ଧନ୍ୟ ତୁ ଶବର ରାଜା
ଉତ୍କଳରାଜ ପ୍ରଧାନ
ଉତ୍କଳରାଜ ପ୍ରଧାନ
କେଡ଼େ ଭାଗ୍ୟ ତୋର ବିଶ୍ବାବସୁ ରାଜା
କରିଲୁ ତୁ କେତେ ପୁଣ୍ୟ,
ଶବର ପଲ୍ଲୀରେ ଜନମ ନେଇକି
ହୋଇଗଲୁ ତୁହି ଧନ୍ୟ ।।
କେଉଁ ଜନମରେ କି ପୁଣ୍ୟ କରି ତୁ
ପୂଜିଲୁ ନୀଳମାଧବ,
ବଣ ଜଙ୍ଗଲର ଫଳମୂଳ ଖାଇ
ସନ୍ତୋଷ ହେଲେ ମାଧବ ।।
ନୀଳମାଧବ ତୋ ସେବାରେ ପ୍ରସନ୍ନ
ହୋଇ ଦେଲେ ସୁଖଶାନ୍ତି,
ଧନ୍ୟ ତୁ ଶବର ଧନ୍ୟ ତୋ ମହିମା
ଧନ୍ୟ ଧନ୍ୟ ତୋର କାନ୍ତି ।।
ନିରୀହ ଶବର ପଲ୍ଲୀରେ ତୋ ଘର
ନିତି ସେବୁ ଶ୍ରୀ ମାଧବ,
ଛଳ କରି ବିଦ୍ୟାପତି ତୋ ପାଖରୁ
ନେଇଗଲେ ଶ୍ରୀ ମାଧବ ।।
ସୁଦୂର ଦେଶରୁ ହରିଙ୍କ ସନ୍ଧାନେ
ଆସିଗଲେ ବିଦ୍ୟାପତି,
ବିଶ୍ବାବସୁ ରାଜା ପୁରରେ ରହିଲେ
ଲଳିତାଙ୍କୁ ମନ ଦେଇ ।।
ବିଶ୍ବାବସୁ ସଙ୍ଗେ ହରିଙ୍କ ଦର୍ଶନେ
ବାହାରିଲେ ବିଦ୍ୟାପତି,
ଆଖିରେ କପଡ଼ା ବାନ୍ଧି ବିଦ୍ୟାପତି
ଚାଲିଲେ ଯେ ନୀଳଗିରି ।।
ପ୍ରତାରଣା କରି ମନ୍ତ୍ରୀ ବିଦ୍ୟାପତି
ବାଟେ ବୁଣିଲେ ସୋରିଷ,
ସେହି ସୋରିଷର ଗଛ ଦେଖି ଦେଖି
ରାଜାଙ୍କୁ କଲେ ସନ୍ତୋଷ ।।
କୂଟନୀତି କରି ବିଦ୍ୟାପତି ସଙ୍ଗେ
ବାହାରିଲେ ଶ୍ରୀକ୍ଷେତ୍ରକୁ,
ଶ୍ରୀ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ
ମିଳିଲେ ଦାରୁ ମୂର୍ତ୍ତିକୁ ।।
ବିଶ୍ବାବସୁ ରାଜା ନୀଳମାଧବଙ୍କୁ
ନଦେଖି କେତେ କାନ୍ଦିଲେ,
ଶୂନ୍ୟବାଣୀ କରି ଶ୍ରୀ ନୀଳମାଧବ
ଶବର ଦୁଃଖ ବୁଝିଲେ ।।
ବିଶ୍ବାବସୁ ରାଜା ସେହଦିନଠାରୁ
ହୋଇଲା ଦଇତାପତି,
ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ
ପ୍ରମୁଖ ସେବକ ହୋଇ ।।
ଧନ୍ୟ ତୁହି ଆରେ ଦଇତା ସେବକ
ଧନ୍ୟ ତୋର ସେବାପୂଜା,
ଶ୍ରୀ ଜଗନ୍ନାଥଙ୍କ ପରମ ସେବକ
ଉଡୁଛି ସେବକ ଧ୍ବଜା ।।
ତାଳଚେର , ଅନୁଗୁଳ
ଫୋନ ନଂ:- ୯୬୯୨୧୪୬୪୩୫
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା