ଦୁନିଆରେ ସିଏ ବଡ଼
ହେମନ୍ତ କୁମାର ସାହୁ
ହେମନ୍ତ କୁମାର ସାହୁ
ଚରାଚର ସୃଷ୍ଟି ଯାହାର ଅଧୀନ
ଯେ ଅଟନ୍ତି ସୃଷ୍ଟି କର୍ତ୍ତା
ଯାହାଙ୍କର ଟିକେ ଦୟା ଉପୁଜିଲେ
ମୁକ ବି କୁହଇ କଥା
ଦୁନିଆରେ ବଡ଼ ସିଏ
ତାଙ୍କରି ସୃଷ୍ଟିର ଦାନରେ ମଣିଷ
ମୁଁଉ ମୁଁଉ ରଡି ଦିଏ ।
ବଡ଼ ଯା ଦେଉଳ ବଡ଼ ଯାର ନେତ
ବଡ଼ ଯା ସିଂହ ପାଚେରୀ
ଯାର ବଡ଼ ଦାଣ୍ଡ ଜାଣେ ଏ ବ୍ରହ୍ମାଣ୍ଡ
ସେହୁ ଅଟେ ସୃଷ୍ଟି କାରୀ
ରଖଇ ମାରଇ ସେହୁ
ତାର କୃପା ବିନା ଅସମ୍ଭବ ସବୁ
ସେହୁ ଅଟେ ମହାବାହୁ ।
ଯାର ବଡ଼ ଆଖି ଭକତଙ୍କୁ ଦେଖି
କରଇ କରୁଣା ଦାନ
ସେ ବଡ଼ ଠାକୁରେ ଶରଣ ପଶିଲେ
ଜୀବନ ହୁଅଇ ଧନ୍ୟ
ଧନ୍ୟ ତା ବାଙ୍କ ଚାହାଁଣି
ଭକତ ଜାଣଇ ତାଙ୍କରି ମହିମା
ତାଙ୍କୁ କରିଥାଏ ଗୁଣି ।
ଜଗତ ଯାହାର ଅଟେ ଖେଳ ଘର
ଯେ ଖେଳ ଖେଳଇ ନୀତି
ଆଲୋକ ଅନ୍ଧାର ଯା ଦ୍ୱାରା ସମ୍ଭବ
ବୁଲଇ ସାରା ଜଗତୀ
ସେହୁ କରୁଣା ସାଗର
ଭକତ ପାଇଁକି ନିଏ ଅବତାର
ଧନ୍ୟ ମହିମା ତାଙ୍କର ।
ବଡ଼ ବାହୁ ତୋଳି କୋଳଇ ନିଅଇ
ଆଦରେ ଯିଏ ଭକତେ
ଭାବର ଠାକୁର ଭାବେ ସଦା ବନ୍ଧା
ଗୁଣ ବାହୁନିବି କେତେ
ତା ଠାରୁ କେ ବଡ଼ ନାହିଁ
ହସାଏ କନ୍ଦାଏ ମନକୁ ରଞ୍ଜାଏ
ତା ବିନୁ ଆନ କେ ନାହିଁ ।
ମାହାଙ୍ଗା
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା