ପାଞ୍ଚଟି ମିନି ଗଳ୍ପ

ସୁଧାଂଶୁ ଶେଖର ଦ୍ବିବେଦୀ



ସୁଧାଂଶୁ ଶେଖର ଦ୍ବିବେଦୀ

।। ନିୟନ୍ତ୍ରିତ ।।
ସେ ଘରୁ ବାହାରିଯିବା କିଛିକ୍ଷଣ ଅନ୍ତରାଳେ ରାସ୍ତାରେ ଜଣେ ଅପରିଚିତଙ୍କ ସହ ଭେଟ ହେଲା୤ ତାଙ୍କୁ ଜଣାଯାଉଥାଏ ଅପରିଚିତ ବ୍ୟକ୍ତି ଜଣକ କାନ୍ଦୁଛନ୍ତି୤ ବୋଧେ ଅହରହ ଦୁଃଖ ସହି ସହି ତାଙ୍କ ମୁଖର ଆକୃତି ଏମିତି ହୋଇଯାଇଛି୤
ଦୁହେଁ ସମାନ୍ତରାଳ ଅବସ୍ଥାରେ ନିଜ ନିଜ ରାସ୍ତାରେ ଚାଲିଥାନ୍ତି୤ ତେଣୁ ତାଙ୍କୁ ଅପରିଚିତ ବ୍ୟକ୍ତିଙ୍କ ଚେହେରା ଦେଖିବାକୁ ସମ୍ଭବ ହେଉଥାଏ୤ କିଛି ସମୟ ପରେ ସେ ଚମକି ଉଠିଲେ୤ ଅପରିଚିତ ବ୍ୟକ୍ତି ନିଜ ମୁଖମଣ୍ଡଳକୁ ନିୟନ୍ତ୍ରିତ କରି ରଖିଛନ୍ତି୤ ରାସ୍ତାରେ ଯାଉଥିବା ଲୋକମାନେ ଏକଲୟରେ ତାଙ୍କ ଚେହେରାକୁ ଦେଖୁଥାଆନ୍ତି୤ ସେତେବେଳେ ତାଙ୍କ ପାଇଁ ଗୋଟେ ଆଇନା ନିହାତି ଆବଶ୍ୟକ ହେଉଥାଏ୤
।। ଅନୁରାଗ ।।
ଆକାଶରେ ବିଜୁଳିର ଚଟାକ୍ ଚଟାକ୍ ଶବ୍ଦରେ ମନୁ ମିଆଁର ଆଖି ଖୋଲିଗଲା୤ ଆଖି ମଳି ଦେଖିଲା ତା' ବେଗମ୍ ବିଛଣାରେ ନାହିଁ୤ ପୁଣି ମନେ ମନେ ଭାଳିହେଲା-ଏଇଠି କୋଉଠି ଥିବ, ଆସିଯିବ୤ କିଛି ସମୟ ପ୍ରତୀକ୍ଷା କଲା୤ ବେକ ସଳଖି ଏପଟ ସେପଟ ଦେଖିଲା୤ ମନକୁ ତା'ର ପାପ ଛୁଇଁଲା୤ ବିଛଣାରୁ ଉଠି ଦାଣ୍ଡ, ବାରଣ୍ଡା, ରୋଷେଇ ଘର ଆଦି ଖୋଜିଲା୤ କିଛି ବି ସୁରାକ୍ ପାଇଲା ନାହିଁ୤ ବଡ଼ପୁଅର କବାଟ ଖଟ୍ ଖଟ୍ କଲା୤ ପୁଅ ବୋହୂ କବାଟ ଖୋଲିଲେ୤
ଏତେ ରାତିରେ ତୋ ଅମ୍ମି କୁଆଡେ ପଳାଇଯାଇଛି୤ ମନୁ ମିଆଁ କାନ୍ଦୁଣୁ ମାନ୍ଦୁଣୁ ହେଉଥାଏ୤
ଓ-ହୋ ଅବୁ! ପୁଅ ସନ୍ତାପିତ ଅବସ୍ଥାରେ ନିଜ ମୁଣ୍ଡକୁ ଚାପିଧରି କହିଲା -ଅମ୍ମି ଆଲ୍ଲାଙ୍କ ନିକଟକୁ ଚାଲିଯାଇଛି୤ ଆଉ ସେ ଫେରିବ ନାହିଁ୤
ଚିନ୍ତିତ ହୋଇ ବୋହୂ କୋମଳ କଣ୍ଠରେ କହିଲା, “ଅବୁ! ଏଇ ଗୋଟେ ମାସରେ ତୁମେ ତିନି ତିନି ଥର ଅମ୍ମିକୁ ଖୋଜିଲଣି୤ ଯିଏ ଥରେ ଆକାଶରେ ମିଶିଯାଇଛି ସେ କଣ କେବେ ଫେରିଆସିବ?
ପୁଅ ମନୁ ମିଆଁର ହାତ ଧରି ବିଛଣା ନିକଟକୁ ନେଇ ଶୋଇଦେଲା୤
ମନୁ ମିଆଁ ଆଖି ଡୋଳାକୁ ଘୁରେଇ କଣ ଭାବୁଥାଏ କେଜାଣି୤ ବାହାରେ ବର୍ଷା ଝର୍ ଝର୍ ହୋଇ ଝରୁଥାଏ୤ ହଠାତ୍ ସେ କଡ ଲେଉଟାଇ ବେଗମ୍ ର ବିଛଣାକୁ ବହୁ ସମୟ ଯାଏ ଚାହିଁରହିଲା୤
।। ଭିଡ ।।
ସୂର୍ଯ୍ୟ ଅସ୍ତ ଯିବାକୁ ତରତର ହେଉଥାନ୍ତି୤ ଭିଡ଼ର ପ୍ରତିନିଧତ୍ୱ ଚାରି ପାଞ୍ଚ ଜଣ ବଦମାସ୍ କରୁଥାନ୍ତି୤ ସମସ୍ତେ ରାଗରେ ୫ମ ସ୍କେଲ ଯାଏ ପହଞ୍ଚି ସାରିଥାନ୍ତି୤ ଘର ମାଲିକ ନିକଟରେ ଠେଙ୍ଗା କି ଅନ୍ୟ କିଛି ସୁରକ୍ଷା ଅସ୍ତ୍ର ନଥାଏ୤ ଏତେ ଜୋର ପାଟିତୁଣ୍ଡ ହେଉଥାଏ ଯେମିତି ସେମାନେ ଏଇକ୍ଷଣି କିଛି ବି କରିଦେବେ୤
ପାଟିତୁଣ୍ଡରୁ ଭିଡ଼ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ସାରିଥାଏ୤ ଭିଡକୁ ପ୍ରତିନିଧିତ୍ୱ କରୁଥିବା ଲୋକଙ୍କ ମଧ୍ୟରୁ ଜଣେ ଉତ୍ତେଜିତ ଅବସ୍ଥାରେ ଆଙ୍ଗୁଳି ଦେଖାଇ କହି ଉଠିଲା-ଏଇଟା ତା' ଘର ନୁହେଁ୤ ଯଦି ତା' ଘର ତାହେଲେ ପଟା ପାଉତି ଦେଖଉ୤
ଘରର ପୁରୁଣା କାଠ କବାଟ ଖୋଲିଗଲା୤ ହୋ ହୋ ହାଲ୍ଲା କରି ଭିଡ଼ ଘର ଭିତରକୁ ପଶିଗଲା୤ ଅଳ୍ପ ସମୟ ମଧ୍ୟରେ ସେମାନେ ଗୋଟେ ପରେ ଗୋଟେ ଘରର ଯାବତୀୟ ଜିନିଷକୁ ଭଙ୍ଗା-ଭଙ୍ଗି, ଫୋପଡା ଫୋପଡ଼ି କରିବା ଆରମ୍ଭ କରିଦେଲେ୤ ଘରଟି ଏକରକମ ସିନେମା ହଲରେ ଦର୍ଶକଙ୍କ ଭିଡ଼ ଭଳି କୋଳାହଳ ମୟ ହୋଇ ଉଠିଲା୤ ବିକଳ ଚିତ୍କାର ସହିତ ଆକୁଳ ଡାକରା ଅଦୂରକୁ ଶୁଭୁଥାଏ୤ ମା' ଖୀର ପିଉଥିବା ଅବୋଧ ଶିଶୁ ଖଟିଆ ଉପରେ ଶୋଇ ରାହା ଧରି କାନ୍ଦୁଥାଏ୤ ଭିଡର ପରିସମାପ୍ତି ପରେ ବୋଧହୁଏ ସେଇ ଅବୋଧ ଶିଶୁଟି ବଞ୍ଚି ଯାଇଥିଲା୤
।। ପ୍ରତିକ୍ରିୟା ।।
କେତେ ମିନିଟ୍ ବିତିଗଲାଣି ଅଥଚ ଭିକାରୀଟା ପାଣି ନଳକୁ ଆବୋରି ରଖିଛି୤ ଏଇଟା ମଣିଷ ନା ପଶୁ? ସେଇ ବେଳୁ ହାତ ମୁହଁ ଧୋଉଛି ଯେ ଧୋଉଛି୤ ଚଳୁରେ ପାଣି ଧରି ମୁଣ୍ଡରେ ଥାପୁଛି୤ ଆଞ୍ଜୁଳା ଭର୍ତ୍ତି ପାଣି ଆଣି ଗୋଡ଼ ଧୋଉଛି୤ ଏହା ଅନ୍ୟ କାହାପାଇଁ ଅଜବ ନୁହେଁ କି?
ଆପଣଙ୍କ ପାଇଁ ଅଜବ ହୋଇପାରେ ହେଲେ ତା'ପାଇଁ ନୁହେଁ୤
ପବ୍ଲିକ୍ ପ୍ଲେସ୍ ରେ ସେ ଏମିତି କାହିଁକି କରିବ? ଏବେ ଦେଖ! ଗାମୁଛା ଓଦା କରି ତଳେ ମେଲେଇ ଛିଡା ହୋଇଛି୤
ଆରେ ସେ ତ ଗୋଟେ କୋଣରେ ଛିଡା ହୋଇଛି୤ ଏଥିରେ ଆପଣଙ୍କର କଣ ଅସୁବିଧା ହେଉଛି?
ଯାହାବି ହେଉ ମୁଁ ଏସବୁ ପସନ୍ଦ କରେନା୤
ତା’ହେଲେ ଏବେ ଆପଣ କଣ କରିବେ କହୁଛନ୍ତି?
ଯଦି ତା' ପାଇଁ ସବୁକିଛି ସୁବିଧା ଅଛି ତାହେଲେ ମୁଁ କାହିଁକି ପଛକୁ ହଟିବି? ଏହା କହି ସେ କୁର୍ତ୍ତା ପକେଟ୍ ରୁ ରୁମାଲ ବାହାର କରି ପାଣି ନଳରେ ଧୋଇଲେ୤ ମୁହଁ ହାତ ୧୦ ମିନିଟ୍ ଯାଏ ଘଷି ମାଜି ହେଲେ୤ ଆଞ୍ଜୁଳା ଭର୍ତ୍ତି ପାଣି ଆଣି ଗୋଡ଼ ଧୋଇଲେ୤ କ୍ରିୟାର ପ୍ରତିକ୍ରିୟାରେ ମଗ୍ନ ମଣିଷ ଆଜି ସତରେ କେତେ ଯେ ଭାବକୁ ଅଭାବ ତାହା କଳ୍ପନା କରି ହେଉନାହିଁ୤
।। ଇଞ୍ଜେକସନ୍ ।।
ରାଧୁ ପୁଣି ସାପ୍ତାହିକ ହାଟରୁ ନିରାଶ ହୋଇ ଫେରିଲା୤ ସେ ଯେତେ ଆଶା କରିଥିଲା ତା'ଠାରୁ ବହୁତ କମ୍ ଦାମ୍ ରେ ପରିବା ବିକ୍ରି କରିଛି୤ ହାଟରୁ ଫେରି ଚୁପ୍ ଚାପ୍ ଖଟିଆ ଉପରେ ପଡ଼ିରହିଲା୤ ପତ୍ନୀ ଆସି ପଚାରିବାରୁ କହିଲା-ବଡ଼ କଷ୍ଟରେ ମାଟି ତାଡି ମଞ୍ଜି ପୋତି ସାର ଖତ ଦେଇ ଫସଲ କରୁଛି ଅଥଚ ପରିଶ୍ରମର କିଛି ବି ମୂଲ୍ୟ ମିଳୁନାହିଁ୤
ଗୋପୀର ତ ବହୁତ ଲାଭ ହେଉଛି୤ କାଲି ସେବତୀକୁ ହଳେ ପାଉଁଜି କିଣି ଦେଇଛି୤ ରାଧୁର ସ୍ତ୍ରୀ ଉତ୍ସାହିତ ମନରେ ବଖାଣିଲା୤
ଗୋପୀ ସହରରୁ କି ପ୍ରକାର ଗୋଟେ ଇଞ୍ଜେକସନ୍ ଆଣିଛି ଯେ ତାକୁ ଗଛରେ ଦେଲେ ପନି ପରିବାର ଓଜନ କିଲେ ଦୁଇ କିଲୋ ବଢି ଯାଉଛି୤ ସେଥିପାଇଁ ତା'ର ପ୍ରଚୁର ଲାଭ ହେଉଛି୤
ତୁମେ ବି ସେଇୟା କରୁନ! ଗୋପୀକୁ ପଚାରି ସହରରୁ ଇଂଜେକସନ୍ ନେଇଆସ୤ ଦେଖିବ ଆମର ବି ବହୁତ ଲାଭ ହେବ୤
ପାଖରେ ବସିଥିବା ୫ ବର୍ଷର ପୁଅ ରବି କହିଲା-ବାପା! ମା' ନା ସତ କହୁଛି୤ ସହରକୁ ଯାଇ ଦୁଇଟି ଇଞ୍ଜେକସନ୍ ନେଇଆସିବ୤ ଗୋଟେ ପରିବା ଗଛରେ ଆଉ ଗୋଟେ ମୋତେ ଲଗେଇଦେବ୤ ଦେଖିବ ମୁଁ ଖୁବ୍ ଶୀଘ୍ର ବଡ଼ ହେଇଯିବି୤ ତୁମକୁ କାମ କରିବାରେ ସାହାଯ୍ୟ କରିବି୤


ବିସି-୭୪,ସଲ୍ଟ ଲେକ୍,କୋଲକତା-୬୪
ମୋ-୯୬୮୧୩୭୩୫୧୨


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା