favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ କିଏ ?

ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ କିଏ ?

ଗୌରୀ ଲଙ୍କେଶ୍ ବୋଲି ଗୋଟିଏ ନାଁ ମୁଁ ଗତକାଲି ସନ୍ଧ୍ୟାଯାଏଁ ଶୁଣିନଥିଲି୤ ଯେତେବେଳେ ଏହି ନାଁ ଏବଂ ଏହା ସଂଲଗ୍ନ ଗୋଟିଏ ଛବି ବାରମ୍ବାର ଫେସବୁକରେ ଦେଖିଲି ଜାଣିବାକୁ ପାଇଲି୤ ଶୁଣି ଅତ୍ୟନ୍ତ ଦୁଃଖ ଲାଗିଲା ଯେ ଏହି ମହିଳା ସାମ୍ବାଦିକା ଜଣଙ୍କୁ ଅଜଣା ଆତତାୟୀମାନେ ତାଙ୍କ ଘର ସମ୍ମୁଖରେ ହିଁ ଗୁଳିମାରି ହତ୍ୟା କରିଛନ୍ତି୤ ଏବଂ ଅନେକ ଏହି ହତ୍ୟାକାଣ୍ଡ ପଛରେ ହିନ୍ଦୁତ୍ବବାଦୀ ଶକ୍ତିମାନଙ୍କର ହାତ ଥିବା କଥା କହିଛନ୍ତି୤ ଆଶ୍ଚର୍ଯ୍ୟର କଥା, ହତ୍ୟାକରିଥିବା ବ୍ୟକ୍ତିମାନେ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇନଥିବା ସତ୍ତ୍ବେ କେମିତି ଲୋକମାନେ ଜାଣିପାରିଲେ ଯେ ତାଙ୍କୁ ହିନ୍ଦୁତ୍ବବାଦୀ ଶକ୍ତିମାନେ ମାରିଛନ୍ତି? ଆଉ କିଛି ବନ୍ଧୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଏହାପାଇଁ ସରକାର ତଥା ପରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିପକାଇ ଲେଖିଛନ୍ତି୤ ଆଜି ଭାରତର ଅନେକ ସ୍ଥାନରେ ଏହି ହତ୍ୟାକାଣ୍ଡକୁ ନିନ୍ଦା କରାଯାଇ ଶୋଭାଯାତ୍ରାମାନ ଆୟୋଜିତ ହୋଇଛି୤ କୁହାଯାଉଛି, ଯେହେତୁ ସେ ହିନ୍ଦୁତ୍ବ ବିରୋଧି ମତବାଦର ଜଣେ ଶକ୍ତପ୍ରବକ୍ତା ଥିଲେ ତେଣୁ ତାଙ୍କୁ ହତ୍ୟା କରାଗଲା୤ ହୋଇପାରେ ଏହା ସତ୍ୟ ହୋଇଥାଇପାରେ୤ କିନ୍ତୁ ତାଙ୍କର ଟ୍ବିଟର୍ ପେଜରେ ସେ ନିଜେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର କିଛି ପାଖଲୋକ ହିଁ ସମସ୍ୟା ସୃଷ୍ଟି କରୁଛନ୍ତି୤ ତା ହେଲେ ହତ୍ୟାକାଣ୍ଡ ତାଙ୍କ ନିଜ ପାଖଲୋକ କରିଥାଇ ପାରନ୍ତି୤ ଆଉ ଗୋଟିଏ ସମ୍ବାଦପତ୍ରରେ ତାଙ୍କର ନିଜ ଭାଇସହ ମତଭେଦ ହୋଇଥିବା କଥା ଲେଖା ରହିଛି, ହତ୍ୟାର ସେ ବି ଗୋଟିଏ କାରଣ ହୋଇଥାଇପାରେ୤ କିମ୍ବା ବ୍ୟକ୍ତିଗତ ସ୍ତରରେ ତାଙ୍କର କୌଣସି ଶତ୍ରୁ ତାଙ୍କୁ ହତ୍ୟା କରିଥାଇପାରେ୤ ସେ ସବୁ ବିଷୟରେ ତଦନ୍ତ ନ କରାଯାଇ ସିଧା ସିଧା ତାଙ୍କର ହତ୍ୟାପାଇଁ କାହାକୁ ଦାୟୀ କରିଦେବା କେତେଦୂର ଯଥାର୍ଥ?

ଜଣେ ସାମ୍ବାଦିକଙ୍କ ହତ୍ୟାପାଇଁ ସମୁଦାୟ ସାମ୍ବାଦିକ ଗୋଷ୍ଠୀମାନେ ଆହତ ହେବା ଏବଂ ଏହାର ବିରୋଧ କରିବା ମଧ୍ୟ ସ୍ବାଭାବିକ୤ କିନ୍ତୁ ଏହାର ହତ୍ୟାକାଣ୍ଡର କାରଣ ଦର୍ଶାଇ ବିରୋଧ କରିବା ଅନୁଚିତ୤ ଯେତେଦିନ ଯାଏଁ, ହତ୍ୟାକାଣ୍ଡର ସଠିକ କାରଣ ଜଣାଯାଇନାହିଁ, ଏହା ବିଷୟରେ ମନ୍ତବ୍ୟ ଦେବା ଉଚିତ ନୁହେଁ୤

ଜଣେ ମହିଳା କର୍ମୀଙ୍କ ହତ୍ୟାରେ ସମୁଦାୟ ଦେଶ ଆହତ ହୋଇଗଲା୤ ଏଥିପାଇଁ ଦେଶସାରା ଅନେକ ଶୋଭାଯାତ୍ରା ଆୟୋଜିତ ହେଲା୤ ଇହଧାମ ତ୍ୟାଗକରିଥିବା ଆତ୍ମା ପ୍ରତି ଏହା ଏକ ସଶକ୍ତ ଶ୍ରଦ୍ଧାଞ୍ଜଳୀ ହୋଇପାରେ୤ ଏହି ସବୁ ଶୋଭାଯାତ୍ରା ଆୟୋଜିତ କରୁଥିବା ବ୍ୟକ୍ତିମାନେ ସମସ୍ତେ ବୁଦ୍ଧିଜୀବି ଓ ସାମ୍ବାଦିକ କିମ୍ବା ଲେଖକ ଗୋଷ୍ଠୀର ଅଟନ୍ତି, ଅନ୍ତତଃ ସେମାନେ ଏହି ହତ୍ୟାର ପ୍ରକୃତ କାରଣ ନ ଜାଣି ଦୋଷାରୋପ କରିବା ଉଚିତ ନୁହେଁ୤

ଭାରତରେ ପ୍ରତିବର୍ଷ ଅଗଣିତ ଲୋକ ପୋଲିସ ଇନ୍‌ଫର୍ମର ବୋଲି କୁହାଯାଇ ମାଓବାଦୀଙ୍କ ଦ୍ବାରା ହତ୍ୟାକାଣ୍ଡର ଶୀକାର ହେଉଛନ୍ତି୤ ସେମାନଙ୍କର କଣ କୌଣସି ଅସ୍ତିତ୍ବ ନାହିଁ? ସେମାନଙ୍କ ପାଇଁ କଣ ବୁଦ୍ଧିଜୀବିମାନେ ଏହିପରି କିଛି ଶୋଭାଯାତ୍ରାର ଆୟୋଜନ କରିପାରିବେ ନାହିଁ? ନା, କେବଳ ନିଜ ଶ୍ରେଣୀ ବା ଗୋଷ୍ଠୀର କିଏ ଜଣେ ମୃତ୍ୟୁବରଣ କଲେ ତାକୁ ନେଇ ରାଜନୀତି କରିବେ? ଅନ୍ୟୁନ ସାଢ଼େ ତିନିଶହ ବ୍ୟକ୍ତି ବିଗତ ବର୍ଷ ମାଓବାଦୀଙ୍କ ଦ୍ବାରା ଅନ୍ୟାୟରେ ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି୤ ସେମାନଙ୍କ ପାଇଁ କେହି ଚିନ୍ତା କରିଛନ୍ତି କି? ଶୋଭାଯାତ୍ରା ଆୟୋଜନ କରି ସେମାନଙ୍କ ହତ୍ୟାର ବିରୋଧ କରିଛନ୍ତି କି? ଯଦି କରିନାହାନ୍ତି ତା ହେଲେ ବର୍ତ୍ତମାନ ହତ୍ୟାର ଶୀକାର ହୋଇଥିବା ମହିଳା ସାମ୍ବାଦିକାଙ୍କ ମୃତ୍ୟୁପରେ ଏତେ ଶୋଭାଯାତ୍ରା କାହିଁକି? ଗୌରୀ ଲଙ୍କେଶଙ୍କୁ ହତ୍ୟାକରିଥିବା ବ୍ୟକ୍ତିମାନଙ୍କ ବିଷୟରେ ଆପଣ ଏତେ ନିଶ୍ଚିତ କେମିତି? ଆପଣମାନେ କେମିତି ଜାଣିଲେ ଯେ ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତି କିଏ? କେହି ଏହାର ଉତ୍ତର ଦେବେ କି ?

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ନା ସେ ମୋ ସମ୍ମାନ ପାଇବାକୁ ହକଦାର ନୁହନ୍ତି!

ନା ସେ ମୋ ସମ୍ମାନ ପାଇବାକୁ ହକଦାର ନୁହନ୍ତି!

ଏଠାରେ ପଢ଼ନ୍ତୁ !
ବ୍ଲୁ ହ୍ବେଲ୍ ମାତ୍ର ଏକ ଖେଳ ନା ଆଉ କିଛି?

ବ୍ଲୁ ହ୍ବେଲ୍ ମାତ୍ର ଏକ ଖେଳ ନା ଆଉ କିଛି?

ଏଠାରେ ପଢ଼ନ୍ତୁ !