ହୟଗ୍ରୀବ ଅବତାର
ସତ୍ୟନାରାୟଣ ପ୍ରଧାନ
ସତ୍ୟନାରାୟଣ ପ୍ରଧାନ
ହୟଗ୍ରୀବ ରୂପେ ବୈକୁଣ୍ଠପତି
ହୟଗ୍ରୀବ ଦୈତ୍ୟ ବଧ କରନ୍ତି
ଶୁଣିଦେଲେ କିଏ ଆଶ୍ଚର୍ଯ୍ୟ ହେବ
ପୁରାଣେ ବର୍ଣ୍ଣିତ ଏ କଥା ଧ୍ରୁବ ଯେ
ଶୀର୍ଷକ ପ୍ରେରଣା ଦେବ ଯେ
କେବଳ ଋଷିକୁଲ୍ୟା ଛନ୍ଦେ ଲେଖିବି ଦୋଷ କେହି ନ ଧରିବ ଯେ ।
ଲକ୍ଷ୍ମୀ ଥିଲେ ଅତି ସୌନ୍ଦର୍ଯ୍ୟମୟୀ
ବିଷ୍ଣୁ ହସି ଦେଲେ କୌତୁକ ବହି
ଦେବୀ ଭାବିନେଲେ ବିଷ୍ଣୁଙ୍କୁ ଦୋଷୀ
କହିଲେ ମସ୍ତକ ପଡିବ ଖସି ଯେ
ବିଷ୍ଣୁ ସନମତ କଲେ ଯେ
ସମୟ ଆସିଲେ ତୁମ କଥା ହେବ ହେବନାହିଁ ଏତେବେଳେ ଯେ ।
ହୟଗ୍ରୀବ ନାମେ ଦୈତ୍ୟ ଜନମ
ନର ପରି ଦେହ ଘୋଟକ ସ୍ତୋମ
ଭଗବତୀଙ୍କୁ ତପେ ତୋଷ କଲା
ଅମର ହେବି ଦୈତ୍ୟ ମାଗିନେଲା ଯେ
ଦେବୀ ଅସମ୍ମତ ହେଲେ ଯେ
ଅନ୍ୟ ଏକ ବର ମାଗରେ କୁମର
କହି ଆଶ୍ବସନା ଦେଲେ ଯେ ।
ଦୈତ୍ୟ କହେ ଅବିକଳ ମୋ ରୂପ
ଧରିଥିବା ବ୍ୟକ୍ତି ଯମ ସମୀପ
ପଠାଇବ ମୋତେ ନୋହିଲେ ନାହିଁ
ଭଗବତୀ ଅସ୍ତୁ ଦେଲାରୁ କହି ଯେ
ଦୈତ୍ୟ ଗଲା ଖୁସି ହୋଇ ଯେ
ପରୋକ୍ଷରେ ମୁହିଁ ଅମର ନୁହେଁ କି ଭାବି ଔଦ୍ଧତ୍ୟ ବଢଇ ଯେ ।
ବିଷ୍ଣୁ ଥିଲେ ଯୋଗନିଦ୍ରା ମଗନ
ବେଦ ଚୋରାଇ ନେଲା ଯାତୁଧାନ
ବ୍ରହ୍ମା ମନରେ କରି ଗୁରୁ ଚିନ୍ତା
ହରିଙ୍କି କିପରି କରିବ ଚେତା ଯେ
କଲେ ଏକ ପୋକ ସୃଷ୍ଟି ଯେ
ବିଷ୍ଣୁ ଅଙ୍ଗେ ଘାତ କଲାରୁ ଅଚ୍ୟୁତ ତା'ସଙ୍ଗେ ଯୁଦ୍ଧେ ମାତନ୍ତି ଯେ ।
ଲକ୍ଷ୍ମୀ ଶାପ ଏବେ ବଳବତ୍ତର
ବିଷ୍ଣୁ ଶିର ହୋଇଗଲା ଅନ୍ତର
ଅନ୍ୟନୋପାୟ ହୋଇ ପଦ୍ମଯୋନି
ଅଶ୍ବ ମସ୍ତକ କାହୁଁ ହାଣି ଆଣି ଯେ
ଖଞ୍ଜି ଦେଲେ ତାଙ୍କ ଗାତ୍ର ଯେ
ସଞ୍ଜୀବନୀ ମନ୍ତ୍ର କରୁ ଉଚ୍ଚାରଣ
ଉଠି ବସି ପଦ୍ମନେତ୍ର ଯେ ।
ବ୍ରହ୍ମା ପଦ୍ମପାଦେ କଲେ ଦୟିନୀ
ହୟଗ୍ରୀବ ରୂପ ବୃଥା ଯିବନି
ହୟଗ୍ରୀବ ଦୈତ୍ୟ ଦେଇଛି ଧାଡି
ସେହି ରୂପେ ତାର ଜୀବନ ନାଡି ଯେ
ଅନ୍ତ କରନ୍ତୁ ଭୋଦେବ ଯେ
ଦୈତ୍ୟ ହେଲା ହତ ବେଦ ସଂଗୃହୀତ କଲେ ପ୍ରଭୁ ହୟଗ୍ରୀବ ଯେ ।
ଏହି ରୂପ ହରି ପାଇଲେ ପୂଜା
ଯଦୁମଣି କବି ମଧ୍ୟରେ ରାଜା
ହୋଇ ପାରିଥିଲେ ଏହାଙ୍କୁ ସେବି
ଆମେ ସେହିମତ ଭାଷା ପାର୍ଥିବୀ ଯେ
ଭକ୍ତି କରି ନେବା ମାଗି ଯେ
ପାଠକ ମନକୁ ଶୀଘ୍ର ଛୁଇଁବାକୁ
ସକ୍ଷମ ହେବାର ଲାଗି ଯେ ।
ଆଠମଲ୍ଲିକ, ଅନଗୁଳ
୯୪୩୭୯୦୩୯୧୨
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା