favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଆ କା ମା ବୈ ର ତାତ୍ପର୍ଯ୍ୟ କଣ ? କାର୍ତ୍ତିକରେ ଆମିଷ ଖାଆନ୍ତି ନାହିଁ କାହିଁକି?

ଆ କା ମା ବୈ ର ତାତ୍ପର୍ଯ୍ୟ କଣ ? କାର୍ତ୍ତିକରେ ଆମିଷ ଖାଆନ୍ତି ନାହିଁ କାହିଁକି?

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ଏହି ଦିନ ପ୍ରାତଃକାଳରୁ ଶଯ୍ୟା ତ୍ୟାଗକରି ଓଡ଼ିଆମାନେ ସହର ଏବଂ ଗ୍ରାମାଞ୍ଚଳର ପ୍ରମୁଖ ଜଳାଶୟ ମାନଙ୍କ ତଟରେ ଏକତ୍ରିତ ହୋଇ ସ୍ନାନ କରି କଦଳୀ ପଟୁକାରେ ନିର୍ମିତ ଡଙ୍ଗାରେ ପାନ, ଗୁଆ, ଆଉ ଅନ୍ୟାନ୍ୟ ପୂଜା ସାମଗ୍ରୀ ଥୋଇ ଭସାଇବାର ପ୍ରଥା ରହିଛି୤ ଏହି ସମୟରେ ଲୋକମୁଖରେ ଗୋଟିଏ କ୍ଷୁଦ୍ର ପଦ୍ୟ ରହିଥାଏ,

ଆ, କା, ମା, ବୈ / ଗୁଆ ପାନ ଥୋଇ
ଗୁଆ ପାନ ତୋର / ମାସକ ଧର୍ମ ମୋର୤

ଏହାର ତାତ୍ପର୍ଯ୍ୟ କଣ? ମୁଁ ଯାହା ବୁଝିଛି ବା ଜାଣିଛି ସେହି ମତରେ ଏହି ପଦ୍ୟାବଳୀରେ କୁହାଯାଉଥିବା ଆ, କା, ମା ଏବଂ ବୈ ଓଡ଼ିଆ ମାସଆଶ୍ବିନ, କାର୍ତ୍ତିକ, ମାର୍ଗଶୀର ଏବଂ ବୈଶାଖକୁ ସୂଚାଏ୤ ଏହି ସବୁ ମାସରେ ପବନର ଦିଗ ଅନୁକୂଳ ରହୁଥିବା ହେତୁ ଅତୀତରେ ଏହି ସବୁ ମାସରେ ଓଡ଼ିଆ ସାଧବପୁଅମାନେ ବ୍ୟାପାର କରିବାପାଇଁ ବିଶାଳ ପୋତରେ ବିଦେଶକୁ ଯାତ୍ରା କରୁଥିଲେ୤

ପରେ ପରେ ଏହି ପର୍ବର ପ୍ରଚଳନ ହେବା ହେତୁ ଲୋକମାନେ ହୁଏତ କଦଳୀ ପଟୁକାରେ ନିର୍ମିତ ଡଙ୍ଗାରେ ଗୁଆ ପାନ ଆଦି ଥୋଇ ଜଳାଶୟରେ ଭସାଇ ଏହା ଭଗବାନଙ୍କ ଉଦ୍ଦେଶ୍ୟରେ କହୁଥାଇପାରନ୍ତି ବୋଲି ମୁଁ ମନେ କରେ୤ କାର୍ତ୍ତିକ ମାସର ମହାତ୍ମ୍ୟ ଅନ୍ୟ ମାସ ଠାରୁ ଭିନ୍ନ୤ କୁହାଯାଏ ଏହି ମାସ ଅତ୍ୟନ୍ତ ପୂଣ୍ୟମାସ୤ ତେଣୁ ଏହି ମାସକୁ ପ୍ରାୟତଃ ଅଧିକାଂଶ ଓଡ଼ିଆ ପରିବାର ନିଷ୍ଠାର ସହ ପାଳନ କରନ୍ତି୤ ଘରେ ଘରେ ପ୍ରତିଦିନ ତୁଳସୀ ଚଉଁରାମୂଳେ ମୁରୁଜ ଝୋଟିରେ ଅନେକ ଚିତ୍ର କରାଯାଏ୤ ଉଚ୍ଚ ବାଉଁଶଖୁଣ୍ଟରେ ମାଟି ମାଠିଆରେ ଦୀପ ଲଗାଯାଏ ଯାହାକୁ ଆକାଶ ଦୀପ ବୋଲି ମଧ୍ୟ କୁହାଯାଏ୤ ଏହି ମାସକୁ ନିଷ୍ଠାର ସହ ପାଳନ କରୁଥିବା ବ୍ୟକ୍ତିର ସମସ୍ତ ପାପକ୍ଷୟ ହୁଏ ବୋଲି ମାନ୍ୟତା ରହିଛି୤

ଏହି ମାସରେ ଆମିଷ ଭକ୍ଷଣ ବାରଣ କରାଯାଏ୤ ଏହାର ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ବି ରହିଛି୤ ଅନେକେ ଏହାକୁ ଧାର୍ମିକ ନିଷ୍ଠାର ଅଂଶ ବିଶେଷ ବୋଲି ମନେ କରି ପାଳନ କରୁଥିଲେ ସୁଦ୍ଧା, ଏହାର ବୈଜ୍ଞାନିକ ଦୃଷ୍ଟିକୋଣ ପ୍ରତି ଅନେକ ଅଜ୍ଞ୤ ବିଶେଷତଃ କାର୍ତ୍ତିକ ମାସରେ ଶୀତର ପ୍ରକୋପ ଅଧିକଥାଏ ଏବଂ ଏହି ମାସରେ ବିଭିନ୍ନ କିସମର ଶାଗ ଓ ପନିପରିବା ପ୍ରଚୁର ମାତ୍ରାରେ ମିଳିଥାଏ, ତେଣୁ ବୋଧହୁଏ ଲୋକମାନେ ଅଧିକ ନିରାମିଷ ଖାଆନ୍ତି୤ ଏବଂ ଅନ୍ୟ ଏକ ଦୃଷ୍ଟିକୋଣରୁ ଆମର ଶରୀରରେ ଖାଦ୍ୟ ହଜମ କରୁଥିବା ପ୍ରଣାଳୀ ସମ୍ଭବତଃ ଏହି ସବୁ ମାସରେ ଅଧିକ କାର୍ଯ୍ୟକ୍ଷମ ହୋଇପାରେ ନାହିଁ, ତେଣୁ ଏହି ସମୟରେ ଗରିଷ୍ଠ ଖାଦ୍ୟ ଖାଇଲେ ହଜମ ହେବନାହିଁ ବୋଲି ମଧ୍ୟ ହୁଏତ ଆମିଷ ଖାଇବାକୁ ବାରଣ କରାଯାଇଥିବ ବୋଲି ମୋର ମତ୤ ଅବଶ୍ୟ ଏହା ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି୤ କିଏ କେବେ ଆଉ କେଉଁ ପରିସ୍ଥିତିରେ କାର୍ତ୍ତିକମାସରେ ଆମିଷ ଖାଇବାକୁ ମନା କରିଥିଲା ତାହା ଜାଣିବା ଆବଶ୍ୟକ୤

ଆହ୍ବାନ ଓଡ଼ିଆ ବ୍ଲଗ୍ ପଢୁଥିବା ସମସ୍ତ ବନ୍ଧୁଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଅଭିନନ୍ଦନ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ପଦ୍ମାବତୀକୁ ନେଇ ଉପୁଜିଥିବା ବିବାଦ କାହିଁକି ?

ପଦ୍ମାବତୀକୁ ନେଇ ଉପୁଜିଥିବା ବିବାଦ କାହିଁକି ?

ଏଠାରେ ପଢ଼ନ୍ତୁ !
ଗୋଲମାଲ୍ ଏଗେନ୍ : କାହିଁକି ଏହାକୁ ନିଶ୍ଚୟ ଦେଖିବେ?

ଗୋଲମାଲ୍ ଏଗେନ୍ : କାହିଁକି ଏହାକୁ ନିଶ୍ଚୟ ଦେଖିବେ?

ଏଠାରେ ପଢ଼ନ୍ତୁ !