ନିଦ୍ରା
କାହ୍ନୁ ଚରଣ ପାଣିଗ୍ରାହୀ
କାହ୍ନୁ ଚରଣ ପାଣିଗ୍ରାହୀ
ନିଦ୍ରା କ୍ଳାନ୍ତ ଦିନର ଶେଷ ଆଶ୍ରୟ
ଆଖିକୁ ନିଶବ୍ଦେ ଆସେ ।
ଦୁଃଖକୁ ଭୁଲାଇ ଚିନ୍ତାକୁ ଆବଦ୍ଧି
ସଭିଙ୍କ ପାଖରେ ବସେ ।
ଅବଶ ଶରୀର ଅବସନ୍ନ ମନ
ନିଦ୍ରା ଖୋଜଇ ଶରୀର
ଶ୍ରମ କ୍ଳାନ୍ତ ଜୀବନ ବିଶ୍ରାମ ଲୋଡ଼େ
ନିଦ୍ରା ଆରାମ ଆଖିର ।
ନିଦ୍ରା ନିରହଙ୍କାର ଅତିଥି ପରି
ଖୋଜେନି ସେବା ସତ୍କାର
ନିଦ୍ରା ଆସେ ହୃଦୟେ ଶାନ୍ତିରେ ଭରି
ପ୍ରସନ୍ନତା ଜୀବନର ।
ନିଦ୍ରା କୋଳରେ ସଭିଏଁ ସମାନ
ରାଜା ହେଉ କି ଭିକାରି,
ତୁଳିତଳ୍ପ ଶଯ୍ୟା ବିଳାସ ପ୍ରାସାଦ
ଖୋଜେନା ନିଦ୍ରା କାହାରି ।
ବନ୍ଦ ହୁଏ ଜଗତର କୋଳାହଳ
କ୍ଳାନ୍ତ ଅନୁଭବେ ମନ
ମୁଦ୍ରିତ ନୟନେ ଉଡିଯାଏ ମନ
ସ୍ବପ୍ନ ରାଜ୍ୟ ବିଚରଣ ।
ନିଦ୍ରା ମଣିଷର ସ୍ବାଭାବିକ କ୍ରିୟା
ଶରୀର ସୁସ୍ଥତା ପାଇଁ
ଭାସି ଆସେ ଶୀତଳ ପବନ ହୋଇ
କୋମଳତା ସ୍ପର୍ଶ ଦେଇ ।
ପଶୁ ପକ୍ଷୀ କୀଟ ପତଙ୍ଗ ସଭିଏଁ
ନିଦ୍ରାରେ ପଡ଼ନ୍ତି ଶୋଇ
କ୍ଳାନ୍ତି ଦୂର କରି ଜାଗ୍ରତ ହୁଅନ୍ତି
ସ୍ବକର୍ମ ଆରମ୍ଭ ପାଇଁ।
ରୋଗୀ ଆଉ ଶିଶୁ ନିଦ୍ରା ଲୋଡିଥାନ୍ତି
ଶରୀର ସୁସ୍ଥତା ପାଇଁ
ଯୋଗୀ ଜନମାନେ ସାଧନାରେ ରହି
ନିଦ୍ରା ଆୟତ୍ତ କରଇ।
ଭୋଗୀ ଜନ ଲୋଡ଼େ ସୁଖ ନିଦ୍ରା ସଦା
ରାତ୍ରୀର ଅମରାବତୀ
ସ୍ବପ୍ନ ଭିଜା ନିଦ ଭର୍ତ୍ତି ଶରୀରରେ
ତାମସିକତା ପ୍ରବୃତ୍ତି।
ରାତ୍ରିର କଳା ଓଢଣା ତଳେ ଲୁଚେ
କ୍ଳାନ୍ତିରେ ସାରା ଜଗତ
ନିଦ୍ରା ଦେବୀ କୋଳେ ନିର୍ଭୟେ ଶୁଅନ୍ତି
ବର୍ଣ୍ଣାଳୀରେ ବିଭୋରିତ ।
ଟଙ୍କା ଦେଇ ନିଦ୍ରା କିଣି ହୁଏନାହିଁ
କ୍ଷମତା ବାନ୍ଧି ପାରେନା
ଆଖି ଚାହେଁ ନିଦ୍ରା ମନ ଖୋଜେ ନିଦ୍ରା କଣ୍ଟା ଶେଯ ନିଦ୍ରା ବିନା।
ନିଦ୍ରା ବିନା ଜୀବନଟା ଲାଗେ ଅଧା
ସେ ଯେ ଆତ୍ମାର ଔଷଧ
ଦିନର କ୍ଷତକୁ ଧୀରେ ଧୀରେ ଭରେ
ପ୍ରସ୍ତୁତରେ କାଲି ଯୁଦ୍ଧ ।
ଈଶ୍ବରଙ୍କ ବରଦାନ ନିଦ୍ରା ପରା
ସୁଖ ଶାନ୍ତି ଜୀବନରେ
ଅନ୍ତିମ ସମୟେ ଚିର ନିଦ୍ରା ଯାଏ
ଆଶ୍ରା ନିଏ ଶ୍ମଶାନରେ ।
ସତ୍ୟବିହାର ରସୁଲଗଡ଼, ଭୁବନେଶ୍ବର
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା