ଅନେକ କଳାଛାଇ - ୩୯
ଅଶୋକ ବିଶ୍ବାଳ
ଅଶୋକ ବିଶ୍ବାଳ
ଏ.ଟି.ଆର. ରାସ୍ତାରେ ଆଜିର ସାଧାରଣ ଜୀବନ-୧
୧-
ଆଗକୁ କଳା ରାସ୍ତା ଲମ୍ବି ଯାଇଛି ସେ ରାସ୍ତାରେ ଯାଇ କିଛି ଖୋଜିନେଲେ ଭଲ ହୁଅନ୍ତା ତେଣୁ ଅବିନାଶ ବାହାରି ଯାଇଥିଲା
ଦକ୍ଷିଣ ଆଣ୍ଡାମାନର ଜିରକାଟାଙ୍ଗର ଅତି ଛୋଟ ବଜାର ଭିତରେ ସଲିମା ବିବିଙ୍କ କଥା ଅବିନାଶ ପଚାରିଲା ଜିରକାଟାଙ୍ଗପରେ ରାସ୍ତା ଜଙ୍ଗଲହୋଇ ଜେଟି ପର୍ଯ୍ୟନ୍ତ ଚାଲିଯାଇଛି । ସେଠି ଆଉ ସାଧାରଣ ଲୋକ ରହୁନାହାନ୍ତି, ତାହା ଜାରୱା ଅଂଚଳ । ତାଙ୍କ ସ୍ୱାମୀ ଆବୁ ହମଜାଙ୍କ ଆଖିରେ ଶୂନ୍ୟତା ଲକ୍ଷ୍ୟ କଲାଭଳି ଥିଲା । ସେ ବେଶ ଗୋରା ଲୋକ । ଆଣ୍ଡାମାନର ଖରାରେ ତାଙ୍କ ଦେହ ଶିଝିନି । ଲଗୁଛି ବେଶ କିଛି ସମୟ ଘରେ କଟାଉଛନ୍ତି । ବାହାରେ ଏଠାକାର ଖରାରେ ଦେହ ବାଇଗଣ ଭଳି ସିଝି କଇଥା ହୋଇଯିବା କଥା । ବାଳକୁ କଳା କରିଛନ୍ତି କି ବା ଏବେବି ତାଙ୍କ ବାଳ ଗାଢ କଳା କିଛି ଜାଣି ହେଉ ନଥିଲା । ବାଳ ବୟସ ହିସାବରେ ସେମିତି କିଛି ଝଡିନି । ଦେହରେ ଇସ୍ତ୍ରୀ ହୋଇଥିବା ପରିଷ୍କାର ପୋଷାକ ଥିଲା ।
ଗାଡିରେ ବସିଛନ୍ତି ।- ଆବୁ ହମଜା ଜଙ୍ଗଲ ଆଡକୁ ଅନାଇ କହିଲେ । ଆଖି ଗାଡି ଆଡକୁ ଗଲାନି । ସମସ୍ତେ ବାହାରେ ବୁଲୁଥିଲାବେଳେ ସଲିମା ବିବି କ’ଣ ପାଇଁ ଗାଡି ଭିତରେ ବସିଛନ୍ତି? ବାହାରେ ସାମାନ୍ୟ ବର୍ଷା, ଜଣେ ଓଦା ହେବନାହିଁ, ଦେହରେ କିଛି ପାଣି ଛିଟିକା ମାତ୍ର ମାରିବ । ଗରମ ମଧ୍ୟ ନାହିଁ । ଟିକେ ବୁଲିବାକୁ ଭଲ ଲାଗିବ । ତଥାପି କ’ଣପାଇଁ ଜଣେ ମହିଳା ଗାଡିର କାଚକୁ ଓଠାଇ ଦେଇ ଚୁପଚାପ ଗାଡି ଭିତରେ ବସିଛନ୍ତି ? ଆବୁ ହମଜା ଗାଡିପାଖକୁ ଯାଇ ସଲିମା ବିବିଙ୍କୁ ଡାକିଲେ । ଜଣେ ବୟସ୍କା ଦେଖାଯାଉଥିବା ଲମ୍ବା ଚଉଡା ମହିଳା ଡୋର ଖୋଲି ବାହାରକୁ ଆସିଲେ । ସଲିମା ବିବିଙ୍କୁ ଅବିନାଶ ପ୍ରଥମେ ତ ଚିହ୍ନି ପାରିଲା ନାହିଁ । ଅନେକ ଦିନ ପରେ ଦେଖା । ଆଗରୁ ତାଙ୍କ ମୁହଁରେ ଔଜଲ୍ୟ ଥିଲା, କୁହାଯାଇପାରେ ମୁହଁ ଯେମିତି ଜଳୁଥିଲା ଭଳି ଦେଖାଯିବ ସେ ଦେହର ଉପରେ ଏକ ମୁହଁ ନ ଲୁଚୁଥିବା କପଡା ପିନ୍ଧିଥିଲେ । ମୁହଁରେ ଭାଙ୍ଗ ପଡିଗଲାଣି, ଚମ ଶିଥିଳ ହୋଇଗଲାଣି । ଆବୁ ହମଜାଙ୍କ ତୁଳନାରେ ତାଙ୍କ ବାଳ ସେମିତି କିଛି ଅଧିକ ଚକ୍ ଚକ୍ କରୁନି । କିଛି ବାଳ ତ ଧଳା ପଡି ଆସିଲାଣି ।
ଏଇପରା ଅବିନାଶ ।- ଆବୁ ହମଜା ଚିହ୍ନାଇ ଦେଉଥିଲେ । ସଲିମା ବିବି କିଛି ଜାଣି ପାରୁ ନଥିଲେ । ଏ ଭିତରେ ବୋଧହୁଏ ନାଁ ଭୁଲି ଯାଇଥିବେ । ସେ ଆଖି ମଳିଲେ । ନାକ ଉପରେ ଚଷମା ନାହିଁ, ଆଖିର ଚିହ୍ନିବା ଶକ୍ତି କମ ହେଇଛି କି ନାହିଁ ଜଣା ପଡୁନି । ସେ ଭଲଭାବେ ଅନାଇଲେ ।
ଆପଣ?- ଏତିକି ମାତ୍ର ଶବ୍ଦ ତାଙ୍କ ମୁହଁରୁ ବାହାରିଥିଲା
ଆବୁ ହମଜା କଥାଟା ଠଉରାଇ ନେଲେ । ସଲିମା ବିବି ଅବିନାଶକୁ ଜାଣି ପାରୁ ନାହାନ୍ତି । ସେ ଅବିନାଶର ପରିଚୟ ଆଉ ସେମାନଙ୍କ ସହ ଅବିନାଶର ବିତିଯାଇଥିବା ପୁରୁଣା କଥାଗୁଡିକୁ ମନ ପକାଇ ଦେଲେ । ଅନେକ ଅନେକ ଦିନ ତଳେ କିଛି ମାସ ସେମାନେ ଏକ ଜାଗାରେ ରହିଥିଲେ । ଆବୁ ହମଜା ଓ ସଲିମା ବିବି ଅତି ସ୍ନେହର ସହ ଅତିଥି ସକ୍ରାର କରନ୍ତି । ସେମାନଙ୍କ ବ୍ୟବହାରରେ ଆଭିଜାତ୍ୟ ଥାଏ । କେବେ ସାଧାରଣ ଲୋକପରି ବ୍ୟବହାର କରି ନାହାନ୍ତି ।
ଆପଣଙ୍କ ସ୍ୱରଟା ଚିହ୍ନିଲା ଚିହ୍ନିଲା ଭଳି ମନ ହେଉଥିଲା । ଆପଣଙ୍କ ସ୍ୱରଟା ଭୁଲିଯିବା ଭଳିଆ ସ୍ୱର ନୁହେଁ । ଯାହାହେଉ ସେ ମୋତେ ମନେ ପକାଇ ଦେଲେ ।- ସଲିମା ବିବି ଧିରେ କହିଲେ । ବାହାରେ ମେଘ ଅନେକ ତଳକୁ ଓହ୍ଲାଇ ଆସିଥିଲା । ଜିରକାଟାଙ୍ଗରେ ଗଛଗୁଡାକ ପୁଲିସ ଷ୍ଟେସନ ପଛରେ ବେଶ ଉଚ୍ଚ ହୋଇ ବଢିଥିଲା । ସେଠି ବଉଦମାନ କିଛି ଲାଗି ରହିଥିଲା । ପବନରେ ମେଘକଣାମାନ ଚକାଚକା ଭଉଁରି ଖେଳୁଥିଲା ଆଉ ମୁହଁରେ ବାଡେଇ ହୋଇ ଯାଉଥିଲା । ମୁହଁରେ ଥଣ୍ଡାପାଣି ବାଜିଲେ ଚେତା ଫେରିଆସିଲା ଭଳି କିଛି ପୁରୁଣା କଥା ମନେ ପଡିଯାଏ ।
ଆପଣଙ୍କ ସ୍ୱର ମୋର ଏ ପର୍ଯ୍ୟନ୍ତ କାନରେ ଗୁଞ୍ଜରୁ ଅଛି । କିନ୍ତୁ ନାଁଟା ଭୁଲିଯାଇଥିଲି । ଆପଣ ଆଉ ଯେ ଆସି ନାହାନ୍ତି ।- ସଲିମା ବିବି ଆଉଥରେ କହିଲେ ।
ଅବିନାଶ ଅନେକ କଥା ମନେ ପକାଇଲା । ସେହି ସୁନ୍ଦରୀ ଝିଅଟାର କଥା । ସଲିମା ବିବିଙ୍କର ଝିଅ ବହୁତ ସୁନ୍ଦରୀ । ସେମାନେ କିଛି ସମୟ ସାଙ୍ଗରେ କଟାଇଛନ୍ତି । ବଡ଼ ମିଷ୍ଟଭାଷୀ ଝିଅଟି ।
ସାୟେଦା କେମିତି ଅଛି?- ଅବିନାଶ ପଚାରିଲା । ସେ ନାଁଟା ତା’ର ମଧ୍ୟ ପୁରା ମନେ ନଥିଲା । ତାଙ୍କ ଝିଅ ନାଁ ସାୟେଦା ନା ଶବନମ ନା ପରଭିନ? ମନେ ପଡୁନଥିଲା କିଛି ଅସ୍ପଷ୍ଟଭାବେ ନାଁଟା ସାୟେଦା ବୋଲି ମନେ ପଡୁଥିଲା । ସେ ସମୟରେ ଆଉ କିଛି ଝିଅ ଥିଲେ । ସେମାନେ ମଧ୍ୟ ଆନୁପାତିକ ଭାବେ ସୁନ୍ଦରୀ ।
ଆପଣ ତା’ ପାଇଁ ଦୁଆ କରନ୍ତୁ, ତା’ ପାଇଁ ଦୁଆ କରନ୍ତୁ ।- ସଲିମା ବିବି ପ୍ରାୟ କାନ୍ଦି ପକାଇଲେ । ଅବିନାଶ କିଛି ବୁଝି ପାରୁ ନଥିଲା । ସାୟେଦା ଅତି ସୁନ୍ଦରୀ ଝିଅ, ବେଶ ସୁସ୍ଥ ସବଳ । ସଲିମା ବିବିଙ୍କର ଅଲିଅଳୀ କନ୍ୟା । ଏକ ଫୁଟନ୍ତା ଫୁଲପରି ସାୟେଦା ଲାଗେ । ବିଷୁବରେଖାର ପାଖରେ ଥାଇ ମଧ୍ୟ ଝିଅଟି ବହୁତ ଗୋରା ଥିଲା । ବେଶ ହସକୁରୀ ଝିଅଟା । କ’ଣପାଇଁ ସଲିମା ବିବି ତା’ ପାଇଁ ଦୁଆ କଥା କହୁଛନ୍ତି?
ଅବିନାଶର ଆଖି ଭାରି ହୋଇଗଲା । ବାହାରେ ସେମିତି ଓଜନିଆ ଜଳକଣାଗୁଡା ମୁହଁକୁ ଘୋଡାଇ ପକାଉଥିଲା । କ’ଣ ଘଟିଛି?
ଆପଣଙ୍କ ଝିଅ ତ ସୁନ୍ଦରୀ ଆଉ ବୁଦ୍ଧିମତୀ ଥିଲା ।– ଅବିନାଶ କହିବା ଟିକିଏ ଲଜ୍ଜାହୀନ କଥାଭଳି ଲାଗିପାରେ । ଏକ ମା’କୁ ତା’ ସୁନ୍ଦରୀ ଝିଅ ବିଷୟରେ କହିଲେ ମା’କଥାକୁ ଭିନ୍ନ ଅର୍ଥରେ ନେଇପାରେ । ଏକ ତରୁଣୀ ବିଷୟରେ କହିଲେ ବିଷୟଟା ସମ୍ବନ୍ଧର ଗହୀର ଭିତରକୁ ଟାଣିହୋଇଯାଏ । ଏଇଟା ସତଯେ ମା’ମାନେ ସାଧାରଣତଃ ସନ୍ଦେହୀ ହୋଇଥାଆନ୍ତି । କେହି ପୁରୁଷ ଝିଅ ସହ କଥାହେଲେ ପ୍ରାୟ ଭିନ୍ନ ଅର୍ଥରେ ନେଇଥାଆନ୍ତି । ଅବିନାଶ ମନରେ କିଛି ସେମିତି ଭାବନା ନଥିଲା । ସେ ସାଧାରଣ ଭାବେ ସାୟେଦାର ଗୁଣକୁ ପ୍ରଶଂସା କରୁଥିଲା ।
ଆଉ ତା’ର ସୌନ୍ଦର୍ଯ୍ୟ ରହିଲା କେଉଁଠି? ଆପଣ ତା’ ପାଇଁ ଦୁଆ କରନ୍ତୁ । ଆଉ ସମସ୍ତେ ତା’ ପାଇଁ ଦୁଆ କରନ୍ତୁ ।- ସଲିମା ବିବିଙ୍କର ସ୍ୱରରେ ସେହି ଲମ୍ବା ଉଦାସୀନତା ଆଉ ଏକ ଦୁଖର ଦାରୁଣ ପର୍ଦ୍ଦାଥିଲା । ସେ ସ୍ୱର ଭାଙ୍ଗି ପଡୁଥିବା ଘରର ବାଉଁଶର କରୁଣ ଶବ୍ଦ ଥିଲାପରି ଲାଗୁଥିଲା । ଅବିନାଶ କିଛି ବୁଝିପାରୁ ନଥିଲା ।
କଣ ଘଟିଛି?- ଅବିନାଶ ପଚାରିଲା ।
ସଲିମା ବିବିଙ୍କର ଆଖିରୁ ଥପ୍ ଥପ୍ ହୋଇ ଲୁହ ଗଡି ପଡିଲା । ଅବିନାଶ ଆବୁ ହମଜାଙ୍କ ଆଡକୁ ଅନାଇଲା । ସେ ଉଦାସୀନ ଭାବେ ଜଙ୍ଗଲ ଆଡକୁ ଅନାଇଥିଲେ । ବହୁତ ବଡ଼ କିଛି ଏ ଭିତରେ ଘଟିଛି । ଉଭୟେ ସ୍ୱାମୀ ସ୍ତ୍ରୀ ସେହି ଦୁଃଖର ଭାରାରେ କିଛି କହିପାରୁ ନାହାନ୍ତି । ଅବିନାଶ ଏକ ଶୁନ୍ୟ ଦୃଷ୍ଟିରେ ସଲିମା ବିବିଙ୍କ ଆଡକୁ ଅନଇଥିଲା । ଏହି ସେହି ମହିଳା । ଏକ ଓଜସ୍ୱୀ ବକ୍ତା । କିଛି ଦୁଃଖ ବା ସୁଖରେ ବିଚଳିତ ହେବା ଭଲି ସାମାନ୍ୟ ବ୍ୟକ୍ତିତ୍ୱ ସେ ନୁହନ୍ତି । କିନ୍ତୁ ନିଜ ତନୟାର ଦୁଃଖରେ ସେ ଏକ ସାଧାରଣ ମା ହୋଇଗଲେ । କିଛି ସମୟ ପରେ ସଲିମା ବିବି ନିଜକୁ ସମ୍ଭାଳିଲେ ।
ଆପଣ ତା’କୁ ଦେଖିଥିଲେ । ମୋ ଝିଅଭଳି କେହି ସୁନ୍ଦରୀ ସାରା ଦ୍ୱୀପରେ ନଥିଲେ କିନ୍ତୁ ତା’ର ଆଉ ସେ ସୌନ୍ଦର୍ଯ୍ୟ ନାହିଁ ।- ଏତିକି କହି ପୁଣି ସକେଇ ହେଲେ ।
ଏଇଟା ଅବିନାଶ ସତ ଭାବିଲା । ସେ ଜାଣିବାରେ ସାୟେଦା ଭଳି ସୁନ୍ଦରୀ ଝିଅ କେହି ନଥିଲେ । କିନ୍ତୁ ଏକ ପ୍ରଶଂସକର ଆଖି ସୁନ୍ଦରତାକୁ ପ୍ରଶଂସା କରିବା ଉଚିତ । ତେଣୁ ନିଜ ଅଜାଣତରେ ସେ ସାୟେଦାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲା । ତା’ର ଆଖିରେ ଏବେ ଅନେକ ପ୍ରଶ୍ନ ଥିଲା । ନାରୀର ସୌନ୍ଦର୍ଯ୍ୟ କ’ଣ ଚିରନ୍ତନ ରହିଥାନ୍ତା କି?
ବ୍ରେଷ୍ଟ କ୍ୟାନସର ।– ଏଇ ଦୁଇଟି ଶବ୍ଦ କହି ସଲିମା ବିବି ଚୁପ ହୋଇଗଲେ ।
ଏଇ ଆର ସପ୍ତାହରେ ମୁଁ ଫେରିଲି ଝିଅ ସହ । ଚେନ୍ନାଇରେ ଆପୋଲୋ ହସ୍ପିଟାଲରେ ଦୁଇମାସ ଧରି ଚିକିତ୍ସା ହେଉଥିଲା ।– ସେ ରହିଗଲେ । ତାଙ୍କର ଛାତି କୋହରେ ଫୁଲି ଉଠୁଥିଲା । ଏକ ମା’ର କଥା । ଝିଅର କଷ୍ଟରେ ମାକୁ ଅପରିସୀମ କଷ୍ଟ ହୁଏ । ଅବ୍ୟକ୍ତ ଯନ୍ତ୍ରଣାରେ ମା ସବୁବେଳେ ଛାଟିପିଟି ହେଉଥାଏ । ବହୁ କଥା କହି ହୁଏନା ଝିଅର ପ୍ରତି ସୁଖ ଆଉ ଦୁଃଖ ମା ଯେମିତି ନିଜ ଭିତରେ ଅନୁଭବ କରେ । ସେ କିଛି ସମୟ ବୁଲୁଥିବା ଓଜନିଆ ଜଳକଣାସବୁକୁ ଅନାଇ ରହିଲେ । ନିଜ ଛାତି ଭିତରେ ଉଠୁଥିବା କୋହକୁ ସମ୍ଭାଳିଲେ ।
କେମୋ ନେଇଛି । ଏବେ ଭଲ ହୋଗଲାଣି ।- ସଲିମା ବିବି କହିଲେ । ଏବେବି ତାଙ୍କ ଆଖି ଜୋଣରେ ଲୁହ ଜକେଇଥିଲା । କେମୋ ନେଲାପରେ ସୈାନ୍ଦର୍ଯ୍ୟ ବୋଲି କିଛି ରହିବନି । ଔଷଧର ପ୍ରଭାବରେ ବାଳ ଝଡି ପଡିଥିବ, ଆଖି କୋରଡଗତ ହୋଇ ଯାଇଥିବ । ଅସମୟରେ ତରୁଣୀ ବୁଢୀ ହୋଇଯାଇଥିବ । ମାକୁ ଝିଅର ଔଜଲ୍ୟହୀନ ରୂପ, ତା’ ପୁଣି ଏକ ଅସାମାନ୍ୟା ସୁନ୍ଦରୀ ଝିଅର, ଏକ ଶିରୀହୀନ ରୂପ କଷ୍ଟ ଦେଇଚାଲିଥିବ ।
ଅପରେସନରେ ତା’ର ବ୍ରେଷ୍ଟକୁ ବାହାର କରିଦିଆଗଲା ।- ସଲିମା ବିବି କେତୋଟି ଶବ୍ଦ କହି ପୁଣି ସକେଇ ହେଲେ । ହେବାର କଥା । ଅବିନାଶ ସଲିମା ବିବିଙ୍କ ଆଡକୁ ଅନଇଥିଲା । ଲମ୍ବା ଚଉଡା ଚେହେରା । ଆଜି ଦିନରେ ମଧ୍ୟ ତାଙ୍କର ସୈାନ୍ଦର୍ଯ୍ୟ ଅଛି । ମୁହଁର ଗଠଣ ଅତି ଭଲ । ପ୍ରାୟ ଖଣ୍ଡା ଭଳି ନାକ । ରଙ୍ଗ ହଳଦିଆ ଗୋରା । ତାଙ୍କର ଝିଅ ସାୟେଦା । ଟିକିଏ ଖୁଣିବାକୁ ନାହିଁ । ନାରୀର ସୈାନ୍ଦର୍ଯ୍ୟର ଏକ ମୁଖ୍ୟ ଉପାଦାନ ହେଉଛି କୁଚଦ୍ୱୟ । ଏକ ଅପରେସନ ପରେ ରୂପର ଏକ ମୁଖ୍ୟ ଅଂଶ ହରାଇ ବସିଛି ସାୟେଦା । ମା ଆଖି ଆଗରେ ସେ ଅପୂର୍ବ ସୁନ୍ଦରୀରୁ ଅସୁନ୍ଦରୀ, ବିକଳାଙ୍ଗ ହୋଇ ଯାଇଛି ଅବିନାଶ ମଧ୍ୟ ସଲିମା ବିବିଙ୍କ ଦୁଃଖରେ ଉଦାସ ହୋଇଗଲା । ସାୟେଦା ଭଲ ବ୍ୟାଡମିଣ୍ଟନ ଖେଳେ । ଝିଅଟିର ଭାରୀ ସ୍ତନ ପ୍ରାୟ ଦୋଳାୟମାନ ହେଉଥାଏ । ତା’ର ରୂପ ଶତଗୁଣିତ କରୁଥିଲା ତା’ର ପୂର୍ଣ ଶରୀର । ଆଃ, ମଣିଷର ରୂପ କେଇଦିନ । ଏକ ରୋଗରେ ସବୁ ହରିଯାଏ ।
ଏ ଭିତରେ ଉତ୍ତମ ଚାହା ନେଇଆସିଲା । ରାସ୍ତା ଧାରର ଚାହା ଦୋକାନରେ କିଛି ଲୋକ ଠିଆ ହୋଇ ଚାହା ପିଉଥିଲେ । ଉତ୍ତମର ବ୍ୟବହାର ଭଲ । ସେ ସମସ୍ତଙ୍କୁ ଲକ୍ଷ୍ୟ କରିଥାଏ । ସଲିମା ବିବିଙ୍କ ବାରମ୍ବାର ଆଖି ପୋଛିବା ଦେଖି କିଛି ବଡ଼ ଦୁଃଖଦ ଘଟିଛି ବୋଲି ଠଉରାଇ ନେଇଥିଲା । ଚାହା ପିଇ କଥାଟା ହାଲୁକା ହୋଇପାରିବ ବୋଲି ତା’ର ଧାରଣା । ମଝିରେ ସାମାନ୍ୟ ଆଉ କିଛି ଘଟିଲେ ପରିବେଶ ନରମ ହୋଇଯାଏ । ସଲିମା ବିବି ଧିରେ ଚାହା ପିଇଲେ । ଅବିନାଶ ମଧ୍ୟ ଚାହା ପିଉଥିଲା । ସଲିମା ବିବିଙ୍କର ଆଖିରେ ଲୁହ ଚିକ୍ ଚିକ୍ କରୁଥିଲା । ଠପ୍ ଠପ୍ ହୋଇ ଲୁହ ଗଡୁ ନଥିଲା । ସେ ମଝିରେ ମଝିରେ ଦୀର୍ଘଶ୍ୱାସ ନେଉଥିଲେ । ଅନ୍ୟପଟେ ଲୋକମାନେ ବ୍ୟସ୍ତ ଥିଲେ । ଆଉ କିଛି ସମୟପରେ କନଭୟ ଆରମ୍ଭ ହେବ । ପୁଲିସମାନେ ଗାଡି ସବୁକୁ ଧାଡିରେ ଠିଆ କରାଉଥିଲେ । ଲୋକମାନଙ୍କର ଏଣ୍ଟ୍ରି ହେଉଥିଲା । କିଏ ଏ ଜାଗାକୁ ଆସୁଛନ୍ତି ଆଉ ଯାଉଛନ୍ତି ସବୁ ଲେଖା ରହୁଥିଲା । ଜାରୱା ଅଞ୍ଚଳ ଅତି ସମ୍ବେଦନଶୀଳ ଅଞ୍ଚଳ । କିଏ ଯାତ୍ରୀ କେତେବେଳେ କିଛି ନିଜ କୌତୁହଳପାଇଁ ବିପଦପୂର୍ଣ କାର୍ଯ୍ୟ କରିପାରନ୍ତି । ଅଯଥାରେ ସମସ୍ତଙ୍କ ଅସୁବିଧା । କିଏ କ’ଣ ପରେ ଟିପ୍ପଣୀ ବାହାର କରିବ । ତା’ର ଉତ୍ତର ଦେବା ମଧ୍ୟ ଅସମ୍ଭବ ହୋଇ ପଡି଼ବ । ଆଡମିନିଷ୍ଟ୍ରେସନ ସବୁ ପ୍ରକାର ସତର୍କତା ଅବଲମ୍ବନ କରୁଛି ।
ଆଉ ତା’ର ପରିବାର?- ଅବିନାଶ ପଚାରିଲା । ପୁରୁଣା କଥା ଆଲୋଚନା କରିବାକୁ ଇଚ୍ଛା ହୁଏ । ସାୟେଦାର ବିବାହ ଆଉ ଘର ସଂସାର ବିଷୟରେ ଜାଣିବାକୁ ଇଚ୍ଛା ଥିଲା । ତା’ର ପରିବାର ପୂର୍ଣ ହୋଇଥିବ ବୋଲି ଅବିନାଶ ଭାବୁଥିଲା । ସଲିମା ବିବି ଅତି ବୁଦ୍ଧିମତୀ, ସର୍ବଗୁଣ ସଂମ୍ପନ୍ନା ନାରୀ ଆଉ ଆବୁ ହମଜା ଅତି ହିସାବୀ ଆଉ ସଂସାରରେ ଅତି ପାରଙ୍ଗମ ବ୍ୟକ୍ତି । ସେମାନଙ୍କର ଝିଅ ଯେ କିଛି ଅସୁବିଧାରେ ଥିବ ବୋଲି ଅବିନାଶ ଭାବୁ ନଥିଲା ।
ତା’ର ପରିବାର ବୋଲି କିଛି ରହିଲାନି ।- ସଲିମା ବିବିଙ୍କର ସ୍ୱର ଅତି କରୁଣ ହୋଇ ଉଠିଲା । ପ୍ରାୟ ଚିଁ ଚିଁ ହୋଇ ଶବ୍ଦ ସବୁ ବାହାରୁଥିଲା ।
ଅବିନାଶର ଆଖି କେମିତି ଭାରୀ ହୋଇଗଲା । ସୁନାମୀର ପର୍ବତ ଆକାରର ଢେଉରେ କ’ଣ ତା’ର ସ୍ୱାମୀ ଭାସିଗଲେ କି? ଆଣ୍ଡାମାନରେ ଅନେକ ଲୋକ ସୁନାମୀରେଭାସି ଯାଇଛନ୍ତି । ସେମାନଙ୍କର ଶବ ମଧ୍ୟ ମିଳିନି । ଘରେ ବସିଥିଲେ । ସୁନାମୀର ଢେଉରେ ଭାସିଗଲେ । ସେମିତି କ’ଣ ଘଟିଛି? ଅନେକ ଲୋକ ଆଣ୍ଡାମାନରେ ଅସମୟରେ ଚାଲିଯାଇଛନ୍ତି । ସଲିମା ବିବି କିଛି ସମୟ ପାଇଁ ଚୁପ ରହିଲେ । ତା’ପରେ କହିବାକୁ ଲାଗିଲେ ।
ଜ୍ୱାଇଁକୁ ଜ୍ୱର ହୋଇଥିଲା । ଲିଭର ଆଗରୁ ଖରାପ ଥିଲା । ବଞ୍ଚିଲେନି । ଅସମୟରେ ଚାଲିଗଲେ ।
ସାୟେଦାକୁ ବୟସ ବେଶି ହୋଇନଥିବ । ଆଉ ତା’ର ସ୍ୱାମୀ ମଧ୍ୟ ବୟସ୍କ ହୋଇ ନଥିବେ । ଏ ଭିତରେ ଚାଲିଯିବାଟା ସମସ୍ତଙ୍କୁ କଷ୍ଟ ଦେଇଥିବ । ସବୁଠାରୁ କଷ୍ଟ ବାପ ଆଉ ମାଙ୍କୁ । ସ୍ୱାମୀ ମରିଯାଇଛନ୍ତି ଆଉ ତା’ ଉପରେ ନିଜକୁ କ୍ୟାନସର । ଅଲିମା ବିବି ସବୁ ଗପିଲେ । ସାୟେଦା ଜେଟ ଏଆରଲାନ୍ସରେ ପୋର୍ଟବ୍ଲେୟାରରେ ଚାକିରୀ କଲା । ପରେ ସ୍ପାଇସ ଜେଟ ପାଇଁ କାମ କଲା । ସୁନ୍ଦରୀ, ସୁଶୀଳା ଆଉ କାର୍ଯ୍ୟଦକ୍ଷ । ସବୁ ଭଲ ଚାଲିଥିଲା । ସୁନ୍ଦର ପାତ୍ର ସହ ବିବାହ ହେଲା । ଗୋଟିଏ ପୁଅ ଆଉ ଝିଅର ମା ହେଲା ସାୟେଦା । ସଂସାର ଠିକ ଚାଲିଥିଲା । ଗୋଟିଏ ପରେ ଗୋଟିଏ ଦୁଃଖ ମାଡି ଆସିଲା । ସାୟେଦା ବିଧବା ହେଲା । ପରେ କ୍ୟାନସରରେ ତା’ର ରୂପ ଚାଲିଗଲ । ସାୟେଦାର ଦୁଃଖ ନଦେଖିପାରି ତା’କୁ ଭାଇ ପାଖକୁ ରଙ୍ଗତ ( ମଧ୍ୟ ଆଣ୍ଡାମାନ) ପଠାଇ ଦେଇଛନ୍ତି । ଏତେ ଦୂର କାରରେ ଯାଇ ପାରିବ ନାହିଁ । ତେଣୁ ସେ ହେଲିକପ୍ଟରରେ ରଙ୍ଗତ ଆସିଥିଲା । ତିରିଶ ଚାଳିଶ ମିନିଟର ଯାତ୍ରା । ଆଜିକାଲି ଦ୍ୱୀପ ଦ୍ୱୀପ ମଧ୍ୟରେ ହେଲିକପ୍ଟର ସେବା ଆରମ୍ଭ ହୋଇଛି । ତେଣୁ ଅସୁସ୍ଥ ସାୟେଦା ଆସିପାରିଲା । ସଲିମା ବିବି ସାୟେଦାକୁ ଦେଖିବା ପାଇଁ ଆସିଛନ୍ତି । ଭାଇ ପାଖରେ ଭଉଣୀ ସୁଖରେ ଥିବ । ତଥାପି ଅସୁସ୍ଥ ଝିଅକୁ ଦେଖିବା ପାଇଁ ମା’ର ମନ ଉଚ୍ଛନ୍ନ ହେଲା । ଆବୁ ହମଜା ତେଣୁ ସଲିମା ବିବିଙ୍କୁ ଧରି ରଙ୍ଗତ ଯିବେ । ରାସ୍ତା ଅନେକ ଦୂର । ପହଞ୍ଚୁ ପହଞ୍ଚୁ ଦିନ ଦୁଇଟା ବା ତିନିଟା ବାଜିବ । ମଝିରେ ଦୁଇଟା ପାଣି ରାସ୍ତା ବୋଟରେ ପାରି ହେବାକୁ ପଡି଼ବ । ଆଣ୍ଡାମାନ ଟ୍ରଙ୍କ ରୋଡ ଜାରୱା ଅଞ୍ଚଳକୁ ମଝିରେ କାଟି ଉତ୍ତର ଆଣ୍ଡାମାନର ଡିଗିଲିପୁର ପର୍ୟ୍ୟନ୍ତ ଲମ୍ବି ଯାଇଛି । ଫେରି ବୋଟରେ ଗାଡି, ବସ ସବୁ ଯାନବାହାନ ଲୋକଙ୍କ ସହ ପାରି ହୋଇଯାଏ । ଦୁଇଟା ଫେରି( ବୋଟରେ ପାରିହେବା) ଅଛି । ସବୁ ଫେରିପାଇଁ ସମୟ ବନ୍ଧା ହୋଇଛି ।
ଆପଣଙ୍କର ଦୁଇ ପୁଅ କେମିତି ଅଛନ୍ତି? ଦୁହେଁ ମୋ ଜାଣିବାରେ ସାୟେଦାଠୁ ବଡ଼ - ଅବିନାଶ କହିଲା ଅବିନାଶ ସାୟେଦାକୁ କେବଳ ଦେଖିଥିଲା । ଅନ୍ୟ ଦୁଇଭାଇ ବାପ ମାଙ୍କ ସାଙ୍ଗରେ ରହୁନଥିଲେ । ସେମାନେ ବୋଧହୁଏ ସେତେବେଳକୁ କେଉଁଠି ଚାକିରୀ କରୁଥିଲେ ।
ସାନ ଆକ୍ସିଡେଣ୍ଟରେ ଚାଲିଗଲା ।- ସଲିମା ବିବି ନିଜର ଶବ୍ଦକୁ ଢୋକିନେଉଥିଲେ ।
ସେ ନିଜକୁ ସମ୍ଭାଲି ନେଲେ । ସାୟେଦା କଥା କହିଲାବେଳେ ତାଙ୍କ ଆଖିରୁ ଲୁହ ଅନବରତ ବୋହୁଥିଲା । କିନ୍ତୁ ପୁଅ କଥା କହିଲାବେଳକୁ ସେତେ କାନ୍ଦିଲେନି । ସାନପୁଅ ଜମୀର ବର୍ଷାବେଳେ ଗଛ ମୂଳେ ଠିଆ ହୋଇଥିଲା । ତା’ ଉପରେ ଗଛ ଉପୁଡି ପଡିଲା । ତାଙ୍କର ଭାରୀ ଶ୍ୱାସ ଅବିନାଶ ଶୁଣି ପାରୁଥିଲା । ତାଙ୍କ ହାତରେ ପେପର ଟି କପ ଥିଲା । ସେ ତା’କୁ ଜୋରରେ ଜାବୁଡି ଧରିଥିଲେ । ନିଜ ଭିତରର ଦୁଃଖକୁ ସେ ନିଜ ଭିତରେ ସମ୍ଭାଳୁଥିଲେ । ତାଙ୍କର ଆଙ୍ଗୁଠି କପକୁ ଜୋରରେ ଚିପୁଥିଲା । କିଛି ବଳିଥିବା ଚାହା ତାଙ୍କ ପୋଷାକ ଉପରେ ପଡିଲା । ସଲିମା ବିବି ସେ ଆଡକୁ ଧ୍ୟାନ ଦେଲେନାହିଁ । ତାଙ୍କର ଆଖି ବନ୍ଦ ଥିଲା ଆଉ ଛାତି ଜୋରର ଉଠୁଥିଲା ପଡୁଥିଲା । ଆକାଶରୁ ବହୁତ ଧିରେ କିଛି ଜଳକଣା ଝରିପଡିଲା । କିଏ ଯେମିତି ତାଙ୍କ ଉପରେ ପାଣି ଛାଟି ଦେଉଛି । ଏକ ଦୁଃଖୀ ଆତ୍ମା ଉପରେ କିଏ କରୁଣାର ବାରି ଯେମିତି ଛିଞ୍ଚୁୁଛି ।
ମୋ ଘରର କିଛି ଦୋଷ ଅଛି । ଯେବେଠାରୁ ସେ ଘରକୁ ଗଲି, କିଛି ନା କିଛି ଦୁଃଖ ପଡୁଛି ।- ସଲିମା ବିବି କହିଲେ । ଆବୁ ହମଜା ସେମିତି ଜଡ ଭଳି ଠିଆ ହୋଇଥିଲେ । ସେ କିଛି କହି ନାହାନ୍ତି । ତାଙ୍କର ନୀରବ ଆଖି ସ୍ତ୍ରୀଙ୍କ ଉପରେ ଲାଗି ରହିଥିଲା । ସେଥିରେ କିଛି ଆଉ କହିବା ପାଇଁ ଥିଲା ଭଳି ଲାଗୁ ନଥିଲା ।
ଘର ବିକି ଦେଇଛି । ନୂଆ ଘରକୁ ଯିବି ।- ସଲିମା ବିବି କହିଲେ । ତା’ପରେ ସେ ଅବିନାଶର ହାତ ଧରି ପକାଇଲେ ।
ଆପଣ ସାୟେଦା ପାଇଁ ଦୁଆ କରନ୍ତୁ । ସମସ୍ତଙ୍କ ଦୁଆରେ ତା’ର କଷ୍ଟ ଚାଲିଯିବ ।– ତାଙ୍କର କଣ୍ଠ ବାଷ୍ଫାରୁଦ୍ଧ ହୋଇଯାଇଥିଲା ।
୨-
ଏମିତି କଥାବାର୍ତ୍ତା ଭିତରେ ଅନେକ ସମୟ ହୋଇଗଲା । ବାହାରେ ଜିରକାଟାଙ୍ଗ ପୁଲିସ ପୋଷ୍ଟରୁ ସର୍ବସାଧାରଣଙ୍କ ପାଇଁ ନିୟମାବଳୀର ଘୋଷଣା କରାଯାଉଥିଲା । ଜାରୱା ଅଞ୍ଚଳରେ ସାବଧାନତା ଗ୍ରହଣ କରନ୍ତୁ । ରାସ୍ତାରେ ଗାଡି ଅଟକାଇବେ ନାହିଁ । ଜାରୱାଙ୍କ ଫଟୋ ନେବେନାହିଁ । ଏମିତି ଅନେକ ନିୟମ । ଆଉ କିଛି ସମୟପରେ କନଭେୟ ବାହାରିବ । ସଲିମା ବିବି ନିଜ ଗାଡି ଭିତରକୁ ଚାଲିଗଲେ । ଗାଡିର କାଚ ପଛପଟେ ଏକ ଅତୃପ୍ତ ଆତ୍ମା, ସମୟ ସହ ନିସହାୟ ହୋଇଯାଇଥିବା ଏକ ଆତ୍ମା ନିଜର ଆଶାକୁ ନେଇ ବସି ରହିଥିଲା । ଭିତରୁ ସେ ଦେଖାଯାଉ ନଥିଲେ । ହାଲୁକା ବର୍ଷା ପଡି଼ବା ଆରମ୍ଭ ହୋଇଯାଇଥିଲା । ଅବିନାଶ ନିଜ ଗାଡି ଭିତରକୁ ଚାଲିଗଲା । ବାହାରେ କନଭୟ ଗଡିବା ଆରମ୍ଭ ହୋଇଯାଇଥିଲା ।
ଅନେକ ଗାଡି ସେ କନଭେୟରେ ଥିଲା । ଆଗରେ ଏକ ଲାଲ ବସ ଥିଲା । ସେଥିରେ ପୁଲିସ କନେଷ୍ଟବଳଟିଏ ଏକ ରାଇଫଲ ଧରି ବସିଥିଲା । ଏସକର୍ଟ । କେଉଁଠି କିଛି ଘଟିପାରେ । ତା’ ପରେ ପରେ ଗାଡି ସବୁ ଧାଡିକରି ଚାଲୁଥିଲା । କାହାରିକୁ ରାସ୍ତାରେ ଅଟକିବାର ନାହିଁ । ସାପ ଭଳିଆ ବଙ୍କି ଯାଇଥିବା ରାସ୍ତା । ରାସ୍ତାରେ ଲୋକଟିଏ ଠିଆ ହୋଇଥିଲା । ଜାରୱା ଅଞ୍ଚଳରେ କେହି ଠିଆ ହେବା କଥା ନୁହେଁ । ସେମାନେ ଏ.ଏ.ଜେ.ଭି.ଏସ୍. ର ଲୋକ, କାମ ହେଉଛି ଜାରୱାମାନଙ୍କୁ ଜଗିବା ଯେମିତିକି କେହି ସେମାନଙ୍କ ସାଙ୍ଗରେ ନମିଶନ୍ତୁ ।
ଜାରୱାମାନେ କାହାନ୍ତି? ସତେ ଯେମିତି ସେମାନେ ଜଙ୍ଗଲି ପଶୁ ଏକ ଚିଡିଆଖାନା ଭିତରେ ଧରାହୋଇ ଅଛନ୍ତି ।- ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ।
ରାସ୍ତା ଧାରରେ ଦୁଇଜଣ ଜାରୱା ସ୍ତ୍ରୀଲୋକ ବସିଥିଲେ । ବାମକୁ ଏକ ଟିକିରି ପାହାଡଥିଲା । ସେଇଠି ଜାରୱାମାନଙ୍କ କୁଡିଆ ଦେଖିବ । – କିଏ କହିଲା ଆଉ ସମସ୍ତଙ୍କ ଆଖି ସେ ଆଡକୁ ବୁଲିଗଲା । ଏକ ଚାଳିଆ ଘରର ସାମାନ୍ୟ ଝଲକ ଥିଲା । ଗାଡିରୁ ବେଶି କିଛି ଦେଖି ହୁଏନାହିଁ । ପ୍ରାୟ ୩୦-୪୦ ମିନିଟ ଯାତ୍ରା ପରେ ଏପଟ ଜେଟିରେ ପହଞ୍ଚିଲେ । ପାଣିରେ କିଛି ଯାତ୍ରା । ତା’ପରେ ବାରାଟାଙ୍ଗର ଜେଟି । ତା’ପରେ ଆଗକୁ ରାସ୍ତା ଯାଇଛି ।
ଅବିନାଶ, କିଛି ଖୋଜି ପାରିଲ?- ଅବିନାଶର କାନରେ କିଏ ଯେମିତି କହୁଥିଲା । ଅବିନାଶ କିଛି ବୁଝି ପାରିଲାନି । ଜାରୱା ଅଞ୍ଚଳ ଦେଇ ଯେ ଯାତ୍ରା କରିଛି, ସେମାନଙ୍କ ହଟକୁ ଯାଇଛି । କିଛି ଅଲଗା ଲାଗିଲାନି । କିଛି ନୂଆ ଲଗିଲାନି । ଅନେକ, ସେମାନଙ୍କ କୁଡିଆ, ସେମାନଙ୍କ ରୂପ ଭେକ ସବୁ ଅଲଗା ।
ତୁମକୁ ସବୁ ସାଧାରଣ ଲାଗିବ, ସବୁ ଗତାନୁଗତିକ, ଆଗକୁ ତୁମେ ତଥାପି ଖୋଜିନିଅ ।– ତା’ ଭିତରୁ କିଏ ସେମିତି କହି ଚାଲୁଥିଲା ।
ଅବିନାଶ ଜେଟିକୁ ଅନାଇଲା । ଅନେକ ବଦଳିଯାଇଛି । ଆଜିକାଲି ଟିକିଏ ଅଧିକ ଅପେକ୍ଷା କରିବାକୁ ପଡୁଛି । ଦିନ ସରି ଆସିବାକୁ ଅନେକ ବିଳମ୍ବ ହେବ । ଆକାଶ ସେମିତି ମେଘୁଆ । ବାରାଟାଙ୍ଗର ମିଡିଲ ଷ୍ଟ୍ରେଟ ପଟ ନିମ୍ବୁତାଲା ନୀଳାମ୍ବୁର ଜେଟିରେ କଥା ହେଲାବେଳେ ଜଣାଗଲା ଯେ କଦମତାଲା ଜେଟିରେ ଫେରି ନିୟମିତ ଚାଲେ । ତେଣୁ କିଛି ଅସୁବିଧା ହେବନି । ବାରାରଟାଙ୍ଗରୁ ସେପଟର ଜେଟି ବେଶି ଦୂର ନୁହେଁ । କିନ୍ତୁ ରାସ୍ତା ଅତି ଖରାପ ଥିଲା । ଭାବିବାଠାରୁ ମଧ୍ୟ ଆହୁରି ଖରାପ । କାଠ ଲଗ ବୋଝେଇ ଟ୍ରକ ସବୁ ଯିବାଦ୍ୱାରା ରାସ୍ତା ସାରା ଗାତ ହୋଇଯାଇଛି, ଗଲାବେଳକୁ ଲାଗିବ ଯେମିତି ସମୁଦ୍ରରେ ଲହଡି ପରେ ଲହଡିରେ ବୋଟଟିଏ ଉଠୁଛି ପଡୁଛି । ଏମିତିଆ ରାସ୍ତାରେ ଜୋରରେ ଯିବାର ପ୍ରଶ୍ନ ନାହିଁ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ଲାଗିଲା । ବେଶି କିଛି ଭାବିବାର ନଥିଲା । ଏଇଆ କୁହାଯାଇଥିଲା ଯେ ସେପଟେ ଜେଟିରେ ଫେରି ବୋଟ ସବୁବେଳେ ଚାଲୁଛି । ଅପେକ୍ଷା କରିବାକୁ ପଡି଼ବନି । କିନ୍ତୁ ନିଜ ଭାବିବା ହିସାବରେ ସବୁବେଳେ କଥା ଚାଲେନି । ପାଣି ଆଉ ଜଙ୍ଗଲିଆ ଅଞ୍ଚଳରେ ବହୁତ ଅନିଶ୍ଚିତତା ଥାଏ ସେମିତି ଏଠି ଏକ ଫେରି ଖରାପ ହୋଇଯାଇଛି ଆଉ ଗୋଟିଏ ମାତ୍ର ଫେରି ଏପଟ ସେପଟ ହେଉଛି । ଅନେକ ଗାଡି ପାରି ହେବା ପାଇଁ ଅଛି । କିଛି ଉପାୟ ନାହିଁ ଅପେକ୍ଷା କରିବାକୁ ପଡି଼ବ ।
ଅବିନାଶ ଏପଟ ସେପଟ ଅନାଇଲା । ବୁଲିବାକୁ କିଛି ସେମିତି ନାହିଁ, ଆଉ କିଛି କରିବାକୁ ନାହିଁ । ଆଗରେ ପାଣିର ଧାର । ସେପଟେ ଆଉ ଏକ ଜଙ୍ଗଲିଆ ଦ୍ୱୀପ, ସେଇଟା ମିଡିଲ ଆଣ୍ଡାମାନ । ପାଣି ଗାଢ ନୀଳ ଆଉ ଜଙ୍ଗଲ ଗାଢ ସବୁଜ । ଲୁଣା ଗଛସବୁ ପାଣି ଭିତରକୁ ମାଡି ଆସିଛି । ସେପଟର ହମଫ୍ରେ ଷ୍ଟ୍ରେଟ ପଟ ଗାନ୍ଧିଘାଟ ଜେଟିର ଧାରରେ ଫରେଷ୍ଟ ଡିପାର୍ଟମେଣ୍ଟର ଏକ ନିରୀକ୍ଷଣ ଚୌକି ଆଉ ଟୁରିଷ୍ଟମାନଙ୍କ ପାଇଁ ଏକ ବସିବା ଜାଗା । ସେଇଠି ବସି ଲୁଣା ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିହେବ । ଏପଟେ ଏକ ଛୋଟ ଦୋକାନ, କିଛି ସାମାନ୍ୟ ଖାଇବା ଜିନିଷ ବିକ୍ରି ହେଉଛି ଆଉ ପାଖରେ ଏକ ବଡ଼ ହଲ । ଆଉ ସେଇଟା ହେଉଛି ଏକ ହୋଟେଲ । ଯାତ୍ରୀମାନେ ଖାଇବେ । ଯାତ୍ରୀ ବିଶ୍ରାମଗାରକୁ ହୋଟେଲରେ ପରିଣତ କରିଦିଆ ଯାଇଛି । ଏଇଟା ଅବିନାଶକୁ ଆବଶ୍ୟକ ଥିଲା ଭଳି ଲାଗୁଥିଲା । କୁଆଡେ କିଛି ନାହିଁ । ସିଧା ଜଙ୍ଗଲ ଭିତରୁ ଏକ ମୋଟା କଳା ରୋଡ ସାପଭଳି ମୁଣ୍ଡ କାଢି ପାଣି ପାଖରେ ଆସି ସରି ଯାଇଛି । ଲୋକମାନେ ଅପେକ୍ଷା କେରିବା ସମୟରେ କିଛି ଖାଇ ପାରିବେ । ବାହରେ ସେମିତି କିଛି ଚାକଚକ୍ୟ ନଥିଲା ।
କ୍ରମଶଃ. . .
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା