ପ୍ରେମ ଦଲକାଏ ପବନ

ବିନୟ ମହାପାତ୍ର



ବିନୟ ମହାପାତ୍ର

ତୁମ ପ୍ରେମ, ଦଲକାଏ ପବନ ପରି,
ମୋ ଜୀବନରେ ଦିନେ ଆସି ଥିଲା,
ପ୍ରଣୟର ଋତୁରେ,
ମଳୟର ଅନୁଭବ ଦେଲା,
ଜୀବନର ଥୁଣ୍ଟା ପାଦପେ ମୋର
କେତେ କେତେ ସବୁଜିମା ଭରି ଦେଇଗଲା
ଶୁଣି ଥିଲି, ପବନର ରୂପ ବଦଳେ,
କେବେ ମଳୟ, କେବେ ଚ‌ଇତାଳି,
କେବେ ଅବା ବୈଶାଖର
ଦେହ ଜଳା ଝାଞ୍ଜି ହୋଇ,
ଉପବନ ଜାଳି ଦେଇ ଯାଏ ।

ଋତୁ ସାଥେ, ତୁମ ପ୍ରେମ,
ଏବଂ ପବନର ଗତି ବଦଳି ଗଲା,
ସମୟର ସାଥେ, ପାଦ ମିଳାଇ
ଦୁନିଆରେ ବହୁତ କିଛି ବଦଳିଲା,
ଜୀବନରେ, ଋତୁ ବଦଳେ,
ରୂପ ବଦଳେ, ମଣିଷ ବଦଳି ଯାଏ,
ପ୍ରେମ, ପ୍ରିତି, ସମ୍ପର୍କର ପରିଭାଷା,
ଘଡ଼ିକେ ବଦଳି ଯାଏ ।
କିନ୍ତୁ ଏଇ ଅଦଳ ବଦଳ
କେତେ ଯେ ନିରିହ ପ୍ରାଣେ,
କେତେ କେତେ ବ୍ୟଥା ଦେଇ ଯାଏ ।

ତୁମ ପ୍ରେମ ବଦଳି ଗଲା,
ମଳୟ ପବନ ସତେ,
ବୈଶାଖର‌ ଝାଞ୍ଜି ରୂପ ନେଲା,
କାଳ ବୈଶାଖୀରେ,
ଉଜୁଡି ଗଲା ପ୍ରଣୟ ବାଟିକା,
ବୃନ୍ତଚ୍ୟୁତ ନିରିହ ଗୋଲାପ ମହକ,
ପବନ ଉଡାଇ ନେଲା,
ଶୁଖିଲା ପାଖୁଡା ଯେତେ
ନିର୍ଦ୍ଦୟେ ଜାଳି ଦେଇଗଲା ।

ପ୍ରଣୟର ଧ୍ୱଂସ ଉପବନେ,
ଡେଣା କଟା ପ୍ରଜାପତି ଆଜି,
ପୂନର୍ବାର ଉଡ଼ିବାକୁ ସପନ ଦେଖୁଛି,
ସୁତା କଟା ଗୁଡ଼ିଟିଏ ମୁଁ
ଆଉ ଥରେ ପବନରେ,
ନିର୍ଭୟରେ ଉଡ଼ି ବୁଲିବାକୁ
ନୁଆ ଏକ ଆକାଶ ଖୋଜୁଛି ।









ପଟିଆ, ଭୁବନେଶ୍ବର


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା