ରାଧା ସଙ୍ଗେ ଶ୍ୟାମ

ରତି ରଞ୍ଜନ ମହାପାତ୍ର



ରତି ରଞ୍ଜନ ମହାପାତ୍ର

କାଳିନ୍ଦୀ ତଟେ କଦମ୍ବ ମୂଳେ, ଶୁଭଇ ବଂଶୀର ସ୍ବନ,
ସେଇ ବଂଶୀର ସ୍ବର ମୂର୍ଚ୍ଛନାରେ ଝଙ୍କୃତ ହୁଏ, ରାଧା ପ୍ରାଣ ।
ବଂଶୀଧାରୀ ଯେବେ ଡାକନ୍ତି ପ୍ରେମେ, "ରାଧେ ରାଧେ" ନାମ ଧରି,
ଲାଜ ଭୟ ତେଜି ଧାଇଁ ଆସେ ରାଧା, ସବୁ କିଛି ପରିହରି ।
ସିଏ ବନମାଳୀ, ଇଏ ବିନୋଦିନୀ, ଜଗତେ ବିରଳ ଯୋଡ଼ି,
ଦୁଇଟି ଦେହରେ ଗୋଟିଏ ପ୍ରାଣ, ଯାଇଛି ହୋଇ ଯୋଡ଼ି ।
କୃଷ୍ଣ ଯଦି ହୁଅନ୍ତି ଶବ୍ଦ, ରାଧା ତାଙ୍କର ଅର୍ଥ,
ରାଧାଙ୍କ ବିନୁ ହେ ନନ୍ଦନନ୍ଦନ, ସବୁ କିଛି ଲାଗେ ବ୍ୟର୍ଥ ।
କୃଷ୍ଣ ଯଦି ହୁଅନ୍ତି ନୟନ, ରାଧା ଅଟନ୍ତି ଜ୍ୟୋତି,
ପ୍ରେମ ସାଗରରେ ସବୁଠୁ ଉଜ୍ଜ୍ୱଳ, ନିର୍ମଳ ଏକ ମୋତି ।
ରୁକ୍ମିଣୀ ସିନା ହେଲେ ପାଟରାଣୀ, ରଖିଲେ ଜଗତ ରୀତି,
ହେଲେ ରାଧା ସାଜିଲେ ଶ୍ୟାମ ସୁହାଗିନୀ, ସମର୍ପି ନିଜର ପ୍ରୀତି ।
ଶ୍ୟାମ ରଙ୍ଗେ ଯିଏ ନିଜକୁ ହଜାଇ, ହୋଇଗଲେ ହତାଦର,
ସେଇ ରାଧାଙ୍କର ତ୍ୟାଗ ଆଗରେ, ତୁଚ୍ଛ ଏ ସମଗ୍ର ସଂସାର ।
କୃଷ୍ଣ ପ୍ରେମର ଏ ସାର କଥା, ଶୁଣ ହେ ଜଗତଜନ,
ରାଧା ବିନା ଶ୍ୟାମ ଅଧା ରହିଯାଏ, ଏ ପ୍ରେମ ସତ୍ୟ ଚିରନ୍ତନ ।


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା