ତୁମ ଲପନ
ଅଲେଖ ମେହେର
ଅଲେଖ ମେହେର
ସୁହାସ୍ୟ ବଦନୀ ନୀଳ ଅର୍ଣ୍ଣବ ନୟନା,
ମନ୍ଦାକିନୀ ସମ ପୂତ ଯାହାର ଭାବନା ।
ଅମ୍ବରେ କୋଟି ତାରକା ଏକ ଯେହ୍ନେ ଇନ୍ଦୁ
ମାଣିକ୍ୟ ରତନ ହୀରା ସୁଧା ରସ ସିନ୍ଧୁ ।
ରେଶମୀ ବାସ ରେ ଝଳେ ଲକ୍ଷେ ବଇଦୁର୍ଯ୍ୟ,
ଅଟ କିବା ରମ୍ଭା ପରୀ ବିହାୟସ ସୂର୍ଯ୍ୟ ।
ମରମ ଘାଇଲା କରି ରହିଅଛ ଦୂରେ,
ଶଶାଙ୍କକୁ କୁମୁଦିନୀ କିବା ଭୁଲି ପାରେ ?
କରିଛି ଭରସା ପ୍ରିୟା ଚକୋର ଯେସନ,
ଲକ୍ଷ୍ୟ ମୋର ତୁମ ପ୍ରୀତି ଆନେ ନାହିଁ ମନ।
ସ୍ବର୍ଗଲଭ୍ୟ ପାରିଜାତ ବସନ୍ତ କୋକିଳ,
ହୃଦହାର ଏକା ତୁମେ ସୁବାସ ଅନିଳ।
ମହୋଦଧି ଲୋଚନର କଟାକ୍ଷ ଚାହାଣୀ,
ଈଶ ରିପୁ ତୀର ବିନ୍ଧେ ପ୍ରାଣ ହୁଏ ହାଣି ।
କମ୍ବୁ ସ୍ବନ ଶୁଭେ ଯେବେ ହୋଇଲେ ବାହାର,
ଯୁବା ମହଲରେ ପଡେ ଭାଳେଣି ବିଚାର।
କେତେ କାଳ ଚିନ୍ତି ବିହି କରିଛି ରଚନା,
ଚଞ୍ଚରୀକ ମନ କରି ପାରେ ନା କଳନା ।
ବଢିଯାଏ ହୃଦ କମ୍ପ ବିଲୋକି ତୁମକୁ,
ହୃଦୟ ବେଦନା ଅବା କହିବି କାହାକୁ ?
ଝର, ସୋହେଲା, ବରଗଡ଼
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା