ପୌରୁଷ
ସୁଶାନ୍ତ ଶେଖର ଦାଶ
ସୁଶାନ୍ତ ଶେଖର ଦାଶ
ପାହାନ୍ତି ରାତିର ଅସ୍ପଷ୍ଟ ରାସ୍ତାରେ
କର୍ମଠ ମରଦ କର୍ତ୍ତବ୍ୟ ବେଡିରେ
ସଜାଗ ନିଦ୍ରାରେ ପରିକ୍ରମା ପରି
ବିସ୍ଫାରିତ ଚକିତ ତ୍ରସ୍ତ ନୟନରେ
ଦେଖି ମୋତେ ମୁହଁ ମୋଡିଦେଲା...
ପାଖେ ଯାଇ ଧୀର ବିନୟୀ ସ୍ୱରରେ
ପଚାରିଲି ପ୍ରଶ୍ନଟିଏ ଅତ୍ୟନ୍ତ ନମ୍ରରେ (୧)
ଦେହ କ୍ଲାନ୍ତ ଶ୍ରାନ୍ତ ଆଖିରେ ସନ୍ତୁଷ୍ଟ
ଉଷ୍ମ ଲୁହର ଧାର ଗଣ୍ଡରେ ଅସ୍ପଷ୍ଟ
ଭିଜା ନେତ୍ରେ ଦିଏ ସନ୍ତୁଷ୍ଟି ସମ୍ଭାର
ଦମ୍ଭ ଛାତିତଳେ କୋହ ର ଲହର
କଣ୍ଟକିତ ପଥେ ବିଜୟୀ ପଥିକ.....
କାନ୍ଧରେ ସଂସାର ପଥରର ଭାର
ଥାଇ ମୁଖେ ହସ ବିଷାଦ ଅଚିର ! (୨)
ଦୁଃଖ ପୀଡ଼ା ଗୌଣ କର୍ତ୍ତବ୍ୟ ସାମ୍ନାରେ
ସ୍ନେହ ପ୍ରେମ ଉଣା ଦାୟିତ୍ୱ ବୋଝରେ
ଅସହାୟ ଲୁହ ଝରେ ନିରବେ ନିଷ୍ପନ୍ଦ
ରାତିର ସେ ଭିଜା ଆଖି ପ୍ରଭାତେ ଜାଗ୍ରତ
ହୃଦୟ ଆଘାତେ ନିଃସଙ୍ଗତା ଝାମ୍ପେ...
ପରିବାର ମୁଖେ ଉଲ୍ଲାସ ଅକଷ୍ଟ
ପୁନଃ ଶକ୍ତି ସଞ୍ଚେ ବିରାମ ଅଦୃଷ୍ଟ (୩)
ସ୍ମିତ ହାସ୍ୟ ସ୍ୱଳ୍ପ ବକ୍ତବ୍ୟ ଆଧାରେ
ରଖିଲେ ବିଚାର୍ଯ୍ୟ ପୌରୁଷ ଭଙ୍ଗୀରେ
ପୁରୁଷତ୍ୱ ନୁହେଁ ଗର୍ଜନର ସ୍ମୃତି
ନୀରବତା ବୁଣେ ଭାବ ଅଭିବ୍ୟକ୍ତି
ସୂର୍ଯ୍ୟର ଉତ୍ତାପେ ଶୀତଲତା ଜାଗେ...
ମହାଦ୍ରୁମ ସାଜେ ଆଶ୍ରୟ ନିର୍ବିଘ୍ନ
ବାଧା ପ୍ରତିରୋଧ ଅବାଧ ଅବିଘ୍ନ (୪)
ଦାଇତ୍ୱ ସାମ୍ନାରେ ସଉକ ନିଉନ
ଜୀବନାନ୍ତେ କ୍ଲାନ୍ତି ଅପନୋଦନ
ଅନିଦ୍ରା ନିଶାନ୍ତେ ଆଶାର ଆଲୋକ
ଦେଖିବାକୁ ସୁଖ ଦାୟାଦ ଅଂଶକ
ଅବସନ୍ନ ତନୁ ଶ୍ୱାସରୁଦ୍ଧ ଯାଏଁ .....
ବୋହିବାକୁ ସ୍ୱର୍ଗଗଙ୍ଗା ଅଙ୍ଗନ ପ୍ରାଙ୍ଗଣେ
ସ୍ୱକୀୟ ପରିତ୍ୟାଗ ତୁରିତେ ତକ୍ଷଣେ (୫)
ରୟାଲ ଲାଗୁନ, ଭୁବନେଶ୍ୱର
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା