କନ୍ୟା ଭ୍ରୁଣ ହତ୍ୟା
ଭକ୍ତିବାଳା ଦାସ
ଭକ୍ତିବାଳା ଦାସ
କନ୍ୟା ଭ୍ରୁଣ ମୁହିଁ ଚିଠି ଲେଖୁଅଛି
ଶୁଣ ସବୁ ବାପ ମାଆ
କଅଁଳ ପତର ମୋହରି ପରାଣ
ହୁଅ ବାରେ ମୋତେ ସାହା
ନ ମାର ନ ମାର ଗରଭୁ ମୋତେ ମା
କରିଦେଇ ଗର୍ଭପାତ l
କେମିତି ସହିବ ତୁମରି ଦେହ ମା
ମୋ ଶରୀରେ ଛୁରାଘାତ
ଗରଭେ ବଢୁଛି ଖୋଲିନାହିଁ ଚକ୍ଷୁ
ଗୋଡ଼ ହାତ ମୋର ବନ୍ଦୀ
କେମିତି ଗୁହାରି କରିବି ଭାବୁଛି
ତୁମ ଗଳେ ବାହୁ ଛନ୍ଦି
ଈଶ୍ୱର ଦତ୍ତ ମୂଁ କନିଆ ରତନ
ସଞ୍ଚରି ଅଛି ଉଦରେ
ଅଜନ୍ମି ନ ରଖି ଜନମ ଦିଅ ମାଆ
କୋଳାଅ ମୋତେ ସାଦରେ
ସଂସାର ଦେଖିବା ଆଗରୁ ମୋତେ ମା
ଦିଅନାହିଁ ଗର୍ଭେ ଦଳି
କଥା ଦେଉଅଛି ହେବିନାହିଁ ଦୁଷ୍ଟ
କରିବିନି କେବେ ଅଳି
କପଡା, ଖେଳନା ନଦେଲେ ମୁଁ
ମାଗିବିନି କେବେହେଲେ
ଚଳିଯିବି ମୁଁ ତୁମ ଗେଲ୍ହା ପୁଅ
ପୁରୁଣା ଦରବ ଥିଲେ
କୁନି କୁନି ପାଦେ ତୁମ ଅଗଣାରେ
ଖୁସିର ଫୁଲ ଫୁଟାଇ
ଗୁଲୁ ଗୁଲୁ କଥା କହି ଥିରି ଥିରି
ଦେବି ଦୁଃଖକୁ ହଟାଇ
ବଡ଼ ହେଲେ ବୋହୁ ମୁଁ ସାଜିବି
ଝିଅ ପଦରୁ ଓହରି
ମାଆ ହେବା ଲାଗି ପ୍ରଭୁ ଶ୍ରୀଚରଣେ
କରିବି କେତେ ଗୁହାରି
ସବୁ ମାଆ ମାନେ ଝିଅ ମାରିବାକୁ
ବଳାଇଛ କିଆଁ ମନ
ତୁମ ପୁଅ ପାଇଁ କେଉଁ ବାପ ମାଆ
କରିବେଟି କନ୍ୟା ଦାନ
ମାଆ ମାଉସୀଙ୍କୁ ପଚାରୁଛି ମୁହିଁ
ମୋ କଥାର ଜବାବ ଦିଅ
ସ୍ୱାମୀ ହାତ ଧରି ବଧୂ ବେଶ ବେଳେ
ଥିଲ କି ମା ତୁମେ ପୁଅ?
ଭାଇର ଦରକାର ଭଉଣୀ ପରା ଲୋ
ପୁଅ ଲୋଡୁଥାଏ ମାଆ
ପୁରୁଷ ଖୋଜଇ ନାରୀଟିଏ ପୁଣି
ହେବା ପାଇଁ ପରା ବାହା
ଯୋଡୁଅଛି କର ଅନ୍ଧ ସମାଜକୁ
କନ୍ୟା ଭ୍ରୁଣ ମାର ନାହିଁ
ନାରୀ ଓ ପୁରୁଷ ସଂସାରେ ସମାନ
ଯାହା ତ କରିଛି ସାଇଁ
ପଦ୍ମନାଭପୁର, ସିପୁରା, ବାଲିଚନ୍ଦ୍ରପୁର,
୭୫୪୨୦୫
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା