ଆତ୍ମନିର୍ଭରଶୀଳ ଭାରତ

କିରଣ ସାହୁ



କିରଣ ସାହୁ

ଆତ୍ମନିର୍ଭର ଭାରତ ପାଇଁକି
କେତେ ଚାଲେ ଲମ୍ବା ପ୍ରଚାର
ରାତି ପାହିଗଲେ ବୈଠକ ଡାକି
ଜମେ ଭୋଜିଭାତ ଆସର
ବିଦେଶୀ ପଢୁଆ ଲେଖାପଢ଼ା ଜାଣି
ଆବରଇ ଉଚ୍ଚ ଆସନ
ଇଂରାଜୀ ଦିପଦ ନଚୋବେଇଲେ କାଳେ
ରହେନା ତାହାର ସମ୍ମାନ
ସେଦିନ ସଭାରେ କିନ୍ତୁ ଖାଣ୍ଟି ଦେଶୀ ଭାଷା
କହୁଥାଏ ହାତ ଯୋଡ଼ି
ଦେଖିଣ ଲାଗୁଥାଏ ବିରାଡିଟା ବୋଧେ
ଆମିଷ ଦେଇଛି ଛାଡି
ହାତରେ ଧରିଣ ସ୍ମାର୍ଟ ଫୋନଟିଏ
କହୁଥାଏ ଗଳା ଫଟାଇ





ବିଦେଶୀ ଦ୍ରବ୍ୟ କୁ ବର୍ଜନ କରିଣ
ଆମ ଦେଶେ ଦେବା ଗଢେଇ
ଆମଦେଶୁ ପରା ଉଚ୍ଚ ଯନ୍ତ୍ରୀ ଏବେ
ଆମେରିକା ଇଂଲଣ୍ଡରେ
ଗୁଗଲ ହ୍ୱଆଟସଆପ ବର୍ତ୍ତମାନ ପାଇଁ
ସେମାନଙ୍କ କବଳରେ
ଗାନ୍ଧୀ କରିଥିବା କାଟି ପିନ୍ଧା ନିତି
କିଏବା ଆପଣେଇବ
ସୁଟ୍ ବୁଟ୍ ବିନା ଚାଦର ଗାମୁଛା
ଲାଗିବ ନୃବାନର ରୂପ
ଗାଡି ଗଡିବାକୁ ପେଟ୍ରୋଲ ପାଇଁକି
ବିଦେଶୀ ଙ୍କୁ ଦେଶ ପୋଷୁଛି
ସୁନାର ଚାହିଦା ଏଇ ଭାରତରେ
କାହିଁ ଅବା ଏତେ ବଢୁଛି
ବଡ଼ ବଡୁଆଙ୍କୁ ପଡୁ କି ନପଡୁ
ଗରିବଙ୍କୁ ନିଶ୍ଚେ ପଡ଼ିବ
ବିଦେଶୀକୁ ଛାଡ଼ି ଦେଶୀ କୁ ବାଛିଲେ
ଗରିବଙ୍କୁ ନିଶ୍ଚେ ବାଧିବ
ଦେଶ ଦ୍ରବ୍ୟ ପରା ଆକାଶ ଛୁଉଁଛି
ବିଦେଶୀ ପାତାଳ ସମ
ଆତ୍ମନିର୍ଭରଶୀଳ ଜାତିଟାକୁ ଦେଶେ
ଦିଅନ୍ତି ଅଣଜାତି ନାମ









ସ୍ଥାନ - ବନମାଳିପୁର, ବାଲିପାଟଣା, ଖୋର୍ଦ୍ଧା


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା