ଦୁନିଆରେ ସିଏ ବଡ଼

କଳ୍ପନା ବିନ୍ଧାଣୀ



କଳ୍ପନା ବିନ୍ଧାଣୀ

ଅସହାୟ ପାଇଁ ସାଜେ ଯେ ସାହାରା
ବଢାଇ ସୌହାର୍ଦ ହାତ
ସେବା, ଶ୍ରମ ଦେଇ ସାଧ୍ୟ ମୋତେ ତାକୁ
କରି ପାରେ ଯେ ସମର୍ଥ
ଦୁନିଆରେ ସେହି ବଡ଼
ତା ସାହସ ପାଇ ଦିବ୍ୟାଙ୍ଗ ବି କହେ
ଜିଣି ପାରିବି ମୁଁ ଗଡ ।
ନିଜ ପେଟ ଭୋକ ନିଜେ ମାରିଦେଇ
ସରାଗରେ ହସି ହସି
ଭୋକିଲା ମୁହଁରେ ଦେଇ ପାରିଛି ଯେ
ଅନ୍ନ ମୁଠାଏ ପରଷି ,
ଦୁନିଆରେ ବଡ଼ ସେହି
ହୃଦୟକୁ ଚିହ୍ନେ ହୃଦୟବାନ ସେ
ତା ସମ ଆଉ କେ ନାହିଁ ।
ଦୁଃଖ, କଷ୍ଟ ଯିଏ ଦିଅଇ ତୁମକୁ
ଶତ୍ରୁ ସାଜି ଜୀବନର
ଉଦାର ହୃଦୟେ କ୍ଷମି ପାରେ ଯିଏ
ନ କରି ତା ଅପକାର ,
ସେ ଜନ ହୁଏ ମହାନ
ତା ଉଦାରତା ଦେଖି ଖୁସି ହୋଇଥିନ୍ତି
ସ୍ୱୟଂ ପ୍ରଭୁ ଭଗବାନ ।
ନିଜ ସ୍ବାର୍ଥ ତେଜି ଜଗତ ହିତରେ
ବ୍ରତୀ ହୁଏ ଯେଉଁ ନର
ତା ତ୍ୟାଗ, ପ୍ରେମର ମନ୍ଦାକିନୀ ଧାରେ
ଜଗତ ହୁଏ ସୁନ୍ଦର,
ସେହି ଦୁନିଆରେ ବଡ଼
ଡରି ଯାଏ ନାହିଁ ସେ ମଣିଷ କେବେ
ଆସିଲେବି ଯେତେ ଝଡ ।
ମୟୁର ଭଞ୍ଜ


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା