favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ବିବାହିତ ଦମ୍ପତ୍ତିମାନେ ସୋସିଆଲ୍ ମିଡ଼ିଆରେ କରୁଥିବା ୫ଟି ଅସହ୍ୟ ଦୋଷ

ବିବାହିତ ଦମ୍ପତ୍ତିମାନେ ସୋସିଆଲ୍ ମିଡ଼ିଆରେ କରୁଥିବା ୫ଟି ଅସହ୍ୟ ଦୋଷ

ବିବାହ ଏକ ଅଦ୍ଭୁତପୂର୍ବ ସମୟ୤ ବିବାହ ପରେ ପ୍ରତ୍ୟେକ ବିବାହିତ ପୁରୁଷ ଓ ନାରୀ ବିବାହ ବିଷୟରେ ଅନ୍ୟମାନଙ୍କ ଜଣାଇବାକୁ ଅତ୍ୟନ୍ତ ଉତ୍ସୁକ ରହିଥାନ୍ତି୤ ବିବାହ ଏକ ଏମିତି ସମୟ ଅନେକ ଯୁବକ ଯୁବତୀ ଏହି ସମୟରେ ନିର୍ବିଘ୍ନରେ ସର୍ବସମ୍ମୁଖରେ ଉଚ୍ଚ ସ୍ବରରେ ବିବାହ ସପକ୍ଷରେ ଯୁକ୍ତି ବାଢ଼ିବାରେ ଲାଗିପଡ଼ନ୍ତି୤ ନିଜର ବିବାହ ଉତ୍ସବରେ ସମସ୍ତଙ୍କୁ ସାମିଲ କରିବାପାଇଁ ଉଣା ଅଧିକ ସମସ୍ତେ ତତ୍ପର ହୋଇପଡ଼ନ୍ତି୤ ସୋସିଆଲ୍ ମିଡ଼ିଆ (ଫେସବୁକ, ଟ୍ବିଟର୍ ଇତ୍ୟାଦି) ଦ୍ବାରା ଆଜିକାଲି ତାହା ସମ୍ଭବ ହୋଇପାରିଛି୤ ସତରେ ନ ହେଲେ ବି ସମସ୍ତଙ୍କୁ ନିଜ ବିବାହରେ ସାମିଲ କରାଇବାର ଅନୁଭୂତି ସୋସିଆଲ୍ ମିଡ଼ିଆ ଆମକୁ ଦେଇଛି୤ କିନ୍ତୁ ବେଳେ ବେଳେ ନିଜର ଅଜାଣତରେ ଅତ୍ୟନ୍ତ ଉତ୍ସାହୀ ଯୁବକ ଯୁବତୀମାନେ ଏମିତି କାମ ସବୁ କରନ୍ତି ଯେଉଁଥିପାଇଁ ଅନ୍ୟମାନେ ଅହେତୁକ ମାନସିକ ଦୁଶ୍ଚିନ୍ତା ଭୋଗ କରନ୍ତି୤ ଅନେକ ବନ୍ଧୁ ସୋସିଆଲ୍ ମେଡ଼ିଆର ଏହି ଅନ୍ଧାର ଦିଗପ୍ରତି ଧ୍ୟାନ ଦେଇନାହାନ୍ତି୤ ସୋସିଆଲ୍ ମିଡ଼ିଆ ପ୍ରତି ଆକୃଷ୍ଟ ବନ୍ଧୁମାନେ ଭୁଲିଯାଆନ୍ତି ଯେ ବାସ୍ତବିକ ଜୀବନ ଓ ସୋସିଆଲ୍ ମିଡ଼ିଆର ଜୀବନ ଭିତରେ ଏକ କ୍ଷୀଣ ରେଖା ରହିଛି୤ ବିଶେଷ କରି ନବବିବାହିତ ଯୋଡ଼ିମାନେ ଅନ୍ତତଃ ଏତିକି ଜିନିଷ ମନେ ରଖିଲେ ସୋସିଆଲ୍ ମିଡ଼ିଆକୁ ସେମାନେ ସମସ୍ତଙ୍କ ପାଇଁ ଉପଭୋଗ୍ୟ କରିପାରିବେ୤ ୧. ପରସ୍ପର ଉପରେ ଅତ୍ୟନ୍ତ ନିର୍ଭରଶୀଳ ଦେଖାଦେବା ଆମେ ଜାଣିଛୁ, ତୁମେ ବିବାହ କରିଛ୤ ପରସ୍ପରକୁ ବହୁତ ଭଲ ବି ପାଉଛ୤ ତାହା କିନ୍ତୁ ସୋସିଆଲ୍ ମିଡ଼ିଆରେ ପ୍ରମାଣିତ କରିବାପାଇଁ ପ୍ରତି ମୁହୂର୍ତ୍ତରେ ପରସ୍ପରକୁ ଭଲପାଉଥିବା ଦର୍ଶାଇ ସନ୍ଦେଶମାନ ପୋଷ୍ଟ କରିବା କେତେଦୂର ଯଥାର୍ଥ୤ ତୁମ ସ୍ବାମୀ ବା ସ୍ତ୍ରୀ ଯଦି ତୁମର ବିଶେଷ ଧ୍ୟାନ ରଖୁଛନ୍ତି ତା ହେଲେ ତ ତୁମେ ଭାଗ୍ୟବାନ ନିଶ୍ଚୟଭାବରେ, କିନ୍ତୁ ସେ ସବୁକୁ ସୋସିଆଲ୍ ମିଡ଼ିଆରେ ପ୍ରକାଶିତ କରି ଅନ୍ୟମାନଙ୍କୁ କାହିଁକି ଅଯଥାରେ ହଇରାଣ କରୁଛ ? ଚିନ୍ତାକର ଦିନେ ତୁମେ ସକାଳୁ ସକାଳୁ ସୋସିଆଲ୍ ମିଡ଼ିଆ ସାଇଟରେ ପହଞ୍ଚିବା ପରେ ଦେଖିବ ଯେ ତୁମର ସବୁ ବନ୍ଧୁ ବା ବାନ୍ଧବୀ କେବଳ ନିଜ ସ୍ବାମୀ ବା ସ୍ତ୍ରୀକୁ ପ୍ରଶଂସା କରି ଲେଖାମାନ ଲେଖିଛନ୍ତି, ତୁମେ କଣ ସବୁ ଗୁଡ଼ିକ ବସି ପଢ଼ିବ୤ ନା, ସ୍ବାମୀ ଓ ସ୍ତ୍ରୀ ଭିତରର ବିଶେଷ ମୁହୂର୍ତ୍ତ ମାନ ସେମାନଙ୍କର ଏକାନ୍ତ ନିଜସ୍ବ, ତେଣୁ ସେ ସବୁକୁ ଅନ୍ୟମାନେ ପଢ଼ିବା ଅନୁଚିତ, ଆଉ ଅଧିକାଂଶ ଲୋକ ପଢ଼ନ୍ତି ବି ନାହିଁ, ବେଳେ ବେଳେ କିଛି ବନ୍ଧୁ ଇର୍ଷ୍ୟାର ଶୀକାର ହୋଇ କମେଣ୍ଟମାନ ବି ଦିଅନ୍ତି୤ ଆଉ କିଛି ବନ୍ଧୁ ମନେ ମନେ ତୁମ ମୁର୍ଖାମୀ ପାଇଁ ହସନ୍ତି୤ ୨. ବିବାହର ପ୍ରତ୍ୟେକ ଦିନ ଓ ସମୟର ଚର୍ଚ୍ଚା ବିବାହର ଏକ ମାସ ପୂର୍ତ୍ତି, ବିବାହ ପରେ ଆମେ ହନିମୁନ୍ ଯାଇ ଆସିଲୁ, ଆମର ପ୍ରଥମ ଫୋଟୋ ଆସିଲା, ଆମ ଛୁଆ ଜନ୍ମ ହେବାକୁ ଯାଉଛି ଇତ୍ୟାଦି ଇତ୍ୟାଦି୤ ତୁମର ମନେ ରଖିବା ଶକ୍ତି ନିଶ୍ଚୟ ଭାବେ ପ୍ରଖର, କିନ୍ତୁ ମନେ ରଖ ବନ୍ଧୁ ଆମେ ତୁମର ଏ ସବୁ ଦିନ ଓ ସମୟ ବିଷୟରେ ଜାଣିବାପାଇଁ ଆଦୌ ଉତ୍ସୁକ ନୋହୁଁ୤ ତୁମେ କେବେ ଦେଖା ହୋଇଥିଲ, କୋଉଠି ଦେଖା ହୋଇଥିଲ, ସେ କଣ ପିନ୍ଧିଥିଲା, ତୁମେ କଣ ଗିଫ୍‌ଟ୍ ନେଇଥିଲ ଏ ସବୁ କଥା ଅନେକଙ୍କୁ ପିଲାଳିଆମୀ ଲାଗେ୤ ହସ ଲାଗେ ବେଳେ ବେଳେ କିଛି ବନ୍ଧୁ ବିବାହର ପ୍ରତ୍ୟେକ ମାସରେ ନିଜ ବିବାହର ଏକ ଅଲଗା ଫଟୋ ନିଜ ସୋସିଆଲ୍ ମିଡ଼ିଆ ସାଇଟ୍‌ରେ ପୋଷ୍ଟ କରନ୍ତି ଆଉ ଲେଖନ୍ତି, ମୁଁ ଭାଗ୍ୟବାନ/ଭାଗ୍ୟବତୀ୤ ଏ ସବୁ ପିଲାଳିଆମୀ ଅନେକଙ୍କୁ ଆମୋଦକର ଲାଗିପାରେ ଆଉ କିଛି ବନ୍ଧୁ ଆଳସ୍ୟବଶତଃ କେବଳ ଲାଇକ୍ ବଟନଟି ଟିପି ଦିଅନ୍ତି ସିନା ଏ ସବୁ ଦେଖିବାପାଇଁ କାହାର ସ୍ପୃହା ନଥାଏ୤ ୩. ବହୁତ ଆପଣାପଣ ଦେଖେଇହେବା ଭାରତ ପରି ଦେଶରେ ଆପଣ ବିବାହିତ ହୋଇଥିବା ସତ୍ତ୍ବେ ସର୍ବସମ୍ମୁଖର ନିଜ ସ୍ବାମୀ ବା ସ୍ତ୍ରୀଙ୍କୁ ଆଲିଙ୍ଗନ କରିବା ଏକ ଅପରାଧ ବୋଲି ଧରିନିଆଯାଇଛି୤ ତା ହେଲେ ଯେଉଁ ବନ୍ଧୁମାନେ ନିଜ ନବବିବାହିତ ସାଥୀଙ୍କ ସହ ଅସଂଯତ ଅବସ୍ଥାରେ ବିଭିନ୍ନ ଫୋଟୋ ଉଠାଇ ସୋସିଆଲ୍ ମିଡ଼ିଆରେ ଦେଉଛନ୍ତି ତାହା କଣ ଅପରାଧରେ ଗଣା ହେବନି ? ଆଶ୍ଚର୍ଯ୍ୟର କଥା କିଛି ଦମ୍ପତ୍ତି ବିବାହ ପରେ ଭୁଲି ଯାଆନ୍ତି ଯେ ସେମାନେ କେତେ ସୀମାପର୍ଯ୍ୟନ୍ତ ସୋସିଆଲ୍ ମିଡ଼ିଆରେ ନିଜକୁ ଉନ୍ମୁକ୍ତ କରିବା ଉଚିତ୤ ପ୍ରେମ / ଆଲିଙ୍ଗନ କରୁଥିବା ଦୃଶ୍ୟ ଯଦିଓ ଆଖିକୁ ସୁନ୍ଦର ଲାଗେ ତଥାପି ଅନେକ ବନ୍ଧୁଙ୍କୁ ଏହା ଆଦୌ ରୁଚିକର ଲାଗିନପାରେ୤ ବିବାହୋପରାନ୍ତ ମଧୁଚନ୍ଦ୍ରିକା(ହନିମୁନ୍) ସମୟର ସୁନ୍ଦର ଛବି ସୋସିଆଲ୍ ମିଡ଼ିଆରେ ଦେଲେ ତୁମେ ଯେଉଁ ସବୁ ସ୍ଥାନକୁ ଯାଇଥିଲ ତାହା ବିଷୟରେ ବି ଜାଣିବାକୁ ମିଳିପାରେ, ଅନେକ ଅବିବାହିତ ବା ସଦ୍ୟ ବିବାହିତ ଏବଂ କ୍ବଚିତ ବିବାହିତ ଲୋକ ଏହି ସବୁ ସ୍ଥାନକୁ ଦେଖିବାପରେ ସେଠାକୁ ଯିବାପାଇଁ ମନୋନିବେଶ କରିପାରନ୍ତି, କିନ୍ତୁ ହନିମୁନ୍ ସମୟର ଅତ୍ୟନ୍ତ ସ୍ପର୍ଶକାତର ଓ ଅସଂଯତ ଅବସ୍ଥାରେ ନିଆଯାଇଥିବା ଛବିକୁ ସୋସିଆଲ୍ ମିଡ଼ିଆରେ ପ୍ରକାଶ କରିବା କିନ୍ତୁ ଆଦୌ ଗ୍ରହଣୀୟ ନୁହେଁ୤ ୪. ମୁଁ ନୁହେଁ ‘ଆମେ’ ଦମ୍ପତ୍ତି ଏହା ସର୍ବୋପରି ଅସହ୍ୟ୤ ଦୟାକରି ମୁଁ ବଦଳରେ ‘ଆମେ’ ବୋଲି ଶବ୍ଦର ବ୍ୟ୍ବହାର ବନ୍ଦ କରନ୍ତୁ୤ ବିବାହ କରିବାର ଅର୍ଥନୁହେଁ ଯେ ଆପଣ ନିଜର ନିଜତ୍ବକୁ ଭୁଲିଯିବେ! ହଁ ଅବଶ୍ୟ ନିଜର ଅତି ପରିଚିତ ବନ୍ଧୁମାନଙ୍କୁ ‘ଆମେ’ କହି ସମ୍ବୋଧନ କରିବା କଥା ବୁଝିହୁଏ, କିନ୍ତୁ ବିବାହିତ ବୋଲି ସୋସିଆଲ୍ ମିଡ଼ିଆରେ ସମସ୍ତଙ୍କୁ ‘ଆମେ’ କହି ସମ୍ବୋଧନ କରିବା କେତେଦୂର ଯୁକ୍ତିଯୁକ୍ତ? ବିଶେଷ କରି ନବବିବାହିତା ମାନେ ଏହାକୁ ବେଶୀ ବ୍ୟବହାର କରିବା ଦେଖାଯାଏ୤ ଯେମିତି, ଆମେ ଭାବୁଛୁ ହନିମୁନ୍ ପାଇଁ ଉଟ୍ଟି ଯିବୁ୤ କିମ୍ବା ଆମେ ଚିନ୍ତା କରୁଛୁ ଏୟା କରିବୁ / ବା ସେୟା କରିବୁ୤ ବନ୍ଦ କର୤ ସୋସିଆଲ୍ ମିଡ଼ିଆରେ ପ୍ରତ୍ୟେକ ବ୍ୟକ୍ତି ଏକ ଏବଂ ଏଠାରେ ଲୋକମାନେ ତୁମକୁ ଦେଖନ୍ତି, ତୁମ ସହ କଥା ହୁଅନ୍ତି, ତୁମ ସ୍ବାମୀ/ସ୍ତ୍ରୀ ସହ ନୁହଁ୤ ଆଉ କିଛି ବନ୍ଧୁ ନିଜ ପ୍ରୋଫାଇଲ୍ ଫୋଟୋରେ ନିଜ ବିବାହିତ ସ୍ବାମୀ/ସ୍ତ୍ରୀର ଫୋଟୋ ଦିଅନ୍ତି୤ ସତେ ଯେମିତି ସେମାନେ ନିଜ ଇଚ୍ଛାରେ ନୁହଁ ବରଂ ଅନ୍ୟମାନଙ୍କୁ ପ୍ରମାଣିତ କରିବାପାଇଁ ହିଁ ଏମିତି କରିଛନ୍ତି୤ ମନେ ରଖ ପ୍ରୋଫାଇଲ୍ ଫୋଟୋର ନିର୍ଦ୍ଦିଷ୍ଟ ଏକ କାମ ଥାଏ୤ ଏହା ଦ୍ବାରା ତୁମେ କିଏ, କେମିତି ଦେଖାଯାଅ, ଇତ୍ୟାଦି ସୂଚନା ସମ୍ୟକ ଭାବରେ ବନ୍ଧୁମାନଙ୍କୁ ଜଣାଇ ଦିଆଯାଏ୤ ନିଶ୍ଚୟ ଭାବରେ ତୁମ ସ୍ବାମୀ/ସ୍ତ୍ରୀ ତୁମ ଜୀବନସାଥୀ, ତୁମର ସହଧର୍ମୀ, ଦୁନିଆର ସବୁଠାରୁ ସୁନ୍ଦର ମନୁଷ୍ୟ, ତା ମାନେ ନୁହେଁ ତୁମେ ତାଙ୍କ ଫୋଟୋ ନିଜ ପ୍ରୋଫାଇଲରେ ଲଗେଇବ୤ ୫. ତୁମେ କାହିଁକି ‘ଲାଇକ୍’ କଲ ନାହିଁ ? ସୋସିଆଲ୍ ମିଡ଼ିଆ ବେଳେ ବେଳେ ଲାଗେ ସତେ ଯେମିତି ଏକ ପ୍ରତିଯୋଗୀତା୤ କିଏ କେତେ ଲାଇକ୍ ପାଇବ୤ ଲୋକ ଭାବନ୍ତି ମୁଁ ଯାହା ବି ପୋଷ୍ଟ୍ କରିବି ଲୋକମାନେ ତାକୁ ଲାଇକ୍ କରିବାକୁ ଏକ ରକମ ବାଧ୍ୟ୤ କିଛି ଦମ୍ପତ୍ତି ନିଜ ବିବାହୋପରାନ୍ତ ଅନେକ ଫୋଟୋ ସୋସିଆଲ୍ ମିଡ଼ିଆରେ ପକାନ୍ତି ଏବଂ ବନ୍ଧୁମାନଙ୍କୁ ପଚାରିବୁଝନ୍ତି ସେମାନେ ଲାଇକ୍ କଲେ ନା ନାହିଁ, ଯଦି କଲେନି କାହିଁକି କଲେନି ? ପ୍ରିୟ ବନ୍ଧୁ ମନେ ରଖ କୌଣସି ଫଟୋକୁ ଲାଇକ କରିବା ନ କରିବା ବ୍ୟକ୍ତିର ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରେ୤ ତୁମେ ନିଜ ଇଚ୍ଛାକୁ ଅନ୍ୟ ଉପରେ ଜାହିର କରିପାରିବ ନାହିଁ୤ ବେଳେ ବେଳେ କିଛି ବନ୍ଧୁ ନିଜ ନବଜାତ ଶିଶୁର ଛବିକୁ କୌଣସି ପ୍ରତିଯୋଗିତାରେ ଦିଅନ୍ତି, ଏବଂ ଏହାପରେ ନିଜର ବନ୍ଧୁ ତାଲିକାରେ ଥିବା ସମସ୍ତ ବନ୍ଧୁଙ୍କୁ ସେହି ଫୋଟୋକୁ ଲାଇକ୍ କରିବାପାଇଁ ସନ୍ଦେଶମାନ ଦିଅନ୍ତି୤ ଅନେକ ଲୋକ ଏହାକୁ ଘୃଣା କରନ୍ତି୤ ନିଜ ଛବିକୁ ସବୁବେଳେ ସର୍ବୋତ୍କୃଷ୍ଠ ଭାବି ଅନ୍ୟର ପସନ୍ଦକୁ ବଦଳାଇବାର ଏହି ପ୍ରୟାସ ନିଶ୍ଚୟ ଭାବରେ ଅନେକ ଲୋକଙ୍କୁ ଅପ୍ରିୟ ଲାଗିପାରେ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ସେ ଅଛି, ତେଣୁ ଆମେ ଅଛୁ୤

ସେ ଅଛି, ତେଣୁ ଆମେ ଅଛୁ୤

ଏଠାରେ ପଢ଼ନ୍ତୁ !
ଯୌନକ୍ରିୟାଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି

ଯୌନକ୍ରିୟାଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି

ଏଠାରେ ପଢ଼ନ୍ତୁ !