favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଲୋକମାନେ ମନ୍ଦିରରେ ଦାନ କରନ୍ତି କାହିଁକି ?

ଲୋକମାନେ ମନ୍ଦିରରେ ଦାନ କରନ୍ତି କାହିଁକି ?

ବିଗତ ଦିନରେ ଗୋଟିଏ ଫେସବୁକ ପୋଷ୍ଟରେ ଦେଖିଲି ଜଣେ ବ୍ୟକ୍ତି ପୋଷ୍ଟ୍ ଟିଏ ଦେଇଥିଲେ, ଯେଉଁଠି ସେ ଲେଖିଥିଲେ ଯେ ହିନ୍ଦୁମାନେ ମନ୍ଦିର ହୁଣ୍ଡିରେ ଧନ ଦାନ କରି ସ୍ବର୍ଗପ୍ରାପ୍ତିପାଇଁ ଟିକେଟ୍ ପାଉଛନ୍ତି୤ ସେ କରିଥିବା ଏହି ପୋଷ୍ଟକୁ ନେଇ ଅନେକ ବନ୍ଧୁ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି୤ ଧାର୍ମିକ ଭାବନା ରଖୁଥିବା ବନ୍ଧୁମାନେ ଏହାକୁ ନେଇ ଆହତ ହୋଇଥିବା ସ୍ପଷ୍ଟ କିନ୍ତୁ କେହି ବି ଏହାକୁ ନେଇ ମନ୍ତବ୍ୟ ଦେବାକୁ ଉଚିତ ମନେ କରିନାହାନ୍ତି୤ ଯୁକ୍ତି କରିବା ସମ୍ଭବତଃ ସମସ୍ତଙ୍କ ପକ୍ଷରେ ସମ୍ଭବ ନାହିଁ୤ ଧାର୍ମିକ ଭାବନା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ଏହା ବିଶ୍ବାସ ଭିତ୍ତିରେ ହେଉଥିବା ହେତୁ ଏହାକୁ ନେଇ ଯୁକ୍ତିକରିବା ବା ପ୍ରମାଣ ଦେବା ଆଦି ସମ୍ଭବ ନୁହେଁ୤ ସେ ଯା ହେଉ ଆମେ ଏହି ପୋଷ୍ଟର ସମୀକ୍ଷା କରିବାପରେ ଚିନ୍ତା କରିଲୁ ଯେ ସତରେ ଲୋକମାନେ ମନ୍ଦିର ହୁଣ୍ଡିରେ ଦାନ କରନ୍ତି କାହିଁକି, ଏଥିପାଇଁ ଫେସବୁକ୍ ଏବଂ ଅନ୍ୟ ସୋସିଆଲ୍ ନେଟ୍‌ୱାର୍କିଂ ସାଇଟ୍‌ର ସହାୟତା ନେଇ ପ୍ରଶ୍ନୋତ୍ତର ମାଧ୍ୟମରେ ଲୋକଙ୍କ ମତାମତକୁ ସଂଗ୍ରହ କରିଲୁ୤ ଏହି ପ୍ରଚେଷ୍ଟାରେ ଆମେ ଉତ୍ତର ଦେଉଥିବା ବନ୍ଧୁମାନଙ୍କୁ ସୂଚିତ କରିଥିଲୁ ଯେ ସେମାନେ କେବଳ ନିଜସ୍ବ ମତ ଦେବେ ଏବଂ ଅନ୍ୟମାନେ ଏହା ଭାବୁଛନ୍ତି ବା ସେୟା ଭାବୁଛନ୍ତି କହି ଉତ୍ତର ଦେବେ ନାହିଁ୤ ଯେଉଁମାନେ ଦାନ କରୁଛନ୍ତି ବା କରିଛନ୍ତି କେବଳ ସେମାନେ ହିଁ ମନ୍ତବ୍ୟ ଦେବେ୤ ଏହିପରି ଅନେକ ନୀତିନିୟମ ଜାରୀ କରିବା ସତ୍ତ୍ବେ କିଛି ବନ୍ଧୁ ନିଜ ମତରେ ଉଲ୍ଲେଖ କରିଥିଲେ ଯେ ଲୋକମାନେ କାହିଁକି ଦାନ ଧର୍ମ କରନ୍ତି୤ ସେହି ସବୁ ସ୍ଥଳରେ ଆମେ ସେହି ଉତ୍ତରକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ମତ ବୋଲି ଧରିନେଲୁ୤ ଆଉ କେହି କେହି ବନ୍ଧୁ ଲେଖିଥିଲେ ଯେ ଆମେ କେବେ ଦାନ କରିନୁ କିନ୍ତୁ ଯଦି କରିବୁ ଏହି ସବୁ କାରଣ ପାଇଁ କରିବୁ୤ ସେମାନଙ୍କ ମନ୍ତବ୍ୟକୁ ଆମେ ସମ୍ମାନ ଦେଇ ପାରିନୁ୤

ଭାରତରେ ଥିବା ଅନେକ ମନ୍ଦିରର ଆୟ ସମ୍ଭବତଃ ଅନେକ ପ୍ରଗତିଶୀଳ କମ୍ପାନୀଠାରୁ ଢେର୍ ଅଧିକ୤ କିଛି ମନ୍ଦିର ତ ଏମିତି ବି ଅଛନ୍ତି ଯେଉଁଠି ଦୈନିକ ଆୟ କୋଟିଏରୁ ଉର୍ଦ୍ଦ୍ବ୤ ସେହି ପରି ମନ୍ଦିର ମାନଙ୍କରେ ଭକ୍ତମାନେ ଦାନଧର୍ମରେ ଅମୂଲ୍ୟ ଧନ, ସମ୍ପତ୍ତି, ଧାତୁ ଆଦି ଦାନ କରିବାର ଉଦାହରଣ ଆମେ ଖବରକାଗଜରୁ ପାଇଥାଉ୤ ଓଡ଼ିଶାରେ ଶ୍ରୀ ଜଗନ୍ନାଥ ମନ୍ଦିର ଏହି ଦୃଷ୍ଟିରୁ ହୁଏତ ସର୍ବୋଚ୍ଚ ସ୍ଥାନ ନ ପାଇପାରେ କାରଣ ଏଠି ଏତେ ପରିମାଣର ଆୟ ହୁଏ ନାହିଁ୤ ତଥାପି ଲୋକମାନେ ମନ୍ଦିର ଗଲେ ହୁଣ୍ଡିରେ କିଛି ନା କିଛି ଦାନ ଧର୍ମ ନିଶ୍ଚୟ କରନ୍ତି୤ କିନ୍ତୁ ସେମାନେ ଏପରି କରନ୍ତି କାହିଁକି ?

Donations at temples

ବର୍ତ୍ତମାନ ଆମେ ପାଇଥିବା ଉତ୍ତର ଏବଂ ଆମ ନିଜସ୍ବ ଚିନ୍ତାଧାରା ଆଧାରରେ ଆମେ ଯେଉଁ କେତେକ କାରଣ ଖୋଜିପାଇଲୁ ସେ ସବୁ ନିମ୍ନ ପ୍ରକାରେ;

(୧). ମାନସିକ ପୂରଣ ହୋଇଗଲେ କିଛି ବ୍ୟକ୍ତି ମନ୍ଦିରରେ ଦାନଧର୍ମ କରନ୍ତି୤ ଏହି ଶ୍ରେଣୀର ବ୍ୟକ୍ତିଙ୍କ ସଂଖ୍ୟା ସମ୍ଭବତଃ ବହୁତ ଅଧିକ୤ ମନ୍ଦିର ଯାଉଥିବା ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ମାନସିକ ମନରେ ନେଇ ମନ୍ଦିର ଯାଆନ୍ତି ବୋଲି କୁହାଯାଏ୤ ପରିବାରରେ ସୁଖଶାନ୍ତି ହେଉ ବା ଚାକିରୀରେ ପଦୋନ୍ନତି ହେଉ ଅବା କୋର୍ଟ୍ କଚେରୀରେ ବିଜୟ ହେଉ ବା ଅନ୍ୟ କୌଣସି ପ୍ରକାରର ମାନସିକ ହେଉ, ବ୍ୟକ୍ତିଙ୍କୁ ଏହି ସବୁ କାରଣରୁ ମନ୍ଦିରର ଦ୍ବାର ଦେଖାଯାଏ ବୋଲି ଆମେ ମନେ କରୁ୤ ଅବଶ୍ୟ ସବୁ ବ୍ୟକ୍ତି ଏମିତି ଚିନ୍ତା କରି ମନ୍ଦିର ଯାଆନ୍ତି ବୋଲି କହିବା ଅନୁଚିତ ହେବ୤ ତଥାପି ବେଳେ ବେଳେ ମାନସିକ କରି କେହି କେହି ଭଗବାନଙ୍କୁ ପ୍ରାର୍ଥନା କରିଥାଆନ୍ତି, ଅମୁକ ହୋଇଗଲେ ଏତେ ଟଙ୍କାର ଦାନ ଦେବି ଇତ୍ୟାଦି୤ ଯେତେବେଳେ ସେମାନଙ୍କ ମନୋସ୍କାମନା ପୂରଣ ହୋଇଯାଏ, ସେମାନେ ଦେଇଥିବା କଥା ଅନୁସାରେ ଦାନଧର୍ମ କରନ୍ତି୤

Crorepati Donations in temples

(୨). ମନ୍ଦିରର ବିକାଶ ପାଇଁ ଦାନ କରନ୍ତି୤ କିଛି ବ୍ୟକ୍ତି ମନ୍ଦିର ମାନଙ୍କୁ ଅଯାଚିତ ଭାବରେ ଅଘୋଷିତ ପରିମାଣର ଧନ ଦାନ କରନ୍ତି୤ ସେମାନେ ଏପରି କରିବା ପଛରେ ଅନେକ କାରଣ ରହିଥାଇପାରେ୤ ବେଳେ ବେଳେ ଆମକୁ କିଛି ମନ୍ଦିର ବା ଭଗବାନଙ୍କ ଉପରେ ବିଶ୍ବାସ ଅଧିକ ହୋଇପାରେ୤ ଆମକୁ ଯେତେବେଳେ ଲାଗେ ଯେ ଅମୁକ ମନ୍ଦିରରେ ପୂଜା କରିବା ଦ୍ବାରା ମୋର ମନୋସ୍କାମନା ପୂରଣ ହୋଇପାରିଲା, ଯଦି ସେହି ମନ୍ଦିରର ଉନ୍ନତି ହୁଅନ୍ତା ତା ହେଲେ ଅନେକ ବ୍ୟକ୍ତି ସେହି ମନ୍ଦିରରୁ ସୁଫଳ ପାଇ ପାରନ୍ତେ, ତେଣୁ ସେହି ମନ୍ଦିରର ଉନ୍ନତି ପରିକଳ୍ପେ ଅନେକ ବ୍ୟକ୍ତି ଦାନଧର୍ମ କରିଥାନ୍ତି୤ ଏହି ପ୍ରକାରର ଦାନ ଧର୍ମ କରୁଥିବା ବ୍ୟକ୍ତିମାନେ ଯେ ବଦାନ୍ୟ ତାହା ନୁହେଁ, ସେମାନେ ବହୁତ ଅଧିକ ଆୟ କରୁଥିବା ଗୋଷ୍ଠୀରେ ମଧ୍ୟ ସାମିଲ, ହୁଏତ ସେମାନେ କରୁଥିବା ଆୟର କିଛି ଅଂଶ ମନ୍ଦିରକୁ ଦାନ କରି ଭଗବାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଥାଇ ପାରନ୍ତି୤

(୩). ମନ୍ଦିର ଟ୍ରଷ୍ଟ ଦ୍ବାରା ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟପାଇଁ ଦାନ କରନ୍ତି୤ ବିଭିନ୍ନ ମନ୍ଦିର ମାନଙ୍କରେ ଥିବା ଟ୍ରଷ୍ଟ ମାନଙ୍କ ଦ୍ବାରା ଅନେକ ଶିକ୍ଷାୟତନ, ସ୍ବାସ୍ଥକେନ୍ଦ୍ର, ଖାଦ୍ୟବଣ୍ଟନ କେନ୍ଦ୍ର ଆଦି ରହିଥାଏ୤ ଦକ୍ଷିଣରେ ପ୍ରଶାନ୍ତି ନିଳୟମରେ ଏକ ହୃଦରୋଗ ବିଶେଷଜ୍ଞ ହାସପାତାଳ ଅଛି, ଯେଉଁଠି ରୋଗୀମାନଙ୍କର ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଛି୤ ଏଥିପାଇଁ ହେଉଥିବା ଖର୍ଚ୍ଚ ବଦାନ୍ୟ ବ୍ୟକ୍ତିମାନଙ୍କ ଦାନରୁ ହିଁ ମିଳିଥାଏ୤ ସେହିପରି ଅନେକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ମାନ ରହିଛି, ଯାହା ଏହିପରି ଦାନ ଧର୍ମ ଦ୍ବାରା ହିଁ ଚାଲୁଛି୤ ତେଣୁ ଏକ ବିଶାଳ ଗୋଷ୍ଠୀ ମନ୍ଦିରକୁ ଦାନ କରି ଏହି ସବୁ କାର୍ଯ୍ୟରେ ସହଯୋଗ କରିବାର ମାନସିକତା ରଖନ୍ତି୤ ବଡ଼ ବଡ଼ ମନ୍ଦିରକୁ ଦାନ କଲେ ସେ ସବୁ ଭ୍ରଷ୍ଟାଚାର ବା ବାଟମାରଣା ହେବାର ସମ୍ଭାବନା କମ ଥାଏ ଏବଂ ଏହା ଭଲ କାମରେ ଲାଗିପାରେ ବୋଲି ଚିନ୍ତା କରି ଅନେକେ ସେହି ସବୁ ମନ୍ଦିରକୁ ଦାନଧର୍ମ ଦେଇଥାନ୍ତି୤

(୪). ଅନେକ ମନ୍ଦିରର କର୍ମଚାରୀଙ୍କ ପାଇଁ ଦାନ କରନ୍ତି୤ ଗ୍ରାମାଞ୍ଚଳ ମାନଙ୍କରେ ଥିବା ଅନେକ ମନ୍ଦିରର ପରିଚାଳନା ଦାୟିତ୍ବ ସମ୍ପୃକ୍ତ ମନ୍ଦିରର ପୁଜାରୀ, ରୋଷେୟା ଆଦି ବ୍ୟକ୍ତିମାନେ ନେଇଥା’ନ୍ତି୤ ମନ୍ଦିରକୁ ମିଳୁଥିବା ଆର୍ଥିକ ଅନୁଦାନରେ ହିଁ ମନ୍ଦିରର ସମସ୍ତ କାର୍ଯ୍ୟ ସମାପନ ହୋଇଥାଏ୤ ବଡ଼ ବଡ଼ ମନ୍ଦିରକୁ କୋଟି କୋଟି ଟଙ୍କାର ଅନୁଦାନ ମିଳେ, ଭକ୍ତଙ୍କ ଠାରୁ ଦାନଦକ୍ଷିଣା ମିଳେ, କିନ୍ତୁ ଛୋଟ ଛୋଟ ମନ୍ଦିରକୁ କେହି କିଛି ଦାନ କରନ୍ତି ନାହିଁ୤ ସେହିପରି ସ୍ଥଳରେ ବ୍ୟକ୍ତିମାନେ ମନ୍ଦିରର କର୍ମଚାରୀଙ୍କ ପରିବାର ପ୍ରତିପୋଷଣ, ମନ୍ଦିରର ପୂଜାବିଧି ଏବଂ ଅନ୍ୟାନ୍ୟ ଆନୁସଂଗିକ ଉନ୍ନତି ପାଇଁ ଦାନ କରନ୍ତି୤

(୫). କରୁଥିବା ପାପକୁ ଲୁଚାଇବା ପାଇଁ ଦାନ କରନ୍ତି୤ ଏହା କହିବାକୁ ବା ପଢ଼ିବାକୁ ହୁଏତ ଅସୁନ୍ଦର ଲାଗିପାରେ କିନ୍ତୁ ଏମିତି ବି କିଛି ବ୍ୟକ୍ତି ଥାଆନ୍ତି ଯେଉଁମାନେ ଅନ୍ୟାୟ ପନ୍ଥାରେ କରୁଥିବା ଆୟର କିଛି ଭାଗ ବା ଅଂଶ ମନ୍ଦିରକୁ ଦାନ କରି ନିଜକୁ ପାପମୁକ୍ତ କରିବାର ପ୍ରଚେଷ୍ଟା ମଧ୍ୟ କରନ୍ତି୤ ଅବଶ୍ୟ ଆମେ କରୁଥିବା ପ୍ରଶ୍ନୋତ୍ତରୀରେ କେହି ଏହି ବିଷୟରେ ଉଲ୍ଲେଖ କରିନାହାନ୍ତି୤ କିନ୍ତୁ ଆମେ ଅତୀତରେ ଦେଖି ଆସିଛୁ, ଜଣେ ବିଶିଷ୍ଟ ମଦବ୍ୟବସାୟୀ ଗୋଟିଏ ମନ୍ଦିରକୁ କୋଟି କୋଟି ଟଙ୍କାର ଦାନ ଦେଇଛନ୍ତି୤

(୬). ହେଉଥିବା ଅତ୍ୟଧିକ ଆୟକୁ ଲୁଚେଇବାର ପ୍ରଚେଷ୍ଟାରେ ଦାନ କରନ୍ତି୤ ନଭେମ୍ବର ୨୦୧୬ରେ ଯେତେବେଳେ ଭାରତ ସରକାର ହଠାତ୍ ଏକ ନିଷ୍ପତ୍ତି ନେଇ ୫୦୦ ଏବଂ ୧୦୦୦ ମୁଦ୍ରାର ନୋଟକୁ ଅଚଳ କରିଦେଲେ ସେତେବେଳେ ଅନେକ ବ୍ୟକ୍ତି ତତ୍ପରତା ଦେଖାଇ ଅନେକ ମନ୍ଦିରକୁ ଅଯାଚିତ ଭାବରେ ଦାନଧର୍ମ କରିବାକୁ ଲାଗିଲେ୤ ନିଜର କଷ୍ଟ ଉପାର୍ଜିତ ଆୟକୁ ସେମାନେ ମନ୍ଦିର ମାନଙ୍କରେ ଦେଇ ଅନ୍ତତଃ ଧର୍ମପାଇଁ କିଛି କାମ ହେଉ ବୋଲି ମନେ କରିଥିବେ୤

(୭). ବର୍ତ୍ତମାନ ଶେଷ ଏବଂ ଆମ ଏହି ଆଲେଖ୍ୟର ମୁଖ୍ୟ କାରଣ, ସ୍ବର୍ଗକୁ ଟିକେଟ୍ ପାଇବା ଆଶାରେ ଦାନ କରିବା୤ ଆମ ସର୍ବେକ୍ଷଣରେ କେହି ବି ଏହି ବିଷୟରେ ଉଲ୍ଲେଖ କରିନାହାନ୍ତି୤ ବ୍ୟକ୍ତିଗତ ଭାବରେ ଆମେ ଯେତେ ଜଣଙ୍କ ସହ ଚର୍ଚ୍ଚା କରିଛୁ ସମସ୍ତେ ଏହି କାରଣକୁ ହସରେ ଉଡ଼େଇ ଦେଇଛନ୍ତି୤ ସ୍ବର୍ଗ ଓ ନର୍କ ଆଦି ଧାରଣା ହୁଏତ ବିଗତ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରଚଳିତ ଥିଲା୤ ବର୍ତ୍ତମାନ ସେହି ଧାରଣାରେ ବ୍ୟାପକ ପରିବର୍ତ୍ତନ ଆସିଲାଣି୤ ସ୍ବର୍ଗ ବା ନର୍କ ସବୁ ଏଇଠି ହିଁ ମିଳେ ବୋଲି ଲୋକମାନେ ଜାଣି ସାରିଲେଣି୤ ତଥାପି ଅନେକେ ଧାର୍ମିକ ବିଶ୍ବାସରେ ମରଣୋପରାନ୍ତ ସ୍ବର୍ଗପ୍ରାପ୍ତି / ବୈକୁଣ୍ଠ ପ୍ରାପ୍ତିର ଆଶା ରଖନ୍ତି କିନ୍ତୁ ସେମାନେ ଏହା ପାଇଁ ଦାନଧର୍ମ ବା କୌଣସି ଟିକେଟ୍ ବ୍ୟବସ୍ଥାରେ ବିଶ୍ବାସ କରନ୍ତି ନାହିଁ୤ ସୁକର୍ମ ଓ ଧର୍ମ ଦ୍ବାରା ହିଁ ସ୍ବର୍ଗ ବା ମୋକ୍ଷପ୍ରାପ୍ତି ହୁଏ ବୋଲି ଅନେକେ ମତ ଦିଅନ୍ତି୤ ଟଙ୍କା ଦେଇ କେହି କେବେ ସ୍ବର୍ଗପ୍ରାପ୍ତି କରି ପାରିବ ନାହିଁ, ବୋଲି ସମସ୍ତେ ଜାଣନ୍ତି୤ ତେଣୁ ଆମ ବନ୍ଧୁ ଯେ ଫେସବୁକରେ ଉଲ୍ଲେଖ କରିଥିଲେ ଯେ ଧାର୍ମିକ ବ୍ୟକ୍ତିମାନେ ମନ୍ଦିରର ହୁଣ୍ଡିରେ ଦାନ ଦେଇ ସ୍ବର୍ଗକୁ ଟିକେଟ୍ କିଣନ୍ତି ତାଙ୍କର ଏହି ଭାବନା ସମ୍ପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ ବୋଲି ଆମେ କହିବାକୁ ବାଧ୍ୟ ହେଉଛୁ୤

donations by paytm

ଉପରେ ଦିଆଯାଇଥିବା ଅନେକ କାରଣ ବ୍ୟତୀତ ମଧ୍ୟ ଅନେକ ବନ୍ଧୁ ଅଛନ୍ତି ଯେଉଁ ମାନେ କହିଛନ୍ତି ଯେ ସେମାନେ ଅଭ୍ୟାସବଶତଃ ମନ୍ଦିରରେ ଦାନଧର୍ମ କରନ୍ତି୤ ତାଙ୍କୁ ଏହା ବରିଷ୍ଠ ସଦସ୍ୟମାନଙ୍କ ଠାରୁ ମିଳିଥାଏ୤ ଆମେ ବି ମନ୍ଦିର ଯାଉ, ଏବଂ ମନ୍ଦିର ଯିବା ସମୟରେ ଅଭ୍ୟାସବଶତଃ ମନ୍ଦିରର ହୁଣ୍ଡିରେ କିଛି କିଛି ଟଙ୍କା ପକାଇ ଦେଉ, ଏହା ଦ୍ବାରା କଣ ହେବ, କଣ ନାହିଁ ସେ ବିଷୟରେ ବି ଆମେ ଚିନ୍ତା କରୁନାହୁଁ୤ ହୁଏତ ଆମ ମସ୍ତିଷ୍କରେ କୌଣସି ଅଂଶରେ ଏହି ଭାବନା ଥାଇପାରେ ଯେ ଏହା ଦ୍ବାରା ମନ୍ଦିରର ଉନ୍ନତି ହେବ, ବା ମନ୍ଦିର ଦ୍ବାରା ହେଉଥିବା ଦାନଧର୍ମ ହୋଇପାରିବ ବା ଆଉ କିଛି୤ ହେଲେ ସେ ବିଷୟରେ ଆମେ କେବେ ଚିନ୍ତା କରିନାହୁଁ୤ ଯେ ହେତୁ ଆମ ବାପା ଗୋସେଇଁବାପା ମନ୍ଦିରରେ ଦାନ କରୁଥିଲେ ଆମେ ବି କରୁଛୁ୤ ଆମ ପରିବାରରେ କୌଣସି ବ୍ୟକ୍ତି ଅନ୍ୟାୟରେ ଆୟ କରୁଥିବା କଥା ଆମେ ଜାଣିନୁ, କିମ୍ବା କୌଣସି ବ୍ୟକ୍ତି ସ୍ବର୍ଗ ଯିବାପାଇଁ ମନ୍ଦିରରେ ଦାନ କରୁଥିବା କଥା ବି ଆମେ ଜାଣିନୁ୤

ଆପଣ ବର୍ତ୍ତମାନ ଚିନ୍ତା କରି କହନ୍ତୁ ଆପଣ କେଉଁଥିପାଇଁ ଦାନ ଧର୍ମ କରନ୍ତି୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଗଭୀର ଆତ୍ମଚିନ୍ତନର ସମୟ ଆସିଛି

ଗଭୀର ଆତ୍ମଚିନ୍ତନର ସମୟ ଆସିଛି

ଏଠାରେ ପଢ଼ନ୍ତୁ !
ସୋସିଆଲ୍ ନେଟ୍‌ୱାର୍କରେ ଏ କଣ ହେଉଛି ?

ସୋସିଆଲ୍ ନେଟ୍‌ୱାର୍କରେ ଏ କଣ ହେଉଛି ?

ଏଠାରେ ପଢ଼ନ୍ତୁ !