ଜୀବନ ଯେମିତି
ଶିବନାରାୟଣ ଦାସ
ଶିବନାରାୟଣ ଦାସ
(୧)
ଜୀବନର ସ୍ରୋତ ଯାଏ ଯେମିତି ବି ଧାଇଁ,
ଦିଅ ତାକୁ ଯିବାକୁ ଆଗେଇ
ନିର୍ବିବାଦେ ବହିଯିବା ପାଇଁ I
ପଉଷର ଧାନଶିରୀ କ୍ଷେତ ପାଖ
କୁହୁଡ଼ି ପହଁରି
ଅଙ୍କା ବଙ୍କା ନଦୀଟିଏ ହୋଇ,
ଅବା ପୁଣି ନିର୍ଝରିଣୀ ପାହାଡ଼ି କିଶୋରୀ
ସବୁଜ ବନାନୀ ଘେରା
ଶିଳା ଖଣ୍ଡ ଡେଇଁ I
ପଚାରନା ତୁମେ କିଛି ଆଉ
ପ୍ରଶ୍ନବାଚୀ ମୋଟେ ତୋଳ ନାହିଁ I
ପଡ଼ି ଉଠି
ଆକାଶ ଛୁଇଁବା ଯଦି
ନିରୁପିତ ଏକମାତ୍ର ଲକ୍ଷ,
ଜୀବନର ସ୍ୱତଃସିଦ୍ଧ ଅଭିଜ୍ଞତା ତେବେ
ଆଙ୍କିଯାଉ ପ୍ରକାଶର ଅୟୁତ ଆଲେଖ୍ୟ I
(୨)
ଚଣ୍ଡାଶୋକ ପାଇଁ ତୁମେ କରନାହିଁ ଶୋକ,
ବୁଦ୍ଧ ଆଉ ଯୀଶୁଙ୍କର ବାଣୀ
ତୁମ କଂଠୁ ନ ସ୍ଫୁରିଲା ନାହିଁ -
ସେଥିପାଇଁ ଦୁଃଖ କରନାହିଁ I
କୁସୁମିତ ହେଲା ନାହିଁ ଯଦି
ତୁମ ଚଲାପଥ କେବେ ଦିନେ,
କଣ୍ଟକିତ ଅଙ୍କା ବଙ୍କା ପଥେ
ଚାଲିବାକୁ ଭୟ କରନାହିଁ I
ଯେମିତି ବି ହେଉ ଏ ଜୀବନ
ବହିଯାଉ ଆପଣ ଛନ୍ଦରେ,
ଜୀବନକୁ ଭଲପାଇ ଶିଖ
ଭଲ ମନ୍ଦ ସବୁରି ଭିତରେ I
ହେଉ ପଛେ ଯେତେ ଦୁର୍ବିସହ
ମନଲାଖି ନହେଲେ ବି ମୋଟେ,
ସୁନିଶ୍ଚିତ ଜୀବନର ଗତି
ବିକଶୁଛି ଜ୍ଞାନମୟ ଉଷାର ଆଲୋକେ
ଅଜ୍ଞାନର ଅନ୍ଧକାର କାଟି I
ସେଥିପାଇଁ ସନ୍ଦେହ ବା
ଶଂକା କାହିଁକି !
ଭୁଲିଯାଅ ନାହିଁ,
କାଳର ଗରଭେ
ଇତିହାସ ରହିଛି ଯେ ସାକ୍ଷୀ I
ରତ୍ନାକର ଦସ୍ୟୁ କଳେବରୁ
ଜନ୍ମିଥିଲେ କେବେ ଦିନେ -
ଆଦି-କବି ପ୍ରଜ୍ଞାର ବାଲ୍ମୀକି I
(୩)
ନ ଆସିଲା ନାହିଁ
ପୁର୍ଣିମାର ଜହ୍ନରାତି ଜୀବନରେ କେବେ,
ଜ୍ୟୋତ୍ସ୍ନାର ପ୍ଳାବନ ଯଦି
ଗଲାନାହିଁ ଛୁଇଁ,
ଅମାବାସ୍ୟା ଘନ ଅନ୍ଧକାରେ
ବସନାହିଁ ମନ-ମରା ହୋଇ I
ତିଳେହେଲେ ଭାଙ୍ଗି ପଡନାହିଁ
ନିରାଶାର ଦିଶାହୀନ ଅନ୍ଧ ବିବରରେ I
ନିଶଙ୍କ ଆଗେଇଚାଲ ଜୀବନର ସାଥେ,
ସୁନିଶ୍ଚିତ ତୁମ ପଥ
ରୋଧିବ ବା କିଏ ?
ହୋଇଅଛ ଉର୍ଜ୍ଜସ୍ବଳ,
ମହୀୟାନ ତୁମେ ଆଜି ଏତେ I
ଆଶାର ଆଞ୍ଜୁଳା ଭରି
ସାଉଁଟିଲ ଯେତେ
ମଣି-ମୁକ୍ତା ଘନ ଅନ୍ଧକାରେ,
ଅମୁଲ୍ୟ ସମ୍ପଦ ସେ ଯେ
ଖୋଜିଲେବି ନ ମିଳନ୍ତା
ଜୋଛନାର ଜହ୍ନ ଆଲୁଅରେ I
(୪)
ହେଉ ପଛେ ଜୀବନର ସ୍ୱର
ଛନ୍ଦହୀନ ବିଳପିତ ଧ୍ୱନି,
ପଲ୍ଲବିତ ଶ୍ୟାମ ସବୁଜିମା
ନ ହୋଇ ବି ଯଦି
ହେଲା ଖାଲି ଉଷ୍ଣ ଆଉ ଶୁଷ୍କ ମରୁଭୂମି :
ପଛଘୁଞ୍ଚା ଦିଅନାହିଁ କେବେ
ପରାଜୟ ସୁନିଶ୍ଚିତ ଜାଣି,
ପଦ-ପାତେ ବାଜିଉଠୁ ତୁମ
ବିଜୟର ଶୁଭ ଶଙ୍ଖଧ୍ୱନି I
ତୁମେ ଯେ ପାଇନ ଖୋଜି
ଏତେ ଦିନୁଁ ନିଜ ପରିଚୟ,
ସୁଖ, ଦୁଃଖ ସବୁରି ଭିତରେ
ତୁମକୁ ଦେଖାଏ ପଥ
ଜୀବନର ଜୟ-ପରାଜୟ I
ରାତି ହେଉ ଯେତେବି ଗଭୀର
ଅସୁମାରୀ ଘନ ଅନ୍ଧକାର,
ଅବିଚଳ ତୁମେ ଧୈର୍ଯ୍ୟ ଧର I
ସୂର୍ଯ୍ୟୋଦୟ ଅବଶ୍ୟ ଆସନ୍ନ
ଆଶା ଆଉ ବିଶ୍ୱାସରେ ଭରା
ଦୀପ୍ତ ଏକ ନୂତନ ଉଷାର I
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା