favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଆୟକର ଦେବାକୁ ଅମଙ୍ଗ କାହିଁକି ?

ଆୟକର ଦେବାକୁ ଅମଙ୍ଗ କାହିଁକି ?

“କିଛି ଲୋକ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇ ନିଜର ସର୍ବନିମ୍ନ ଆବଶ୍ୟକତା ପାଇଁ ସରକାରଙ୍କୁ ଧମକାଉଥିବେ ଏବଂ ସେମାନଙ୍କୁ ସନ୍ତୁଷ୍ଟି ଦେବାପାଇଁ ସରକାର ଆମକୁ ଚିପି ଚିପି ଆୟକର ନେଉଥିବେ୤”

ପରିବା ବ୍ୟାଗ ଧରି ବଜାରରେ ବୁଲି ଆସୁଥିବା ବେଳେ ଚା ଦୋକାନରେ ଦେଖାହୋଇଗଲେ ଆମର ପ୍ରତିଦିନିଆ ସକାଳୁଆ ବନ୍ଧୁଗୋଷ୍ଠୀ୤ ଦିନ ଆରମ୍ଭରୁ ଏହି ଗୋଷ୍ଠୀ କିଛି ନା କିଛି ବିଷୟରେ ଚର୍ଚ୍ଚା କରନ୍ତି ଆଉ ସେ ଚର୍ଚ୍ଚାରେ ଆମେ ବି ଅଂଶ ଗ୍ରହଣ କରୁ୤ ଆଜି ବିଷୟ ଥିଲା ଆୟକର ଦେବା କି ନ ଦେବା୤ ପ୍ରତିବର୍ଷ ଆମ ଆୟର ୧୦-୨୦ ପ୍ରତିଶତ ଆମେ ଆୟକର ଭାବରେ ସରକାରଙ୍କୁ ଦେଉଛୁ୤ ଅଥଚ କିଛି କର୍ମକୋଢ଼ିଆ ଅଣଆୟକାରୀ ଗୋଷ୍ଠୀଙ୍କୁ ସରକାର ଗରୀବ ବୋଲି ଦର୍ଶାଇ ମାଗଣାରେ ଘର, ଜମିପଟା, ବିଜୁଳୀ, ସାଇକେଲ୍, ମୋବାଇଲ୍ ଫୋନ୍, ପୋଷାକ ଆହୁରି କେତେ କଣ ଦେଉଛନ୍ତି୤ ସାମାଜିକ ଗଣମାଧ୍ୟମରେ ଗୋଟିଏ ସନ୍ଦେଶ ଆସିଥିଲା ଯେ ଯଦି ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ତା ହେଲେ, ଦେଶର ସମସ୍ତ ଆୟକରଦାତା ଏକାଥରେ ଆୟକର ଦେବାକୁ ମନା କରିଦିଅନ୍ତୁ୤

ଦୋକାନରୁ ଫେରିବା ବାଟରେ ଗଭୀର ଭାବରେ ଏହି ବିଷୟରେ ଚିନ୍ତା କରିବାକୁ ମନ ହେଲା୤ ସତରେ ତ ପ୍ରତିବର୍ଷ ମୁଁ ସରକାରଙ୍କୁ ଆୟକର ଦେଉଛି ଅଥଚ ମୋତେ ମିଳୁଛି କଣ? କାହିଁ କେବେ ତ କୌଣସି ସରକାର ଆମ ଆୟକର ଦାତାଙ୍କ ପାଇଁ ମାଗଣାରେ ନ ହେଲେ ବି ରିହାତିରେ ଘରଖଣ୍ଡେ କରିବା କଥା କହୁନାହାନ୍ତି? ଆମ ପିଲାଙ୍କୁ ମୋବାଇଲ୍ ଫୋନ୍, ଟାବଲେଟ୍, ଲାପଟପ୍ କିମ୍ବା ସାଇକେଲ୍ ଦେଉନାହାନ୍ତି? କଣ ତା ହେଲେ ମୁଁ ଦେଉଥିବା ଆୟକର ଉପରେ ମୋ ସନ୍ତାନ ମୋ ପରିବାରର କୌଣସି ଭାଗ ନାହିଁ? ଅନ୍ୟମାନେ ପାଉଥିବା ସମସ୍ତ ସୁବିଧା ବ୍ୟତୀତ ଅଧିକ କଣ ମୋତେ ମିଳୁଛି?

କାଲି ଯଦି ମୋତେ କୌଣସି ପ୍ରକାରର ଆବଶ୍ୟକତା ପଡ଼ିଯାଏ ତା ହେଲେ ସରକାରଙ୍କ କୌଣସି ଯୋଜନାରେ ମୁଁ ନିଜକୁ ଦେଖିବାକୁ ପାଇବି ନାହିଁ! ସବୁ ଯୋଜନା କେବଳ ଗରୀବ ମାନଙ୍କ ପାଇଁ? ମୋ ପାଇଁ କାହିଁ? ଦେହରୁ ଝାଳ ବହିଗଲା୤ ମାସକୁ କିଛି କିଛି ଟଙ୍କା ଜମା କରି ରଖିଥିଲେ ହୁଏତ ମୋ ଅବସରପ୍ରାପ୍ତି ପରେ ମୋତେ କିଛି ଆୟ ହୋଇପାରନ୍ତା, କିନ୍ତୁ ସେଇ ଅର୍ଥ ମୁଁ ଦେଶର ସରକାରଙ୍କୁ ଦେଉଛି, କିନ୍ତୁ ଏହା ବଦଳରେ ସରକାର ମୋ ପାଇଁ କୌଣସି ନିଶ୍ଚିତ ପେନସନ୍ ବ୍ୟବସ୍ଥା କରିବେ କି? ଗରୀବଙ୍କୁ, କୃଷକଙ୍କୁ, ଶ୍ରମିକ ଏପରିକି ବ୍ୟବସାୟୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିବା କଥା କୁହାଗଲାଣି, କିନ୍ତୁ ଆମେ ପେଟକାଟି ଆୟକର ଦେଉଥିବା ବର୍ଗଙ୍କ ପାଇଁ କିଛି ନାହିଁ୤

ନିଜ ସାମର୍ଥ୍ୟ ବଳରେ ଯଦି ଜଣେ କିଛି ଅଧିକ ଆୟକରେ ତା ହେଲେ ବି ସେଥିରୁ ଭାଗ ନେବାପାଇଁ ଆୟକର ବିଭାଗ ମୁହଁଖୋଲି ଚାହିଁ ରହିଥାଏ୤ ଅର୍ଥାତ ଦିନରାତି ପରିଶ୍ରମ କରି ଯଦି ଜଣେ ବ୍ୟକ୍ତି ନିଜ ପରିବାର ପାଇଁ କିଛି ଅଧିକ ଆୟ କରିଥାଏ ସେ ଆୟ ଉପରେ ବି ଏହି ଗରୀବ ଖଟିଖିଆଙ୍କ ଆଖି୤ ଯେତେଦିନ ପର୍ଯ୍ୟନ୍ତ ଏହି ମାଗଣାରେ ଜିନିଷ ଦିଆ ହେଉଥିବ ସେତେବେଳଯାଏଁ ଏ ଦେଶରେ କୌଣସି ଉନ୍ନତି ହେବନାହିଁ୤ ସେମିତି ହିଁ ଆମଭଳି ମଧ୍ୟମବର୍ଗ ଦିନରାତି ଖଟୁଥିବା ଆମ ପିଲାମାନଙ୍କ ପାଇଁ ଭବିଷ୍ୟ ସୃଷ୍ଟି କରିବାପାଇଁ ଚିନ୍ତାଗ୍ରସ୍ତ ହେଉଥିବା ଏବଂ ସେହି ସମୟରେ କିଛି ଲୋକ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇ ନିଜର ସର୍ବନିମ୍ନ ଆବଶ୍ୟକତା ପାଇଁ ସରକାରଙ୍କୁ ଧମକାଉଥିବେ ଏବଂ ସେମାନଙ୍କୁ ସନ୍ତୁଷ୍ଟି ଦେବାପାଇଁ ସରକାର ଆମକୁ ଚିପି ଚିପି ରକ୍ତ ଶୋଷୁଥିବେ୤ ତା ହେଲେ ଆମେ ଆୟକର ଦେବା କାହିଁକି?

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଧାନବିଲ ଖସ ଖସଲୋ ବଉଳ

ଧାନବିଲ ଖସ ଖସଲୋ ବଉଳ

ଏଠାରେ ପଢ଼ନ୍ତୁ !
ନିରାଶାଜନକ ପରୀକ୍ଷାଫଳ ପାଇଁ ଦାୟୀ କିଏ?

ନିରାଶାଜନକ ପରୀକ୍ଷାଫଳ ପାଇଁ ଦାୟୀ କିଏ?

ଏଠାରେ ପଢ଼ନ୍ତୁ !