ଶୂନ୍ୟତା : ଏକ ଅସମାପ୍ତ ଯାତ୍ରା
ମନୋଜ ଶର୍ମା
ମନୋଜ ଶର୍ମା
ଭିଡ଼ ଭିତରେ ମୁଁ ଏକା ରହିଗଲି
ଖୋଜି ନିଜର ସତ୍ତା
ଜୀବନର ଫର୍ଦ୍ଦ ଓଲଟାଇ ଦେଖେ
ସବୁଠି ଖାଲି ଶୂନ୍ୟତା ......
କେଉଁଠି ହଜିଲା ସେ ସୂର୍ଯ୍ୟର ହସ
କେଉଁଠି ମଇଳା ଜ୍ୟୋତ୍ସ୍ନା
ଶୂନ୍ୟ ଆଖିରେ ଆଜି ଭରି ରହିଛି
କେବଳ ଅତୃପ୍ତ ତୃଷ୍ଣା ........
କିଛି ପାଇବାର ମୋହ ନାହିଁ ଆଉ
ନାହିଁ ହଜେଇ ବାର ଭୟ
ଶୂନ୍ୟ ଆକାଶର ନୀରବତା ସାଥେ
ହେଉଛି ମୁଁ ଆଜି ଲୟ .......
ସୁନା ପଲଙ୍କର ଚକଚକ୍ୟ ତଳେ
ଚାପି ହୋଇଗଲା ମନ
ଏବେ ଶୂନ୍ୟତା ହିଁ ସାଥୀ ହୋଇ ରହେ
ସାରା ରାତି, ସାରା ଦିନ ........
ନିଜ କଥା ଆଜି କହିବି କାହା ଆଗେ
ନିଜେ ହିଁ ନିଜର ଶ୍ରୋତା
ହୃଦୟର କୋଣେ ଘର କରି ରହିଛି
ଏଇ ଗଭୀର ଶୂନ୍ୟତା ........
ଯେଉଁଠି ଦିନେ ସ୍ୱପ୍ନର ସହର ଥିଲା
ସେଇଠି ଆଜି ଜଳେ ମରୁ ଶିଖା
ବାସ୍ତବର କଠୋର ପାହାଚ ଉପରେ
ନିଜ ଭାଗ୍ୟ ନିଜେ ଲେଖା .....
ସ୍ୱପ୍ନ ଭାଙ୍ଗିଲେ ଶବ୍ଦ ହୁଏନା
ସବୁ ହୋଇଯାଏ ସ୍ଥିର
ବାସ୍ତବ ଦୁନିଆ ଆଜି ଲାଗୁଅଛି
ଏକ ଅଫେରା ବାଲିର ଚର .....
ସବୁ ପାଇ ମଧ୍ୟ କିଛି ନାହିଁ ପାଖେ
ଏଇ ତ ଜୀବନର ରୀତି
ଶୂନ୍ୟତା ଭିତରେ ଗୁଞ୍ଜରିତ ହୁଏ
ତୁମ ସେଇ ଅଧୁରା ସ୍ମୃତି .......
ଶେଷରେ ସବୁ ଏଇଠି ରହିବ
ରହିବନି କେହି ଜ୍ଞାତା
ଜନ୍ମରୁ ମୃତ୍ୟୁ ସବୁ ମିଛ ଏଠି
ସତ କେବଳ ଏଇ ଶୂନ୍ୟତା ..... (୨)
କୁଜଙ୍ଗ, ଜଗତସିଂହପୁର
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା