ଦୁନିଆରେ ସିଏ ବଡ଼
ନରେନ୍ଦ୍ର କୁମାର ଦାସ
ନରେନ୍ଦ୍ର କୁମାର ଦାସ
ଦୁନିଆଁରେ ଆଜି ପ୍ରାଣୀଙ୍କ ମଧ୍ୟରେ
ପ୍ରତିଦ୍ବନ୍ଦିତା ହୁଅଇ ,
ଧନ ସମ୍ପଦରେ ଖାଦ୍ୟ ପୋଷାକରେ
ଦେଖାଉ ଅଛି ବଡ଼ାଇ ।
ନଭଶ୍ଚୁମ୍ବୀ ଅଟ୍ଟାଳିକା ତୁଳୀତଳ୍ପ
ଶଯ୍ୟାରେ ଯେ ଅଛି ଶୋଇ,
ଐଶ୍ବର୍ଯ୍ୟ ସମ୍ପତ୍ତି କାର୍ ବ୍ୟାଙ୍କବାଲାନ୍ସ
ସୁଖ ଶାନ୍ତି ଦିଏ ନାହିଁ ।
ମାନସିକ ଶାନ୍ତି ବର୍ହିଃଜଗତରେ
ତିଳେ ହେଲେ ମିଳେ ନାହିଁ,
ଆତ୍ମ ସନ୍ତୋଷରେ ଆତ୍ମ ବିଶ୍ବାସରେ
ସାତ୍ତ୍ୱିକ ସୁଖ ମିଳଇ ।
ପରସ୍ପର ମଧ୍ୟେ ସ୍ନେହ ଶରଧାରେ
ସୁଖ ଦୁଃଖ ଆପଣାଇ,
ନିଜେ ଲୁହ ପିଇ ହସି ହସି ଯିଏ
ଅନ୍ୟକୁ ଥାଏ ହସାଇ ।
ବିପଦ କାଳରେ ମନୋବଳ ଦେଇ
ସାହାଯ୍ୟ ଯେ କରି ଥାଇ,
ହିଂସା ଅସୂୟାରୁ ଦୂରେଇ ରହି ଯେ
ସମଭାଗୀରେ ଚଳଇ ।
ପର ଦ୍ରବ୍ୟେ ଯାର ଲୋଭ ଈର୍ଷ୍ୟା ନାହିଁ
ହସ ଖୁସି ବାଣ୍ଟି ଥାଇ,
ଅନ୍ୟର ବିପଦ ଦୁଃଖରେ ସହାୟ
ହୋଇ ଯେ କାଳ କାଟଇ ।
ସ୍ବପାର୍ଜିତ ଧନେ ଶାନ୍ତି ସନ୍ତୋଷରେ
ସଦା ଯିଏ ଖୁସି ଥାଏ,
ଅଳ୍ପକୁ ଅଧିକ ମନେ କରି ସିଏ
ଦୁନିଆଁରେ ବଡ଼ ହୁଏ ।
କ୍ଷଣଭଙ୍ଗୁର ଏ ସଂସାର ମଧ୍ୟରେ
ଦି'ଦିନ କୁଣିଆ ହୋଇ,
ଗର୍ବ ଅହଙ୍କାରେ ଅନ୍ୟକୁ ପୀଡ଼ଇ
ଦେଖାଏ ସଦା ବଡ଼ାଇ।
ଗର୍ବ ଅହଙ୍କାର ରହେନି କାହାର
ଶେଷେ ଯାଏ ଶୂନ୍ୟ ହୋଇ,
ରାଜ ସିଂହାସନେ ଆଜି ଯେ ବସିଛି
କାଲି ଫକୀର ହୁଅଇ।
ଦାନ ଦୟା କ୍ଷମା ତ୍ୟାଗ ତିତୀକ୍ଷାରେ
ମାନବିକତା ମିଳଇ,
ମାନବର ସେବା ମାଧବର ସେବା
ବିଭୁ କୃପା ସେ ଲଭଇ ।
ଧନରେ ଦରିଦ୍ର ମନରେ ବାଦ୍ସା
ପ୍ରକୃତରେ ବଡ଼ ସେହି,
ପରୋପକାରରେ ସୁଖ ଶାନ୍ତି ପାଇ
ଚିର ସୁଖୀ ସେ ହୁଅଇ ।
ପର ପାଇଁ ଯାର ନୟନରୁ ଲୁହ
ଅବାରିତ ଯାଏ ବହି ,
ମହତ କାର୍ଯ୍ୟରେ ମନ ପ୍ରାଣ ଦେଇ
ସବୁଠୁଁ ବଡ଼ ହୁଅଇ ।
ଅବସର ପ୍ରାପ୍ତ ଶିକ୍ଷକ, ଦଶରଥ ପୁର, ଯାଜପୁର
ମୋ -୭୭୩୫୬୦୭୨୮୪
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା