ଏଡ଼େ ଭାଗ୍ୟ ମୋର କାହିଁରେ କାଳିଆ
ବାସନ୍ତୀ ଲତା ଜେନା
ବାସନ୍ତୀ ଲତା ଜେନା
ଏଡ଼େ ଭାଗ୍ୟ ମୋର କାହିଁରେ କାଳିଆ
ବଡ଼ ଦାଣ୍ଡ ଧୂଳି ହେବି
ତୋ ଭକ୍ତ ଚରଣେ ଲାଗି ରହି ଥିବି
ଭାଗ୍ୟବାନ ମଣୁ ଥିବି l୧l
ଏଡ଼େ ଭାଗ୍ୟ ମୋର କାହିଁରେ କାଳିଆ
ସେବକ ହୋଇ ପୂଜିବି
ବିଶ୍ୱlବସୁ ପରି ପୂଣ୍ୟ ନାହିଁ ମୋର
ନିତି ଦିନ ସେବୁ ଥିବି l୨l
ଶବରୀଙ୍କ ପରି ନାହିଁ ମୋ ବିଶ୍ୱାସ
କୁଟିରେ ଅନାଇ ଥିବି
କଷା ଫଳ ଫିଙ୍ଗି ମିଠା ଖୁଆଇବି
ନିଜକୁ ଧନ୍ୟ ମଣିବି l୩l
ସୁଦାମାନଙ୍କ ପରି ବନ୍ଧୁତା ନାହିଁ ମୋ
ଖୁଦ ଭଜା ଖୁଆଇବି
ବିଦୁରଙ୍କ ପରି ବନ୍ଧୁ ନୁହେଁ ମୁଁଯେ
ଶାଗ ପଖାଳ ବାଢ଼ିବି l୪l
ଧୀବରଙ୍କ ପରି ଯୋଗ୍ୟତା ନାହିଁ ମୋ
ଶ୍ରୀଚରଣ ଧୋଇଦେବି
ବଳରାମ ଦାସ ଭକ୍ତି ମୋର ନାହିଁ
ରଥ ଅଟକାଇ ଦେବି l୫l
ଯୁଧିଷ୍ଠିର ଭଳି ଭକ୍ତି ନାହିଁ ମୋର
ପାଖେ ପାଖେ ରହି ଥିବି
ଅର୍ଜୁନଙ୍କ ପରି ସଖା ନୁହେଁ ମୁଁ ଯେ
ଗୀତାର ତତ୍ତ୍ୱ ଶୁଣିବି l୬l
କୁବୁଜାଙ୍କ ପରି ଭାଗ୍ୟ ନାହିଁ ମୋର
ଚନ୍ଦନ ପାଟି କରିବି
ଦାସିଆଙ୍କ ପରି ଶ୍ରଦ୍ଧା ନାହିଁ ମୋର
ଶ୍ରୀଫଳଟେ ଯାଚି ଦେବି l୭l
ତୋହରି ସଂସାରେ ଅଧମ ନାରୀ ମୁଁ
ତୋର କୃପା ଚାହୁଁ ଥିବି
ତୁଳସୀ ଚନ୍ଦନ କରିଦେ କାଳିଆ
ତୋ ସେବାରେ ଲାଗୁ ଥିବି l୮l
ମାଟି କଳସୀଟେ କରି ଦିଅ ପ୍ରଭୁ
ତୋ ଶ୍ରୀମୁଖ ଦେଖୁ ଥିବି
ଦୁବ କୁସୁମରେ ସଜାଇ ହୋଇଣ
ତୋ ମନକୁ ମୋହୁ ଥିବି l୯l
ମାଟିର ଦୀପାଳି କରିଦେ କାଳିଆ
ସଞ୍ଜ ସକାଳେ ଜଳିବି
ଏଡ଼େ ଭାଗ୍ୟ ମୋର ସତେ ହେବ ପ୍ରଭୁ
ତୋ ବଦନ ଦେଖୁ ଥିବି l୧୦l
ମାଟିର ମଣିଷ ମାଟିରେ ମିଶିବି
ଗାଉଥିବି ତୋର ନାମ
ଭଜନ କିର୍ତ୍ତନେ ନାମ ଉଚ୍ଚାରଣେ
ଶେଷ ତିର୍ଥ ସ୍ୱର୍ଗ ଧାମ l୧୧l
ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର
୮୬୫୮୬୫୫୯୭୯
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା