favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଗାଡ଼ି ହେଲ୍‌ମେଟ୍ ଚେକିଂ ନାମରେ ପୋଲିସ ଜୂଲୁମ୍ ?

ଗାଡ଼ି ହେଲ୍‌ମେଟ୍ ଚେକିଂ ନାମରେ ପୋଲିସ ଜୂଲୁମ୍ ?

ବିଗତ ଦିନରେ ଓଡ଼ିଶାର ପ୍ରାୟ ସମସ୍ତ ସହରରେ ଦ୍ବିଚକ୍ରଯାନ (ବାଇକ୍) ଚାଳକ ମାନଙ୍କୁ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରି ଦିଆଯାଇଛି୤ ବିନା ହେଲମେଟରେ ପେଟ୍ରୋଲ ପମ୍ପ ମାନଙ୍କରେ ପେଟ୍ରୋଲ ପକାଇବାକୁ ମନା କରି ଦିଆଯାଇଛି୤ ଏବଂ ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବାପାଇଁ ସ୍ଥାନେ ସ୍ଥାନେ ଗାଡ଼ି ଚେକିଂ କରିବା କାମ ବି ଚାଲିଛି୤ ବିନା ହେଲମେଟ୍‌ରେ ବାଇକ୍ ଚାଳକ ମାନଙ୍କୁ ଜୋରିମାନା ଦେବାକୁ ପଡୁଛି୤ ଏହାକୁ ନେଇ ଅନେକ ଆନ୍ଦୋଳନ ସୃଷ୍ଟି ହେଲାଣି୤ ସୋସିଆଲ୍ ମେଡ଼ିଆରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି୤ ଜଣେ ସଦସ୍ୟ ଲେଖିଥିଲେ ଯେ ଏହା ପୋଲିସ ମାନଙ୍କ ଜୁଲମ୍ ଏବଂ ସେମାନେ ବିନା କାରଣରେ ବାଇକ୍ ମାଲିକମାନଙ୍କୁ ହଇରାଣ କରୁଛନ୍ତି୤ ଏହା ଗରୀବ ଲୋକଙ୍କ ପ୍ରତି ଅନ୍ୟାୟ ଇତ୍ୟାଦି ଅନେକ କଥା ଲେଖାଯାଉଛି୤ ଆମେ ଜାଣିବା ସେ ସବୁ କଣ ଠିକ୍?

ବାଇକ୍ ଚାଳନା ଅନେକଙ୍କ ପାଇଁ ସଉକରେ ପରିଣତ ହୋଇ ସାରିଲାଣି୤ ଆମ ସହରମାନଙ୍କରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବାଇକ୍ ସବୁ ବିକ୍ରୀ ହେଲାଣି୤ ଆମ ଯୁବବର୍ଗ ସେହି ସବୁ ବାଇକ୍ କିଣି ନିଜ ଯୁବତ୍ବର ପରାକାଷ୍ଠା ଦେଖାଇବାରେ କୌଣସି କାର୍ପର୍ଣ୍ୟ କରୁନାହନ୍ତି୤ ସହର ବଜାର ଗଳିକନ୍ଦିରେ ଏହି ସବୁ ବାଇକକୁ ଦୃତ ବେଗରେ ଚାଲନା କରିବା ସତେ ଯେମିତି ସେମାନଙ୍କ ଜନ୍ମସିଦ୍ଧ ଅଧିକାର ବୋଲି ସେମାନେ ଧରି ନେଇଛନ୍ତି୤ ଏହିପରି ଦୃତବେଗରେ ଯାଉଥିବା ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାପରେ ଦିଲ୍ଲୀର ଗୋଟିଏ ପରିବାରର ଏକମାତ୍ର ପୁଅ ଜୀବନ ହରେଇଲା୤ ଗତବର୍ଷ ବ୍ରହ୍ମପୁର ସହର ଉପକଣ୍ଠରେ କିଛି ଯୁବକ ଏହିପରି ଦୃତଗତିରେ ଗାଡ଼ି ଚଳାଇ କୌଶଳ ଦେଖାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇ ଜଣେ ଯୁବକର ପ୍ରାଣହାନୀ ହୋଇଥିଲା୤ ଏହା କେବଳ ଗୋଟିଏ ଗୋଟିଏ ଉଦାହରଣ ମାତ୍ର, ଏହିପରି ଅନେକ ଉଦାହରଣ ଆମେ ଦେଖିବାକୁ ପାଇବା୤ ନିଜ ସୁରକ୍ଷା ପାଇଁ ଆମେ ଯାନବାହାନ ଚାଳନା କରିବ ସମୟରେ ହେଲମେଟ୍ ବ୍ୟବହାର କରିବା ଆବଶ୍ୟକତା ନୁହେଁ ବରଂ ଅପରିହାର୍ଯ୍ୟ ବୋଲି କହିବା ଉଚିତ ହେବ୤

ଆପଣ କିନ୍ତୁ ଏହା ମାନିବେ ନାହିଁ, ଆଉ ଧରପଗଡ଼ ବେଳେ ଜୋରିମାନା ଦେବା ସମୟରେ ବିଭିନ୍ନ ଆଳରେ ପୋଲିସ ଏବଂ ପ୍ରଶାସନକୁ ନିନ୍ଦିତ କରିବାକୁ ପଛାଇବେ ନାହିଁ୤ ଆସନ୍ତୁ ଦେଖିବା ଆପଣଙ୍କ କିଛି ମତ;

୧. ଗରିବ ଲୋକଙ୍କୁ ଲୁଣ୍ଠନ କରାଯାଉଛି୤

ଉତ୍ତର : ଅନ୍ୟୁନ ଚାଳିଶି ହଜାର ଦେଇ ବାଇକ୍ କିଣି ଚଳେଇ ପାରୁଥିବା ଜଣେ ବ୍ୟକ୍ତି କେମିତି ଗରିବ ଶ୍ରେଣୀ ଭୁକ୍ତ ହେବ ଆଉ ସେ କାହିଁକି ଜୋରିମାନା ଦେଇ ପାରିବ ନାହିଁ?

୨. ୧୦୦, ୨୦୦ ସ୍ଥାନରେ ୨୦,୩୦ ଟଙ୍କା ନିଆଯାଉନାହିଁ କାହିଁକି ?

ଉତ୍ତର : ଜୋରିମାନା କେତେ ପରିମାଣର ହେବ ଏବଂ କେଉଁ ପ୍ରକାରର ଅସାବଧାନତା ପାଇଁ କେତେ ଜୋରିମାନା ହେବ ତାହା ପୂର୍ବରୁ ଧାର୍ଯ୍ୟ ହୋଇଥାଏ ଏବଂ ସର୍ବଭାରତୀୟ ସ୍ତରରେ ସମସ୍ତେ ଏହି ନିୟମ ପାଳନ କରନ୍ତି୤ ତେଣୁ ଏହାକୁ ନେଇ ଯୁକ୍ତି କରିବା ଉଚିତ ନୁହେଁ୤

୩. ପୋଲିସ ଜାଣିଶୁଣି ଲୋକଙ୍କୁ ହଇରାଣ କରୁଛନ୍ତି୤

ଉତ୍ତର : ପୋଲିସ୍ ଏପରି କରିବାକୁ ଆପଣ ହିଁ ବାଧ୍ୟ କରୁଛନ୍ତି୤ ଯଦି କୌଣସି ଅଞ୍ଚଳରେ ଦୁର୍ଘଟଣା ଘଟି କାହାର ମୃତ୍ୟୁ ହୋଇଯାଏ ତେବେ ଆପଣମାନେ ରାସ୍ତା ରୋକ କରି ମୃତ ବ୍ୟକ୍ତିର ପରିବାରକୁ ଭରଣପୋଷଣ ଦିଆଯିବା ସହିତ ଅନେକ ଦାବୀ କରୁଛନ୍ତି ଏବଂ ପୋଲିସର ଅପାରଗତା ବୋଲି ଗଣମାଧ୍ୟମରେ କହିବାକୁ ଭୁଲୁନାହାନ୍ତି୤ ତେଣୁ ପୂର୍ବରୁ ହିଁ ସଚେତନ ହୋଇଗଲେ ଭଲ ନ୍ୟାୟରେ ପୋଲିସ ଏମିତି ସବୁ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ହେଉଛନ୍ତି୤

୪. ପୋଲିସ୍ ଜୀବନବୀମା କମ୍ପାନୀ ସହିତ ଗୁପ୍ତ ବୁଝାମଣା କରୁଛନ୍ତି୤

ଉତ୍ତର : ପୋଲିସ ଦ୍ବାରା ଚେକିଂ ହେବା ଫଳରେ ଦୁର୍ଘଟଣା ସଂଖ୍ୟା କମ ହେବ ଏବଂ ଏହା ଫଳରେ ବୀମା କମ୍ପାନୀଙ୍କୁ ବୀମାଧାରକଙ୍କୁ କୌଣସି ବୀମାରାଶି ଦେବାକୁ ପଡ଼ିବ ନାହିଁ୤ ଏହା ଆପଣ କହିବାକୁ ଚାହୁଁଛନ୍ତି? ସୁସ୍ଥ ମସ୍ତିଷ୍କରେ ଚିନ୍ତା କରି ଦେଖନ୍ତୁ, ଆପଣ କଣ ଚାହାନ୍ତି? ଦୁର୍ଘଟଣା ହେଉ ଲୋକ ମରନ୍ତୁ, ତା ପରେ ବୀମା କମ୍ପାନୀମାନେ ଆପଣଙ୍କୁ ଅର୍ଥ ଦେବେ? ବୀମା ଅର୍ଥରେ ଆପଣ ଜଣେ ବ୍ୟକ୍ତିର ଜୀବନ ଫେରିପାଇବେ?

ପୋଲିସ ଚେକିଂ ସବୁବେଳେ ଓ ସବୁସ୍ଥାନରେ ତ ହେଉନାହିଁ, ନା ପୋଲିସ ଚେକିଂ ହେବା ଫଳରେ ଲୋକମାନେ ଆଉ ଦୁର୍ଘଟଣାରେ ମରୁନାହାନ୍ତି? କି ଅଦ୍ଭୂତ ପରିକଳ୍ପନା ଆପଣଙ୍କର୤

୫. ହେଲମେଟ୍ ବିକ୍ରେତାଙ୍କ ଠାରୁ କମିସନ୍ ପାଉଛନ୍ତି ପୋଲିସ୍୤

ଉତ୍ତର : ନୂତନ ନିୟମ ଲାଗୁ ହେବାପରେ ନିଶ୍ଚୟ ଭାବରେ ହେଲମେଟ୍ ବିକ୍ରୀ ବଢ଼ିଯାଇଛି୤ ବ୍ରହ୍ମପୁର ସହରର ପ୍ରତ୍ୟେକ ମୁଖ୍ୟ ରାସ୍ତା ପାର୍ଶ୍ବରେ ଉଠା ଦୋକାନରେ ଏବଂ ଟ୍ରଲିରେ ମଧ୍ୟ ହେଲ୍‌ମେଟ୍ ବିକ୍ରୀ ହେଉଥିବାର ଦେଖିବାକୁ ମିଳିଛି୤ ସୂଚନା ଅନୁଯାୟୀ ସହରର ଜନୈକ ବ୍ୟବସାୟୀ ଚଳିତ ବିକ୍ରୀ ଋତୁରେ ଅନ୍ୟୁନ ଚାଳିଶିଲକ୍ଷ ଟଙ୍କାର ହେଲମେଟ୍ ବିକ୍ରୀ କରିଛନ୍ତି୤ କିନ୍ତୁ ଆପଣ ଭୁଲିଯାଉଛନ୍ତି, ଆପଣ ଯେତେବେଳେ କୌଣସି ଦୁଇଚକିଆ ଯାନ କିଣିବାକୁ ଯାଆନ୍ତି, ସେତେବେଳେ ଆପଣଙ୍କୁ ହେଲମେଟ୍ କିଣିବା ପାଇଁ କୁହାଯାଏ, ଯାହା ଆପଣ ଏଡ଼ାଇ ଯାଇଥିଲେ୤ ଏବେ ନିୟମ ହେଲା ବୋଲି ତରବର ହୋଇ କିଣିବାକୁ ପଡ଼ିଲା୤ ନିୟମ ହେଉ ବା ନ ହେଉ ଆପଣଙ୍କ ନିଜ ସୁରକ୍ଷା ଦୃଷ୍ଟିରୁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ ହିଁ ପଡ଼ିବ୤

ନିୟମ ଲାଗୁକରୁଥିବା ସଂସ୍ଥା ପୋଲିସ ନୁହେଁ ବରଂ ମୋଟର ଭେହିକଲ୍ ପଞ୍ଜୀକରଣ ସଂସ୍ଥା୤ ଆଉ ସହରରେ କେବଳ ଜଣେ ହିଁ ପୋଲିସ ନାହାନ୍ତି ଯେ ସେ କମିସନ୍ ନେବେ୤ ଶହ ଶହ ସଂଖ୍ୟାରେ ପୋଲିସ ବଳ ରହିଛନ୍ତି, ବିଭିନ୍ନ ପାହ୍ୟାର ଅଧିକାରୀ ଅଛନ୍ତି, ସେମାନେ ଏମିତି କେତେ ଟଙ୍କା କମିସନ୍ ପାଉଥିବେ ବୋଲି ଆପଣ ଅନୁମାନ କରୁଛନ୍ତି୤ ପୁଣି ସହରରେ କେବଳ ଗୋଟିଏ ହେଲମେଟ୍ ବିକ୍ରେତା ନାହିଁ, ଅନେକ ଅଛନ୍ତି୤

ଏ ସବୁ ଉଭଟ ପରିକଳ୍ପନା କେବଳ ଆପଣଙ୍କ ମସ୍ତିଷ୍କରେ ହିଁ ଆସିପାରେ୤

ସବୁ କଳ୍ପନାଜଳ୍ପନା ଛାଡ଼ନ୍ତୁ, ଶୀଘ୍ର ହେଲମେଟ୍ ପିନ୍ଧନ୍ତୁ୤ ଗାଡ଼ି ଚଳାଇବା ବେଳେ ପାଖରେ ଲାଇସେନ୍‌ସ, ଗାଡ଼ିର କାଗଜପତ୍ର, ବୀମା ସଂକ୍ରାନ୍ତୀୟ କାଗଜପତ୍ର ଅବଶ୍ୟ ରଖନ୍ତୁ୤ ଆପଣଙ୍କୁ କୌଣସି ପୋଲିସ ହଇରାଣ କରିବ ନାହିଁ୤ ଆଉ ଏ ସବୁ ନ ନେଇ ରାସ୍ତାରେ ଯିବେ, ଧରାପଡ଼ିଲେ କହିବେନି ଆପଣଙ୍କୁ ହଇରାଣ କରାଯାଉଛି୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ବ୍ଲୁ ହ୍ବେଲ୍ ମାତ୍ର ଏକ ଖେଳ ନା ଆଉ କିଛି?

ବ୍ଲୁ ହ୍ବେଲ୍ ମାତ୍ର ଏକ ଖେଳ ନା ଆଉ କିଛି?

ଏଠାରେ ପଢ଼ନ୍ତୁ !
ମୋତେ ହିନ୍ଦୀ ଆସେନି !!!

ମୋତେ ହିନ୍ଦୀ ଆସେନି !!!

ଏଠାରେ ପଢ଼ନ୍ତୁ !