favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
୧୮୨ ମିଟର ଉଚ୍ଚ ସର୍ଦ୍ଦାରଙ୍କ ମୂର୍ତ୍ତୀ : କେତେ ଆବଶ୍ୟକ

୧୮୨ ମିଟର ଉଚ୍ଚ ସର୍ଦ୍ଦାରଙ୍କ ମୂର୍ତ୍ତୀ : କେତେ ଆବଶ୍ୟକ

ଅକ୍ଟୋବର ୩୧ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ଭାଇ ମୋଦୀ ଗୁଜୁରାତର ସର୍ଦ୍ଦାର ସରୋବର ବନ୍ଧ ଉପରେ ଏକ ଭବ୍ୟ ସୁଉଚ୍ଚ ମୂର୍ତ୍ତୀର ଉଦଘାଟନ କରିଲେ୤ ଏହା ଭାରତର ପ୍ରଥମ ଗୃହମନ୍ତ୍ରୀ ଶ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ହେବା ସହ ବିଶ୍ବର ସର୍ବୋଚ୍ଚ ମୂର୍ତ୍ତୀ ହେବାର ଗୌରବ ବହନ କରୁଛି୤ ଏଥିପାଇଁ ପାଖାପାଖି ୩ ହଜାର କୋଟି ଟଙ୍କା ବ୍ୟୟ କରାଗଲା୤ ଏହି ସଂଖ୍ୟା ଭାରତ ପାଇଁ ଅନେକ ମୂଲ୍ୟ ରଖେ୤ ଯେତେବେଳେ ଭାରତରେ ଅର୍ଦ୍ଧାଧିକ ଲୋକ ନିଜକୁ ଗରୀବ ରେଖା ତଳେ ରଖିବା ପାଇଁ ଏକ ପ୍ରକାର ପ୍ରତିଯୋଗିତାରେ ଲିପ୍ତ ଅଛନ୍ତି ସେହି ସମୟରେ ଏହି ମୂର୍ତ୍ତୀପାଇଁ ତିନି ହଜାର କୋଟି ଟଙ୍କା ଖର୍ଚ୍ଚ କରିବା କେତେଦୂର ଯଥାର୍ଥ ବୋଲି ମୋର ଅନେକ ବନ୍ଧୁ ପ୍ରଶ୍ନ କରିଥିଲେ୤ ସ୍ବାଭାବିକ ଭାବରେ ଚିନ୍ତା କରିଲେ ଲାଗେ ସତରେ ସରକାର କରଦାତାଙ୍କ ଅର୍ଥର ଦୂରୁପଯୋଗ କରୁନାହାନ୍ତି ତ? ଜଣେ ବ୍ୟକ୍ତିର ମହିମାମଣ୍ଡନ କରିବାପାଇଁ ଏତେ ପରିମାଣର ଅର୍ଥ କାହିଁକି ଖର୍ଚ୍ଚ କରାଯିବ?

ଅନେକ ଚିନ୍ତା କରିବା ପରେ ମୋତେ କିନ୍ତୁ ଏହା ପଛରେ ଏକ ବିଶାଳ ଯୋଜନା ଥିବା ଭଳି ମନେ ହେଲା୤ ତାହା ବିଷୟରେ କହିବା ପୂର୍ବରୁ କହିଦିଏ, ଭାରତରେ ମୂର୍ତ୍ତୀ ନିର୍ମାଣ କୌଣସି ନୂତନ ବିଷୟ ନୁହେଁ୤ ଭାରତର ଛୋଟବଡ଼ ଯେ କୌଣସି ସହର ବା ଗ୍ରାମାଞ୍ଚଳକୁ ଯାଆନ୍ତୁ, ସେଠାରେ ଅନ୍ୟୁନ ମହାତ୍ମା ଗାନ୍ଧୀ, ନେହେରୁ, ଇନ୍ଦିରା ଗାନ୍ଧୀଙ୍କ ପୁର୍ଣ୍ଣାବୟବ ନ ହେଲେ ମଧ୍ୟ ଛୋଟ ବଡ଼ ମୂର୍ତ୍ତୀ ନିଶ୍ଚୟ ଦେଖିବାକୁ ମିଳିବ୤ ଅବଶ୍ୟ ସେ ସବୁ ମୁର୍ତ୍ତୀରେ ଏତେ ପରିମାଣର ଖର୍ଚ୍ଚ ହୋଇନଥିବ୤

ବିଗତ ଦଶନ୍ଧିରେ ଉତ୍ତରପ୍ରଦେଶର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟ ଏଥି ଦୌଡ଼ରୁ ଦୂରରେ ନଥିଲା୤ ମାୟାବତୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାବା ସାହେବ ଆମ୍ବେଦକର ଏବଂ ସ୍ବର୍ଗତ କାଂଶୀରାମଙ୍କ ଅନେକ ମୂର୍ତ୍ତୀ ନିର୍ମାଣ କରାଯାଇଥିଲା୤ ଦଳୀୟ ଚିହ୍ନ ହାତୀର ମହିମାମଣ୍ଡନ କରିବାପାଇଁ କେତେ ଶହ କୋଟି ଟଙ୍କା ବିନିଯୋଗ କରାଯାଇ ବଡ଼ ପାର୍କ ମଧ୍ୟ ନିର୍ମାଣ କରାଯାଇଥିଲା୤ ମୁଲାୟମ ସିଂ ଯାଦବ ଏବଂ ପରେ ଅଖିଲେଶ ଯାଦବଙ୍କ ରାଜତ୍ବରେ ଉତ୍ତର ପ୍ରଦେଶରେ ମହାନ ସମାଜବାଦୀ ନେତା ରାମ ମନୋହର ଲୋହିୟାଙ୍କ ମୂର୍ତ୍ତୀମାନ ସ୍ଥାପନ କରାଯାଇଥିଲା୤

ଦକ୍ଷିଣରେ ଦେଖିଲେ ତାମିଲନାଡୁରେ ପ୍ରାୟ ପ୍ରତ୍ୟେକ ଗ୍ରାମ କିମ୍ବା ସହରରେ ଜଣେ କିମ୍ବା ଅଧିକ ଜଣଙ୍କ ପ୍ରତିମୂର୍ତ୍ତି ରହିଥିବା ଦେଖିବାକୁ ମିଳେ୤ କେରଳ ତଥା ଉତ୍ତରପୂର୍ବ ରାଜ୍ୟରେ ଲେନିନଙ୍କ ପ୍ରତିମୂର୍ତ୍ତୀ ଦେଖିବାକୁ ମିଳେ୤ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ପ୍ରାୟ ଅଧିକାଂଶ ଅଞ୍ଚଳରେ ହନୁମାନ ମୂର୍ତ୍ତି ଦେଖିବାକୁ ମିଳେ୤ ଏହି ସବୁ ମୂର୍ତ୍ତି ନିର୍ମାଣରେ ଅର୍ଥ ବିନିଯୋଗ ହୋଇଥିବ ନିଶ୍ଚୟ, ଅବଶ୍ୟ ଏତେ ଅଧିକ ପରିମାଣର ହୋଇନଥିବ୤

ତା ହେଲେ ମୂର୍ତ୍ତୀ ନିର୍ମାଣ ପଛର ଉଦ୍ଦେଶ୍ୟକୁ ଆମେ ବୁଝିବା ଉଚିତ୤ ସମ୍ଭବତଃ ସହର କିମ୍ବା ଗ୍ରାମାଞ୍ଚଳର ପ୍ରମୁଖ ସ୍ଥାନମାନଙ୍କରେ ମହାପୁରୁଷଙ୍କ ମୁର୍ତ୍ତୀ ରଖିବା ଦ୍ବାରା ଲୋକମାନେ ସେମାନଙ୍କର ମହାନୁଭବତାରେ ଅନୁପ୍ରାଣିତ ହେବେ ଏବଂ ଦେଶ ତଥା ଜାତିପାଇଁ ସ୍ବେଚ୍ଛାକୃତ ଭାବରେ କର୍ମ କରିବେ୤ ହେଲେ ଏହାର ପ୍ରଭାବ କେତେ ପଡ଼େ ତାହା ଆମେ ଜାଣିନାହୁଁ୤ ଅବଶ୍ୟ ବର୍ଷରେ ଦିନେ କି ଅଧେ ସେହି ସବୁ ମୂର୍ତ୍ତୀ ନିକଟରେ ଲୋକମାନେ ଏକତ୍ରିତ ହୋଇ କିଛି କ୍ଷଣପାଇଁ ଗୁଣଗାନ କରନ୍ତି, ପୁଷ୍ପମାଲ୍ୟ ଅର୍ପଣ କରନ୍ତି ଆଉ ପରେ ଭୁଲିଯାଆନ୍ତି୤ ବର୍ଷସାରେ ସେହି ସବୁ ମୁର୍ତ୍ତୀ ଖରାକାକରରେ ପକ୍ଷୀମାନଙ୍କ ମଳତ୍ୟାଗରେ ଗାଧୋଇବା ଆମେ ଦେଖିଛୁ୤ ସମୟ ସମୟରେ ଅସହିଷ୍ଣୁମାନେ ଦଳୀୟ କନ୍ଦଳ ଲଗାଇବା ଉଦ୍ଦେଶ୍ୟରେ ଏହି ମୂର୍ତ୍ତୀ ମାନଙ୍କରୁ ଚଷମା, ବାଡ଼ି ଆଦି ଚୋରାଇବା ମଧ୍ୟ ଶୁଣାଯାଏ, ଆଉ ହିଂସା ସମୟରେ କେହି କେହି ଏହି ସବୁ ମୁର୍ତ୍ତୀକୁ ଭାଙ୍ଗିଦେବାର ଘଟଣା ମଧ୍ୟ ବିରଳ ନୁହେଁ୤

ଏବେ ଆସନ୍ତୁ ଚର୍ଚ୍ଚା କରିବା ସର୍ଦ୍ଦାରଙ୍କ ୧୮୨ ମିଟର ଉଚ୍ଚ ମୂର୍ତ୍ତୀ ବିଷୟରେ୤ ମୋତେ ଏହି ମୂର୍ତ୍ତୀ ନିର୍ମାଣ ପଛରେ ରାଜନୈତିକ ଉଦ୍ଦେଶ୍ୟ କମ ଜନସାଧାରଣଙ୍କ ଉନ୍ନୟନ ପାଇଁ ବ୍ୟବସାୟିକ ଉଦ୍ଦେଶ୍ୟ ଅଧିକ ଦେଖାଯାଉଛି୤ ମୋର ଏଭଳି କହିବା ପଛରେ ରହିଛି ଅନେକ କାରଣ୤

ପ୍ରଥମତଃ ଏହା ଏତେ ସୁଉଚ୍ଚ ମୂର୍ତ୍ତୀ ହୋଇଛି ଯେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହେବା ପୂର୍ବରୁ ହିଁ ଏହାକୁ ଦେଖିବା ପାଇଁ ଜନସମୁଦ୍ର ସୃଷ୍ଟି ହେଲାଣି୤ ଯେପରି ବିଦେଶଗଲେ ଲୋକମାନେ ଷ୍ଟେଚ୍ୟୁ ଅଫ୍ ଲିବର୍ଟି ଦେଖିବାକୁ ଯାଆନ୍ତି, ସେଭଳି ଷ୍ଟେଚ୍ୟୁ ଅଫ୍ ୟୁନିଟି ଦେଖିବାପାଇଁ ମଧ୍ୟ ପର୍ଯ୍ୟଟନ ବୃଦ୍ଧି ପାଇବ ଏଥିରେ ଦ୍ବିମତ ନାହିଁ୤

ଏହାକୁ ଆଖି ଆଗରେ ରଖି ଏହି ଅଞ୍ଚଳରେ ଗୋଟିଏ ତ୍ରିତାରକା ହୋଟେଲ ସମେତ ଅଢ଼େଇ ଶହ ତମ୍ବୁନିର୍ମିତ ଭ୍ରାମ୍ୟମାଣ ବାସସ୍ଥଳୀ ନିର୍ମାଣ ହୋଇଛି୤ ସ୍ବାଭାବିକ ଭାବରେ ଯଦି ଏହି ସ୍ଥାନକୁ ପରିଭ୍ରମଣ କରିବା ଲୋକଙ୍କ ସଂଖ୍ୟା ବଢ଼େ ଏହି ସବୁ ବ୍ୟବସ୍ଥା ଦ୍ବାରା ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପକୁ ଅନେକ ଲାଭ ହେବ ଏଥିରେ ସନ୍ଦେହ ନାହିଁ୤ କୁହାଯାଉଛି ଏହି ମୂର୍ତ୍ତୀକୁ ଦେଖିବାପାଇଁ ଦୈନିକ ଅନ୍ୟୁନ ପନ୍ଦର ହଜାର ପର୍ଯ୍ୟାଟକ ଆସିବେ୤ ହୁଏତ ଏହା ଅଧିକ କିମ୍ବା କମ ହୋଇପାରେ, କିନ୍ତୁ ସପ୍ତାହର ଶେଷ ଦିନମାନଙ୍କରେ ଏଠାରେ ମେଳା ଭଳି ଭିଡ଼ ହେବ ହିଁ ହେବ, ଏବଂ ଏହା ଦ୍ବାରା ସ୍ଥାନୀୟ ଅଧିବାସୀମାନଙ୍କୁ ସ୍ଥାୟୀ ରୋଜଗାର କିଛି ନିଶ୍ଚୟ ମିଳିପାରିବ୤

ସରକାରୀ ଗଣନା ହିସାବରେ ଯଦି ସତରେ ଦୈନିକ ପନ୍ଦର ହଜାର ପର୍ଯ୍ୟଟକ ଆସନ୍ତି ତା ହେଲେ ମାସକୁ ପାଖାପାଖି ପାଞ୍ଚଲକ୍ଷ ଲୋକ ଆସିବେ, ଏବଂ ବର୍ଷକୁ ଷାଠିଏ ଲକ୍ଷ୤ ଯଦି ପ୍ରତ୍ୟେକ ପର୍ଯ୍ୟଟକ ଏଠାରେ ଅନ୍ୟୁନ ଶହେ ଟଙ୍କା ବି ଖର୍ଚ୍ଚ କରେ, ତା ହେଲେ ଏହି ଅଞ୍ଚଳରେ ବାର୍ଷିକ ଷାଠିଏ କୋଟି ଟଙ୍କା ଆୟ କରିହେବ୤ ମନେ ରଖନ୍ତୁ ପର୍ଯ୍ୟଟନ ବଢ଼ିଲେ, ଏଠାରେ ହୋଟେଲ ଶିଳ୍ପ ବଢ଼ିବ, ଉଠା ଦୋକାନୀ ମାନେ ବି ଲାଭାନ୍ବିତ ହେବେ, ଟ୍ୟାକ୍ସି ଓ ଅଟୋ ଚାଳକ, ଫଟୋଗ୍ରାଫର, ଏବଂ ଅନେକ ଲୋକଙ୍କୁ ଜୀବିକା ମିଳିବ୤ ଏହା ନିଶ୍ଚୟ ଭାବରେ ଏକ ଲାଭଜନକ ଅର୍ଥନିଯୁକ୍ତି ବୋଲି କହିପାରିବା୤

ଯେହେତୁ ଏହା ବିଶ୍ବର ଏକ ବିରଳ ନିଦର୍ଶନ ସମ୍ଭବତଃ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବି ହେବ, ଏବଂ ଏହା ହେବ ହିଁ୤ କାରଣ ଭାରତକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ରାଜସ୍ଥାନ ଏବଂ ଉତ୍ତର ଭାରତ ଭ୍ରମଣରେ ଆସନ୍ତି, ଯଦି ଏହା ସହ ସେମାନେ ଗୁଜୁରାତ୍ ପରିଦର୍ଶନରେ ଯାଆନ୍ତି ତା ହେଲେ ଦେଶର ବିଦେଶ ମୁଦ୍ରାଭଣ୍ଡାରରେ ବି ଉନ୍ନତି ହେବ୤ ଶୁଣାଯାଉଛି ଏହି ମୂର୍ତ୍ତୀ କାଳଜୟୀ ଏବଂ ଏକ ଆକଳନ ହିସାବରେ ଏହି ମୂର୍ତ୍ତୀ ଶତାଧିକ ବର୍ଷ ଏମିତି ହିଁ ରହିବ୤ ତା ହେଲେ ଏହାକୁ ନେଇ ଏକ ପୀଢ଼ି ଯେ ସମୃଦ୍ଧ ହେବେ ନାହିଁ କିଏ କହିବ!

ତେଣୁ ଏହିପରି ଏକ ମୂର୍ତ୍ତୀ ଯେ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ଅନୁଚିତ୤ ମୋ ମତରେ ଭାରତ ସରକାର ଏକ ଦୂରଦୃଷ୍ଟିସମ୍ପର୍ଣ୍ଣ ଚିନ୍ତାଧାରର ଏହା ଏକ ସୁଯୋଗ୍ୟ ଯୋଜନା୤ ପ୍ରକୃତରେ ଯେଉ ମହାନୁଭବ ବ୍ୟକ୍ତିତ୍ବ ଭାରତର ସ୍ବାଧୀନତାପରେ ଅନ୍ୟୁନ ପାଞ୍ଚଶହ ବିଭକ୍ତ ରାଜ୍ୟକୁ ଏକତ୍ରିତ କରିବାରେ ସକ୍ଷମ ଥିଲେ ତାଙ୍କୁ ଆମେ ଅନ୍ତତଃ ଏତିକି ଶ୍ରଦ୍ଧାଞ୍ଜଳୀ ତ ଦେଇ ପାରିବା, ଆଉ ଅନ୍ତତଃ ଏହା ତ ଚିନ୍ତା କରିପାରିବା ଯେ ସେ ମରିଗଲାପରେ ମଧ୍ୟ ତାଙ୍କ ମୂର୍ତ୍ତୀ ଦେଶର ଅନେକ ଗରୀବ ଓ ଖଟିଖିଆଙ୍କୁ ଜୀବିକା ଦେଇ ପାରିଲା୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଏଇ ଦେଶର କଣ ହେବ କେଜାଣି

ଏଇ ଦେଶର କଣ ହେବ କେଜାଣି

ଏଠାରେ ପଢ଼ନ୍ତୁ !
ଅନଧିକୃତ ଅନୁପ୍ରବେଶ ଓ ଭାରତ

ଅନଧିକୃତ ଅନୁପ୍ରବେଶ ଓ ଭାରତ

ଏଠାରେ ପଢ଼ନ୍ତୁ !