ଦୁନିଆରେ ସିଏ ବଡ଼
ବୀଣା ସାହୁ
ବୀଣା ସାହୁ
ନୀଳକନ୍ଦରର ନୀଳାଦ୍ରି ବିହାରୀ
ଦେଉଳେ ବଡ଼ ସାଆନ୍ତ,
ଚକାଡୋଳା ଯାହାର ବିଶ୍ୱ ବ୍ରହ୍ମାଣ୍ଡେ
ମହିମା ତା'ର ଅନନ୍ତ ।
ସିଏ ବଡ଼ ଦାତା ସିଏ ବଡ଼ ପିତା
ସିଏ ଆମ ଜଗନ୍ନାଥ,
ଶରଧା ବାଲିରେ ପ୍ରେମର ଯେ ପଥ
ସେଇଠି ଅଟକେ ରଥ ।
କୋଟି କୈବଲ୍ୟର ଅମୃତ ବାଣ୍ଟଇ
ବ୍ରହ୍ମାଣ୍ଡର କର୍ଣ୍ଣଧାର,
ଜାତି ଗୋତ୍ର ନାହିଁ ଭେଦ ଭାବ ନାହିଁ
ସିଏ ମୋ ଭାବ ଠାକୁର ।
ଭାବର ବନ୍ଧନେ ବନ୍ଧା ସେ କାଳିଆ
ଭକ୍ତର ପାଇଁ ପାଗଳ,
ତା ପାଦ ପଦ୍ମରେ ମଥା ନଇଁ ଗଲେ
ବହି ଯାଏ ଅଶ୍ରୁଜଳ ।
ସେ ପରା କାଳିଆ ସଭିଙ୍କର ସାହା
ଦୁନିଆ ରେ ସିଏ ବଡ଼,
ଡାକି ଦେବ ଯିଏ ଭାବ ଭକ୍ତି ରେ ସେ
ଜିତବ ମୁକତି ଗଡ଼ ।
ବଡ଼ ଠାକୁର ସେ ବଡ଼ ଆଖି ତାର
ସିରା ବିଶ୍ବ ଦେଖୁଥାଏ,
କାହାର ଅଭାବ କାହାର ଗୁହାରୀ
ସବୁ ପୂର୍ଣ୍ଣ କରୁଥାଏ ।
ପାତର ଅନ୍ତର ନାହିଁ ତା ପାଖରେ
ଗଜପତି ଝାଡ଼ୁ କରେ,
ସିଏ ଏମିତି ଏକ ବଡ଼ ସାଆନ୍ତ
ଶ୍ରଦ୍ଧା ପ୍ରେମେ ଢଳିପାରେ।
ତା'ଠାରୁ ବଡ଼ କିଏ ଅଛିକି କୁହ
ନାମ ନେଇ ତରିଯିବ,
ସିଏ ଜଗନ୍ନାଥ ସିଏ ପ୍ରାଣ ନାଥ
ତାହା କି ଅନ୍ୟଥା ହେବ।
ଦୁନିଆ ରେ ସିଏ ସବୁଠାରୁ ବଡ଼
ଶେଷ ଆଶ୍ରା ପାଦେ ତାର,
ବଡ଼ ଦାଣ୍ଡ ଯାର ମୁକତିର ପଥ
ସେହି ଜଗତ ଈଶ୍ୱର
ଦୁନିଆ ରେ ସିଏ ବଡ଼।
ଯାଜପୁର
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା