favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଧାନବିଲ ଖସ ଖସଲୋ ବଉଳ

ଧାନବିଲ ଖସ ଖସଲୋ ବଉଳ

ଚଳିତ ବର୍ଷ, ସଦ୍ୟସମାପ୍ତ ଭାରତର ସର୍ବସାଧାରଣ ନିର୍ବାଚନରେ ଏକ ଅଦ୍ଭୂତ ଘଟଣା ବର୍ତ୍ତମାନ ସମୁଦାୟ ସୋସିଆଲ୍ ମେଡ଼ିଆକୁ ଉଚ୍ଛନ୍ନ କରି ରଖିଛି ଆଉ ତାହା ଉଣାଅଧିକେ ସମସ୍ତଙ୍କ କଣ୍ଠରେ ଶୁଣିବାକୁ ମିଳୁଛି;

“ଧାନବିଲ ଖସ ଖସଲୋ ବଉଳ
ଧାନବିଲ ଖସ ଖସ
ଆସଲୋ ବଉଳ ମକର ଆସଲୋ
ଘରକଣ ଲାଗେ ବିଷ୤”

ବର୍ତ୍ତମାନ ଆପଣ ବୁଝି ସାରିଥିବେ ଆମେ କେଉଁ ବିଷୟରେ ବା କାହା ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ୤ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଆସ୍କା ନିର୍ବାଚନ ମଣ୍ଡଳୀରୁ ସଦ୍ୟ ନିର୍ବାଚିତା ସଦସ୍ୟା ଶ୍ରୀମତି ପ୍ରମିଳା ବିଷୋୟୀ୤ ବୟୋଜ୍ୟୋଷ୍ଠା ପ୍ରମିଳା ବିଷୋୟୀ ଗଞ୍ଜାମ ଜିଲ୍ଲାରେ ସ୍ବୟଂ ସହାୟିକା ଗୋଷ୍ଠୀ ସ୍ଥାପନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଏବଂ ଶିକ୍ଷାଗତ ଯୋଗ୍ୟତା ନଥିଲେ ସୁଦ୍ଧା ସେ ସଂଗଠନ କରିବା ଏବଂ ଦଳ ସଂଯୋଜନା କରିବା ତଥା ଗୋଷ୍ଠୀ ପରିଚାଳନାର ବୃହତ ଅଭିଜ୍ଞତା ରଖନ୍ତି୤

ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ଯେତେବେଳେ ଓଡ଼ିଶାର ଶାସକ ଦଳ ବିଜୁ ଜନତା ଦଳ ତରଫରୁ ତାଙ୍କୁ ପ୍ରାର୍ଥିନୀ ଭାବରେ ନାମାଙ୍କିତ କରାଗଲା ସେତେବେଳେ ସର୍ବସାଧାରଣରେ ଚାପା ଗୁଞ୍ଜରଣ ଖେଳି ଯାଇଥିଲା୤ ଅଳ୍ପ ଶିକ୍ଷିତା ଗ୍ରାମୀଣ ମହିଳା ଜଣେ କେମିତି ସାଂସଦ ହେବେ ଏହାକୁ ନେଇ ଅନେକ ପୋଷ୍ଟ ପ୍ରସାର ହେବାକୁ ଲାଗିଲା୤ ପ୍ରକାରାନ୍ତରେ ଅନେକ ବ୍ୟକ୍ତି ଏହାକୁ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରିବାକୁ ଲାଗିଲେ୤ କହିବା ଅନୁଚିତ କିନ୍ତୁ କିଛି ବ୍ୟକ୍ତି ଏହା ଗଞ୍ଜାମର ବିସ୍ତୃତ ସାହିତ୍ୟିକ ଐତିହ୍ୟ ପ୍ରତି କୁଠାରଘାତ ବୋଲି ମଧ୍ୟ ଜଣାଇଲେ, ଆଉ କିଛି ବନ୍ଧୁ ଏହାକୁ ନେଇ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଚିଡ଼ାଇବାକୁ ମଧ୍ୟ ପଛାଇନଥିଲେ୤

ନିର୍ବାଚନର ଫଳାଫଳ ଦେଖିବାପରେ ଅନେକ ସ୍ତବ୍ଧ ହୋଇଯାଇଥିବା ବେଳେ ଏହାକୁ ନେଇ ଅଧିକ ବ୍ୟଙ୍ଗ ଓ କଟୁକ୍ତି ଶୁଣିବାକୁ ଓ ଦେଖିବାକୁ ମିଳୁଛି୤ ଚଳିତ ବର୍ଷ ଓଡ଼ିଶାର ୮୨ଟି ବିଦ୍ୟାଳୟରେ ମ୍ୟାଟ୍ରିକ୍ ପରୀକ୍ଷାଫଳ ଶୂନ ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ଖବର ହୋଇଥିଲା, ଏବେ ପ୍ରମିଳା ମାଉସୀ ଜିତିବା ପରେ ଅନେକେ ବ୍ୟଙ୍ଗୋକ୍ତି କରି କହିଛନ୍ତି ଯେ ଯଦି ଏମିତିକା ସାଂସଦଙ୍କୁ ଲୋକ ଜିତାଉଛନ୍ତି ତାହେଲେ ୮୨ ବିଦ୍ୟାଳୟର ପରୀକ୍ଷାଫଳ ଯାହା ହୋଇଛି ଠିକ୍ ହୋଇଛି୤

ସେ ଯା’ହେଉ ନିର୍ବାଚନର ଫଳାଫଳ ପ୍ରକାଶିତ ହୋଇସାରିଛି୤ ପ୍ରମିଳା ମାଉସୀଙ୍କୁ ସମ୍ଭବତଃ ସାଂସଦ ଭାବରେ ପରିଚୟ ପତ୍ର ମଧ୍ୟ ମିଳିସାରିଲାଣି୤ ତଥାପି ଚର୍ଚ୍ଚା ବନ୍ଦ ହେଉନାହିଁ୤ ଏହି ସମୟରେ ପ୍ରମିଳା ମାଉସୀଙ୍କର ଏକ ସାକ୍ଷାତକାରର କିୟଦଂଶ ସୋସିଆଲ୍ ମିଡ଼ିଆରେ ପ୍ରସାରିତ ହେବାକୁ ଲାଗିଛି, ଯେଉଁଠି ସେ ଉପରୋକ୍ତ କବିତାକୁ ଆବୃତ୍ତି କରୁଥିବା ଶୁଣାଯାଉଛି୤ ଏହାକୁ ନେଇ ସାମାଜିକ ଗଣମାଧ୍ୟମ ଚଳଚଞ୍ଚଳ ହେବାରେ ଲାଗିଛି୤

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ପ୍ରମିଳା ମାଉସୀଙ୍କ ବିଜୟ ସତରେ ଆମପାଇଁ କେଉଁ ସନ୍ଦେଶ ଦେଉଛି? କିଛି ଗଣମାଧ୍ୟମ ଏହାକୁ ଭାରତୀୟ ଗଣତନ୍ତ୍ରର ଏକ ବିଶେଷ ବିଜୟ ବୋଲି ଜଣାଉଛନ୍ତି ଯେ ଜଣେ ଅଳ୍ପଶିକ୍ଷିତା ବୟୋଜ୍ୟୋଷ୍ଠା ମହିଳା ନିର୍ବାଚିତ ହୋଇ ପାରିଛନ୍ତି, କିନ୍ତୁ ଅନ୍ୟପକ୍ଷରେ ଅନେକେ ଏହା ମଧ୍ୟ ଦାବୀ କରୁଛନ୍ତି ଯେ ମାଉସୀଙ୍କୁ ହିନ୍ଦୀ ବା ଇଂରାଜୀ ଆସୁନଥିବା ହେତୁ ସେ ସଂସଦରେ କେମିତି ଭାବବିନିମୟ କରିବେ? ସତକଥା ରାଜ୍ୟର ଏକ ବିଶାଳ ଅଞ୍ଚଳକୁ ପ୍ରତିନିଧିତ୍ବ କରୁଥିବା ପ୍ରମିଳା ମାଉସୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ୤ ସେ ହିଁ ସଂପୃକ୍ତ ଅଞ୍ଚଳର ସମସ୍ୟାକୁ ସଂସଦରେ ଉପସ୍ଥାପନ କରିବା ଉଚିତ ଏବଂ ନାଯ୍ୟ ହକ୍ ଦାବୀ କରିବା ଉଚିତ୤ କିନ୍ତୁ ନା ତ ସେ ହିନ୍ଦୀରେ କଥା ହୋଇ ପାରିବେ ନା ଇଂରାଜୀ ବୁଝିପାରିବେ୤ ହେଲେ ସେ କେମିତି ନିଜର କର୍ତ୍ତବ୍ୟ ସୁଚାରୂରୂପେ ତୁଲେଇବେ?

ପୁଣି ପ୍ରଶ୍ନ ଉଠୁଛି ଯେ ଯଦି ଜଣେ ସାଂସଦ ଚାହିଁବ ତା ହେଲେ ନିଜ ମାତୃଭାଷାରେ ସଂସଦରେ କହିପାରିବ, ଅନେକ ସାଂସଦ ଏହିଭଳି ଭାବରେ ହିନ୍ଦୀ, ତେଲୁଗୁ, ତାମିଲ୍ ଭାଷାରେ ମଧ୍ୟ କହନ୍ତି ଏବଂ ସେମାନଙ୍କ କଥା ଶୁଣାଯାଏ, ତାହେଲେ ମାଉସୀଙ୍କ କଥା ଓଡ଼ିଆରେ କହିଲେ ଅସୁବିଧା କେଉଁଠି ରହିବ? ଯେ ହେତୁ ସେ ସଂଗଠନ କରିବାରେ ସିଦ୍ଧହସ୍ତା ଏବଂ ଅଭିଜ୍ଞ ତେଣୁ ସେ ନିଶ୍ଚୟ ଭାବରେ ଭବିଷ୍ୟତରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିପାରିବେ ଏଥିରେ ଦ୍ବିମତ ନାହିଁ୤ ଯଦି ବା ସେ କୌଣସି ସମୟରେ ପାରିବେନି ତାହେଲେ ତାଙ୍କୁ ସାହାଯ୍ୟ କରିବାକୁ ଅନେକେ ଆଗେଇ ଆସିବେ ନିଶ୍ଚୟ୤ ଆମେ କେବଳ ଆଶା କରିବା ସେ ଯେମିତି ଆମ ଜାତିର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାରେ କୌଣସି ପ୍ରଚେଷ୍ଟା ଉଣା କରିବେ ନାହିଁ, ଏବଂ ସଂସଦରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବେ୤ ପ୍ରମିଳା ମାଉସୀଙ୍କ ଜୀବନର ଏକ ନୂତନ ପଦକ୍ଷେପ ପାଇଁ ଆମର ଶୁଭେଚ୍ଛା ଓ ଅଭିନନ୍ଦନ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ମୋଦୀଙ୍କୁ ସ୍ପଷ୍ଟ ବହୁମତ : ଦୁର୍ନୀତି ନା ରଣନୀତି!

ମୋଦୀଙ୍କୁ ସ୍ପଷ୍ଟ ବହୁମତ : ଦୁର୍ନୀତି ନା ରଣନୀତି!

ଏଠାରେ ପଢ଼ନ୍ତୁ !
ଆୟକର ଦେବାକୁ ଅମଙ୍ଗ କାହିଁକି ?

ଆୟକର ଦେବାକୁ ଅମଙ୍ଗ କାହିଁକି ?

ଏଠାରେ ପଢ଼ନ୍ତୁ !