favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ପଦ୍ମାବତୀକୁ ନେଇ ଉପୁଜିଥିବା ବିବାଦ କାହିଁକି ?

ପଦ୍ମାବତୀକୁ ନେଇ ଉପୁଜିଥିବା ବିବାଦ କାହିଁକି ?

କ୍ରିଏଟିଭ୍ ଫ୍ରିଡମ୍ ବା ସ୍ବାଧିନତାକୁ ପ୍ରତ୍ୟେକ କଳାକାର ଏବଂ କଳା ସହ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କର ରହିଛି୤ ଏହି ସ୍ବାଧିନତା ହେତୁ ଅନେକ ପ୍ରୟୋଗାତ୍ମକ ଚଳଚ୍ଚିତ୍ର ଆମେ ଦେଖିବାକୁ ପାଉଛୁ୤ କିଛି ଗ୍ରହଣୀୟ ଏବଂ କିଛି ଅଗ୍ରାହ୍ୟ ହେଲେ ବି ଯେ ହେତୁ ଏହା କୌଣସି କଳାତ୍ମକ ବ୍ୟକ୍ତିତ୍ବର ମାନସକଥନର ପରିପ୍ରକାଶ ବୋଲି ମନେ କରି ଆମେ ସେ ସବୁକୁ ଗ୍ରହଣ କରି ନେଉଛୁ୤ ଅତୀତ ବା ଇତିହାସର ବିଷୟବସ୍ତୁକୁ ନେଇ ନିର୍ମିତ ଅନେକ ଚଳଚ୍ଚିତ୍ରର ଉଦାହରଣ ଦେଇ ହେବ ଯେଉଁଠି ଚଳଚ୍ଚିତ୍ରର ନିର୍ଦ୍ଦେଶକ ବା ପ୍ରଯୋଜକ ନିଜର ଏହି ସ୍ବାଧିନତାକୁ ବ୍ୟବହାର କରି ଅନେକ ଏମିତି ଦୃଶ୍ୟର ଅବତାରଣା କରିଛନ୍ତି ଯାହା ହୁଏତ ସମ୍ଭବ ହୋଇନଥିବ୤ ମୁଗଲ୍-ଏ-ଆଜମ୍ ଚଳଚ୍ଚିତ୍ରରେ ଦାସୀ ଅନାରକଲି ଶହନସାହ ଆକବରଙ୍କ ସମ୍ମୁଖରେ ନୃତ୍ୟ ଏବଂ ନିଜ ପ୍ରେମର ପରିପ୍ରକାଶ କେବଳ ନାଟ୍ୟରୁପାନ୍ତରିତ ଚିନ୍ତାଟିଏ ହୋଇପାରେ୤ ଏହା ସତରେ ହୋଇଥିବା ଭଳି ମନେ ହୁଏନି, କିନ୍ତୁ ସେ ସବୁ ଆମେ ମନୋରଞ୍ଜନ ବୋଲି ଧରିନେଇଛୁ ଏବଂ ଉପଭୋଗ କରିଛୁ୤

ବିଗତ ସମୟରେ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଛି ଯେଉଁଠି ଇତିହାସକୁ କିଛିକାଂଶରେ ଏବଂ ବେଳେ ବେଳେ ଅନେକାଂଶରେ ପରିବର୍ତ୍ତନ କରି ଉପସ୍ଥାପନ କରାଯାଇଛି, ଯାହାକୁ ନେଇ ସେହି ସମୟରେ କିଛି ପରିମାଣର ଜନ ଉତ୍ତେଜନାର ସ୍ବର ମଧ୍ୟ ପ୍ରକାଶ ପାଇଛି୤ ଅତୀତରେ ଅଶୋକ ନାଁ ଥିବା ଏକ ଚଳଚ୍ଚିତ୍ରରେ ଉତ୍କଳୀୟ ଇତିହାସକୁ ବିକୃତ କରି ଦର୍ଶା ଯାଇଥିଲା୤ କିନ୍ତୁ ସେହି ସମୟରେ ଏହା ମାତ୍ର ଏକ ପିରିୟଡ଼୍ ଡ୍ରାମା ବୋଲି କହି ଆମର ବୁଦ୍ଧିଜୀବିମାନେ ନିରବ ରହିବାକୁ ଉଚିତ ମନେ କରିଥିଲେ୤ ଏମିତି ଉଦାହରଣ ଅନେକ ରହିଛି୤ ଶ୍ରୀ ଜଗନ୍ନାଥ ନାମରେ ନିର୍ମିତ ଚଳଚ୍ଚିତ୍ରରେ ମଧ୍ୟ ପ୍ରେମ ଓ ପ୍ରଣୟର ଅବତାରଣା ପାଇଁ ସଂଗୀତ ଓ ନୃତ୍ୟର ସହାୟତା ନିଆଯାଇଛି, ଯାହା ହୁଏତ ସତରେ ହୋଇନଥିବ୤ ସେ ସବୁକୁ ଆମେ ସହଜରେ ନେଇ ପାରିଲେ କାରଣ ତାହା କେବଳ ନାଟକ ବୋଲି ଆମେ ମାନି ନେଇଥିଲେ୤ ଏବେ ମଧ୍ୟ ଗାଁ ଗାଁରେ ରାଧାପ୍ରେମଲୀଳା, ରାମାୟଣ ଆଦି ନାଟକର ପରିବେଷଣ ସମୟରେ ଅନେକ ତଥ୍ୟକୁ ପରିବର୍ତ୍ତିତ କରି ବା ବିକୃତ କରି ପରିବେଷଣ କରାଯାଉଛି, ଆମେ ସେ ସବୁକୁ ସହଜରେ ନେଇ ପାରୁଛେ୤ କିନ୍ତୁ ପଦ୍ମାବତୀ ନାମକ ଏହି ଚଳଚ୍ଚିତ୍ର ଯାହା ବର୍ତ୍ତମାନ ସମୟରେ ସବୁଠାରୁ ବିବାଦୀୟ ହୋଇ ପଡ଼ିଛି ଏହାର କାରଣ କଣ? କଣ ଏହା କେବଳ ଏକ ରାଜନୈତିକ ବିବାଦରେ ଫସି ଯାଇଥିବା ଚଳଚ୍ଚିତ୍ରମାତ୍ର? ନା ଆଉ କିଛି କାରଣ ଅଛି ଏହାର ବିରୋଧ ହେବାପଛରେ?

ଯେତେବେଳେ ସଞ୍ଜୟ ଲୀଳା ଭଁସାଲୀ ଏହି ଚଳଚ୍ଚିତ୍ରର ପ୍ରାରମ୍ଭିକ ନିର୍ମାଣ କରିବା ଆରମ୍ଭ କରିଥିଲେ ସେହି ସମୟରେ ହିଁ ଏହାର ବିରୋଧ ଆରମ୍ଭ ହୋଇଥିଲା୤ ରାଣୀ ପଦ୍ମାବତୀ ଏବଂ ଦୁର୍ଦ୍ଦଶ ଆଲ୍ଲାଉଦ୍ଦିନ୍ ଖିଲିଜୀଙ୍କ ସମ୍ପର୍କରେ ଏହି ଚଳଚ୍ଚିତ୍ର ନିର୍ମାଣ ହେଉଥିବା କଥା କେହି ପ୍ରଚାର କରିବାପରେ ରାଜସ୍ଥାନରେ ଏହି ଚଳଚ୍ଚିତ୍ରର ନିର୍ମାଣର ବିରୋଧ କରାଯାଇଥିଲା, ଏବଂ ସେହି ସମୟରେ କିଛି ସଂଗଠନ ନିର୍ଦ୍ଦେଶକ ଭଁସାଲୀଙ୍କ ଉପରେ ଆକ୍ରମଣ କରିବା ସହ ସୁଟିଂ ସେଟରେ ଭଙ୍ଗାରୁଜା କରିଥିଲେ୤ ତଥାପି ଭଁସାଲୀ ସାହାସର ସହିତ ଏହାକୁ ତାଙ୍କର ନିର୍ମାଣଗତ ସ୍ବାଧୀନତା ପ୍ରତି ବିପଦ ଦର୍ଶାଇ ସୁଟିଂ ଚାଲୁ ରଖି ସମାପ୍ତ କରିଥିଲେ୤ ଏବେ ଚଳଚ୍ଚିତ୍ରର ପ୍ରଦର୍ଶନର ସମୟ ନିକଟବର୍ତ୍ତୀ ହେବାକୁ ଦେଖି ଏହାର ବିରୋଧ ଅଧିକ ହେବାରେ ଲାଗିଛି୤ ଭାରତ ଇତିହାସରେ ଅନେକ ବ୍ୟକ୍ତିତ୍ବକୁ ଆଦର୍ଶ ଭାବରେ ଗ୍ରହଣ କରାଯାଇଛି ସେହିପରି ମେୱାରର ରାଣୀ ପଦ୍ମାବତୀଙ୍କୁ ମଧ୍ୟ ଜଣେ ଆଦର୍ଶମତୀ ରାଣୀ ଭାବରେ ସମସ୍ତେ ଜାଣନ୍ତି୤ ସେହି ପରି ଚରିତ୍ରର ଜଣେ ରାଣୀଙ୍କୁ ଜଣେ ହତ୍ୟାକାରୀ ସହ ଗୋଟିଏ ପରଦାରେ ଦେଖିବାକୁ କେହି ଚାହାନ୍ତି ନାହିଁ ବୋଲି ଏହି ସବୁ ବିରୋଧ ହେଉଛି ବୋଲି ଆମେ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଛୁ୤

ଏହି ବିରୋଧର ସପକ୍ଷରେ ଏବଂ ବିପକ୍ଷରେ ଜନମତ ସୃଷ୍ଟି ହେବାରେ ଲାଗିଛି୤ ଅନ୍ୟୁନ ଚାରିଗୋଟି ରାଜ୍ୟ ସରକାର ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ବେଳେ ହିଂସାକାଣ୍ଡ ହୋଇପାରେ ବୋଲି ସୁପ୍ରିମ କୋର୍ଟରେ ଜଣାଇଛନ୍ତି୤ ରାଜସ୍ଥାନର ଏକ ସଂଗଠନ କରଣୀ ସେନା ଦ୍ବାରା ଆରମ୍ଭ ହୋଇଥିବା ଏହି ବିରୋଧ ଏବେ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ପାର୍ଟିଦ୍ବାରା ମଧ୍ୟ ବିରୋଧର ଶୀକାର ହେଲାଣି୤

ନିଆଁ ନଥିଲେ ଧୁଆଁ ଉଠେନି ବୋଲି ଆମେ ପିଲାଦିନୁ ଶୁଣି ଆସୁଛୁ୤ ତେଣୁ ଏହି ଚଳଚ୍ଚିତ୍ରର ବିରୋଧ ଏବେ କେବଳ ଗୁଜୁରାତ ନିର୍ବାଚନକୁ ଆଖି ଆଗରେ ରଖି ପ୍ରୟୋଜିତ କରାଯାଇଥିବା କଥାକୁ ଆମେ ଅସ୍ବୀକାର କରିବା୤ କାରଣ ଏହି ଚଳଚ୍ଚିତ୍ରର ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ଏହାର ବିରୋଧ ହେବା ଆରମ୍ଭ ହୋଇ ଯାଇଥିଲା୤ ନିଶ୍ଚୟ ଭାବରେ ଏହାର କାହାଣୀରେ କିଛି ବିରୋଧାଭାସୀ ମନ୍ତବ୍ୟ ବା ଦୃଶ୍ୟ ରହିଥିବ ଯେଉଁଥିପାଇଁ ଏହାର ବିରୋଧ ହେଉଛି୤ ଅବଶ୍ୟ ଯେତେବେଳଯାଏଁ ଆମେ ଏହାକୁ ନିଜେ ସ୍ବଚକ୍ଷୁରେ ନ ଦେଖିବା କିଛି ବି କହିବା ଅନୁଚିତ ହେବ୤ ନଇ ନ ଦେଖୁଣୁ ଲଙ୍ଗଳା ନ୍ୟାୟରେ ମଧ୍ୟ ଏହି ଚଳଚ୍ଚିତ୍ରକୁ ବିରୋଧ କରିବା ଅନୁଚିତ୤

କିଛି ବୁଦ୍ଧିଜୀବି ମତ ଦିଅନ୍ତି ଯେ ଏହା ମାତ୍ର ଏକ ନାଟ୍ୟରୁପାନ୍ତରଣ ତେଣୁ ଏହାକୁ ନେଇ ଏତେ ବିରୋଧ କରିବା ଅନୁଚିତ୤ ତାଙ୍କର ମତ ମଧ୍ୟ ଠିକ୍, ଏହି ନ୍ୟାୟରେ ଆମେ ଅନେକ ଜିନିଷକୁ ସହଜର ଗ୍ରହଣ କରୁଛୁ୤ କିନ୍ତୁ ଯଦି କେବଳ ନାଟ୍ୟ ରୁପାନ୍ତରଣ କରିବାର ଥିଲା ତା ହେଲେ ବିବାଦକୁ ଆସିବା ପରେ ଭଁସାଲୀ ଚଳଚ୍ଚିତ୍ରର ନାଁକୁ ପଦ୍ମାବତୀ ନ ରଖି ଆଉ ଅନ୍ୟ କିଛି ରଖିପାରିଥାନ୍ତେ୤ ସାଙ୍କେତିକ ଭାବରେ କାହାଣୀକୁ ଉପସ୍ଥାପନ କରିପାରିଥାନ୍ତେ! କିନ୍ତୁ ସେ ଯେ ହେତୁ ପଦ୍ମାବତୀ ବୋଲି ନାଁ ଦେଇଛନ୍ତି ତେଣୁ ଏହାକୁ ନେଇ ବିବାଦ ଉପୁଜିବା ସ୍ବାଭାବିକ୤ ଅନ୍ୟ କିଛି ବୁଦ୍ଧିଜୀବିଙ୍କ ମତରେ ଇତିହାସକୁ ବିକୃତ କରି ପରିବେଷଣ କରିବା ଅନୁଚିତ୤ ଆମେ ମଧ୍ୟ ଏହି ମତକୁ ସମର୍ଥନ କରୁଛୁ୤ ଆମର ଦେଶର ଏକ ଗୌରବମୟ ଇତିହାସ ଅଛି, ଯାହାକୁ ନେଇ ଆମେ ଗର୍ବ ଅନୁଭବ କରୁଛୁ୤ ତେଣୁ ସେହି ଗୌରବମୟ ଇତିହାସର ଚରିତ୍ରମାନଙ୍କୁ ସେମାନଙ୍କ ଚରିତ୍ର ଅନୁକୂଳ ନ ଦର୍ଶାଇ ଅନ୍ୟଭଳି ଦର୍ଶାଇବା ସମ୍ଭବତଃ ଅନେକଙ୍କ ପକ୍ଷରେ ଅଗ୍ରାହ୍ୟ ହୋଇପାରେ୤

ସେ ଯା ହେଉ, ଏହା ମାତ୍ର ଏକ ଚଳଚ୍ଚିତ୍ର ଏବଂ ଏହାକୁ ଚଳଚ୍ଚିତ୍ର ବୋଲି ମନେ କରି ଆମେ ଦେଖିବା ଉଚିତ ହେବ୤ କିନ୍ତୁ ଯଦି ସେଥିରେ କୌଣସି ଆପତ୍ତିଜନକ ଦୃଶ୍ୟ ଥାଏ ତେବେ ସେ ସବୁକୁ ନ୍ୟାୟାଳୟଙ୍କ ସହାୟତାରେ ବାଦ ଦେଇ ଚଳଚ୍ଚିତ୍ରକୁ ପ୍ରଦର୍ଶନ ପାଇଁ ସୁଯୋଗ ଦେବା ଉଚିତ ହେବ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଇଂରାଜୀ ନବବର୍ଷକୁ ବିରୋଧ କାହିଁକି ?

ଇଂରାଜୀ ନବବର୍ଷକୁ ବିରୋଧ କାହିଁକି ?

ଏଠାରେ ପଢ଼ନ୍ତୁ !
ଆ କା ମା ବୈ ର ତାତ୍ପର୍ଯ୍ୟ କଣ ? କାର୍ତ୍ତିକରେ ଆମିଷ ଖାଆନ୍ତି ନାହିଁ କାହିଁକି?

ଆ କା ମା ବୈ ର ତାତ୍ପର୍ଯ୍ୟ କଣ ? କାର୍ତ୍ତିକରେ ଆମିଷ ଖାଆନ୍ତି ନାହିଁ କାହିଁକି?

ଏଠାରେ ପଢ଼ନ୍ତୁ !