favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଅର୍ଥ ବିନିଯୋଗକାରୀଙ୍କୁ କ୍ଷତିପୂରଣ କେତେ ଯୁକ୍ତିଯୁକ୍ତ

ଅର୍ଥ ବିନିଯୋଗକାରୀଙ୍କୁ କ୍ଷତିପୂରଣ କେତେ ଯୁକ୍ତିଯୁକ୍ତ

ଚିଟ୍ ଫଣ୍ଡ ମାମଲାରେ କ୍ଷତି ସହିଥିବା ଲୋକମାନଙ୍କୁ କ୍ଷତିପୂରଣ ଦେବାପାଇଁ ସରକାର ଯୋଜନା କରୁଛନ୍ତି୤ କିନ୍ତୁ କାହିଁକି ?
୧. ଯେତେବେଳେ ରାଜ୍ୟରେ ଅସଂଖ୍ୟ ସରକାରୀ ବ୍ୟାଙ୍କ ଓ ଅଣବ୍ୟାଙ୍କିଂ ସଂସ୍ଥା ଥାଉ ଥାଉ ଲୋକମାନେ ଅଧିକ ଲାଭର ଆଶାରେ ନିଜ ସ୍ବେଚ୍ଛାରେ ନିଜ କଷ୍ଟ ଅର୍ଜିତ / ଅନ୍ୟ ଉପାୟରେ ଅର୍ଜିତ ଧନକୁ ଅଜଣା ଅଶୁଣା ବ୍ୟକ୍ତିମାନଙ୍କ ଦ୍ବାରା ଚିଟ୍ ଫଣ୍ଡ୍‌ରେ ବିନିଯୋଗ କରୁଥିଲେ, ସେମାନେ ସରକାରଙ୍କୁ କିଛି ନିର୍ଦ୍ଧିଷ୍ଟ ଟ୍ୟାକ୍ ବା ଦେୟ ଦେଉଥିଲେ କି ?
୨. ଅଧିକ ଲାଭର ସ୍ବପ୍ନ ଦେଖାଇ ଯେତେବେଳେ ଭିନ୍ନ ଭିନ୍ନ କମ୍ପାନୀମାନେ ଅତୀତରେ ମଧ୍ୟ ଏହି ପ୍ରକାରର ଠକେଇ କରି ଲୋକଙ୍କୁ ଶୋଷଣ କରିଥିଲେ, ତେବେ ମଧ୍ୟ ଲୋକମାନେ ଏଭଳି କମ୍ପାନୀମାନଙ୍କର ଅର୍ଥ ବିନିଯୋଗ କରିବା ସେମାନଙ୍କ ସମ୍ପୂର୍ଣ୍ଣ ନିଜସ୍ବ ନିଷ୍ପତ୍ତି ଥିଲା, ଏବେ ସେମାନେ ଠକେଇର ଶୀକାର ହେବାପରେ ସରକାରଙ୍କ ଠାରୁ ସହାୟତା / କ୍ଷତିପୂରଣ ଦାବୀ କରିବାର ଅଧିକାର ସେମାନଙ୍କୁ କିଏ ଦେଲା ?
୩. ଯଦିଓ ଏବେ ଜଣାପଡ଼ିଲା ଯେ ଚିଟ୍ ଫଣ୍ଡ କମ୍ପାନୀ ସବୁ ଠକ ସଂସ୍ଥା, ତେବେ ଲୋକ ବିନିଯୋଗ କରିଥିବା ଧନ ସବୁ ଗଲା କୁଆଡ଼େ ? ଅନ୍ତତଃ ସରକାରୀ ହସ୍ତକ୍ଷେପ ପରେ ସମ୍ପୃକ୍ତ କମ୍ପାନୀମାନେ ଲୋକଙ୍କ ମୁଳଧନ ତ ଫେରାଇ ପାରନ୍ତେ ?
୪. ସରକାର ଯେଉଁ କ୍ଷତିପୂରଣ ଦେବେ ତାହା ଆସିବ ମଧ୍ୟମବର୍ଗ ଓ ସ୍ବଚ୍ଛଳବର୍ଗଙ୍କ ଆୟ ଉପରେ ଦେଉଥିବା କର / ଟ୍ୟାକ୍ସରୁ୤ ତା’ହେଲେ ନିଜ ଝାଳବୁହା ଅର୍ଥରୁ ଟ୍ୟାକ୍ସ ଦେଉଥିବା ମଧ୍ୟମବର୍ଗ ଲୋକଟିଏ ନିଜ ଆଖି ଆଗରେ ନିଜ ଧନକୁ ଏଭଳି ଭାବରେ ବଣ୍ଟନ କରାଯାଉଥିବା ଦେଖିଲେ ତା ଆତ୍ମା କାନ୍ଦିବ ନାହିଁ କି ?
୫. ସରକାର କ୍ଷତିପୂରଣ ଦେବାପୂର୍ବରୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହୋଇଥିବା କମ୍ପାନୀମାନଙ୍କ ଅଚଳାଚଳ ସମ୍ପତ୍ତିର ବିବରଣୀ ଜଣାଇବା ଉଚିତ ନୁହେଁ କି ?
୬. ମନେ କରନ୍ତୁ ଏହି ସବୁ କମ୍ପାନୀର କର୍ମକର୍ତ୍ତା ଏବଂ ଅଧିକାରୀମାନଙ୍କୁ ସର୍ତ୍ତମୂଳକ ଭାବେ ଜାମିନ ଦେବାପରେ ସେମାନେ ନିଜକୁ ଦେବାଳିଆ ବୋଲି ଘୋଷିତ କରନ୍ତି ଏବଂ କମ୍ପାନୀକୁ ଭାଙ୍ଗିଦେଇ / କମ୍ପାନୀର କୌଣସି ଅର୍ଥ ଦେଣନେଣରେ ନିଜ ସଂପୃକ୍ତିକୁ ଅସ୍ବୀକାର କରନ୍ତି, ତେବେ ସରକାର କଣ ଶତପ୍ରତିଶତ କ୍ଷତି ପୂରଣ ଦେବେ ? ଏବଂ ଭାରତୀୟ ଦଣ୍ଡ ସଂହିତାରେ ଅଦାଲତରେ ଦାଏର ମାମଲାର ଫଏସଲା ନ ହେବା ପର୍ଯ୍ୟନ୍ତ ଯଦି ସଂପୃକ୍ତ କମ୍ପାନୀମାନେ କୌଣସି ବିନିଯୋଗକାରୀକୁ ଟଙ୍କାଟିଏ ବି ଦେବାକୁ ମନା କରିଦିଅନ୍ତି, ତେବେ କଣ ହେବ ? ଆମ ଦେଶରେ ସେମିତିରେ ବି ଲକ୍ଷ ଲକ୍ଷ ମାମଲା ଅଦାଲତରେ ବର୍ଷ ବର୍ଷ ଧରି ପଡ଼ିରହୁଛି୤
୭. ଯେଉଁ ସବୁ କମ୍ପାନୀ ମାନଙ୍କୁ ଠକ ସଂସ୍ଥାବୋଲି ଏବେ ଘୋଷଣା କରାଯାଉଛି, ସେହି ସଂସ୍ଥାମାନେ ଦିନେ ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ଅନେକ ଅର୍ଥ ବିନିଯୋଗ କରି ବଡ଼ବଡ଼ କାର୍ଯ୍ୟକ୍ରମମାନ ଆୟୋଜନ କରୁଥିଲେ, କିନ୍ତୁ ଏବେ ସେହି ସବୁ କମ୍ପାନୀର ଖାତା ଜବତ ହୋଇଥିବା ସତ୍ତ୍ବେ ସରକାରୀ ସ୍ତରରେ କୌଣସି ବି କମ୍ପାନୀର ମୂଳ ଅଂଶଧନ ଓ ସମ୍ପୂର୍ଣ୍ଣ ସମ୍ପତ୍ତିର ବିବରଣୀ ଦିଆଯାଇନାହିଁ କାହିଁକି ?
୮. ଭିନ୍ନ ଭିନ୍ନ ସମୟରେ ଏମିତି ଅନେକ କମ୍ପାନୀ ଓଡ଼ିଶାର ନିରୀହ ଜନସାଧାରଣଙ୍କୁ ଠକି ଆସିଥିବାର ଦୃଷ୍ଟାନ୍ତ ଅନେକ ରହିଛି, ତଥାପି ଲୋକମାନେ ଏମିତି ସବୁ ସଂସ୍ଥାରେ ନିଜ କଷ୍ଟ ଅର୍ଜିତ ଧନକୁ ବିନିଯୋଗ କରୁଛନ୍ତି କାହିଁକି, ଏହାପ୍ରତି ବିଶେଷ ଗବେଷଣା କରାଯିବାର ଆବଶ୍ୟକତା ରହିଛି୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଲୋକମାନେ ବିବାହାଦି ଶୁଭକର୍ମକୁ ଯାଆନ୍ତି କାହିଁକି ?

ଲୋକମାନେ ବିବାହାଦି ଶୁଭକର୍ମକୁ ଯାଆନ୍ତି କାହିଁକି ?

ଏଠାରେ ପଢ଼ନ୍ତୁ !
ସେ ଅଛି, ତେଣୁ ଆମେ ଅଛୁ୤

ସେ ଅଛି, ତେଣୁ ଆମେ ଅଛୁ୤

ଏଠାରେ ପଢ଼ନ୍ତୁ !