ଦୁନିଆରେ ସିଏ ବଡ଼
ଭାସ୍କର ରାଉତ
ଭାସ୍କର ରାଉତ
ଦେଖ ଏ ଦୁନିଆ ଦୁଇ ଗୋଟି ନିଆଁ
ଆଗ ପଛେ ରହିଥାଇ
ଆଗ ନିଆଁ ଦେଖି ତରାଟିଣ ଆଖି
ବଡ଼ ହେବାକୁ ଲୋଡ଼ଇ ।
ସବୁକିଛି ଭୁଲିଯାଇ,
ବଡ଼ ହେବାପାଇଁ ବିଚାର ହରାଇ
କାର୍ଯ୍ୟମାନ କରୁଥାଇ ।।
ଗୁରୁ ଗୁରୁଜନ ରକତ ବନ୍ଧନ
କିଛି ତାକୁ ଦିଶେନାହିଁ
ସ୍ୱାର୍ଥକୁ ସାରଥି କରିଚାଲେ ନିତି
ଗର୍ବ ଅହଙ୍କାର ବହି ।
ଚିରସ୍ଥାୟୀ କିଛି ନାହିଁ,
ସବୁ ଜାଣିଶୁଣି ସାଜି ଅଜ୍ଞାନୀ
ତାକୁ ବୁଝାଇବ କେହି ।।
ପଛ ନିଆଁ ଦେଖି ବୁଜିଦେଇ ଆଖି
ଦୁନିଆରେ ଯେ ଚାଲଇ
ଝୁଣ୍ଟି ପଡ଼ୁଥାଇ ପୁଣି ସେ ଉଠଇ
ଆଗକୁ ବଢ଼ିବା ପାଇଁ ।
ଘାତ ପ୍ରତିଘାତ ସହି,
ଗଢ଼ଇ ଜୀବନ ସଂସାରେ ରହିଣ
ଲକ୍ଷ୍ୟ ସ୍ଥଳେ ପହଞ୍ଚଇ ।।
ନଥାଉ ତା ଧନ ମାନ ସନମାନ
କର୍ମ ଯାହାର ମହାନ
ଦୁନିଆରେ ସିଏ ବଡ଼ ହୋଇଥାଏ
ଏ କଥା ଅଟେ ପ୍ରମାଣ ।
ଦେଖ ବିଶ୍ରବା ନନ୍ଦନ,
ବଡ଼ ନ ହୋଇଲେ ଜୀବନ ହାରିଲେ
ବଡ଼ ହେଲେ ହନୁମାନ ।।
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ
୯୭୭୬୪୮୬୬୨୮
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା