favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଗଭୀର ଆତ୍ମଚିନ୍ତନର ସମୟ ଆସିଛି

ଗଭୀର ଆତ୍ମଚିନ୍ତନର ସମୟ ଆସିଛି

ବର୍ଷ ୨୦୦୨ରେ ନିଜର ଦୁଇଜଣ ଶିଷ୍ୟାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଏକ ମାମଲାର ଶୁଣାଣୀକରି ହରିଆନାର ସର୍ବୋଚ୍ଚ ନ୍ୟାୟାଳୟ ଶିଖ ମାନଙ୍କର ପ୍ରମୁଖ ସଂସ୍ଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁ ରାମରହିମ ସିଂହ ଇନ୍‌ସାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି୤ କିନ୍ତୁ ଚିନ୍ତାର ବିଷୟ ହୋଇଛି ଯେ ବାବାଙ୍କୁ ଦୋଷୀ ବୋଲି କହିବା ପରେ ପରେ ତାଙ୍କର ଭକ୍ତମାନଙ୍କ ଦ୍ବାରା ଛଅଟି ରାଜ୍ୟରେ ହିଂସାକାଣ୍ଡ ଘଟି କୋଟି କୋଟି ଟଙ୍କାର ଧନସମ୍ପତ୍ତି ହାନି ହେବା ସହ ୩୨ ଜଣ ପ୍ରାଣ ହରାଇଛନ୍ତି୤ ସୂଚନାଯୋଗ୍ୟ ଯେ ଏହି ମାମଲାର ଶୁଣାଣୀ ଅନେକ ବର୍ଷ ଧରି ଚାଲିଥିଲା ଏବଂ ଏହାର ଶେଷ ଶୁଣାଣୀ ଗତକାଲି ଥିବାବେଳେ ଏହି ଶୁଣାଣୀକୁ ବାବା ଗୁରୁମିତ୍ ନିଜର ପ୍ରଶଂସକ ଓ ଭକ୍ତଙ୍କ ଗହଣରେ ପ୍ରାୟ ଅଢ଼େଇଶହ ମୂଲ୍ୟବାନ ଯାନବାହାନର ଏକ ବିଶାଳ ରାଲିରେ ଆସିଥିଲେ୤ ତାଙ୍କ ମାମଲାର ଶୁଣାଣୀପରେ କାଳେ କୌଣସି ହିଂସା ହେବ ବୋଲି ଆଗରୁ ଆଶଂକା କରି ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ ସୁଦ୍ଧା ଏତେ ସଂଖ୍ୟକ ଭକ୍ତଙ୍କ ସମ୍ମୁଖରେ ନିରବଦ୍ରଷ୍ଟା ହୋଇ ରହିବା ବ୍ୟତିତ ଆଉ କିଛି କରିପାରି ନଥିଲେ୤ ଆଶ୍ଚର୍ଯ୍ୟର କଥା ନ୍ୟାୟାଳୟ ଜଣେ ବ୍ୟକ୍ତିକୁ ଦୋଷୀ ବୋଲି କହିବା ପରେ ମଧ୍ୟ ଅନେକ ଅନ୍ଧବିଶ୍ବାସୀ ଭକ୍ତ ତଥାପି ଗୁରୁଙ୍କୁ ଦୋଷୀ ବୋଲି ମାନିବାକୁ ଅରାଜି ଏବଂ ସେମାନେ ଏହି ହିଂସାକୁ ଉସୁକାଇଥିଲେ୤

ବିଗତ କିଛି ବର୍ଷରେ ଭାରତରେ ବିଭିନ୍ନ ପ୍ରାନ୍ତରେ ସ୍ବନାମଧନ୍ୟ ସାଧୁ ଓ ମହାତ୍ମା ଶ୍ରେଣୀୟ ବ୍ୟକ୍ତିମାନଙ୍କର ଯୌନ କେଳେଙ୍କାରୀର ପର୍ଦ୍ଦାଫାଶ ହେବାପରେ ସ୍ବତଃ ମନରେ ପ୍ରଶ୍ନ ଆସୁଛି, “ଆମକୁ କଣ ସତରେ ଏମିତି (ଭଣ୍ଡ) ବାବା ମାନଙ୍କ ଆବଶ୍ୟକତା ରହିଛି?”

ଦୁଇବର୍ଷ ତଳେ ଓଡ଼ିଶାରେ ଲଗାତାର ଭାବରେ ପ୍ରଥମେ ସାରଥୀ ବାବା ଏବଂ ପରେ ପରେ ସୁରବାବା ଗିରଫ ହୋଇଥିଲେ୤ ସେତେବେଳେ ସେମାନଙ୍କର ଯୌନ କେଳେଙ୍କାରୀର ପ୍ରମାଣ ଗଣମାଧ୍ୟମରେ ପ୍ରଚାର କରାଯାଇଥିଲା୤ ସେ ସବୁ ଦେଖିବାପରେ ମନେ ହେଉଥିଲା ତାଙ୍କର ଅନୁଗାମୀ ଶିଷ୍ୟଶିଷ୍ୟାମାନେ ବର୍ତ୍ତମାନ ନିଜକୁ ସୁରକ୍ଷିତ ମନେ କରୁଥିବେ, କିନ୍ତୁ ତାଙ୍କୁ ଗିରଫ କରିବା ସମୟରେ ପ୍ରଶାସନକୁ ସେହି ଶିଷ୍ୟଶିଷ୍ୟାମାନଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା୤ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ପ୍ରଶାସନକୁ ଅଚଳ କରିଦେବା ଅଭିମୁଖ୍ୟରେ ରାଜରାସ୍ତାକୁ ଓହ୍ଲାଇ ପଡ଼ିଥିଲେ୤ ସମରୂପକ ଅବସ୍ଥା ସୁରବାବାଙ୍କ ଗିରଫ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା୤ ପରେ ପରେ ସେମାନଙ୍କ ଦ୍ବାରା ହେଉଥିବା ବିଭିନ୍ନ ଯୌନ କେଳେଙ୍କାରୀ ଓ ଭକ୍ତଙ୍କୁ ହେଉଥିବା ଶାରୀରିକ ନିର୍ଯ୍ୟାତନାର ବିଭିନ୍ନ କାହାଣୀ ଗଣମାଧ୍ୟମରେ ଆସିଲା୤

ଜାତୀୟ ସ୍ତରରେ ସେହି ସମୟରେ ଆଶାରାମ ବାପୁ ମଧ୍ୟ ଗିରଫ ହୋଇ କାରାବରଣ କରିଥିଲେ୤ ସେ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅଗଣିତ ଭକ୍ତ ସୃଷ୍ଟି କରିଥିଲେ ଏବଂ ନିଜ ନାମରେ ଅନେକ ଆୟୁର୍ବେଦୀୟ ଚିକିତ୍ସାପ୍ରଣାଳୀ ଓ ଔଷଧ ବିକ୍ରୟ କରୁଥିଲେ୤ ତାଙ୍କୁ ଗିରଫ କରାଯିବାପରେ ମଧ୍ୟ ଅନେକେ ତାଙ୍କ ଉପରେ ଆସ୍ଥା ବଜାୟ ରଖିଥିଲେ୤ ଏବଂ ସେ ଗିରଫ ହେବାର ଅନେକ ବର୍ଷପରେ ଏବେ ମଧ୍ୟ ଅନେକ ଭକ୍ତ ତାଙ୍କ ଉପରେ ଆସ୍ଥା ରଖିଥିବା କଥା କୁହନ୍ତି୤ ପରେ ପରେ ହରିଆନାର ରାମପାଲ୍ ନାମକ ଜଣେ ଭଣ୍ଡବାବାଙ୍କୁ ଗିରଫ କରିବା ସମୟରେ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଥିଲା୤

Ram Rahim insaan

ଏବେ ଚଳିତ ସଂସ୍କରଣରେ ଶିଖମାନଙ୍କ ଧର୍ମଗୁରୁ ଗୁରୁମିତ୍ ରାମରହିମ ଇନ୍‌ସାନଙ୍କ ମାମଲାରେ ମଧ୍ୟ ଭକ୍ତମାନେ ପ୍ରଶାସନକୁ ଅସ୍ଥିର କରିଦେଇଥିଲେ୤ ଖବର ମିଳିବା ଯାଏଁ ଅନେକ ସ୍ଥାନରେ ହିଂସାକାଣ୍ଡରେ ଅନ୍ୟୁନ ତିରିଶି ଜଣ ମୃତ୍ୟୁବରଣ କରିଥିଲା ବେଳେ ଅନେକ ସ୍ଥାନରେ ଜଳାପୋଡ଼ା ହୋଇ ଧନହାନୀ ହୋଇଛି୤ ନ୍ୟାୟାଳୟ ଏହି ମାମଲାକୁ ଦୃଷ୍ଟିରେ ରଖି ଡେରା ସଚ୍ଚା ସୌଦାର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଅକ୍ତିଆରକୁ ନେବାର ନିର୍ଦ୍ଦେଶ ଦେଇଛନ୍ତି୤

ଭଣ୍ଡବାବା ବୋଲି ଗୋଟିଏ ଶବ୍ଦ ଆମେ ଅନେକ ବର୍ଷରୁ ଶୁଣି ଆସୁଥିଲୁ ସିନା କିନ୍ତୁ କେବେ ଏମିତି କିଛି ହେବ ବୋଲି ଭାବିନଥିଲୁ୤ ବିଗତ କେଇ ବର୍ଷରେ ଅନେକ ଭଣ୍ଡବାବା ଗିରଫ ହେବାପରେ ଏବେ ସମୟ ଆସିଛି ଆମକୁ ଆତ୍ମସମୀକ୍ଷା କରିବାପାଇଁ୤ ଆମେ ଜୀବନଚର୍ଯ୍ୟାର ଗୁଢ଼ରହସ୍ୟ ଜାଣିବା ପାଇଁ କେଉଁମାନଙ୍କ ଅନୁଗାମୀ ହେଉଛୁ! ଯେଉଁମାନଙ୍କୁ ଆମେ ଗୁରୁ ବୋଲି ଧରି ନେଉଛୁ ସେମାନଙ୍କ କାର୍ଯ୍ୟ ବା ଜୀବନଚର୍ଯ୍ୟା କେମିତି ସେ ବିଷୟରେ ଆମେ ଚିନ୍ତା କରୁଛୁ କି? ଅନ୍ଧ ଭାବରେ ଆମେ କାହାକୁ ବି ଗୁରୁ ବୋଲି ମାନିନେବା କେତେ ଦୂର ଯୁକ୍ତିଯୁକ୍ତ୤

Ram rahim insaan preaching

ପ୍ରଥମତଃ ପ୍ରଶ୍ନ ଉଠୁଛି, ବାବା କିମ୍ବା ଗୁରୁଙ୍କ ଆବଶ୍ୟକତା କଣ? ଯୁଗ ଏକବିଂଶ ଶତାବ୍ଦୀରେ ପହଞ୍ଚିଲାଣି, ଲୋକ ଚନ୍ଦ୍ରରେ ପାଦ ଦେଇ ସାରିଲେଣି, ଆମ ଦେଶର ମହାକାଶଯାନ ମଙ୍ଗଳ ଗ୍ରହରେ ପହଞ୍ଚିଲାଣି, ତଥାପି ଆମେ ଏମିତି କଣ ପ୍ରଶ୍ନର ଉତ୍ତର ଖୋଜି ଖୋଜି ଏହି ଭଣ୍ଡ ବାବା ମାନଙ୍କ ଚରଣାଶ୍ରିତ ହେଉଛେ? ପ୍ରବଚନ ଓ ସତସଙ୍ଗ ନାମରେ ଆମକୁ ଏମାନେ ଠକି ଚାଲିଛନ୍ତି୤

ସମୟ ଆସିଛି, ବର୍ତ୍ତମାନ ହିଁ ଆମକୁ ସଚେତନ ହେବାକୁ ପଡ଼ିବ୤ ଆଉ ଏହି ଭଣ୍ଡବାବା ମାନଙ୍କ କଥାରେ ଭଳକି ଯିବା ନାହିଁ କି ଏମାନଙ୍କୁ ଏତେ ପ୍ରଶ୍ରୟ ଦେବାନାହିଁ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

କାହିଁକି ଗୁରୁମିତ୍ ରାମରହିମ ମାମଲାରେ ସରକାର ଦୋଷୀ ନୁହନ୍ତି!

କାହିଁକି ଗୁରୁମିତ୍ ରାମରହିମ ମାମଲାରେ ସରକାର ଦୋଷୀ ନୁହନ୍ତି!

ଏଠାରେ ପଢ଼ନ୍ତୁ !
ଲୋକମାନେ ମନ୍ଦିରରେ ଦାନ କରନ୍ତି କାହିଁକି ?

ଲୋକମାନେ ମନ୍ଦିରରେ ଦାନ କରନ୍ତି କାହିଁକି ?

ଏଠାରେ ପଢ଼ନ୍ତୁ !