favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ସେ ଅଛି, ତେଣୁ ଆମେ ଅଛୁ୤

ସେ ଅଛି, ତେଣୁ ଆମେ ଅଛୁ୤

ସେ ଆମ ଜାତିର ଆରାଧ୍ୟ ଦେବତା୤ ଅବଶ୍ୟ ଦେବତା ବୋଲି ଆମେ ଯେତିକି ଭାବିଛୁ ତାଠୁ ଢେର୍ ଅଧିକ ସେ ଆମ ଜୀବନ ଓ ପରିବାରର ଅଙ୍ଗଭାବରେ ଆମ ଘରର ଗୋଟିଏ ସ୍ଥାନରେ ପ୍ରସ୍ତର ମୂର୍ତ୍ତୀଟିଏ ହେଉ ପଛେ ରହିଅଛନ୍ତି୤ ତାଙ୍କୁ ଆମେ ସ୍ନେହ କରିଛୁ, ଆଦର କରିଛୁ, ବେଳେ ବେଳେ ଗାଳି ବି ଦେଉଛୁ, ତଥାପି ତାଙ୍କୁ ଛାଡ଼ିଦେଇ ଆମ ଜାତିର ଅତୀତ ବର୍ତ୍ତମାନ ଓ ଭବିଷ୍ୟତକୁ ଆମେ ଦେଖିବାର ସାହାସ କରିନାହୁଁ୤
ସେ ସମସ୍ତ ଜଗତର ନାଥ, ବିଶ୍ବବ୍ରହ୍ମାଣ୍ଡର ପତି, ଶବରର ନୀଳମାଧବ, ସମଗ୍ର ଓଡ଼ିଆ ଜାତିର ପରମପ୍ରିୟ ଶ୍ରୀ ଜଗନ୍ନାଥ୤ ଏମିତି ଦେବତା ଯେ ମାନବସମ ଲୀଳା ରଚନା କରି ଆମ ଜୀବନକୁ ଓ ସମସ୍ତ ଐତିହାସିକ ସାମଗ୍ରିକତାରେ ଆମ ସମାଜକୁ ଐକ୍ୟତାର ରଜ୍ଜୁରେ ବାନ୍ଧି ରଖିବାରେ ସମର୍ଥ ହୋଇଛନ୍ତି୤ ବିନା ଦ୍ବିଧାରେ ଯେ ଆମକୁ ନିଜ ନିକଟକୁ ଟାଣି ନେଇଛନ୍ତି, ଆମ ପରି ସୁଖ ଦୁଃଖ ଭୋଗିଛନ୍ତି୤ ଗ୍ରୀଷ୍ମର ଅସହ୍ୟ ନିଦାଘରେ ଜଳଲୀଳା କରିଛନ୍ତି, ସ୍ନାନ କରିବାପରେ ଜ୍ବରରେ ପଡ଼ିଛନ୍ତି୤ ଜ୍ବର ରୋଗାକ୍ରାନ୍ତହୋଇ ଅନ୍ୟମାନଙ୍କଠାରୁ ଦୂରରେ ଅଣସର ଘରେ ପୀଡ଼ାରେ ପଡ଼ିଛନ୍ତି୤ ପୁଣି ଥରେ ସ୍ବାସ୍ଥ୍ୟଘେନି ନବଯୌବନ ଦର୍ଶନ ଦେଇଛନ୍ତି୤ କାହାପାଇଁ ହାତୀ ତ ପୁଣି କାହାପାଇଁ ପର୍ଶୁରାମ ବେଶରେ ନିଜକୁ ସଜାଇଛନ୍ତି୤ ସଦବା ଭକ୍ତର ମନକୁ ଚାହିଁ ନିଜକୁ ଭକ୍ତଲୋଭୀ କରାଇଛନ୍ତି୤
ଆମ ଦେବତାଙ୍କୁ ଦେଖିବାପାଇଁ ଆମକୁ କର ବା ଅର୍ଥ ଦେବାକୁ ହେଉନି୤ ଆମ ଦେବତା ଉଦାର ଚିତ୍ତରେ ସମସ୍ତଙ୍କୁ ସ୍ବାଗତ କରୁଛନ୍ତି୤ ନା କୌଣସି ଭକ୍ତକୁ ଆଶା ଓ ନିରାଶାରେ ବାନ୍ଧିରଖିବାପାଇଁ କୌଣସି ପ୍ରକାର ଅର୍ଥ ବା ଉପହାରର ଆଶା କରିଛନ୍ତି୤ ବୋଧ ହୁଏ ସେଇଥି ପାଇଁ ଆମ ଭଗବାନଙ୍କ ମନ୍ଦିରର ହୁଣ୍ଡି ସବୁବେଳେ ଖାଲି, କେହି କେବେ ଏଠି ସୁନା ପାତିଆ, ହାର ବା ମୂଲ୍ୟବାନ ହୀରା ଦାନ କରିନାହିଁ କିମ୍ବା କେହି ଭଗବାନଙ୍କ ଉଦ୍ଦେଶ୍ୟରେ ଅଗଣିତ ଦାନ କରିନାହିଁ୤ ଭଗବାନ ଅଯାଚିତ ଭାବରେ ସମସ୍ତଙ୍କୁ ସବୁକିଛି ଦେଉଛନ୍ତି୤ ଭଗବାନଙ୍କ ରାଜତ୍ବରେ ସମସ୍ତେ ଆନନ୍ଦରେ ରହିଛନ୍ତି୤
ବର୍ଷକରେ ଥରେ ମହାପ୍ରଭୂ ସମସ୍ତ ଭକ୍ତଙ୍କୁ ଆପ୍ୟାୟିତ କରିବାପାଇଁ ସ୍ବୟଂ ନିଜ ମହଲରୁ ଓହ୍ଲାଇ ଆସନ୍ତି ରାଜରାସ୍ତାକୁ ଆଉ ଲୋକାରଣ୍ୟମଧ୍ୟରେ ଦେଖାନ୍ତି ନିଜର ଉପସ୍ଥିତି ଓ ଉଦାରତାର ଚମତ୍କାର ସ୍ବରୂପ୤ ଧର୍ମ ଜାତିର କୌଣସି ବାଛବିଚାର ନାହିଁ, ସମସ୍ତେ ଏକାକାର୤ ଆମ ଜାତି ଆମ ଧର୍ମର ମହାନ ଦେବତାଙ୍କ ଏପରି ଏକ ସୁନ୍ଦର ବ୍ୟବସ୍ଥା ବିଶ୍ବର ଅନ୍ୟକୌଣସି ଦେବତାଙ୍କ ପାଖରେ ଦେଖାଯାଏ ନାହିଁ୤ ଆଜି ଯେଉଁ ସବୁ ଦେବୀଦେବତାଙ୍କୁ ଜନସାଧାରଣ ନିଜର ବୋଲି ଆପଣେଇଛନ୍ତି, ଦିନକାଳ ଭୁଲି କେବଳ ତାଙ୍କ ନାଁ ଭଜୁଛନ୍ତି, ତାଙ୍କରି ନାଁରେ ଅଗଣିତ ଧନ ଓ ଉପହାର ଢାଳି ଦେଉଛନ୍ତି, ଦର୍ଶନ ପାଇବା ପାଇଁ ଶହ ଶହ ଟଙ୍କା ଦେଇ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହୋଇ ରହୁଛନ୍ତି, ଯେଉଁଠି ଦର୍ଶନି ପାଇବା ଆଶାର ଭଗବାନଙ୍କୁ ରାତିରେ ଶୁଆଇ ଦିଆଯାଉନାହିଁ, ସେଠାରେ ଆମ ଏଇ ଲୋକ ମାନେ ଭୁଲିଯାଉଛନ୍ତି ବୋଧହୁଏ, ସମଗ୍ର ବିଶ୍ବବ୍ରହ୍ମାଣ୍ଡର ଅଧୀଶ୍ବର କହିଛନ୍ତି, ତୁମେ ନିଜ କର୍ମକର, କର୍ମସ୍ବରୂପ ଫଳ ମୁଁ ତୁମକୁ ଦେବି, ଯାହା ତୁମର ପ୍ରାପ୍ୟ ତାହା ତୁମେ ଅବଶ୍ୟ ପାଇବ, ହେଲେ ଆମର ଏହି ଅଧମ ଯୁଗର ଅଧମ ଲୋକମାନେ ଭଗବାନଙ୍କୁ ଲାଞ୍ଚୁଆ କରିଦେଲେଣି୤ ଅନାବଶ୍ୟକ ଭାବରେ ଅସଂଖ୍ୟ ମନ୍ଦିର ତୋଳିଦେଲେଣି୤ ଭଗବାନଙ୍କ ଗୁଣଗାନ କରିବାପାଇଁ ସଂଖ୍ୟାପରେ ସଂଖ୍ୟା ପତ୍ରିକା ମାନ ସବୁ ଛାପିଦେଲେଣି୤
ନା ଆମ ମହାପ୍ରଭୁ ସେମିତି ନୁହନ୍ତି୤ ସେ ତ ସବୁ ଜାଣନ୍ତି୤ ନିଜ କୁଡ଼ିଆରେ ବସି ଲୁହ ଝରାଉଥିବା ଗରିବ ଦୀନ ଦୁଃଖିଠୁ ଆରମ୍ଭକରି ଧନୀ ଓ ପ୍ରାଚୁର୍ଯ୍ୟରେ ବୁଡ଼ିରହୁଥିବା ସେଠ ସାହୁକାର ପର୍ଯ୍ୟନ୍ତ ସମସ୍ତଙ୍କ କଥା ସେ ଠିକ୍ ବୁଝୁଛନ୍ତି୤ ଆମକୁ ଅଭାବ ନାହିଁ୤ ଆମ ନାଥ ଆମ ସହ ରହିଛି୤ ତେଣୁ ତାକୁ ଆମେ ଆମ ଜୀବନର ଅଙ୍ଗ କରିଦେଲୁଣି୤ ମହାପ୍ରଭୂ ବୋଲି ଯେତେ ଡାକିନୁ, ସେତେ ନିଜର ଭଳି କେବେ ଜଗା ତ କେବେ କାଳିଆ ବୋଲି କହିଛୁ୤ ପୁଣି କେବେ କେଉଁ କେଉଁ ନାଁ ରେ ଡାକିଛୁ, ସେ ସବୁ ଶୁଣିଛି, କେବେ ଅବହେଳା କରିନି୤ କାରଣ ସେ ଆମ ଘରର ଭଲମନ୍ଦ ବୁଝୁଛି, ସୁଖ ଦୁଃଖ ଜାଣୁଛି୤ ସେ ଅଛି, ତେଣୁ ଆମେ ଅଛୁ୤ ତା ସତ୍ତାରେ ଆମ ସତ୍ତା ରହିଛି୤
ଜୟ ଜଗନ୍ନାଥ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଅର୍ଥ ବିନିଯୋଗକାରୀଙ୍କୁ କ୍ଷତିପୂରଣ କେତେ ଯୁକ୍ତିଯୁକ୍ତ

ଅର୍ଥ ବିନିଯୋଗକାରୀଙ୍କୁ କ୍ଷତିପୂରଣ କେତେ ଯୁକ୍ତିଯୁକ୍ତ

ଏଠାରେ ପଢ଼ନ୍ତୁ !
ବିବାହିତ ଦମ୍ପତ୍ତିମାନେ ସୋସିଆଲ୍ ମିଡ଼ିଆରେ କରୁଥିବା ୫ଟି ଅସହ୍ୟ ଦୋଷ

ବିବାହିତ ଦମ୍ପତ୍ତିମାନେ ସୋସିଆଲ୍ ମିଡ଼ିଆରେ କରୁଥିବା ୫ଟି ଅସହ୍ୟ ଦୋଷ

ଏଠାରେ ପଢ଼ନ୍ତୁ !