ବଡ଼ ବାବୁ

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ



ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ଧାରାବାହିକ କାହାଣୀ - ଭାଗ ୫
ସକାଳ ସାତଟା ବେଳକୁ ବଡ଼ବାବୁଙ୍କ ଫୋନ୍ ଆସିଲା୤ ରମେଶ ସଦ୍ୟ ଉଠିକି ବୈଠକରେ ବସିଥାଏ୤ ବଡ଼ବାବୁ କେବଳ ଗମ୍ଭୀର ହୋଇ କହିଲେ, ରମେଶ ଟିକେ ଘରକୁ ଆସି ପାରିବ କି?
ରମେଶ ବଡ଼ବାବୁଙ୍କ ଘରେ ପହଞ୍ଚିବା ବେଳକୁ ସେ ବାରଣ୍ଡାରେ ଏପାଖ ସେପାଖ ପଦ ଚାରଣ କରୁଥାନ୍ତି୤ ରମେଶଙ୍କୁ ଦେଖି ଅଟକି ଗଲେ ଆଉ ଘର ଭିତରକୁ ଡାକି ନିଜେ ଭିତରକୁ ଚାଲିଗଲେ୤ ପତ୍ନୀଙ୍କୁ ଚା ଦୁଇକପ ଆଣିବା ପାଇଁ ନିର୍ଦ୍ଦେଶ ଦେଇ ରମେଶ୍ ହାତକୁ କାଗଜ ଟିଏ ବଢ଼େଇ ଦେଲେ୤ ରମେଶ ସେଇ କାଗଜକୁ ତନତନ କରି ପଢ଼ିବା ପରେ ଟିକେ ଅଟକି ଯାଇ କହିଲା, "ତା’ହେଲେ ସାର୍୤ କଣ ଏ କଥା ସତ? ଆମେ ଯାହା ଗତ ସପ୍ତାହେ ହେଲା ଶୁଣୁଥିଲୁ, ସେ କଣ ସତ? ଅନ୍ୟ ଦେଶମାନଙ୍କରେ ତ ଲୋକଙ୍କୁ ଘରୁ ବାହାରିବାକୁ ବି ଦେଉନାହାନ୍ତି୤ ଆମ ଦେଶରେ ବି ଏ ସବୁ ହେବ? କେମିତି ଚଳିବ? ଆଉ ଆମ ଅଫିସ? ଆମ ଅଫିସ ବନ୍ଦ ହେଇଗଲେ ଲୋକଙ୍କୁ ଦରମା କେମିତି ମିଳିବ? ଲୋକ ଖାଇବେ କଣ? ଜୀବନଯାପନ କେମିତି ହେବ?" ରମେଶ ମୁହଁରୁ ଏତେ ସବୁ ପ୍ରଶ୍ନ ଶୁଣିବାପରେ ବଡ଼ବାବୁ ଆହୁରି ଅଧିକ ଗମ୍ଭୀର ହୋଇଗଲେ୤ କହିଲେ, "ମୋ ପୁଅ ବିଦେଶରେ୤ ସେ ଏବେ ଆସିବା ବି ସମ୍ଭବ ହେବନି୤ ଝିଅମାନେ ବି ବାହାରେ୤ ସେମାନେ କେମିତି ରହିବେ, ସେଇ ଚିନ୍ତା ଘାରୁଛି୤"
ରମେଶ କିଛି ଚିନ୍ତା କରିବା ପରେ କହିଲା, "ସାର୍ ମୁଁ ଶୁଣିଛି, କାଳେ ପ୍ରଧାନମନ୍ତ୍ରୀ ଗୁଜୁରାତରେ କଣ ଗୋଟିଏ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି୤ ଯଦି ସତରେ ଏହି ସମସ୍ୟା ଆମ ଦେଶରେ ଥାଆନ୍ତା ତ କଣ ସେ ଏ ସବୁ କରନ୍ତେ କି? ଆମ ଦେଶ ବର୍ତ୍ତମାନ ସୁରକ୍ଷିତ ଅଛି ନିଶ୍ଚୟ୤ ତେଣୁ ଯଦି ଆପଣ ଚାହୁଁଛନ୍ତି ଯିବାକୁ ତା ହେଲେ ଏବେ ହିଁ ଟିକେଟ୍ କରି ଝିଅ କିମ୍ବା ପୁଅ ପାଖକୁ ଯାଇ ପାରିବେ୤"
ବଡ଼ବାବୁ ହସିଦେଇ କହିଲେ, "ଆରେ ନା୤ ମୁଁ କୁଆଡ଼େ ଯିବିନି୤ ପିଲାମାନେ ସବୁ ବଡ଼ ହେଲେଣି, ନିଜ ଭଲମନ୍ଦ ସେମାନେ ବୁଝିବେ୤ ଖାଲି ଚିନ୍ତା ଟିକେ ଯାହା ହେଉଛି୤"
ରମେଶ ମୁଣ୍ଡ ହଲେଇ ସମ୍ମତି ଜଣାଇବା ପରେ ପ୍ରଶ୍ନ କଲା୤ "ଯଦି ଦେଶରେ ସ୍ଥିତି ଖରାପ ହୋଇନାହିଁ, ତା ହେଲେ ଏଇ ଚିଠି? ଏଇ ଚିଠି କାହିଁକି ଆସିଛି?"
ବଡ଼ବାବୁ କହିଲେ, "ବୁଝିଲ ରମେଶ୤ ଆମ ଦେଶ ହେଉ କି ବିଦେଶ୤ ସବୁଠି ରାଜନୀତିଆଙ୍କ କଥାରେ ହିଁ ସବୁ କିଛି ହୁଏ୤ ସେମାନେ ଚାହିଁଲେ ଏବେ ହିଁ ଦେଶକୁ ସ୍ଥାଣୂ କରିଦେବେ୤ ଆଉ ଚାହିଁଲେ କିଛି ହୋଇନି କହି ସବୁକିଛି ସାମାନ୍ୟ ଭାବରେ ହେବାକୁ ଦେବେ୤ "
"ଆପଣ ଠିକ୍ କହୁଛନ୍ତି୤" ରମେଶ କହିଲା୤
ସେତେବେଳକୁ ଚା ଆସି ଯାଇଥିଲା୤ ଚା ପିଉ ପିଉ ବଡ଼ବାବୁ କହିଲେ, "ଦେଖ୤ ଆଜି ନହେଲେ କାଲି, ଏମାନେ ଅନ୍ୟ ଦେଶମାନଙ୍କ ଭଳି ଆମ ଦେଶରେ ମଧ୍ୟ ଲୋକଙ୍କୁ ଘରେ ବନ୍ଦୀ କରି ରଖିବା ବ୍ୟବସ୍ଥା ଲାଗୁ କରିବେ୤ ଲୋକମାନେ ବି ପ୍ରାଣ ଭୟରେ ନିୟମ ମାନିବେ ହିଁ ମାନିବେ୤ ଆଗକୁ କଣ ହେବ ନ ହେବ ସେଇଟା ପର କଥା, ହେଲେ ଏବେ ଆମକୁ ଅଧିକ ସାବଧାନ ହେବାକୁ ପଡ଼ିବ୤ ମୁଁ ଭାବୁଛି, ଆମ ଅଫିସ ଭିତରକୁ ଆଉ ଲୋକଙ୍କୁ ଆସିବାକୁ ଦେବାନି୤ ଝରକା ପାଖ ଦେଇ ସବୁ କାମ ହେବ୤ ଏହି ବ୍ୟବସ୍ଥା କରିବା୤ ଯଥା ସମ୍ଭବ ଅନ୍ୟଲୋକଙ୍କୁ ନ ଛୁଇଁଲେ ଗଲା୤ ନା କଣ କହୁଛ?"
ରମେଶ ମୁଣ୍ଡ ହଲେଇ ସମ୍ମତି ଦେଉ ଦେଉ କହିଲା, "କିନ୍ତୁ ସାର୍, ଚିଠି ପତ୍ରରେ ଦସ୍ତଖତ କରିବା ବେଳେ ତ ଅସୁବିଧା ହେବ୤ ସେତେବେଳେ କଣ କରିବା?"
ବଡ଼ବାବୁ କହିଲେ, "କଣ କରିବା ସେଇ ଚିନ୍ତା ଏବେ ମୋତେ ହେଲାଣି୤ ଅଫିସ ବନ୍ଦ କରି ପାରିବା ନାହିଁ୤ ବର୍ତ୍ତମାନକୁ ଆମେ କେବଳ ସାବଧାନତା ହିଁ ଅବଲମ୍ବନ କରିବା୤ ଅଫିସ ଚିଠିରେ ସେମାନେ ଲେଖିଛନ୍ତି ଯେ ଆବଶ୍ୟକ ହେଲେ ଅଫିସ କେମିତି କାମ କରିବ ସେଇ ବିଷୟରେ ଦିଗଦର୍ଶନ ସେମାନେ ଆଗକୁ ଦେବେ୤ ସେତେବେଳେ ସେଇ ହିସାବରେ କାମ କରିବା୤"
ସେ ଦିନ ଅଫିସରେ ଫୁସୁର୍ ଫାସର୍ ହେବା ଆରମ୍ଭ ହୋଇଗଲା୤ ଅନେକେ ଟିଭି ଆଉ ମୋବାଇଲରେ କରୋନା ରୋଗ ବିଷୟରେ ଶୁଣି ସାରିଥିଲେ୤ ମଧ୍ୟାହ୍ନ ଭୋଜନ ପରେ ଅଫିସରେ ଏକ ଗୁରୁତ୍ବପୂର୍ଣ୍ଣ ମିଟିଂ ଆୟୋଜନ ହେଲା୤ ବଡ଼ବାବୁ ଭୁବନେଶ୍ବରରୁ ଆସିଥିବା ଚିଠି ସମସ୍ତଙ୍କୁ ପଢ଼ି ଶୁଣାଇବା ପାଇଁ ରମେଶଙ୍କୁ ନିର୍ଦେଶ ଦେଲେ୤ ଚିଠିରୁ ସମସ୍ତ ତତ୍ବ ଶୁଣିବା ପରେ ବଡ଼ବାବୁ କହିଲେ, ଆମେରିକାରେ, ଜର୍ମାନୀରେ ଏବଂ ବିଶ୍ବର ଅନେକ ଦେଶରେ ଲକ୍ ଡାଉନ୍ ବୋଲି ଏକ ବ୍ୟବସ୍ଥା ଲାଗୁ କରାଯାଇଛି୤ ଅର୍ଥାତ ଲୋକମାନେ ଘରେ ହିଁ ରହିବେ୤ ବାହାରକୁ ବାହାରିଲେ ସିନା ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିବେ ଓ ରୋଗାକ୍ରାନ୍ତ ହେବେ୤ ତେଣୁ ଆମ ଦେଶରେ ବି ଏହିଭଳି ବ୍ୟବସ୍ଥା ଖୁବ୍ ଶୀଘ୍ର ହୋଇପାରେ ବୋଲି ଚିଫ୍ ସେକ୍ରେଟାରୀ ମତ ଦେଉଛନ୍ତି୤ କିନ୍ତୁ ଅସୁବିଧା କଥା ହେଉଛି, ଆମ ଅଫିସ ବନ୍ଦ ହେବ ନାହିଁ୤ ଆପଣମାନେ ସମସ୍ତେ ଜାଣିଛନ୍ତି ଆମ ଅଫିସରେ କାମ ହେଲେ ହିଁ ସରକାରୀ କର୍ମଚାରୀମାନଙ୍କ ଦରମା ମିଳେ୤ ପେନ୍ସନ୍ ପାଉଥିବା ଲୋକଙ୍କ ସହାୟତା ହୁଏ୤ ତେଣୁ ଯେତେଦୁର ସମ୍ଭବ ଆମ ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ ମିଳିବ୤ ଆମେ ସେଇ ସମୟରେ କେମିତି କାମ କରିବା ତାହା ଆମକୁ ହିଁ ଚିନ୍ତା କରିବାକୁ ପଡ଼ିବ୤
ସୁବାସ ବାବୁ କହିଲେ, ସାର୍ ଯଦି ସବୁ ବନ୍ଦ ହେଇଯିବ୤ ଆମ ଗାଡ଼ିରେ ପେଟ୍ରୋଲ୍ କୋଉଠୁ ଆସିବ? ଆମେ ଘରୁ କେମିତି ଅଫିସ ଆସିବୁ? ଅନ୍ୟମାନେ ମଧ୍ୟ ସମାନ ପ୍ରଶ୍ନ କରିଲେ୤ ବଡ଼ବାବୁ କହିଲେ, "ବର୍ତ୍ତମାନ ପରିସ୍ଥିତିରେ କିଛି ବି କହିବା ମୋ ପକ୍ଷରେ ସମ୍ଭବ ନୁହେଁ୤ ଯେତେବେଳ ଯାଏଁ ଆମକୁ କୌଣସି ସ୍ପଷ୍ଟ ଦିଗଦର୍ଶନ ଦିଆଯାଇ ନାହିଁ, ଆମେ ସମସ୍ତେ ଯେମିତି ଏବେ କାମ ଚାଲିଛି ସେମିତି ହିଁ କାମ କରିବା୤"
ରମେଶ କହିଲା, "ସକାଳେ ଆପଣଙ୍କ ସହ କଥା ହେବାପରେ ମୁଁ ଟିକେ ଏହି ବିଷୟକୁ ନେଇ ଗବେଷଣା କରିଛି୤ ଯଦି ସୁଯୋଗ ଦେବେ ମୁଁ କିଛି କହିବି୤" ବଡ଼ବାବୁ ଖୁସି ହୋଇ କହିଲେ, "ଆମେ ସମସ୍ତେ ସୂଚନା ସଂଗ୍ରହ କରିବାକୁ ପଡ଼ିବ୤ ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ୤ ଚାଲନ୍ତୁ ଶୁଣିବା ରମେଶବାବୁ କଣ ତଥ୍ୟ ସଂଗ୍ରହ କରିଛନ୍ତି୤"
ଏହି ରୋଗ ଥଣ୍ଡା ରୋଗଭଳି ହିଁ ହୋଇଥାଏ୤ କୁହାଯାଉଛି ଏହା କାଳେ ପଚାଶ ବର୍ଷ ତଳେ ବି ଥିଲା୤ ହେଲେ ଏବେ କାଳେ ଏହା ଅଧିକ ମାରାତ୍ମକ ହୋଇ ଯାଇଛି୤ ଯେମିତି ଶୀତ ଦିନ ଓ ବର୍ଷା ଦିନ ଆସିଲେ ଥଣ୍ଡା କାଶ ଜ୍ବର ହୁଏ, ଇୟେ ମଧ୍ୟ ଠିକ୍ ସେମିତି ହିଁ ହୁଏ୤ ଏଥିରେ କାଳେ ରୋଗୀ ଦୁର୍ବଳ ଥିଲେ, ବଞ୍ଚିବା ଅସମ୍ଭବ ହୋଇଯାଏ୤ ଶ୍ବାସ ନଳୀ ସଂକ୍ରମଣ ହେବା ଯୋଗୁଁ ଶ୍ବାସ ନେଇ ହୁଏ ନାହିଁ୤ ଗୁରୁତର ରୋଗୀଙ୍କୁ ଅନ୍ୟମାନଙ୍କ ଠାରୁ ଦୂରରେ ରଖାଯାଏ୤ ଯେମିତି ରଥଯାତ୍ରା ପୂର୍ବରୁ ଶ୍ରୀଜୀଉ ମାନଙ୍କୁ ଅଣ୍ସର ଘରେ ରଖାଯାଏ, ଠିକ୍ ସେମିତି ଏଠାରେ କ୍ବାରାଣ୍ଟାଇନ୍ ବ୍ୟବସ୍ଥା ଆପଣାଇବାକୁ ହୁଏ୤ ବିଶେଷ ପୋଷାକ ପିନ୍ଧି ଚିକିତ୍ସକମାନେ ରୋଗୀ ନିକଟକୁ ଯାଇ ପାରନ୍ତି୤ ସମସ୍ତେ ମୁହଁରେ ମାସ୍କ୍ ପିନ୍ଧିବା ଦ୍ବାରା ଏହି ସଂକ୍ରମଣ ଆଡ଼େଇ ହେବ ବୋଲି କୁହାଯାଉଛି୤ ବର୍ତ୍ତାମାନ ସୁଦ୍ଧା ଏହାର କୌଣସି ସଠିକ୍ ଚିକିତ୍ସା ବ୍ୟବସ୍ଥା ନଥିବା ହେତୁ କେବଳ ସରକାରୀ ଡାକ୍ତରଖାନାରେ ହିଁ ଏମାନଙ୍କ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ରହିଛି୤"
ରମେଶ ବାବୁଙ୍କ କଥା ଶୁଣୁଥିବା ବେଳେ ଅଫିସର ଜଣେ ଅଧସ୍ତନ କର୍ମଚାରୀ କହିଲେ, "ସାର୍ ମୁଁ ନ୍ୟୁଜରେ ଦେଖୁଥିଲି, ବିଦେଶରେ ଲୋକମାନେ ଏମିତି ଚାଲି ଚାଲି ଯାଉ ଯାଉ ବାଟରେ ପଡ଼ି ଛଟପଟ ହୋଇ ମରି ଯାଉଛନ୍ତି୤ ହସ୍ପିଟାଲ୍ ମାନଙ୍କରେ ଖାଲି ଆଂବୁଲାନ୍ସ୍ ଲାଇନ୍ ଲାଗିଛି୤ ଦେଖିଲେ ଦେହ ଶୀତେଇ ଯାଉଛି୤"
ବଡ଼ବାବୁ କହିଲେ, "ଠିକ୍ ଅଛି ତାହେଲେ ଆମେ କିଛି ନିଷ୍ପତ୍ତି ନେବା୤ ଆମ ସୁରକ୍ଷା କରିବା ଆମ ହାତରେ ରହିବ୤ ଯଦି ଆପଣଙ୍କ ଭିତରୁ କାହାକୁ ବି ଥଣ୍ଡା ଜ୍ବର କିମ୍ବା କାଶ ଇତ୍ୟାଦି ହୁଏ ତା ହେଲେ ଆପଣ ଅଫିସ ଆସିବେ ନାହିଁ୤ ଏବଂ ଘରେ ବି ରହିବେ ନାହିଁ୤ ସିଧା ହସ୍ପିଟାଲ୍ ଯିବେ୤ ଆମ ଅଫିସ ଭିତରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଘନ ନିଜେ ଦେଖିବା ପରେ ହିଁ ଭିତରକୁ ଛାଡ଼ିବ୤ ଅବଶ୍ୟ ଆମେ ଚାହିଁଲେ ଝରକା ଦେଇ ମଧ୍ୟ ସେବା ପ୍ରଦାନ କରି ପାରିବା୤ କୌଣସି ପ୍ରକାର ରୋଗୀଙ୍କୁ ଅଫିସର ପରିଧି ମଧ୍ୟକୁ ପ୍ରବେଶ ବାରଣ କରିବା୤ ସମସ୍ତେ ମାସ୍କ୍ ପିନ୍ଧିବେ୤ ଅଫିସକୁ ଭଲଭାବରେ ସାନିଟାଇଜ୍ କରିବାପାଇଁ ବ୍ୟବସ୍ଥା କରିବା୤ ସମସ୍ତଙ୍କ ଟେବୁଲ୍ ଉପରେ ସାନିଟାଇଜର୍ ବୋତଲ ରଖାଯିବ୤ ଦିନବେଳେ କେହି ବି ଅଫିସ ଛାଡ଼ି ବାହାରକୁ ଯିବେ ନାହିଁ୤ ଚା, ପାନ ଏଇ ସବୁ ବନ୍ଦ୤ ଲଞ୍ଚ୍ ପାଇଁ ଘରୁ ଖାଇବା ନେଇ ଆସିବେ୤ ଅଳ୍ପ ଦିନର କଥା୤ ଏ ସମସ୍ୟା ମଧ୍ୟ ଉଭେଇ ଯିବ ବୋଲି କୁହାଯାଉଛି୤"
ପରଦିନଠାରୁ ଅଫିସରେ ନୂଆ ନିୟମ ଲାଗୁ ହୋଇଗଲା୤ ଅଫିସ ବାହାରେ ସମସ୍ତ ନିୟମାବଳୀ ଛାପି ଦିଆଗଲା୤ କିଛି ଲୋକ ଏହାକୁ ଦେଖି ବିରକ୍ତ ବି ହେଲେ୤ ଅଫିସ ଭିତରକୁ ନ ଆସି ଝରକା ପାଖରେ ଛିଡ଼ା ହୋଇ କାମ କରିବାକୁ କିଛି ଲୋକ ପସନ୍ଦ କରିଲେ ନାହିଁ୤ କିନ୍ତୁ ବଡ଼ବାବୁଙ୍କ ଶକ୍ତ ନିର୍ଦ୍ଦେଶକୁ ଅମାନ୍ୟ କରିବାକୁ କାହାର ବି ବଳ ନଥିଲା୤
ପର ସପ୍ତାହ ବେଳକୁ ସମଗ୍ର ଦେଶକୁ ଲକ୍ ଡାଉନ୍ କରି ଦିଆଗଲା୤ ଅଫିସ କର୍ମଚାରୀମାନେ ଘରେ ରହିବାକୁ ବାଧ୍ୟ ହେଲେ୤ ଅବଶ୍ୟ କିଛିଦିନ ପରେ ପୁଣିଥରେ ଅଫିସ ଖୋଲାଗଲା୤ ଅଫିସର କର୍ମଚାରୀମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା ହୋଇଥିଲା୤ ସେମାନେ ସୁରକ୍ଷା ବଳୟ ଭିତରେ ଅଫିସ ଆସୁଥିଲେ ଏବଂ ଯାଉଥିଲେ୤ ସୌଭାଗ୍ୟର ବିଷୟ ପାଖାପାଖି ପାଞ୍ଚମାସ କାଳ ଲକ୍ ଡାଉନ୍ ହୋଇଥିବା ସତ୍ତ୍ବେ କେହି ଜଣେ ବି ଅସୁସ୍ଥ ହୋଇନଥିଲେ୤
ଏହିଭଳି ସମସ୍ୟା ଲାଗ୍ ଲାଗ୍ ଦୁଇବର୍ଷ ପର୍ଯ୍ୟନ୍ତ ହେଲା, କିନ୍ତୁ ସଠିକ୍ ନିଷ୍ପତ୍ତି ଦ୍ବାରା ସମସ୍ତେ ପରିଚାଳିତ ହୋଇଥିବା ହେତୁ କିଛି ବି ସମସ୍ୟା ହେଲାନାହିଁ୤




କ୍ରମଶଃ


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା