favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ବ୍ଲୁ ହ୍ବେଲ୍ ମାତ୍ର ଏକ ଖେଳ ନା ଆଉ କିଛି?

ବ୍ଲୁ ହ୍ବେଲ୍ ମାତ୍ର ଏକ ଖେଳ ନା ଆଉ କିଛି?

ବିଗତ ଦିନରେ ସାମାଜିକ ଗଣମାଧ୍ୟମରେ ଏକ ଅତ୍ୟନ୍ତ ଭୟଙ୍କର ଖେଳ ବିଷୟରେ ଚର୍ଚ୍ଚାମାନ ପ୍ରକାଶିତ ହେବାକୁ ଲାଗିଛି୤ ବିଶ୍ବର ଅନେକ ଦେଶରେ ଏହି ଖେଳ ଦ୍ବାରା ହେଉଥିବା ଭୟାବହ ପରିଣାମକୁ ଦେଖି ଭାରତରେ ଆମକୁ ସଚେତନ କରାଇବା ଉଦ୍ଦେଶ୍ୟରେ ଅନେକ ଲେଖା ପ୍ରକାଶିତ ଓ ପ୍ରସାରିତ ହୋଇଥିବା ସତ୍ତ୍ବେ ଭାରତରେ ମଧ୍ୟ ଏହି ଖେଳ ଦ୍ବାରା ଜୀବନହାନୀ ହେବା ଭଳି ଖବର ଶୁଣିବାକୁ ମିଳିଛି୤

ବ୍ଲୁ ହ୍ବେଲ୍ ନା ଏକ ମାଛ ନା ଆଉ କିଛି, ଏହା ଏକ ଭୟଙ୍କର ଖେଳ ଯାହା ବର୍ତ୍ତମାନ ମଧ୍ୟ ଅନେକଙ୍କ ଭାବନାରୁ ବହୁତ ଦୂରରେ ରହିଛି୤ ଏହା ଏକ ଦୁଃସାହସିକ କାର୍ଯ୍ୟାବଳୀ କରାଉଥିବା ଖେଳ ଯେଉଁଥିରେ ନିଜ ହାତରେ ଧାରୁଆ ଅସ୍ତ୍ର ଦ୍ବାରା ଏକ ତିମି ମାଛର ପ୍ରତିଛବି ଆଙ୍କିବାଠାରୁ ଆରମ୍ଭ କରି ଉଚ୍ଚ ଅଟ୍ଟାଳିକାରୁ ତଳକୁ ଲମ୍ଫ ପ୍ରଦାନ କରିବ ରହିଛି୤ ବର୍ତ୍ତମାନ ସୁଦ୍ଧା ଭାରତରେ ଏହି ଖେଳ ମାଧ୍ୟମରେ ତିନିଜଣ ପ୍ରାଣହାରିଥିବା କଥା ଗଣମାଧ୍ୟମରୁ ଜଣାପଡ଼ିଛି୤ କିନ୍ତୁ ପ୍ରତ୍ୟେକ ମାମଲାରେ ତଦନ୍ତ କରୁଥିବା ପୋଲିସ ଅଧିକାରୀ ଏମାନଙ୍କ ଅପ୍ରାକୃତିକ ମୃତ୍ୟୁର କାରଣ ବ୍ଲୁ ହ୍ବେଲ୍ ଗେମ୍ ବୋଲି କୌଣସି ପ୍ରମାଣ ପାଇନଥିବା କଥା କହିଛନ୍ତି୤ ଅଧିକାରୀ ସ୍ତରରେ ମଧ୍ୟ ଏହି ଖେଳ ଭାରତରେ ହେଉଥିବାର କୌଣସି ପ୍ରମାଣ ନାହିଁ୤ ଏହା ସବୁ ସତ୍ତ୍ବେ ସଂସଦରେ ଏହି ଖେଳ ବିରୋଧରେ ସଦସ୍ୟମାନେ ଫେସବୁକ୍ ଏବଂ ମାଇକ୍ରୋସଫ୍ଟ୍ ଦ୍ବାରା ସମସ୍ତ ଲିଙ୍କ୍ ବନ୍ଦ କରିବା ନିର୍ଦ୍ଦେଶ ଦେବାପାଇଁ ଦାବୀ ଉଠିବାକୁ ଲାଗିଛି୤ ଏହି ଖେଳର ଜନ୍ମ ମଧ୍ୟ ଏସିଆର ଅଞ୍ଚଳ କଜାଖସ୍ତାନ, କିର୍ଗିଜସ୍ତାନ ଏବଂ ଋଷିଆ ବୋଲି କୁହାଯାଉଛି୤

ଆଜି ଅପରାହ୍ନରେ ଏକ ଖବରରେ ଜଣା ପଡ଼ିଲା ଯେ ଚେନ୍ନାଇର ଜଣେ ୧୨ ବର୍ଷର ବାଳକ ଏହି ଖେଳରେ ଅଂଶୀଦାର ହେବାପରେ ବର୍ତ୍ତମାନ ନିଜ ଜୀବନ ତଥା ପରିବାରର ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ସୁରକ୍ଷା ଯୋଗାଇ ଦେବାପାଇଁ ଅନୁରୋଧ କରିଛି୤ ଏହି ସମୟରେ ଦିଲ୍ଲୀର ଗୋଟିଏ ଯୁବକ କମ୍ପାସ ବକ୍ସରେ ଥିବା ମୁନିଆ ଉପକରଣ ଦ୍ବାରା ନିଜର ହାତ ଓ ପିଠିରେ ଗଭୀର କ୍ଷତ ପହଞ୍ଚାଇବା ପରେ ଜୀବନ ପାଇଁ ବର୍ତ୍ତମାନ ହସପିଟାଲରେ ଚିକିତ୍ସିତ ହେଉଛି୤

Blue whale game

ବ୍ଲୁ ହ୍ବେଲ୍ ଗେମକୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି, ଆଉ ଏହାର ପ୍ରମୁଖ କାରଣ ହେଉଛି ଏହି ଖେଳର ନିୟମ୤ ସବୁଠାରୁ ଭୟଙ୍କର ହେଉଛି ଖେଳର ଶେଷରେ ଏହି ଖେଳର ପ୍ରତିଯୋଗୀଙ୍କୁ ଆତ୍ମହତ୍ୟା ଭଳି କାର୍ଯ୍ୟ କରିବାକୁ ପଡ଼େ୤ ଏହି ଖେଳରେ ଅଂଶ ଗ୍ରହଣ କରି ଅନେକ ଯୁବକଯୁବତୀ ନିଜ ଜୀବନ ହରେଇ ସାରିଲେଣି୤ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି୤ କଣ ଏହି ଖେଳ? କାହିଁକି ଏହା ଖେଳାଯାଏ? କିଏ ଏହି ଖେଳକୁ ପରିଚାଳନା କରେ? କାହିଁକି ଲୋକମାନେ ବିଶେଷତଃ ଯୁବଗୋଷ୍ଠୀ ଏହି ଖେଳ ପ୍ରତି ଆକର୍ଷିତ ହୁଏ? ଏହି ସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ସ୍ବାଭାବିକ୤

ଯୁବକ ଅବସ୍ଥାରେ ଅକଳ୍ପନୀୟ କାର୍ଯ୍ୟ କରିବାର ଦାମ୍ଭିକତା ପ୍ରାୟତଃ ସମସ୍ତ ଯୁବକ ଯୁବତୀଙ୍କ ମନରେ ଥାଏ୤ ଏହି ବୟସରେ ଯେ କୌଣସି ଦୁଃସାହସିକ କାର୍ଯ୍ୟ କରିବା ସମସ୍ତଙ୍କ ପକ୍ଷରେ ସହଜ୤ ତେଣୁ ଏହିପରି ଯୁବଗୋଷ୍ଠୀଙ୍କୁ ଉସୁକାଇ ଏହି ଖେଳରେ ସାମିଲ କରାଯାଏ୤ ଏହି ଖେଳର ଅୟମାରମ୍ଭ ଋଷରେ ହୋଇଥିଲା ବୋଲି ଜଣାଯାଇଛି ଏବଂ ଏହି ଖେଳକୁ ଆରମ୍ଭ କରିଥିବା ଜନୈକ ଯୁବକ ବର୍ତ୍ତମାନ ଗିରଫ ହୋଇଥିବା ଖବର ଶୁଣାଯାଉଛି୤ ଏବଂ ପରେ ପରେ ଏହି ଖେଳକୁ ଜଣେ ୧୭ ବର୍ଷୀୟା ଯୁବତୀ ପରିଚାଳନା କରୁଥିଲେ ବୋଲି ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି୤ କିନ୍ତୁ ଏହା ସବୁ ସତ୍ତ୍ବେ ବର୍ତ୍ତମାନ ଏହି ଖେଳ ବିଶ୍ବର ଅନେକ ଦେଶରେ ବ୍ୟାପ୍ତ ହେବାରେ ଲାଗିଛି୤ ଏହି ଖେଳରେ ଯୋଗ ଦେଉଥିବା ବ୍ୟକ୍ତିମାନଙ୍କୁ ଅନ୍ୟ ବ୍ୟକ୍ତିଙ୍କୁ ଏହି ଖେଳରେ ସାମିଲ କରିବା ଭଳି କାର୍ଯ୍ୟ ଦିଆଯାଇଥାଏ୤

ଏହା ଆରମ୍ଭ ହେଲା କେମିତି?

ଏହାର ଆରମ୍ଭ କେବେ ଏବଂ କେଉଁ ପରିସ୍ଥିତିରେ ହୋଇଥିଲା କହିବା ସମ୍ଭବ ନଥିଲେ ସୁଦ୍ଧା ମଇ ୨୦୧୬ରେ ଋଷିଆରେ ହଠାତ ଅନେକ ଅଳ୍ପବୟସ୍କ ଯୁବକ ଓ ଶିଶୁମାନଙ୍କର ଆତ୍ମହତ୍ୟା ପରେ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ ସେମାନେ ସମସ୍ତେ ଗୋଟିଏ ଅନଲାଇନ୍ ଗେମ୍ ପୋର୍ଟାଲର ସଦସ୍ୟ ଥିଲେ ଏବଂ ଅଧିକ ତଦନ୍ତ ପରେ ଜଣାପଡ଼ିଲା ଯେ ସେହି ଭଳି ଅନେକ ଆତ୍ମହତ୍ୟା ପ୍ରବଣ ଖେଳ ଗ୍ରୁପ୍ ଅନେକ ସାମାଜିକ ଗଣମାଧ୍ୟମ ସାଇଟ୍ ଯଥା ଫେସବୁକରେ ରହିଛି୤ ବେଳେ ବେଳେ ସମୁଦ୍ରରେ ରହୁଥିବା ନୀଳ ତିମିମାନେ ଦଳବଦ୍ଧ ଭାବରେ ମୃତ୍ୟୁବରଣ କରିଥାନ୍ତି୤ ସେମାନେ ଏପରି କାହିଁକି କରନ୍ତି ତାହା ଗବେଷଣାର ବିଷୟ ରହିଛି୤ ତଥାପି ଏହି ଖେଳ ସହ ଏହାର କିଛି ସାମଞ୍ଜସ୍ୟ ରହିଥିବାରୁ ହୁଏତ ଏହାକୁ ବ୍ଲୁ ହ୍ବେଲ୍ ଗେମ୍ ବୋଲି କୁହାଯାଏ୤

ଖେଳର ନିୟମ?

ଏହି ଖେଳରେ ଅଂଶ ଗ୍ରହଣ କରୁଥିବା ପ୍ରତିଯୋଗୀ ଏବଂ ତାଙ୍କୁ ଖେଳରେ ସାମିଲ କରିଥିବା ସଦସ୍ୟ ପରିଚାଳକଙ୍କ ଭୂମିକା ପାଳନ କରିଥାନ୍ତି୤ ପରିଚାଳକ ଦ୍ବାରା ଦିଆଯାଇଥିବା ସମସ୍ତ କାର୍ଯ୍ୟକୁ ପ୍ରତିଯୋଗୀଙ୍କୁ ପାଳନ କରିବାକୁ ପଡ଼ିଥାଏ୤ ସାଧାରଣତଃ ପ୍ରତିଦିନ ଗୋଟିଏ ଗୋଟିଏ ଦୁଃସାହସିକ କାର୍ଯ୍ୟ କରିବାକୁ ଦିଆଯାଏ, ଏବଂ ଏଥିରେ ନିଜକୁ ଆହତ କରିବା ଭଳି କାର୍ଯ୍ୟ ମଧ୍ୟ ଥାଏ୤ ଏହି ଖେଳର ଶେଷ କାର୍ଯ୍ୟ ଥାଏ ଆତ୍ମହତ୍ୟା୤

Rules of Blue whale game

କାର୍ଯ୍ୟର ତାଲିକା ୫୦ ଦିନରେ ସଂପୂର୍ଣ୍ଣ କରିବାକୁ ହୁଏ୤ ଏହି ତାଲିକାରେ ପ୍ରତ୍ୟହ ସକାଳ ସାଢ଼େ ଚାରିଟା ପୂର୍ବରୁ ଉଠିବା, କ୍ରେନ୍ ଉପରେ ଚଢ଼ିବା, ଉଚ୍ଚ ଅଟ୍ଟାଳିକାର କାନ୍ଥ ଉପରେ ଛିଡ଼ାହେବା, ହାତରେ ମୁନିଆ ଉପକରଣ ଦ୍ବାରା କିଛି ଲେଖିବା ବା ଆଙ୍କିବା, ଗୁପ୍ତ କାର୍ଯ୍ୟ କରିବା, ହାତ ଗୋଡ଼ରେ ମୁନିଆ ଛୁଞ୍ଚି ଫୋଡ଼ିବା, ଉଚ୍ଚ ସ୍ବରରେ ସଂଗୀତ ଶୁଣିବା, ପ୍ରତିଦିନ ସକାଳୁ ସକାଳୁ ଭୟଙ୍କର ଭୂତପ୍ରେତ ବିଷୟ ସମ୍ବଳିତ ଭିଡ଼ିଓ ଦେଖିବା ଇତ୍ୟାଦି ରହିଛି୤

ଏହା ଚିନ୍ତାର ବିଷୟ କାହିଁକି?

ଜଣେ ଋଷୀୟ ଯୁବତୀ ରିନା ପାଲେଙ୍କୋଭୟ ନିଜର ଏକ ଫଟୋ ଗଣମାଧ୍ୟମରେ ଦେବାପରେ ପରେ ଆତ୍ମହତ୍ୟା କରିଥିଲା୤ ଏହା ଭିକେ.କମ୍ ନାମକ ଏକ ୱେବ୍ସାଇଟରେ ସେ ଦେଇଥିଲା୤ ଏହାପରେ ପରେ ଅନେକ ଯୁବକଯୁବତୀ ଏହି ସାଇଟରେ ନିଜ ନିଜ ଫଟୋ ଦେବା ଆରମ୍ଭ କରିଥିଲେ, ଏବଂ ଜଣାପଡ଼ିଥିଲା ଯେ ଏହି ସାଇଟ୍ ଦ୍ବାରା ସଂପୃକ୍ତ ଯୁବକଯୁବତୀ ମାନଙ୍କୁ ଅନେକ କାର୍ଯ୍ୟ କରିବାକୁ କୁହାଯାଉଥିଲା୤ ପାଲେଙ୍କୋଭୟଙ୍କ ଫଟୋକୁ ଦେଖାଇ ଅନ୍ୟମାନଙ୍କୁ ତାଙ୍କପରି ନିର୍ଭୟ ହେବାକୁ ଉସୁକାଉଥିବା ଭଳି କାର୍ଯ୍ୟ ସବୁ କରିବାକୁ କୁହାଯାଉଥିଲା୤

ନଭେମ୍ବର ୧୪, ୨୦୧୬ରେ ମସ୍କୋରେ ଫିଲିପ୍ ବୁଡୈକିନ୍ ନାମକ ଏକ ୨୧ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଥିଲା୤ କୁହାଗଲା, ସେ କାଳେ ଏହି ପ୍ରାଣଘାତି ବ୍ଲୁ ହ୍ବେଲ୍ ଗେମର ଆବିଷ୍କାରକ୤ ଏହି ଖେଳ ଦ୍ବାରା ଅନ୍ୟୁନ ୧୫ ଜଣ ଆତ୍ମହତ୍ୟା କରିଥିବା ସତ୍ତ୍ବେ ସେ ସବୁ ପାଇଁ ଫିଲିପ୍‌ଙ୍କୁ ଦୋଷୀ ବୋଲି ପ୍ରମାଣିତ କରା ଯାଇପାରି ନାହିଁ୤ କିନ୍ତୁ ଏହି ଘଟଣା ପରେ ପରେ ହିଁ ଏହି ଖେଳ ବିଶ୍ବବ୍ୟାପୀ ପ୍ରଚଳନରେ ଆସିଲା୤

Blue whale game in India

ଭାରତରେ ପ୍ରଥମ ମୃତ୍ୟୁ କେରଳ ରାଜ୍ୟରେ ଜଣେ ୧୬ ବର୍ଷ ବୟସ୍କ ଛାତ୍ରର ହୋଇଥିଲା୤ ଏହା ୨୬ ଜୁଲାଇ ୨୦୧୭ରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା୤ ମୃତ ଛାତ୍ର ଜଣକ ଏହି ଗେମ୍ ନିଜ ମୋବାଇଲରେ ନଅ ମାସ ଆଗରୁ ଡାଉନଲୋଡ଼୍ କରିଥିଲା ଏବଂ ଏଥିରେ ଦିଆଯାଇଥିବା ସମସ୍ତ କାର୍ଯ୍ୟ ସମାପ୍ତ କରିବା ପରେ ନିଜ ମୋବାଇଲରେ ଥିବା ସବୁ ଗେମ୍ ସଫା କରିଦେଇ ଆତ୍ମହତ୍ୟା କରିଥିଲା୤ ଏହା ପୂର୍ବରୁ ସେ ନିଜ ମାଆକୁ ଏହି ଗେମ୍ ବିଷୟରେ କହିଥିଲା୤ ମାଆ ଏହି ଗେମ ଖେଳିବାକୁ ମନା କରିବା ସତ୍ତ୍ବେ ସେ ଏହାକୁ ଛାଡ଼ି ଦେଇ ପାରିନଥିଲା୤

୩୦ ଜୁଲାଇ ୨୦୧୭ରେ ମୁମ୍ବାଇର ପୂର୍ବ ଅନ୍ଧେରୀ ଅଞ୍ଚଳରେ ଏକ ୧୪ ବର୍ଷୀୟ ଛାତ୍ର ପାଞ୍ଚମହଲା ଉପରୁ ତଳକୁ ଲମ୍ଫଦେଇ ଆତ୍ମହତ୍ୟା କରିଥିଲା୤

୧୦ ଅଗଷ୍ଟ ୨୦୧୭ରେ ଇନ୍ଦୋର ସହରର ଚମେଲି ଦେବୀ ପବ୍ଲିକ୍ ସ୍କୁଲର ଜଣେ ସପ୍ତମ ଶ୍ରେଣୀର ଛାତ୍ର ତିନିମହଲା ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ସହପାଠୀଙ୍କ ଦ୍ବାରା ଉଦ୍ଧାର କରାଯାଇଛି୤ ସେହି ଛାତ୍ର ଏହି ଖେଳର ପଚାଶ ଦିନର ସମସ୍ତ କାର୍ଯ୍ୟ ସ୍କୁଲର ଡାଏରୀରେ ଲିପିବଦ୍ଧ କରିଥିଲା୤

୧୦ ଅଗଷ୍ଟରେ ହିଁ ମୁମ୍ବାଇର ଜଣେ ଛାତ୍ରକୁ ଏହି ଖେଳରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ସମୟରେ ରକ୍ଷା କରାଯାଇଥିଲା୤

୧୨ ଅଗଷ୍ଟରେ ପଶ୍ଚିମ ବଙ୍ଗର ପଶ୍ଚିମ ମେଦିନାପୂର ଜିଲ୍ଲାର ଜଣେ ଛାତ୍ର ଆତ୍ମହତ୍ୟା କରିଥିଲା୤ ନିଜ ମୁହଁରେ ଗୋଟିଏ ପ୍ଲାଷ୍ଟିକ ଜରି ବାନ୍ଧିଦେଇ ସେ ଗାଧୁଆଘରେ ଆତ୍ମହତ୍ୟା କରିଥିଲା୤

୧୬ ଅଗଷ୍ଟ ୨୦୧୭ରେ କେରଳରେ ଏକ ୨୨ ବର୍ଷୀୟ ଯୁବକ ଏହି ଖେଳଯୋଗୁଁ ଆତ୍ମହତ୍ୟା କରିଥିବା କଥା ପରିବାର ଦ୍ବାରା ଦାବୀ କରାଯାଇଥିଲା୤

୨୭ ଅଗଷ୍ଟ ୨୦୧୭ରେ ଉତ୍ତରପ୍ରଦେଶର ହମିରପୁର୍ ଜିଲ୍ଲାର ଏକ ଷଷ୍ଠ ଶ୍ରେଣୀର ଛାତ୍ର ଏହି ଖେଳର ସବୁ କାର୍ଯ୍ୟ ସମାପନ କରି ଆତ୍ମହତ୍ୟା କରିଥିଲା୤

୩୦ ଅଗଷ୍ଟ ୨୦୧୭ରେ ମଦୁରାଇ, ତାମିଲନାଡୁରେ ଜଣେ ୧୯ ବର୍ଷୀୟ କଲେଜ ଛାତ୍ର ଏହି ଖେଳରେ ଆତ୍ମହତ୍ୟା କରିଥିଲା୤

ଏହାପରେ କଣ?

ଅନେକ ଦେଶରେ ଚିନ୍ତିତ ପିତାମାତା ଏହି ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବୀ କରିଛନ୍ତି୤ ଏହି ଖେଳ ଦ୍ବାରା ପିଲାମାନଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଭଳି କାର୍ଯ୍ୟ ହେଉଥିବାରୁ ଏହାକୁ ବନ୍ଦ କରିବାକୁ ଦାବୀ ହୋଇଛି୤ ଭାରତରେ ବିଶେଷ କରି ଏହାପ୍ରତି ଆମକୁ ଅଧିକ ଚିନ୍ତାଶୀଳ ହେବାକୁ ପଡ଼ିବ କାରଣ ଭାରତରେ ମାନସିକ ବିଷାଦ ଭଳି ରୋଗକୁ ଲୋକମାନେ ପ୍ରାଧାନ୍ୟ ଦେଇନଥାନ୍ତି, ତେଣୁ ଏହି ଭଳି ରୋଗୀଙ୍କ ସଂଖ୍ୟା ବହୁତ ଅଧିକ ହୋଇପାରେ୤ ଏବଂ ଏହା ବ୍ୟତୀତ ବିଶ୍ବର ସବୁଠାରୁ ଅଧିକ ଆତ୍ମହତ୍ୟା ହେଉଥିବା ଦଶଟି ଦେଶମାନଙ୍କ ତାଲିକାରେ ଭାରତ ରହିଛି୤ ମାନସିକ ବିଷାଦ ଏବଂ ଆତ୍ମହତ୍ୟା ପ୍ରବଣତା ଭଳି ବିଷୟ ଅତ୍ୟନ୍ତ ଉଦ୍‌ବେଗଜନକ ହୋଇଥିବା ବେଳେ, ଏହାକୁ ଚିକିତ୍ସା କରିବା ବା ବନ୍ଦ କରିବା ଭଳି ଉପାୟ ବିଭିନ୍ନ ସ୍ତରରେ କରାଯାଇ ପାରେ୤ ହେଲେ ଆତ୍ମହତ୍ୟା ପାଇଁ ସାମାଜିକ ବନ୍ଧୁତାର ପୋର୍ଟାଲ ମାନଙ୍କୁ ଦୋଷ ଦେବା ଅନ୍ତତଃ ବର୍ତ୍ତମାନ ପାଇଁ ସଠିକ୍ ହେବନାହିଁ୤

mental depression

ପିତାମାତାଙ୍କୁ ଅନୁରୋଧ ସେମାନେ ନିଜ ସନ୍ତାନମାନଙ୍କ ଇଣ୍ଟରନେଟ୍ ବ୍ୟବହାର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ୤ ଯଦି କୌଣସି ସନ୍ତାନ ଏକା ରହିବାକୁ ଭଲ ପାଉଥାଏ ବା ହଠାତ୍ ତା ବ୍ୟବହାର ଓ ଚାଲିଚଳନରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉଥାଏ ତେବେ ତୁରନ୍ତ ମନୋଚିକିତ୍ସକଙ୍କ ସହାୟତା ନିଅନ୍ତୁ୤ ପରିବାରର ପରିବେଶ ସବୁବେଳେ ଭଲରେ ରହିବା ଦ୍ବାରା ପିଲାମାନେ ଏକାନ୍ତରେ କୌଣସି ଭୟଙ୍କର କାର୍ଯ୍ୟ କରିବାକୁ ଇଚ୍ଛା କରିବେ ନାହିଁ୤ ଏକୁଟିଆ ରହୁଥିବା ଏବଂ ଦୁଃସାହସିକ କାର୍ଯ୍ୟ କରିବାକୁ ଆଗଭର ହେଉଥିବା ଯୁବକଯୁବତୀମାନେ ଏହି ଖେଳରେ ସହଜରେ ଫସିଯାଇ ପାରନ୍ତି୤ ତେଣୁ ଧ୍ୟାନ ଦିଅନ୍ତୁ୤ ଏବଂ ନିଜ ପିଲାମାନଙ୍କ ସହ ଅଧିକ ସମୟ ବିତାନ୍ତୁ୤ ପିଲାମାନେ ଖାଲି ସମୟରେ କଣ କରୁଛନ୍ତି ସେ ବିଷୟ ପ୍ରତି ବିଶେଷ ସଚେତନ ରହନ୍ତୁ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ କିଏ ?

ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ କିଏ ?

ଏଠାରେ ପଢ଼ନ୍ତୁ !
ଗାଡ଼ି ହେଲ୍‌ମେଟ୍ ଚେକିଂ ନାମରେ ପୋଲିସ ଜୂଲୁମ୍ ?

ଗାଡ଼ି ହେଲ୍‌ମେଟ୍ ଚେକିଂ ନାମରେ ପୋଲିସ ଜୂଲୁମ୍ ?

ଏଠାରେ ପଢ଼ନ୍ତୁ !