କରେ ଏକ ଭାଷା ମାଧ୍ୟମରେ ଅନ୍ୟର ଭାବକୁ ସେହି ଭାଷା ମାଧ୍ୟମରେ ବୁଝିପାରେ ତାହା ଓଡ଼ିଆ ଓ ଓଡ଼ିଆ ଭାଷାଭାଷି ଅଞ୍ଚଳକୁ ଓଡ଼ିଶା/କଳିଙ୍ଗ/ଉତ୍କଳ କୁହନ୍ତି୤
ଓଡ଼ିଆ ଏକ ପ୍ରାଚୀନ ଭାଷା୤ ଓଡ଼ିଶା ଶବ୍ଦଟି ଉଡ୍ରୀୟ ଶବ୍ଦର ରୂପାନ୍ତର୤ ଇତିହାସ କହେ ପ୍ରାୟ ଦୁଇ ହଜାର ବର୍ଷ ତଳେ ଆମ ଅଞ୍ଚଳରେ ଔଡ୍ରୀ ବା ଉଡ୍ରିୟ ନାମକ ଏକ କଥିତ ଭାଷା ଥିଲା୤ ପର କାଳରେ ଏହା ଓଡ଼ିଆ ଭାଷାରେ ବିବର୍ତ୍ତିତ ହେଲା୤ ଏହା ପ୍ରାକୃତ ଭାଷା ମଧ୍ୟ କୁହାଯାଉଥିଲା୤ କାରଣ ଏହା ଜନଗଣ ବା ପ୍ରଜାଗଣଙ୍କ ଭାଷା ମଧ୍ୟ ଥିଲା୤ ଆମ ମାତୃଭାଷା ଭାରତୀୟ ଆର୍ଯ୍ୟ ଭାଷା ପରିବାର ଭୁକ୍ତ ମଧ୍ୟ୤ ସଭ୍ୟତାର ବିକାଶ ହେଲା୤ ବିଶ୍ୱରେ ବିଭିନ୍ନ ଅଞ୍ଚଳରେ ଲୋକମାନେ ଭିନ୍ନ ଭିନ୍ନ ଭାଷାରେ ଭାବ ପ୍ରକାଶ କରୁଥିଲେ୤ ଲୋକମାନେ ଗ୍ରାମ ଗ୍ରାମ ନୁହେଁ ରାଜ୍ୟ ରାଜ୍ୟ ଦେଶ ଦେଶ ମଧ୍ୟରେ ନାନା କାରଣରୁ ଯିବା ଆସିବା, ଭାବର ଆଦାନପ୍ରଦାନ, ବାଣିଜ୍ୟ ବ୍ୟବସାୟ ପାଇଁ ସମ୍ପର୍କ ସ୍ଥାପନ ହେଲା୤
ସାନ ସାନ ଝରଣା ମିଶି ନଦୀ ସୃଷ୍ଟି ହୁଏ୤ ସେହିପରି ବିଭିନ୍ନ ଅଞ୍ଚଳ ଲୋକମାନେ ପରସ୍ପର ସହ ମିଶିବା ଫଳରେ ଭାଷା ସହ ଭାଷା, ଶବ୍ଦ ସହ ଶବ୍ଦ ମିଶି ଭାଷା ସମୃଦ୍ଧ ହେଲା୤ ପରେ ଲିପି ଉଦଭାବନ ହେଲା୤ ବ୍ୟବହାର ଉପଯୋଗୀ ଅନେକ ଶବ୍ଦ ସୃଷ୍ଟି ହେଲା୤ ଶବ୍ଦର ଭଣ୍ଡାର ବଢ଼ି ଚାଲିଲା୤ ଶାରୋଳା ଯୁଗ ଠାରୁ ଓଡ଼ିଆ ଭାଷାରେ ପୁରାଣ ରଚନା ଆରମ୍ଭ ହେଲା୤ ପରବର୍ତ୍ତୀ କାଳରେ ଓଡ଼ିଶାରେ ପଠାଣ ମୋଗଲ ଇଂରେଜମାନେ ଶାସନ କଲେ୤ ଆମ ଭାଷାରେ ଅନେକ ପାର୍ସୀ ଓ ଇଂରାଜୀ ଶବ୍ଦ ମିଶିଗଲା୤ ପଡ଼ୋଶୀ ରାଜ୍ୟ ତେଲଗୁ, ହିନ୍ଦୀ, ବଙ୍ଗଳା ଶବ୍ଦ ସହ ମୁଣ୍ଡାରୀ, ସାନ୍ତାଳୀ ଶବ୍ଦ ମିଶି ଗଲା ଓ ଆମ ଶବ୍ଦ ଭଣ୍ଡାର ବିଶାଳ ଆକାର ଧାରଣ କଲା୤ ଏବେ ମଧ୍ୟ ନୂଆ ନୂଆ ପ୍ରଯୁକ୍ତିବିଦ୍ୟାର ଶବ୍ଦ ଆମେ ବ୍ୟବହାର କରୁଛୁ ଓ ଏହା ଆଗକୁ ମଧ୍ୟ ଜାରି ରହିବ୤ କିନ୍ତୁ ଯଦି ଭାଷାର ମୌଳିକତା ନଷ୍ଟ ହେବ ତା ହେଲେ ଭାଷା ସଙ୍କଟରେ ପଡ଼ିବ ଓ ଓଡ଼ିଆ ଅସ୍ମିତା ଭୂଲୁଣ୍ଠିତ ହେବ୤ ଅସ୍ମିତା କହିଲେ ଅହମିକାକୁ ବୁଝାଏ୤
ଆମେ ଆମର କାବ୍ୟ,ପୁରାଣ, ଗଳ୍ପ,ସଙ୍ଗୀତ, ନାଟକ ଧର୍ମ ଗ୍ରନ୍ଥକୁ ନେଇ ଗର୍ବ କରୁ୤ ସମୃଦ୍ଧତା ତଥା ପ୍ରାଚୀନତା ପାଇଁ ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି୤ ଏଣୁ ଆମେ ଗର୍ବିତ ମଧ୍ୟ୤
ଓଡ଼ିଶାର ଧର୍ମ, ପର୍ବପର୍ବାଣୀ, ଓଷା ବ୍ରତ ସହ ଖାଦ୍ୟ, ବସ୍ତ୍ର ବେଶଭୂଷା ସହ ଭାଷାର ଗଭୀର ସମ୍ପର୍କ ଅଛି୤ ଶିକ୍ଷାର ପ୍ରସାର ଓ ବିଦେଶୀ ଭାଷା ପ୍ରଭାବରେ ଆମ ସମାଜ ଓ ସାମାଜିକ କର୍ମ ପ୍ରଭାବିତ ହୋଇ ଏକ ସଙ୍କଟ ସୃଷ୍ଟି କଲାଣି ।
ମାତୃଭାଷା ଆମ ଭେଜାଲ୍ ହେଲାଣି
ଇଂରାଜୀ ଗଲାଣି ଖାଇ
ଇଂରାଜୀ ମିଶାଇ ଓଡ଼ିଆ କହୁଛୁ
ଭାଷା ଖେଚୁଡ଼ି ବନାଇ ।
ଆମ ରନ୍ଧନଶାଳାରୁ ମନ୍ଦିର ପର୍ଯ୍ୟନ୍ତ ପର୍ବପର୍ବାଣୀ, ବିବାହ ବ୍ରତ, ଖାଦ୍ୟ ପାନୀୟ, ପୋଷାକ ଏମିତିକି କଳିଗୋଳ ଗାଳି ସବୁଥିରେ ଇଂରାଜୀ ଶବ୍ଦ ମିଶିଛି ଓ ଆମ ଖାଦ୍ୟ ମଧ୍ୟ ବଦଳି ଗଲାଣି୤
ଏଇ ଯେମିତି :-
ମଟନ୍ ଚିକେନ ନୁଡଲ୍ସ ଭେଜ୍
ବ୍ରେକ ଫାଷ୍ଟ ଲଞ୍ଚ୍ ଡିନର୍
ପିଠା ସ୍ଥାନ ଏବେ କେକ ନେଲାଣି
ନିଶା ବ୍ରାଉନ ସୁଗାର୍ ।
ଆମ ପାରିବାରିକ ସମ୍ପର୍କ ମଧ୍ୟ ପ୍ରଭାବିତ ହେଲାଣି୤ ବାପା, ମା, ବୋଉ, ମାମୁ, ଦାଦା, ଅଜା, ଆଇ, ମାଉସୀ ପିଲାମାନେ ଆଉ ଡାକୁନାହାନ୍ତି୤ ନମସ୍କାର ନ କରି ହାଲୋ ହାଏ ଅପସଂସ୍କୃତି ସମାଜରେ ବ୍ୟାପିଲାଣି୤ ହାପି ଶବ୍ଦ ବିନା ପର୍ବପର୍ବାଣୀ ନାହିଁ୤ ମଝିରେ ଭାଷା ବଞ୍ଚାଅ ଆନ୍ଦୋଳନ ହେଲା ମାତ୍ର ଫଳ ଶୂନ୤ ଆମ ବେପରୁଆ ମନୋଭାବ ଯୋଗୁଁ ମାତୃଭାଷା ସଙ୍କଟରେ୤
କୃଷକ ଶ୍ରମିକ କବି ଓ ଲେଖକ
ସମସ୍ତେ କହିଲେ ମିଶା ଓଡ଼ିଆ
ଗୋଦର ଗୋଡ଼ଟା ହୃଷ୍ଟ ପୃଷ୍ଟ ଦେଖି
କହିବା କି ଆମ ସ୍ୱାସ୍ଥ୍ୟ ବଢିଆ ?
ଓଡ଼ିଆ ଅସ୍ମିତା ସୁରକ୍ଷିତ ରଖିବା ପାଇଁ ଆସନ୍ତୁନା ଶପଥ ନେବା ଓ ଗର୍ବରେ କହିବା
ଆମେ ଓଡ଼ିଆ ଆମ ଭାଷା ବଢିଆ ।


ବଳଭଦ୍ରପୁର,
ନିମାପଡ଼ା , ପୁରୀ
ମୋ ୯୫୫୬୯୮୯୭୨୩


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା