ସ୍ବପ୍ନ ଓ ବାସ୍ତବତା

ବୈଦ୍ୟନାଥ ମହାନ୍ତି



ବୈଦ୍ୟନାଥ ମହାନ୍ତି

ସୁଖର ଘଡ଼ି ବହୁତ୍ ଶୀଘ୍ର ବିତିଯାଇଥାଏ ଆଉ ସ୍ୱପ୍ନ କେବେ ବାସ୍ତବତାରେ ପରିଣତ ହେବ ସେଇ ଦିନ ଅପେକ୍ଷାରେ ସମ୍ପୂର୍ଣ୍ଣ ଜୀବନ ଅତିବାହିତ ହୋଇଯାଏ୤ ତଥାପି ମଣିଷ ସ୍ୱପ୍ନ ଦେଖେ ସମସ୍ତ ଦୁଃଖ କଷ୍ଟକୁ ଭୁଲି ସପନ ରାଇଜରେ ବଣିକଟିଏ ହୋଇ ସାଉଁଟି ଥାଏ ଶାନ୍ତିର ମଣି ମାଣିକ ଯେତେବେଳେ ପ୍ରକୃତିସ୍ଥ ହୁଏ ଭାଙ୍ଗିଯାଏ ସେହି ଅଳିକ ସ୍ୱପ୍ନ୤
ସନ୍ତୋଷ ବାବୁ କୌଣସି ରାଜକୁମାର ଠାରୁ କମ୍ ସୌଖିନ ନଥିଲେ, କଲେଜ୍ ରେ ସବୁଠୁ ଉନ୍ନତ ମାନର ଡ୍ରେସ, ସୁଟ୍ ବୁଟ୍ ପାଇଁ ଖୁବ୍ ଜଣାଶୁଣା୤ ହଁ କୌଣସି ଗୋଟିଏ ବି ପିକଚର ପ୍ରଥମ ଶୋରେ ହିଁ ଦେଖିବେ ଓ ସାଙ୍ଗ ସାଥି ସହ ପଇସାରେ ଅଭାବ ଅସୁବିଧା ଜମା ନାହିଁ୤ ବାପା, ଭାଇ ଓ ମାଆ ତା ପାଇଁ ସମସ୍ତଙ୍କ ବଟୁଆ ଖୋଲା୤ ତା ଅର୍ଥ ନୁହେଁ ଯେ ବାବୁ ପାଠ ପଢ଼ାରେ ପଛୁଆ ସେ ବି ବହୁ ପାରଙ୍ଗମ, ହେଲେ ବହୁତ୍ ସରଳ ବିଶ୍ୱାସୀ ସବୁ କଥାକୁ ବିଚରା ବିଶ୍ୱାସ କରାଯାଏ, ଭାବ ପ୍ରବଣ ମଧ୍ୟ୤ ଏ ସବୁ ଦେଖି ବଡ ଭାଇ ବେଳେ ବେଳେ ଥଟ୍ଟା ମଜାରେ କୁହନ୍ତି ମାଆକୁ ବୁଝିଲୁ ବୋଉ ଏ ଏତେ ସରଳିଆ ଡର ଲାଗୁଛି ୟାକୁ ବାହା କରିବା ପାଇଁ୤ କେମିତି ସଂସାର କରିବ୤ ଯିଏ ଯାହା ମାଗିବ ସବୁ ଏ ଦେଇଦେବ୤ ସହରରେ ଚାକିରିଟିଏ ମିଳିଥାଏ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ପାଖେ ଆର୍ଟିକଲ କ୍ଲର୍କ ପୋଷ୍ଟ, ଭଡ଼ା ଘର ସାନ ଭାଇ ସହ ରହେ୤ ନିଜେ ରୋଷେଇବାସ କରି ସକାଳ ଜଳଖିଆ ଖାଇ ନିଜ ନିଜ ଟିଫିନ୍ ନେଇ ବାହାରି ଯାଆନ୍ତି ଦୁହେଁ୤ ସାନ ଭାଇ ଠିକାଦାର ଭଲ କାମ ଚାଲିଥାଏ୤ ସାନଭାଇ ବହୁତ୍ ମନ ଲଗାଇ କାମ କରୁଥାଏ ଦୁହେଁ ସ୍ୱପ୍ନ ଦେଖୁଥାନ୍ତି ଜଣେ ବହୁତ୍ ବଡ ଠିକାଦାର ଆଉ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଖୁସିରେ ଦିନ ଗଡି ଚାଲିଥାଏ୤
ହେଲେ ନିୟତିର ଆଉ କିଛି ମଞ୍ଜୁର ଥିଲା, ସତରେ ଦୁର୍ଦ୍ଦିନ କେତେବେଳେ ଆସିବ କେଉଁ ରୂପରେ ଆସିବ କେହି କହି ପାରିବେ ନାହିଁ୤ କେବଳ ମିଛରେ ସିନା ଆମେ ଗର୍ବ ଅହଙ୍କାର ରେ ଭୁଲ୍ ବୁଝାମଣା ର ଶିକାର ହୋଇ ଥାଆନ୍ତି୤
ହଠାତ୍ ନିର୍ମାଣାଧୀନ ବହୁତଳ ବିଶିଷ୍ଟ ପ୍ରାସାଦ ଯେଉଁଠି ସାନ ଭାଇର କାମ ଚାଲିଥିଲା ଭୁଶୁଡ଼ି ପଡ଼ିଲା୤ ଶ୍ରମିକ ହତାହତ ହେଲେ ଓ ନିଜକୁ ବଞ୍ଚାଇବା ପାଇଁ ଗୋପନୀୟ ଭାବେ ସ୍ବସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ପଡିଲା୤ ସବୁ ଯେମିତି ଧୂଳିସାତ୍ ହୋଇ ସାରିଛି୤ ସ୍ୱପ୍ନର ମିନାର ଆଖିଆଗରେ ମାଟିରେ ମିଶିଗଲା୤ ନିୟତିର ଖେଳ ବି ବଡ ବିଚିତ୍ର୤ ଘରେ କିଛି ଜଣାଇଲେ କାଳେ ସେମାନେ ମନ ଦୁଃଖ କରିବେ ସେପାଇଁ ଦୁଃଖରେ ରହି ମଧ୍ୟ ଘରକୁ ଏ ବିଷୟରେ କିଛି ନ କହିବା ପାଇଁ କି ପତ୍ର ଲେଖି ଜଣାଇବା ପାଇଁ ଦୁହେଁ ସ୍ଥିର କଲେ୤ ଯାହା ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଆହୁରି ଜଟିଳତର ଓ ଭୟାବହ ବିପର୍ଯୟ ଆଣିଦେଲା୤
ଯେତେବେଳେ ଭାଗ୍ୟ ପ୍ରତିକୂଳ ଥାଏ ସେତେବେଳେ ଶୁଭ ସମ୍ବାଦ ବି ଜୀବନରେ ଦୁଃଖ ଦେଇଯାଇଥାଏ୤ ଏମିତି ଘଟଣା ଘଟିଲା୤ ସନ୍ତୋଷ ଓଡ଼ିଶା ଲୋକାଲ ଫଣ୍ଡ ଅଡିଟ ଇଣ୍ଟର୍ଭ୍ୟୁରେ ସିଲେକ୍ସନ ହୋଇ ସାରିଛି୤ ନିଯୁକ୍ତି ପତ୍ର ଗ୍ରାମ ଠିକଣାରେ ପୋଷ୍ଟ ଦ୍ୱାରା ପହଞ୍ଚିଛି୤ ଘରେ ସମସ୍ତେ ଖୁସି ଆଉ ସେଇ ଚିଠିଟିକୁ ରିଡାଇରେକ୍ଟ କରି ଦିଲ୍ଲୀ ଠିକଣାରେ ପଠାଇ ଦେଇଛନ୍ତି୤ ହେଲେ ଚିଠି ପହଞ୍ଚିବା ପୂର୍ବରୁ ଭାଗ୍ୟ ସହ ବଦଳି ଯାଇଛି ସନ୍ତୋଷର ଠିକଣା୤ ଏଇତ ଜୀବନ ବାସ୍ତବତା ବହୁତ୍ କଠିନ ବହୁତ୍ ନିଷ୍ଠୁର୤
ଜୀବନର ସାପ ସିଡି ଖେଳରେ ହାରି ବି ସାହସ ହରାଇ ନଥିଲା ସେ୤ ନିଜର ଅଧ୍ୟବସାୟ ବଳରେ ସମସ୍ତଙ୍କ ପ୍ରିୟପାତ୍ର୤ ବେଳେ ବେଳେ ଭାବେ ନିଜର ଦୋଷ ଦୁର୍ବଳତା କିମ୍ବା ଦୁର୍ଗତିକୁ ନିଜ ଗୁରୁଜନମାନଙ୍କୁ ଲୁଚାଇବା ମହାନ୍ ବିପତ୍ତିକୁ ନିମନ୍ତ୍ରଣ କରେ୤ ଯଦି ସେ ନିଜେ ଘରକୁ ପତ୍ର ଲେଖି ସବୁ ଘଟଣାବଳୀ ଜଣାଇଥାନ୍ତା୤ ତେବେ ହୁଏତ ନିଯୁକ୍ତି ପତ୍ର ନୂଆ ଠିକଣାରେ ପାଇବା ସହ ତା ସ୍ୱପ୍ନ ସାକାର ହୋଇ ପାରିଥାନ୍ତା୤
ସମୟ ସୁଅରେ କାଗଜ ଡଙ୍ଗା ଭଳି ଭାସି ଚାଲେ ଜୀବନ କେବେ ଏ କୁଳ ତ କେବେ ସେ କୁଳ, କେତେବେଳେ ଅନୁକୂଳ ତ କେବେ ପ୍ରତିକୂଳ ।


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା