ବର୍ଷାଭିଜା ଡାଏରୀର କବିତା

ଆଶୁତୋଷ ମେହେର



ଆଶୁତୋଷ ମେହେର

ଭୁବନେଶ୍ବର ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପ୍ରତିଦିନ ସକାଳ ଆଠ'ଟାରେ ଭେଟ ହେଉଥିଲା ଆମ ଦୁଇଜଣଙ୍କର୤
ସେ ସଦା ବେଳେ ସମ୍ବଲପୁରୀ କୁର୍ତ୍ତା ପିନ୍ଧୁଥିଲେ ବୋଧହୁଏ ପଶ୍ଚିମ ଓଡିଶାର ପିଲା, ଏଇଠି କେଉଁଠି କିଛି ଚାକିରି କରୁଛନ୍ତି ବୋଧେ୤ ସବୁଦିନେ ତା'ଙ୍କ ହାତରେ ଗୋଟେ ପୁରୁଣା ଡାଇରୀ୤
ଆଉ ମୁଁ ପୂର୍ବ ଓଡିଶା ଉପକୂଳିଆ ଝିଅ, ଘର ମୋର ଖଣ୍ଡଗିରି ଏରିଆରେ୤ ସବୁଦିନ ଅପେକ୍ଷା କରେ ବରମୁଣ୍ଡା ଷ୍ଟାଣ୍ଡରେ କଟକ ଯିବା ବସ୍ ପାଇଁ, କାହିଁକିନା ସେଇଠି ମୋ ଚାକିରୀ୤ ମତେ ଗୀତ ଶୁଣିବାକୁ ଭଲ ଲାଗେ ତେଣୁ କାନରେ ସଦାବେଳେ ଲାଗିଥାଏ କର୍ଡଲେସ୍ ଇୟରଫୋନ୍୤
କେବେ କଥା ହୋଇନଥିଲା, ଖାଲି ଆଖି ଦେଖାଦେଖି୤ ସୁଯୋଗ ଯୁଟିନଥିଲା ଯେ!!
ସେଦିନ ସକାଳୁ ସକାଳୁ ମୁଷଳଧାରାରେ ବର୍ଷା ଆରମ୍ଭ ହୋଇଯାଇଥିଲା୤ ସେ ବୋଧେ ବର୍ଷା ଆରମ୍ଭ ପୂର୍ବରୁ ପହଞ୍ଚି ଯାଇଥିଲେ ବସଷ୍ଟାଣ୍ଡ ପରିସରରେ୤ ତା’ଙ୍କ ହାତରେ ଛତା ନଥିଲା୤ ସେ ଯେଉଁଠି ସବୁଦିନ ଠିଆ ହୁଅନ୍ତି ସେଇଠି ଠିଆ ହୋଇଥିଲେ ତେଣୁ ପାଣି ଛିଟିକା ବାଜି ତା'ଙ୍କ ଡାଇରୀ ସାମାନ୍ୟ ଭିଜି ଓଦା ହେଇଥିଲା୤
ମୁଁ ମୋ ଛତା ବଢେଇଦେଲି୤ ସେ ହସିକି କହିଲେ, “ଧନ୍ୟବାଦ୤ ବେଶୀ ଭିଜିନି ମୋ ଡାଇରୀ, ତା ଭିତରେ ମୋର ସବୁ କବିତା ଅଛି, ବେଶ୍ ସୁରକ୍ଷିତ୤”
ସେଦିନ ଠୁଁ ଛତା ତଳେ ଦୁଇଟା ମନର ଗହିରିଆ ଗପ ଆରମ୍ଭ ହୋଇଗଲା୤
ବର୍ଷା ଆସି ଛାଡିଗଲା, ଶୀତ ବି ଆସିଲା, ବସନ୍ତର ଫୁଲ ସବୁ ଆସିଲା କିନ୍ତୁ ଆମେ ଆମ ଗପ ସେମିତି ଆଗେଇ ନେଲୁ !!
ସମୟ ବିତିବାକୁ ଲାଗିଲା ତା'ବାଟରେ୤
ଛଅ ମାସ ପରେ ସେ ଡାଇରୀର ଶେଷ ପୃଷ୍ଠା ଦେଖାଇ କହିଲେ, "ଦେଖ ତୁମ ପାଇଁ କିଛି ଲେଖିଛି୤"
କୌତୁହଳରେ ମୁଁ ଦେଖିଲି ଗୋଟେ ସୁନ୍ଦର ଧାଡି ଲେଖି ହୋଇଛି୤ ଲେଖାଥିଲା, “ତୁମ ଛତା ତଳେ ମୋତେ ସବୁଦିନିଆ ଆଶ୍ରୟ ମିଳିବ ତ ????”
ମୁଁ ତାଙ୍କ ଢିଲା ପକେଟରୁ କଲମଟା ଟାଣି ଆଣିଲି ଓ ତା ତଳେ ଲେଖିଲି, “ହଁ, ସବୁଦିନ ପାଇଁ୤”
ଏବେ ଆଉ ବରମୁଣ୍ଡା ବସଷ୍ଟାଣ୍ଡରେ ଆମର ଭେଟାଭେଟି ହେଉନି୤ ଗୋଟାଏ ଘରେ, ଗୋଟାଏ କୋଠରୀରେ ପାଖାପାଖି ଆମେ ଦୁହେଁ ବିବାହ ବନ୍ଧନରେ ଛନ୍ଦି ହୋଇଯାଇଛୁ । ମୁଁ ନିତି ତାଙ୍କର କବିତା ପଢୁଛି ଓ ବେଳେ ବେଳେ ଶୁଣୁଛି !!






୫୪ ଆର୍ୟ୍ୟପଲ୍ଲୀ
କିଟଛକ ପଟିଆ
ଭୁବନେଶ୍ୱର ୭୫୧୦୨୪
ଦୂରଭାଷ ୯୪୩୭୦୮୫୩୯୬


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା