ବିଗତ ଅନେକ ବର୍ଷରୁ ଏକ ଚଳିତ ପ୍ରଥା ହିସାବରେ ପ୍ରତିବର୍ଷ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଦୂର୍ବଳରୁ ଦୂର୍ବଳତର ହେବାର ଦେଖାଯାଉଛି ଏହାର ଅନେକ କାରଣ ଥାଇପାରେ ଯାହା ଆମେ ସମସ୍ତେ ଉଣାଅଧିକେ ଜାଣିଥିବା ମଧ୍ୟ କିନ୍ତୁ ଚଳିତ ବର୍ଷର ମ୍ୟାଟ୍ରିକ୍ ପରୀକ୍ଷାଫଳ ଦେଖିବାପରେ ପୁଣିଥରେ ଗଭୀର ଚିନ୍ତନର ସମୟ ଆସିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ଓଡ଼ିଶାର ୮୨ଟି ଉଚ୍ଚବିଦ୍ୟାଳୟ ଏମିତି ଅଛନ୍ତି ଯେଉଁଠି ଜଣେ ବି ଛାତ୍ର/ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇନାହାନ୍ତି ଏହା ନିଶ୍ଚୟ ଭାବରେ ଏକ ଗମ୍ଭୀର ସମସ୍ୟା
ପୁଣି ଉଚ୍ଚ ଶିକ୍ଷାବିଭାଗ ତରଫରୁ ପ୍ରଚଳିତ ଏକ ନିୟମ ‘ଜଣେ ଛାତ୍ର ଅନ୍ୟୁନ ୧୫ ଅଙ୍କ ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ପ୍ରଶ୍ନରେ ରଖିଲେ ହିଁ ପାସ ବୋଲି ଧରାଯିବ’କୁ ଚଳିତବର୍ଷ ଉଠାଇ ଦିଆଯାଇଛି ଶୁଣାଯାଉଛି ଯେ ଯଦି ସେହି ବ୍ୟବସ୍ଥା ରହିଥାଆନ୍ତା ତା ହେଲେ ହୁଏତ ଆହୁରି ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫେଲ୍ ହୋଇଯାଆନ୍ତେ ଅର୍ଥାତ ଚଳିତ ବର୍ଷ ପାସ୍ କରୁଥିବା ଛାତ୍ରଛାତ୍ରୀଙ୍କ ଭିତରେ ଏମିତି ଏକ ଲକ୍ଷ କିମ୍ବା ତା’ଠାରୁ ସାମାନ୍ୟ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଅବଜେକ୍ଟିଭ୍ / ସବଜେକ୍ଟିଭ୍ ପ୍ରଶ୍ନରେ ପନ୍ଦର ଅଙ୍କ ରଖିବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି ତା’ହେଲେ ଏହି ସମସ୍ୟା ପାଇଁ ସମାଧାନର ପନ୍ଥା ଖୋଜିବା ତୁରନ୍ତ ଆବଶ୍ୟକ ହୋଇ ପଡ଼ିଛି ଏହିଭଳି ଅବସ୍ଥା ଜାରୀ ରହିଲେ ହୁଏତ ନିକଟ ଅତୀତରେ ଆହୁରି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଫେଲ୍ ହେବେ ଏବଂ ବିଦ୍ୟାଳୟ ସବୁ ଶୂନ୍ ଫଳ ଦେବେ
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଛାତ୍ରଛାତ୍ରୀମାନେ ମ୍ୟାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହେଉନାହାନ୍ତି କିମ୍ବା ଭଲ ଫଳ ରଖୁନାହାନ୍ତି କାହିଁକି? ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ହିଁ ନିଜେ ନିଜ ଫଳ ପାଇଁ ଦାୟୀ ବୋଲି ଯଦି ଧରି ନିଆଯାଏ, ତା ହେଲେ କଣ ଗୋଟିଏ ବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ ଅକୃତକାର୍ଯ୍ୟ ହୋଇପାରିବେ? କଣ ଜଣେ ବି ମେଧାବୀ ଛାତ୍ର ସେମାନଙ୍କ ମଧ୍ୟରେ ନଥିଲା? ନିଜର ଅଧ୍ୟବସାୟ ବଳରେ ଜଣେ ଛାତ୍ର ଅନ୍ତତଃ ପକ୍ଷେ ପାସ୍ କରି ପାରିବ ବୋଲି ଆମେ ଧରିବା ଯଦି କେହି ବି ପାସ୍ ହୋଇନାହାନ୍ତି ତା ହେଲେ ସମୁଦାୟ ବିଦ୍ୟାର୍ଥୀମାନେ ହିଁ ଶିକ୍ଷାପ୍ରତି ବିମୁଖ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବିଦ୍ୟାଳୟରେ ନାମ ଲେଖାଇବା ଏବଂ ଶିକ୍ଷାପ୍ରତି ଆଦର ସୃଷ୍ଟିହେବା ଦୁଇଟି ଭିନ୍ନ ଜିନିଷ ହୁଏତ ଏହି ସବୁ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ କେବଳ ନାମକୁ ମାତ୍ର ନିଜ ନାଁ ବିଦ୍ୟାଳୟରେ ଲେଖାଇଥିଲେ, ଏବଂ ସେମାନେ କିମ୍ବା ସେମାନଙ୍କ ଅଭିଭାବକ ମାନେ କେହି ବି ସେମାନଙ୍କ ବିଦ୍ୟାଳୟରେ ହେଉଥିବା ପାଠପଢ଼ା ବିଷୟରେ ଧ୍ୟାନ ଦେଇନଥିଲେ ଏହି କ୍ଷେତ୍ରରେ ଉଭୟ ଛାତ୍ର ଏବଂ ଅଭିଭାବକ ଦାୟୀ ହେବେ ଯଦି ପିଲାଟିଏ ବିଦ୍ୟାଳୟ ଯାଉଛି ତା ହେଲେ ସେଠରେ ସେ କଣ ପଢୁଛି ନ ପଢୁଛି, ଇତ୍ୟାଦି ବିଷୟରେ ଅନ୍ତତଃ ପକ୍ଷେ ଅଭିଭାବକମାନେ ସଚେତନ ହେବା ଜରୁରୀ ଯଦି ସେମାନେ ହେବେ ନାହିଁ, ତା ହେଲେ ଛାତ୍ରଛାତ୍ରୀ ମାନେ ବା କାହିଁକି ଚିନ୍ତା କରିବେ? ହେଲେ ଯେଉଁ ୮୨ଟି ବିଦ୍ୟାଳୟରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି ସେହି ସବୁ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଉଦାସୀନ ବୋଲି କୁହାଯାଇ ପାରିବ କି?
ଅପରପକ୍ଷରେ ପୁଣି ପ୍ରଶ୍ନଉଠୁଛି, ଓଡ଼ିଶାରେ ଥିବା ଅନେକ ବେସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ କୃତକାର୍ଯ୍ୟ ହେବାର ହାର ଶତପ୍ରତିଶତ ହେଉଥିବା ବେଳେ ସରକାରୀ ବିଦ୍ୟାଳୟ ମାନଙ୍କରେ ଏହାର ବିପରୀତ ଦେଖାଯାଏ କାହିଁକି? ଅନେକ ଅଭିଭାବକ ଅଭିଯୋଗ କରୁଛନ୍ତି ଯେ ରାଜ୍ୟରେ ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାନଙ୍କରେ ପରୀକ୍ଷାଫଳ ବହୁତ ଭଲ ହେଉଥିବା ବେଳେ ସରକାରୀ ବିଦ୍ୟାଳୟ ମାନଙ୍କରେ ଅତି ନ୍ୟୁନ ହେଉଛି, ଏବଂ ଏହି ଭଳି ପରୀକ୍ଷାଫଳ ପାଉଥିବା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ କେମିତି ସୁଦୃଢ଼ ହୋଇପାରିବ ବା ସେମାନେ କେମିତି ଭବିଷ୍ୟତର ପ୍ରତିଯୋଗୀତା ପାଇଁ ନିଜକୁ ଯୋଗ୍ୟ ବୋଲି ପ୍ରତିପାଦିତ କରି ପାରିବେ?
ସାମାଜିକ ଗଣମାଧ୍ୟମ (ଫେସବୁକ୍ / ଟ୍ବିଟର୍) ଆଦିରେ ଏହାକୁ ନେଇ ବିଷଦ ଚର୍ଚ୍ଚାମାନ ଦେଖିବାକୁ ମିଳୁଛି ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ମନ୍ତବ୍ୟକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳୁଛି କେହି କେହି ଏଥିପାଇଁ ସିଧା ସିଧା ଉଚ୍ଚ ଶିକ୍ଷା ବିଭାଗର ବ୍ୟବସ୍ଥାକୁ ଦାୟୀ କରୁଥିବା ବେଳେ ଅନେକେ ଏଥିପାଇଁ ଶିକ୍ଷକଗୋଷ୍ଠୀଙ୍କୁ ଦୋଷୀ ବୋଲି ମନେ କରୁଛନ୍ତି ପ୍ରକୃତରେ ଦୋଷୀ କିଏ? ଏହିଭଳି ଅବସ୍ଥାରେ ଆମେ ଆଜି ପହଞ୍ଚିଛୁ କାହା ପାଇଁ? ଉଚ୍ଚଶିକ୍ଷା ବିଭାଗର ତ୍ରୁଟିପୂର୍ଣ୍ଣ ନୀତି ପାଇଁ ନା ଶିକ୍ଷକ ମାନଙ୍କ ପାଇଁ? ଆସନ୍ତୁ ଚିନ୍ତା କରି ଦେଖିବା
ଉଚ୍ଚଶିକ୍ଷା ବିଭାଗର ନୀତି ସମୁଦାୟ ରାଜ୍ୟର ସମସ୍ତ ବିଦ୍ୟାଳୟ ଉପରେ ଲାଗୁ ହେଉଥିବା ବେଳେ କେବଳ ମୁଷ୍ଟିମେୟ ବିଦ୍ୟାଳୟର ଛାତ୍ରଛାତ୍ରୀ ହିଁ ଅକୃତକାର୍ଯ୍ୟ ହେବା, ଶିକ୍ଷା ବିଭାଗକୁ ଦୋଷମୁକ୍ତ କରିପାରେ କାରଣ ଯେତେବେଳେ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଲେ ତା ହେଲେ ମାତ୍ର ୮୨ଟି ବିଦ୍ୟାଳୟରେ ନିରାଶାଜନକ ଫଳାଫଳ ପାଇଁ ଶିକ୍ଷାନୀତିକୁ ଦୋଷୀ ବୋଲି ଧରିହେବ କି? ଅବଶ୍ୟ ଯେଉଁଭାବରେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ କମ୍ ମାର୍କ ରଖୁଛନ୍ତି ସେଥିପାଇଁ ହୁଏତ ଶିକ୍ଷାନୀତିକୁ ଦୋଷ ଦେଇହେବ କିନ୍ତୁ ଠିକ୍ ଏକ ପ୍ରକାରର ପ୍ରଶ୍ନପତ୍ରକୁ ନେଇ ପରୀକ୍ଷା ଦେଉଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାସ୍ ହାର ଏବଂ ପରୀକ୍ଷାଫଳରେ ବୃହତ ବ୍ୟବଧାନ ସରକାରୀ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଉପରକୁ ଆଙ୍ଗୁଳି ଉଠାଏ
ଯଦି ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଭଲ ଅଙ୍କରେ ପାସ୍ କରି ପାରୁଛନ୍ତି ତା ହେଲେ ସରକାରୀ ବିଦ୍ୟାଳୟରେ ସେଭଳି ହେଉନାହିଁ କାହିଁକି? ବେସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସରକାରୀ ସ୍ତରର ଦରମା ମିଳୁ ନଥିବା ସତ୍ତ୍ବେ ସେମାନେ ନିଜର ଦାୟିତ୍ବ ପ୍ରତି ସଚେତନ ଏବଂ ପରୀକ୍ଷା ପରବର୍ତ୍ତୀ ଅନୁଶୀଳନ ଏବଂ ପରୀକ୍ଷାଫଳ ପାଇଁ ସେମାନେ ଉତ୍ତରଦାୟୀ ହୋଇଥିବା ହେତୁ ସେମାନେ ଅଧିକ ସଚେତନ ହୋଇ ଶିକ୍ଷାଦାନ କରୁଥାନ୍ତି ବୋଲି ଅନେକ ଅଭିଭାବକ ମତ ଦିଅନ୍ତି ହୁଏତ ପରୀକ୍ଷାଫଳକୁ ଦେଖି ବେସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କ ପ୍ରାପ୍ୟ ବା ଦେୟ ନିର୍ଦ୍ଧାରିତ ହୋଇଥାଏ ତେଣୁ ସେମାନେ ପ୍ରାଣପଣେ ଚେଷ୍ଟା କରନ୍ତି ଯେମିତି ସେମାନଙ୍କ ସମସ୍ତ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୁଅନ୍ତୁ ସରକାରୀ ବିଦ୍ୟାଳୟରେ କର୍ତ୍ତବ୍ୟରତ ଶିକ୍ଷକମାନଙ୍କ ଭିତରେ ସେହି ଭଳି ଉଦ୍ୟମ ଦେଖିବାକୁ ମିଳେନାହିଁ
କିଛି ବନ୍ଧୁ ମତ ଦେଇଛନ୍ତି ଯେ ଓଡ଼ିଶାରେ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ହେତୁ ଅଧିକାଂଶ ସମୟ ସେମାନେ ରାଜଧାନୀ ଭୁବନେଶ୍ବରରେ ଡେରା ପକାଇ ରହୁଛନ୍ତି ଏବଂ ଆନ୍ଦୋଳନ ଏବଂ ଶୋଭାଯାତ୍ରାରେ ଭାଗ ନେଉଥିବା ହେତୁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ପ୍ରଶ୍ନ ଉଠେ କଣ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏକ ସମୟରେ ଅନୁପସ୍ଥିତ ରହନ୍ତି? ଯଦି ସେହିଭଳି ହେଉଥାଏ ତା ହେଲେ ଚଳିତ ବର୍ଷର ପରୀକ୍ଷାଫଳକୁ ଆମେ କିଛି ମାତ୍ରାରେ ବୁଝି ପାରିବା, କିନ୍ତୁ ପୁଣି ପ୍ରଶ୍ନ ଉଠେ “କଣ ଗୋଟିଏ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏକ ସମୟରେ ବିଦ୍ୟାଦାନ ତ୍ୟାଗ କରି ଆନ୍ଦୋଳନ କରିବାପାଇଁ ଯାଇ ପାରିବେ କି? ଯେଉଁ ଶିକ୍ଷକମାନେ ବିଦ୍ୟାଳୟରେ ଯୋଗ ଦେଇଛନ୍ତି ସେମାନଙ୍କର ଛାତ୍ରଛାତ୍ରୀଙ୍କ ପ୍ରତି କୌଣସି କର୍ତ୍ତବ୍ୟବୋଧ ରହିଛି କି ନାହିଁ? ନିଶ୍ଚୟ ଭାବରେ ନିଜର ହକ୍ ପ୍ରାପ୍ୟ ପାଇବା ପାଇଁ ସେମାନେ ଅନ୍ଦୋଳନାତ୍ମକ ପନ୍ଥା ଆପଣାଇ ପାରିବେ, କିନ୍ତୁ ଏଥିପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦାୟରେ ରଖି ସେମିତି କରିବା ଉଚିତ ହେଉଛି କି? ଯେଉଁ ଶିକ୍ଷକମାନେ ବେସରକାରୀ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରନ୍ତି ସେମାନେ କଣ ସରକାରୀ ଶିକ୍ଷକ ମାନଙ୍କ ଠାରୁ ଅଧିକ ଯୋଗ୍ୟ ବା ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ଥାଏ କି?”
ଅନେକ ପ୍ରଶ୍ନ ଏବଂ ଏହାର ଅନେକ ଉତ୍ତର ସେ ସବୁ ଖୋଜି ବସିଲେ ହୁଏତ ଆହୁରି ଅନେକ ପ୍ରଶ୍ନ ଉଠିବ ଆପଣ ଚିନ୍ତା କରନ୍ତୁ ଏବଂ ଜଣାନ୍ତୁ ଆପଣଙ୍କ ମତରେ ଏହି ପରୀକ୍ଷାଫଳ ପାଇଁ ଦାୟୀ କିଏ?
ଆୟକର ଦେବାକୁ ଅମଙ୍ଗ କାହିଁକି ?
ଏଠାରେ ପଢ଼ନ୍ତୁ !ଏଇ ଦେଶର କଣ ହେବ କେଜାଣି
ଏଠାରେ ପଢ଼ନ୍ତୁ !