favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଏଇ ଦେଶର କଣ ହେବ କେଜାଣି

ଏଇ ଦେଶର କଣ ହେବ କେଜାଣି

ବିଦେଶରୁ ଭ୍ରମଣ ସାରି ଘରକୁ ଫେରିବା ପରେ ରମେଶ ଚାରିପାଖରେ ପୁରା ପରିବାର ଏକତ୍ରିତ ହୋଇଗଲେ୤ କାହାପାଇଁ କଣ କଣ ସବୁ ଉପହାର ଅଣାଯାଇଛି ଦେଖିବା ପାଇଁ ସମସ୍ତେ ଉତ୍ସୁକ୤ ସମସ୍ତଙ୍କ ମନ ଜାଣି ରମେଶ ଘରର ମୁରବୀ ଭଳି ସବୁ କଥା ବୁଝେ୤ ଘରର ଭଲମନ୍ଦ ସୁଖଦୁଃଖରେ କାହାକୁ ଅଭାବ ଅନୁଭବ କରାଇ ଦିଏନାହିଁ୤ ସୁଟକେଶ୍ ଖୋଲିଦେଇ ରମେଶ ପିଲାମାନଙ୍କୁ ଖେଳନା, ବାପାଙ୍କୁ ହାତଘଣ୍ଟା ଆଉ ବୋଉଙ୍କୁ ସୁନାମୁଦିଟିଏ ଦେବାପରେ, ସୁଟ୍ ପିସ୍ କନା ପକେଟ ଧରେଇ ଦେଲେ ବଡ଼ ଭାଇକୁ୤ ଭାଇ ଖୁସିରେ ଆତ୍ମହରା ହୋଇଗଲେ୤ ତାଙ୍କ ପରେ ପାଳି ଭାଉଜଙ୍କର୤ ରମେଶ ପୁଣି ଏକ ସମାନ ପ୍ୟାକେଟ୍ ଖୋଲି ଦେଲା୤ ଜିନ୍ ପ୍ୟାଣ୍ଟ୍ ଆଉ ଟପ୍୤ ଭାଉଜ ଆଁ କରି ଚାହିଁଛନ୍ତି ଭାଇ କହିଲେ, “କିରେ ତୁ ପାଗଳ ହେଲୁ ନା କଣ? ତୋ ଭାଉଜ ଏ ସବୁ ପିନ୍ଧିବ? କେବେ ସେ ପିନ୍ଧିଥିଲା?” ଲୁଗା କାନିକୁ ମୁହଁ ସାମନାରେ ଧରି ଠିଆ ହୋଇଥିବା ଭାଉଜ ଲାଜେଇ ଯାଇ କହିଲେ, “ରମେଶ, ତମେ ଜାଣିନ ମୁଁ କଣ ପିନ୍ଧେ?” ରମେଶ କହିଲା, “କୋଉ ଯୁଗରେ ରହୁଛ ତୁମେ ସବୁ? ଲୋକ ଯାଇ ଚନ୍ଦ୍ରରେ ପହଞ୍ଚିଗଲେଣି୤ ଫେସବୁକ୍ ଆଉ ଗୁଗୁଲ୍ ଦୁନିଆକୁ ଛୋଟ କରିଦେଲାଣି୤ ଭାରତର ମହାକାଶଯାନ ମଙ୍ଗଳ ଗ୍ରହରେ ପାଦ ଦେଲାଣି୤ ହେଲେ ବି ସେଇ ପୁରୁଣା କାଳିଆ ଚିନ୍ତା?” ଭାଇ କହିଲେ, “ହେ ରଖ୍ ତୋ ମଡର୍ଣ୍ଣ ଚିନ୍ତାଧାରା୤ କହିଲା ନା କଣ ଯୁଗ ବଦଳିଗଲାଣି୤ ତୋ ଭାଉଜ ସବୁବେଳେ ଶାଢ଼ୀ ପିନ୍ଧି ଆସିଛି ଆଉ ଆଗକୁ ମଧ୍ୟ ସେ ଶାଢ଼ୀ ହିଁ ପିନ୍ଧିବ୤ ତୋ ଯୁଗ ବଦଳି ଯାଇଛି ଯଦି ତୁ ଫରେନର୍ ହେଇ ଯା, ଆମେ ବଦଳି ପାରିବୁନି୤” ରମେଶ ପୁଣି କହିଲା, “ଭାଇ ଯାହା କହୁଛ ସେସବୁର ଅର୍ଥ ଆଜିକାଲି ଆଉ ନାହିଁ୤ ଆମ ଘର ପରିବାର ଯଦି ଯୁଗ ସହ ନ ବଦଳିବ ତା ହେଲେ ଅସୁବିଧା୤ ଆଉ ତାପରେ ଭାଉଜ କଣ ପିନ୍ଧିବେ ନ ପିନ୍ଧିବେ ସେ ବିଷୟରେ ତମେ କାହିଁକି ଏତେ ଦୃଢ଼ ମତବାଦୀ ହେଉଛ? ସେଇଟା ତାଙ୍କ ଇଚ୍ଛା୤ ମହିଳା ମାନଙ୍କର କଣ କିଛି ଆତ୍ମସମ୍ମାନ ନାହିଁ୤ ସବୁବେଳେ ସେମାନେ କାହିଁକି ତମ କଥାରେ ଚାଲିବେ?” ଏଥର ଭାଇ ରାଗିଯାଇ କହିଲେ, “କଣ ଦି ଚାରି ଦେଶ ବୁଲିଦେଲୁ ଯେ ନିଜକୁ ବଡ଼ ଜ୍ଞାନୀ ବୋଲାଉଛୁ୤ ସେ ସବୁ ବିଦେଶରେ ହେଉଥିବ, ଏଇଟା ଆମ ଦେଶ ଭାରତ୤ ଏଠି ଆମ ପରିବାରର ସ୍ବତନ୍ତ୍ର ନୀତିନିୟମ ରହିଛି, ଚାଲିଚଳନ ରହିଛି, ଏ ସବୁ ବଦଳିବ ନାହିଁ୤ ମୁଁ ତ ଆଜି କହୁନି ଭାଉଜ କଣ ପିନ୍ଧିବ କି ଖାଇବ? ଏଇଟା କେଉଁ ଯୁଗରୁ ଚଳି ଆସିଛି, ମୋ ପୂର୍ବରୁ ବାପା ବି ବୋଉ କଥା ବୁଝୁଥିଲେ ଆଉ ତା ପୂର୍ବରୁ ଜେଜେବାପା ଜେଜେମା’ କଥା ବୁଝୁଥିଲେ୤ ଏମିତି ତୁ ବିଦେଶୀ ନୀତିନିୟମ ଆଣି ଥୋପିଦେଲେ ଆମେ କଣ ବଦଳିଯିବୁ୤”

ରମେଶ ଏଥର ହସିଲା୤ ରମେଶର ହସ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ୤ କହିଲା, “ଭାଇ, ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ବିଷୟରେ କଥା ହେବାବେଳେ ଆପଣ କଣ କହୁଥିଲେ? କଣ ନା ସମାଜ ନାରୀ ମାନଙ୍କୁ ଦବେଇ କି ରଖିବାକୁ ଚାହୁଁଛି୤ ନାରୀ ମାନଙ୍କର ଅଧିକାରକୁ ସମ୍ମାନ ଦିଆଯାଉନି୤ ଆଉ କେତେ କଣ? ସେ ସବୁ କଣ ଖାଲି ସଭାସମିତିରେ କହିବା ପାଇଁ କହୁଥିଲ ନା ସତରେ ସେ କଥାର କିଛି ଅର୍ଥ ବୁଝୁଥିଲ?” ଭାଇ ପଚାରିଲେ, “ସାବରିମାଲା ବିଷୟ ସହ ଆମ ପରିବାରର ଚଳଣୀର କି ସମ୍ପର୍କ?”

“ଭାଇ, ସାବରିମାଲା ଆମ ଦେଶର ଏକ ବିଶ୍ବାସ ବା ଆସ୍ଥାର କେନ୍ଦ୍ର୤ ଯଦି ଏଇଟା ଆମ ପରିବାର ସେଇଟା ଆମ ଦେଶ ଆମ ଘର କଥା୤ ଯେଉଁ ମନ୍ଦିରକୁ ମହିଳାମାନେ କାଳ କାଳରୁ କେବେ ଯାଉନଥିଲେ ଏବେ ସେଠି ଯାଇ ପୂଜା କରିବାକୁ କହିବା ବା ଜିଦ୍ କରିବା ବା ଏକ ରକମ ଧମକ ଦେବା କଣ ଯୁକ୍ତିଯୁକ୍ତ ହେଉଛି? ପ୍ରତ୍ୟେକ ମନ୍ଦିର ହେଉ ବା ମସଜିଦ୍ ବା ଚର୍ଚ୍ଚଘର, କିଛି ନା କିଛି ନୀତିନିୟମକୁ ମାନି ଚଳନ୍ତି୤ ସେଇ ନୀତି ହେଉଛି ସେଇ ମନ୍ଦିରର ଧର୍ମ୤ ଯଦି ସେଠାକୁ ପୁରୁଷ ମାନଙ୍କୁ ହିଁ ଯିବା ପାଇଁ ଅନୁମତି ମିଳୁଛି ଏବଂ ବର୍ଷର ମାତ୍ର କିଛି ମାସ ପାଇଁ ସେଇ ଅନୁମତି ମିଳୁଛି, ସେଇଟା ପଛରେ କିଛି ବୈଜ୍ଞାନିକ କାରଣ ନିଶ୍ଚୟ ଭାବରେ ଥିବ, ଏହାକୁ ଆମେ ମାନିବାକୁ ପଡ଼ିବ୤ କାରଣ ଯେଉଁମାନେ ଏତେ ବଡ଼ ବଡ଼ ମନ୍ଦିର ନିର୍ମାଣ କରିଥିଲେ, ଆଉ ଦେବୀ ଦେବତାଙ୍କୁ ପୂଜା ବିଧି ସବୁ ସୃଷ୍ଟି କରିଥିଲେ ସେମାନେ ତ ଆଉ ମୂର୍ଖ ନଥିଲେ! ଏତେ ବିଶାଳ ମନ୍ଦିର ନିର୍ମାଣରେ ବ୍ୟବହୃତ ଯନ୍ତ୍ରୀ ହୁଅନ୍ତୁ ବା କାରିଗର ସେମାନେ ସବୁ ନିଶ୍ଚୟ ଜ୍ଞାନୀ ଥିଲେ୤ ସେହିପରି ମନ୍ଦିର ଭିତର ଦେବାଦେବୀ ଆଉ ପୂଜାପୂଜି ବ୍ୟବସ୍ଥା ସବୁ ଜ୍ଞାନୀ ବ୍ୟକ୍ତିମାନେ ହିଁ ତିଆରି କରିଥିଲେ୤ ମୂର୍ଖ ହୋଇଥିଲେ ସେମାନେ ମନ୍ଦିର କାହିଁକି କରିଥାନ୍ତେ? ଯଦି ସେମାନେ କହୁଛନ୍ତି ଯେ ମନ୍ଦିରରେ ମହିଳା ମାନଙ୍କ ପ୍ରବେଶ ମନା ତା ହେଲେ ତା’ର ମଧ୍ୟ ନିଶ୍ଚୟ କିଛି କାରଣ ରହିଥିବ୤

ମସଜିଦରେ ମହିଳା ମାନଙ୍କ ପ୍ରବେଶ ବାରଣ କରାଯାଉଛି୤ କାହିଁକି? ସେଇଥିରେ ମଧ୍ୟ କୌଣସି ପ୍ରକାର ଆସ୍ଥା ବା ବିଶ୍ବାସ ଥାଇପାରେ୤ ତା ବୋଲି ଆମେ କଣ ଜିଦ୍ କରିବା ଯେ ଆମେ ମହିଳାଙ୍କୁ ମ୍ସଜିଦରେ ପ୍ରବେଶ କରାଇବୁ୤ ଏହାଦ୍ବାରା କଣ ଲାଭ ହେବ? କେବଳ ଅଶାନ୍ତି ହେବ ସିନା ଏହାର କୌଣସି ସୁଫଳ ମିଳିବ ନାହିଁ୤

ମହିଳାଙ୍କୁ ସମାନ ଅଧିକାର ଦିଆଯାଇ ସେମାନଙ୍କୁ ପ୍ରବେଶାଧିକାର ମିଳୁ ବୋଲି ଦାବୀ କରୁଥିବା ଲୋକମାନେ ହୁଏତ ଜାଣୁନାହାନ୍ତି ବିଶ୍ବର କିଛି ଏମିତି ସ୍ଥଳ ବା ସ୍ଥାନ ଅଛି ଯେଉଁଠି କେବଳ ମହିଳା ମାନଙ୍କୁ ପ୍ରବେଶାଧିକାର ମିଳିଛି ଏବଂ ସେଠାରେ ପୁରୁଷ ମାନଙ୍କୁ ପ୍ରବେଶାଧିକାର ନାହିଁ୤ ଆମେ କାହିଁକି ଜିଦ୍ କରିବା ଯେ ସାବରିମାଲାରେ ମହିଳାଙ୍କୁ ପ୍ରବେଶ କରିବାକୁ ଦିଆଯାଉ୤ ଏହାଦ୍ବାରା କଣ ଲାଭ ହେବ୤ ମନ୍ଦିରକୁ ଆମେ କଣ ଗୋଟିଏ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା? ତା’ପରେ ଅନ୍ୟ କୌଣସି ମନ୍ଦିର ଏବଂ ସାବରିମାଲା ମଧ୍ୟରେ ଅନେକ ବିଭେଦ ରହିଛି୤ ଯେମିତି ଏହି ମନ୍ଦିର ବର୍ଷର କେବଳ ନିର୍ଦ୍ଦିଷ୍ଟ କେଇ ମାସ ହିଁ ଖୋଲାରହେ୤ ଏବଂ ଏଠାରେ ପ୍ରବେଶ କରିବାକୁ ହେଲେ ନିଷ୍ଠାର ସହ ଏକ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଳାବସ୍ତ୍ର ପରିଧାନ କରିବାକୁ ହୁଏ୤ ଖାଦ୍ୟ ପାନ, ପୂଜା ବିଧି ସବୁ ମଧ୍ୟ ରହିଛି୤ ଏମିତିକି ସାଂସାରିକ ବ୍ୟକ୍ତି ନିଜ ପରିବାର ଠାରୁ ଦୂରରେ ରହି ଏହି ଧାର୍ମିକ ନୀତିନିୟମକୁ ପାଳନ କରିବାକୁ ପଡ଼େ୤ ବୈରାଗ୍ୟର ଜୀବନ ବିତାଇବା ପରେ ମାସାନ୍ତରେ ମନ୍ଦିରକୁ ଯାଇ ପୂଜା କରିବାକୁ ହୋଇଥାଏ୤ ଏହା ସବୁ ପାଳନ କରିବା ସମ୍ଭବତଃ ସମସ୍ତଙ୍କ କ୍ଷେତ୍ରରେ ସହଜ ନ ହୋଇପାରେ, ତେଣୁ ମନ୍ଦିରରେ ପ୍ରବେଶ କରିବାକୁ ଜିଦ୍ କରିବାକୁ ଆଦୌ ସ୍ପୃହଣୀୟ ଲାଗେନାହିଁ୤ ଏହା କେବଳ ହିନ୍ଦୁ ଧର୍ମର ଏକ ବିଶେଷ ପୂଜାସ୍ଥଳୀକୁ ଅପବିତ୍ର କରିବାର ଏକ ଅସଫଳ ପ୍ରୟାସବୋଲି କୁହାଯାଇପାରେ୤”

ଘରେ ସମ୍ପୁର୍ଣ୍ଣ ନିରବତା, ସମସ୍ତେ ଚୁପଚାପ ଶୁଣୁଥିଲେ୤ ବଡ଼ଭାଇ ମଥାପାତି ବସିଥିଲେ୤ ଭାଉଜ କହିଲେ, “ରମେଶ ତମେ କେତେ କଥା ଜାଣିଛ! ମୁଁ ଭାବୁଥିଲି ମନ୍ଦିରରେ ମହିଳା ମାନଙ୍କୁ ପ୍ରବେଶ ଅଧିକାର ନ ଦେଇ ଆମ ପ୍ରତି ଅନ୍ୟାୟ କରାଯାଉଛି ବୋଲି, ଏବେ ଭାବୁଛି ତମେ ଯାହା କହୁଛ ସବୁ ନିଶ୍ଚୟ ଭାବରେ ସତ୤ ସମସ୍ତେ ତମ ଭଳି ଚିନ୍ତା କରିଲେ କେତେ ଭଲ ହୁଅନ୍ତା୤ କିନ୍ତୁ ଯଦି ସତରେ କେହି ମହିଳା ମନ୍ଦିରକୁ ଯାଇ ପୂଜା କରିବାକୁ ଚାହିଁଥିବ? ଏବେ ପୁରୀରେ ଜଗନ୍ନାଥଙ୍କୁ ପୂଜା କରିବାକୁ ଭକ୍ତ ସାଲବେଗ ମଧ୍ୟ ଚାହିଁଥିଲେ୤ ଅନ୍ୟ ଧର୍ମର ହେଲେ ବି ବେଳେ ବେଳେ ମନରେ ଆସକ୍ତି ଆସିଯାଏ୤ ସେମିତି ବି ହୋଇପାରେ ନା୤”

ରମେଶ ଭାଉଜକୁ ଚାହିଁ କହିଲା, “ହଁ ହେବନି କାହିଁକି? ନିଶ୍ଚୟ ହୋଇପାରେ୤ ଭକ୍ତି କାହାପାଇଁ କେତେବେଳେ ଆଉ କେମିତି ଜାଗ୍ରତ ହେବ କିଏ କହିବ୤ ହେଲେ ଭକ୍ତି କରିବା ପାଇଁ ମନ୍ଦିର ଭିତରକୁ ଯାଇ ପୂଜା କରିବା ପାଇଁ ଜିଦ୍ କରିବା କେମିତିକା କଥା? ଯଦି ବିଶ୍ବାସ ଅଛି ତା ହେଲେ ଭଗବାନ ଯେକୌଣସି ସ୍ଥାନରେ ଯେକୌଣସି ରୂପରେ ଦେଖା ଦେଇ ପାରିବେ ଆଉ ଭକ୍ତର ଭକ୍ତିକୁ ସ୍ବୀକାର କରିବେ୤ ସାଲବେଗ ବି ତ ସେମିତି ହିଁ କରିଥିଲେ ନା୤ ଏ ସବୁ ଲୋକ ଦେଖାଣିଆ କଥା ଭାଉଜ୤ ଅସଲ କଥା ହେଉଛି ଲୋକ ମାନଙ୍କର ଧାର୍ମିକ ଭାବନାକୁ ଆହତ କରିବା୤ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହା ଆଢ଼ୁଆଳରେ ଆମର ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ କଳୁଷିତ କରିବାକୁ ଲାଗିଛନ୍ତି୤

ଭାରତର ସମ୍ବିଧାନ ଆମକୁ ଅଧିକାର ଦେଉଛି ଆମେ ଯେ କୌଣସି ଧର୍ମକୁ ଅବଲମ୍ବନ କରି ପାରିବା୤ ଏହା ଆମର ବ୍ୟକ୍ତିଗତ ବ୍ୟାପାର କିନ୍ତୁ ଅନ୍ୟ ଧର୍ମପ୍ରତି ଅସହିଷ୍ଣୁ ହେବା ଅନୁଚିତ୤ କିନ୍ତୁ ସାମ୍ପ୍ରତିକ ସମୟରେ ଦେଶରେ ଅନେକ ଏମିତି ସଂଗଠନ ବା ଗୋଷ୍ଠୀ ଜନ୍ମ ନେଇଛନ୍ତି ଯେଉଁମାନେ ସମତା ଓ ସମାନ ଅଧିକାରର ଦ୍ବାହୀ ଦେଇ ଆମର ଧାର୍ମିକ ଭାବନାକୁ ବାରମ୍ବାର ଆଘାତ କରୁଛନ୍ତି୤ ଆଉ ଜାଣତରେ ହେଉ ବା ଅଜାଣତରେ ଆମେ ନିଜେ ହିଁ ଆମ ଧର୍ମକୁ ନ୍ୟୁନ କରି ଦେଉଛୁ୤ ହସି କରି କହିଦେଉଛୁ, ଯୁଗ ବଦଳିଲାଣି ଆଉ ସେ ପୁରୁଣାକାଳିଆ ରୀତିନୀତି କିଏ ମାନୁଛି୤ ମନ୍ଦିରରେ କଣ ଅଛି ଯେ ଏତେ ଜିଦ୍ କରୁଛ୤ ଯଦି ମହିଳା ଯିବା ପାଇଁ ଚାହୁଁଛନ୍ତି ଛାଡ଼ି ଦେଉନ?

ଭାଉଜ ଚିନ୍ତା କରି ଦେଖ, ମନ୍ଦିରରେ ପ୍ରବେଶ କରିବା ଅଧିକାର ଯଦି କୋର୍ଟ୍ ପାଖରେ ଅଛି ଏବଂ କୋର୍ଟ୍ ଚାହିଁଲେ ମନ୍ଦିରର ନୀତିନିୟମ ସବୁ ବଦଳି ଯାଉଛି, ତା ହେଲେ ମନ୍ଦିରରେ ବସିଥିବା ଭଗବାନଙ୍କ କୌଣସି ନିୟମ କୋର୍ଟ୍ ସମ୍ମୁଖରେ ତୁଚ୍ଛ ବୋଲି ଧରିନିଅ୤ ସେମିତି ହେଲେ ମନ୍ଦିର ଯାଇ ଲାଭ କଣ? ବରଂ କୋର୍ଟ୍ ଯାଇ ପୂଣ୍ୟ ପାଅ୤ ଆଶ୍ଚର୍ଯ୍ୟ ବିଷୟ ସାବରିମାଲା ମନ୍ଦିରରେ ପ୍ରବେଶ ପାଇଁ ଲଢୁଥିବା ଓକିଲ ଏବଂ ପ୍ରବେଶାଧିକାର ପାଇବା ପାଇଁ ଚାହୁଁଥିବା ମହିଳା ସମସ୍ତେ ଅଣହିନ୍ଦୁ୤ ଏବଂ ସେମାନଙ୍କୁ ସୁରକ୍ଷା ଦେବାପାଇଁ କେରଳରେ ଆୟୋଜିତ ଶୋଭାଯାତ୍ରାରେ କେବଳ ମୁସଲମାନ ଏବଂ ଖ୍ରୀଷ୍ଟିୟାନ୍ ମହିଳା ହିଁ ଦେଖାଯାଉଛନ୍ତି୤ ଯେଉଁ ମହିଳାମାନେ ଯୁଗଯୁଗରୁ ନିଜକୁ କଳା ବୁର୍ଖାରୁ ସ୍ବାଧୀନ କରାଇ ପାରୁନାହାନ୍ତି, ନିଜ ଧର୍ମର ମସଜିଦରେ ପ୍ରବେଶ କରିବା ଭଳି ଅଧିକାର ପାଇଁ ତୁଣ୍ଡ ଖୋଲି କଥା ପଦେ କହି ପାରୁନାହାନ୍ତି ସେମାନେ ଆଜି ଗୋଟିଏ ହିନ୍ଦୁ ମନ୍ଦିରରେ ଅଣହିନ୍ଦୁ ମହିଳାଙ୍କୁ ଅଯୌକ୍ତିକ ଭାବରେ ପ୍ରବେଶ କରାଇବା ପାଇଁ ଦାବୀ କରୁଛନ୍ତି? ଏହା ସବୁ ରାଜନୈତିକ କାର୍ଯ୍ୟକ୍ରମ ଭଳି ମନେ ହେଉନି?”

ସମସ୍ତେ ଚୁପ ଥିଲେ୤ ବାପା କହିଲେ, “ଏଇ ଦେଶର କଣ ହେବ କେଜାଣି! ଆମ ଘର ଲୋକ ତ ଠିକ୍ ନାହାନ୍ତି କାହାକୁ ଆଉ ଦୋଷଦେବା?” ବଡ଼ଭାଇ ମୁହଁ ଆମ୍ବିଳା ହୋଇଗଲା୤ ସେ ସ୍ଥାନ ଛାଡ଼ି ଯାଉ ଯାଉ କହିଲେ, “ଯାଅ, ରମେଶକୁ କିଛି ଖାଇବାକୁ ଦିଅ୤ ବହୁତ ବାଟ ଯାତ୍ରା କରି ଆସିଛି୤”

ବି.ଦ୍ର. : ଏହି ଆଲେଖ୍ୟ କୌଣସି ଧର୍ମକୁ ବା କାହାର ଧାର୍ମିକ ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟରେ ଲେଖାଯାଇନାହିଁ, କିମ୍ବା କୌଣସି ରାଜନୈତିକ ଦଳ ବା ଗୋଷ୍ଠୀର ମତବାଦକୁ ପ୍ରଶ୍ରୟ ଦିଆଯାଇ ଲେଖାଯାଇନାହିଁ୤ ଏହା ସମ୍ପୂର୍ଣ୍ଣଭାବରେ ଏକ ବ୍ୟକ୍ତିଗତ ମତ୤ ଆପଣଙ୍କ ମତ ଇମେଲ୍ ଦ୍ବାରା ମୋତେ ଦେଇ ପାରିବେ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ନିରାଶାଜନକ ପରୀକ୍ଷାଫଳ ପାଇଁ ଦାୟୀ କିଏ?

ନିରାଶାଜନକ ପରୀକ୍ଷାଫଳ ପାଇଁ ଦାୟୀ କିଏ?

ଏଠାରେ ପଢ଼ନ୍ତୁ !
୧୮୨ ମିଟର ଉଚ୍ଚ ସର୍ଦ୍ଦାରଙ୍କ ମୂର୍ତ୍ତୀ : କେତେ ଆବଶ୍ୟକ

୧୮୨ ମିଟର ଉଚ୍ଚ ସର୍ଦ୍ଦାରଙ୍କ ମୂର୍ତ୍ତୀ : କେତେ ଆବଶ୍ୟକ

ଏଠାରେ ପଢ଼ନ୍ତୁ !