ଆହ୍ବାନ ଓଡ଼ିଆ ବ୍ଲଗ୍
FB
TT
GG
ଅବଢ଼ା ଖାଇବା ପାଇଁ ଶ୍ରୀ ଜଗନ୍ନାଥ ପୁରୀ ଯାତ୍ରା
15-Apr-2016
1228 Hits
ଅପ୍ରେଲ ମାସର ପ୍ରବଳ ଗରମ ସମୟରେ ଲଗାତାର ତିନିଦିନ ଛୁଟି ମିଳିବା ଏକ ପ୍ରକାରର ଉପହାର ସଦୃଶ ହିଁ ହୋଇପାରେ ପ୍ରଥମେ ବିଷୁବ ସଂକ୍ରାନ୍ତି, ତା ପରଦିନ ଡା ବାବାରାଓ ଆମ୍ବେଦକର ଜୟନ୍ତୀ ଏବଂ ଶେଷରେ ଶ୍ରୀରାମ ନବମୀ ବିଷୁବ ସଂକ୍ରାନ୍ତିଦିନ ବ୍ରହ୍ମପୁରରେ ଉତ୍ସବମୁଖର ବାତାବରଣକୁ ଛାଡ଼ିଦେଇ ବାହାରକୁ ଯିବା କେବେ ବି ଭଲ ଲାଗେନି ତେଣୁ ମନେ ମନେ ଚିନ୍ତା କରିଥିଲି ପରଦିନ ଅର୍ଥାତ ୧୪ ଅପ୍ରେଲରେ କୌଣସି ଏକ ସ୍ଥାନକୁ ଯାତ୍ରା କରିବି ପ୍ରଥମେ ଚିନ୍ତା କରିଥିଲି ନୟାଗଡ଼ ଜିଲ୍ଲା ଯାଇ ଓଡ଼ଗାଁ, ଶରଣକୂଳ ଓ କଣ୍ଟିଲୋ ଆଦି ସ୍ଥାନ ଦେଖି ଆସିବି, ହେଲେ ସକାଳୁ ଉଠିବା ବେଳକୁ ନିଦ ଭାଙ୍ଗିଲାନାହିଁ ଦିନ ଦଶଟା ବେଳକୁ ତଥାପି ଇଚ୍ଛା ହେଉଥିଲା ଲମ୍ବାରାସ୍ତାରେ ଗାଡ଼ି ନେଇଯାଇ ବୁଲି ଆସିବା ପାଇଁ, ତେଣୁ ମନେ ମନେ ସ୍ଥିର କଲି, ପୁରୀ ଯିବାପାଇଁ ଘରେ ବି ସାଙ୍ଗେ ସାଙ୍ଗେ ତୟାର ହୋଇଗଲେ ଆମେ ସ୍ଥିର କଲୁ ଯଦି ଆମେ ଏଗାରଟା ସୁଦ୍ଧା ବାହାରିବା ତା ହେଲେ ଅନ୍ୟୁନ ଚାରିଘଣ୍ଟାର ଯାତ୍ରା ପରେ ତିନିଟା ବେଳକୁ ପୁରୀରେ ପହଞ୍ଚିବା ଆଉ ମହାପ୍ରଭୂଙ୍କୁ ଦର୍ଶନ କରି, ଅବଢ଼ା ସେବନ କରିଦେଇ ପୁଣି ସନ୍ଧ୍ୟାରେ ଫେରିଲେ ରାତି ସୁଦ୍ଧା ଘରେ ହାଜର ହୋଇଯିବା
ଘରୁ ବାହାରିବା ବେଳକୁ ସାଢ଼େ ଏଗାର ହୋଇସାରିଥିଲା ବାହାରେ ଗ୍ରୀଷ୍ମତାପ ଆଉ ଉତ୍ତପ୍ତ ବାୟୁ ହେଲେ ଗାଡ଼ି ଭିତରର ଶୀତାତାପ ନିୟନ୍ତ୍ରଣ ଯନ୍ତ୍ର ଆମକୁ ଗରମକୁ ଅନୁଭବ କରିବାକୁ ଦେଇନଥିଲା ବ୍ରହ୍ମପୁରରେ ରହୁଥିବା ମୋ ଶାଶୁଶଶୁରଙ୍କୁ ସାଥିରେ ନେଇ ଆମେ ବାହାରିବା ବେଳକୁ ବାରଟା ବାଜି ସାରିଥିଲା ସେମାନଙ୍କୁ ଯଦିଓ ଜଣାଇ ନଥିଲୁ ଯେ ଆମେ ପୁରୀ ଯିବାପାଇଁ ବାହାରିଛୁ, ସେମାନେ ଭାବିଥିଲେ ଆମେ ହୁଏତ ବାଲୁଗାଁ ପର୍ଯ୍ୟନ୍ତ ଯାଇ ନାରାୟଣୀ ଢାବାରେ ଖାଇପିଇ ଫେରିଆସିବା ବୋଲି କିନ୍ତୁ ରାଷ୍ଟ୍ରୀୟ ରାଜମାର୍ଗରେ ଗାଡ଼ି ଯେତେବେଳେ ପ୍ରବଳ ବେଗରେ ଚାଲୁଥିଲା ଏବଂ ବାହାରର ଗରମ ଗାଡ଼ି ଭିତରେ ଅନୁଭବ ହେଉନଥିଲା, ସେତେବେଳେ ସେମାନଙ୍କୁ ଜଣେଇ ଦିଆଗଲା ଯେ ଆମେ ଆଜି ଅଶୋକାଷ୍ଟମୀ ପରି ଏକ ପବିତ୍ର ଦିନରେ ପୁରୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯିବା ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ
ବ୍ରହ୍ମପୁରରୁ ଆମେ ଯାତ୍ରା କରିଥିଲୁ ରାମେଶ୍ବରମ୍ ଛକ ପର୍ଯ୍ୟନ୍ତ ଯେଉଁଠାରୁ ଆମକୁ ଶ୍ରୀଜଗନ୍ନାଥ ସଡ଼କରେ ଗାଡ଼ି ନେଇ ଗଲେ କିଞ୍ଚିତ୍ କମ ରାସ୍ତା ପଡ଼ିବ ବୋଲି ଚିନ୍ତା କରି ଆମେ ବାହାରିଥିଲୁ ଏହି ରାସ୍ତାରେ ଗୋଟିଏ ଟୋଲ୍ ଗେଟ୍ ଆସେ, ବାଲୁଗାଁ ପରେ ପରେ, ସେଠାରେ ଉଭୟ ପାର୍ଶ୍ବକୁ ଯିବା ଆସିବା ପାଇଁ ୧୦୫ ଟଙ୍କାର ରସିଦ କାଟିବାକୁ ପଡ଼ିଥିଲା ଏହାପରେ ଆମେ ପହଞ୍ଚିଥିଲୁ ରାମେଶ୍ବରମ୍ ଛକରେ ଏଠାରେ ଅନେକ ଦୋକାନ ବଜାର ରହିଛି ଅନେକ ରାସ୍ତା ଯାତ୍ରା କରିବାକୁ ଯାଉଥିଲା ଯାତ୍ରୀମାନେ ଏଠାରେ କିଛି ସମୟ ରହି ନିଜର ଶୋଷ ମେଣ୍ଟେଇବାପାଇଁ ଜୁସ୍ ଆଉ ଲସି ଦୋକାନ ସବୁ ଖୋଲିଛି ସେଠାରେ ଆମେ କିଛି ସମୟ ରହିଥିଲୁ ଆଉ ସାମାନ୍ୟ କ୍ଷୁଧାନିବାରଣ ହେତୁ କିଛି କିଛି ଗରମ ବରା ଆଉ ଛେନାପୋଡ଼ ଖାଇବା ସହିତ ଥଣ୍ଡାପାନୀୟର ମଜା ନେଇଥିଲୁ ଏହାପରେ ଆମର ଯାତ୍ରା ଆରମ୍ଭ ହୋଇଥିଲା ପୁରୀ ଅଭିମୁଖେ
ଶ୍ରୀଜଗନ୍ନାଥ ସଡ଼କ ଭଲ ରାସ୍ତା ବୋଲି ଶୁଣିଥିଲୁ ତେଣୁ ସେଇ ରାସ୍ତାରେ ଯିବାକୁ ବାହାରିଥିଲୁ ସେହି ରାସ୍ତାରେ ଅନେକ ଶାସନ ବା ବ୍ରାହ୍ମଣଶାସନ ସବୁ ରହିଛି ସେହି ସବୁ ଗାଁ ମଧ୍ୟଦେଇ ଗଲାବେଳେ ଦୁଇ ପାଖରେ ଥିଲା ଅଗଣିତ ନଡ଼ିଆ ଆଉ ଗୁଆ ଗଛ, ସେ ସବୁ ରାସ୍ତା ଉପରକୁ ରହି ରାସ୍ତାକୁ ସୁଶୀତଳ ଛାୟା ପ୍ରଦାନ କରୁଥିଲେ କିଛି ରାସ୍ତା ଯିବାପରେ ଗୋଟିଏ ରାସ୍ତା ପାର୍ଶ୍ବରେ ସଜ ତାଳ ବିକ୍ରୀ ହେଉଥିବା ଦେଖି ଗାଡ଼ି ଅଟକାଇଥିଲୁ ସେଠରେ ସଜ ତାଳ ଖାଇବା ପରେ ଫୋଟୋ ଉଠେଇଥିଲୁ ଦୁଇପାଖରେ ଅନେକ ବୃହଦାକାର ଗଛ ଏବଂ ଲମ୍ବା ସର୍ପିଳ ରାସ୍ତାରେ ଗାଡ଼ି ଚଳାଇବା ଯେତେ ମନୋହର ଥିଲା, ରାସ୍ତା ମଧ୍ୟରେ ଅନେକ ହମ୍ପ୍ ବା ସ୍ପିଡ୍ ବ୍ରେକର୍ ଯାତ୍ରାକୁ ସେତେ ବିରକ୍ତିକର ମଧ୍ୟ କରିଦେଉଥିଲେ କିଛି ରାସ୍ତା ଗଲାପରେ ସିମେଣ୍ଟ୍ ତିଆରି ରାସ୍ତା ଆସିଥିଲା, ଯାହାର ଉଭୟ ପାର୍ଶ୍ବରେ ଅନେକ ବୃକ୍ଷ୍ୟଥିଲା ଏଠାରେ ରହି ଆମେ ଅନେକ ଫୋଟୋ ନେଇଥିଲୁ ସେଇଠାରୁ ବାହାରି ଆମେ ସିଧା ଚାଲିଥିଲୁ ଶ୍ରୀକ୍ଷେତ୍ର ପୁରୀ ଯେତେ ନିକଟତର ହେଉଥିଲା ଆମେ ସେତେ ଉତ୍ସାହିତ ହୋଇ ଉଠୁଥିଲୁ ବାଟମଙ୍ଗଳା, ଅଠରନଳା ଆଦି ଦେଇ ଆମେ ଯେତେବେଳେ ପୁରୀ ମଧ୍ୟକୁ ପ୍ରବେଶ କଲୁ ସେତେବେଳେ ଅନେକ ଆନନ୍ଦ ଲାଗିଥିଲା ବଡ଼ଦାଣ୍ଡରେ ଗାଡ଼ି ପହଞ୍ଚିବାପରେ ଆମେ ଗାଡ଼ିକୁ ଚାରିଚକିଆ ରଖିବା ସ୍ଥାନରେ ରଖିଦେଇ ଦୁଇଟି ରିକ୍ସା କରି ଶ୍ରୀମନ୍ଦିର ଆଡ଼କୁ ବାହାରିଲୁ
ଚାରିଚକିଆ ରଖାଯାଉଥିବା ସ୍ଥାନରୁ ଶ୍ରୀମନ୍ଦିରର ବାଟ ଅନ୍ୟୁନ ତିନିଶହ ମିଟର କିନ୍ତୁ ଏହି ରାସ୍ତାକୁ ନେବାପାଇଁ ଅଟୋମାନେ ଶହେ ରୁ ଦେଢ଼ଶହ ଟଙ୍କା ଦାବୀ କରୁଥିବା ବେଳେ ରିକ୍ସାରେ ଆମେ କୋଡ଼ିଏ ଟଙ୍କାରେ ଯାଇ ପହଞ୍ଚିଗଲୁ ମନ୍ଦିର ବାହାରେ ହନୁମାନ ଜୟନ୍ତୀପାଇଁ ତିଆରି ହୋଇଥିବା ସୁସଜ୍ଜିତ ତୋରଣ ତଳେ ଆମେ ରହିଲୁ ଏବଂ ଏଠାରୁ ଶ୍ରୀମନ୍ଦିର ଦର୍ଶନରେ ଗଲୁ ଆମ ପୁଅର ବୟସ ଏକ ବର୍ଷ ହୋଇନଥିବା ହେତୁ ତାକୁ ମନ୍ଦିର ଭିତରକୁ ନେବା ବାରଣ ଥିଲା ତେଣୁ ସେ ନିଜ ଅଜାଆଇଙ୍କ ପାଖରେ ରହିବା ପରେ ଆମେ ସସ୍ତ୍ରୀକ ଝିଅ ନ୍ୟାସାକୁ ସାଥିରେ ନେଇ ମନ୍ଦିରକୁ ଯାଇଥିଲୁ ଅନେକ ବର୍ଷପରେ ଆମେ ଶ୍ରୀମନ୍ଦିର ଯାଇଥିଲୁ ଆମକୁ କୌଣସି ପ୍ରକାରର ଅସୁବିଧା ହୋଇନଥିଲା ଆମେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସ୍ବଚ୍ଛନ୍ଦରେ କରିଥିଲୁ ଜଗମୋହନର ମରାମତି ପାଇଁ ଭିତର ଗମ୍ଭୀରାକୁ ପ୍ରବେଶ ମନାଥିଲା ତଥାପି ଗରୁଡ଼ ସ୍ତମ୍ଭଠାରୁ ଆମେ ଚକାଆଖି ଦେଖି ଆନନ୍ଦିତ ହୋଇଥିଲୁ ଝିଅକୁ ଆମ ମନ୍ଦିର ବିଷୟରେ ଅନେକ କଥା ଜଣାଇବା ପରେ ସେ ଭିନ୍ନ ଭିନ୍ନ ଜିନିଷ ବିଷୟରେ ଜାଣିବାକୁ ଉତ୍ସାହ ଦେଖାଉଥିବା ଭଲ ଲାଗୁଥିଲା
ମନ୍ଦିର ବେଢ଼ାରେ ଥିବା କଳ୍ପବଟଗଛ, ସର୍ବତୀର୍ଥ ଆଦିର ପ୍ରଦକ୍ଷିଣ କରିବା ମନକୁ ଭକ୍ତିବିଭୋର କରି ଦେଇଥିଲା ବିମଳା ମନ୍ଦିର ଭିତରେ ଯାଇ ଶଙ୍ଖା ଆଉ ସିନ୍ଦୁର କୋଡ଼ିଏ ଟଙ୍କାରେ କିଣିବାପରେ ମନ୍ଦିରର ପୂଜାରୀ ଆମକୁ ଭିତରକୁ ନେଇଯାଇ ପୂଜା କରିବା ପରେ ଦକ୍ଷିଣା ପାଇଁ କୌଣସି ପ୍ରକାର ଦାବୀ କରିନଥିଲେ, ଆମେ ନିଜ ସାମର୍ଥ୍ୟ ହିସାବରେ ଦକ୍ଷିଣା ଦେଇଥିଲୁ ଏହାପରେ ମା ଲକ୍ଷ୍ମୀ ମନ୍ଦିରରେ ପଦ୍ମଫୁଲର ହାର ଚଢ଼ାଇବାପାଇଁ ମନ ବଳାଇବାପରେ ଦୁଇଟି ହାରକୁ କୋଡ଼ିଏ ଟଙ୍କାରେ କିଣି ପୂଜାରୀଙ୍କୁ ସମ ପରିମାଣର ଦକ୍ଷିଣା ଦେବାପରେ ସେ ହାର ଦୁଇଟିକୁ ନେଇ ମାଁଙ୍କ ଚରଣରେ ଦେଇ ଆସିଥିଲେ
ଏହାପରେ ଆମେ ପହଞ୍ଚିଥିଲୁ ଆନନ୍ଦ ବଜାରରେ ସୂଚନାଯୋଗ୍ୟ ଯେ ମନ୍ଦିର ଭିତରେ ନିର୍ମାଣ କାର୍ଯ୍ୟ ହେତୁ ପ୍ରତିଦିନ ସକାଳ ଦଶଟାରୁ ଏଗାରଟା ଭିତରେ ଅବଢ଼ା ବାହାରିଯାଏ କିନ୍ତୁ ଆମେ ପହଞ୍ଚିବା ବେଳକୁ ପାଞ୍ଚଟା ହୋଇ ସାରିଥିଲେ ସୁଦ୍ଧା ଭଲ ଅବଢ଼ା ପାଇଥିଲୁ ବାସମତୀ ଚାଉଳର ଅନ୍ନ, ସାଙ୍ଗକୁ ବେସର, ମହୁର, ଆମ୍ବ ଆମ୍ବିଳ ଖଟା, କନିକା ମିଠା, ଡାଲି, ପେଡ଼ା ଆଦି ନେଇ ଆମେ ମନ୍ଦିରରୁ ଆନନ୍ଦରେ ବାହାରକୁ ଆସିଥିଲୁ ଚାରିଜଣଙ୍କ ପାଇଁ ଏହି ସବୁ ଦ୍ରବ୍ୟର ମୂଲ୍ୟ ମାତ୍ର ସାଢ଼େ ଚାରିଶହ ଟଙ୍କା ଥିଲା ଆମେ ଫେରିବା ପରେ ଶାଶୁଶଶୁର ମନ୍ଦିରଯାଇ ମହାପ୍ରଭୂଙ୍କ ଦର୍ଶନ ସାରିଦେଇ ବେଢ଼ା ବୁଲି ଆସିଥିଲେ ସାଢ଼େ ପାଞ୍ଚଟା ବେଳକୁ ଆମେ ଭଲରେ ମହାପ୍ରଭୂଙ୍କ ଦର୍ଶନ ସାରିଦେଇ ଗୃହାଭିମୁଖ ହୋଇଥିଲୁ ସାଥିରେ ଅବଢ଼ା ନେଇ ଆମେ ଗାଡ଼ି ରଖାଯାଉଥିବା ସ୍ଥାନକୁ ଫେରି ଆସିଥିଲୁ ସେଇଠି କୌଣସି ଜାଗାରେ ବସି ଖାଇବା ସୁବିଧା ନଥିବା ହେତୁ ଆମେ ଗାଡ଼ି ନେଇ ଫେରି ଆସିଲୁ
ଫେରିବା ବେଳେ ଆମେ ପୁଣି ଜଗନ୍ନାଥ ସଡ଼କରେ ଯିବାପାଇଁ ଅନିଚ୍ଛା ପ୍ରକାଶ କରିଥିଲୁ, ଯେହେତୁ ରାସ୍ତା ଅନେକ ସ୍ଥାନରେ ଦୁର୍ବଳ ଥିଲା ତେଣୁ ଆମେ ପୁରୀ ଭୁବନେଶ୍ବର ରାସ୍ତାରେ ବାହାରିଲୁ ପୁରୀ ବାହାରେ ମାଳତୀପାଟପୁର ଠାରେ ନିର୍ମିତ ବସଟର୍ମିନାଲ ଦେଖିବାକୁ ଭବ୍ୟ ଓ ସୁନ୍ଦର ଥିଲା ପୁରୀଠାରୁ ବାହାରିବାପରେ ଅନ୍ୟୁନ କୋଡ଼ିଏ କିଲୋମିଟର ଆସିବାପରେ ରାସ୍ତା ପାର୍ଶ୍ବରେ ଏକ ଯାତ୍ରୀ ବିଶ୍ରାମସ୍ଥଳୀଠାରେ ଗାଡ଼ି ଅଟକାଇ ଆମେ ଅବଢ଼ା ସେବନର ବ୍ୟବସ୍ଥା କରିଥିଲୁ ସମସ୍ତେ ମନଭରି ଅବଢ଼ା ଖାଇବା ସତ୍ତ୍ବେ ଆହୁରି ଅନ୍ନ ଓ କାନିକା ବଳକା ରହିଯାଇଥିଲା ସେସବୁକୁ ଭଲଭାବରେ ପ୍ୟାକ୍ କରିଦେଇ, ଆମେ ପୁଣି ଗାଡ଼ିନେଇ ବାହାରିଲୁ ପୁରୀ ଭୁବନେଶ୍ବର ରାସ୍ତାରେ ଗାଡ଼ି ଚଳାଇବା ଏକ ଅନନ୍ୟ ଅନୁଭୂତି ଥିଲା ଭୁବନେଶ୍ବର ମଧ୍ୟରେ କିନ୍ତୁ ଯାନବହୁଳତା ଏବଂ ଅନ୍ଧାର ହେତୁ ଗାଡ଼ି ଚଳାଇବା ବିରକ୍ତିକର ଅନୁଭବ ହୋଇଥିଲା ତଥାପି ଆମେ ଭୁବନେଶ୍ବର ସହରକୁ ପଛରେ ଛାଡ଼ିଦେଇ ଆଗକୁ ଆସିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗିଗଲା
ଭୁବନେଶ୍ବର ପରେ ଖୋର୍ଦ୍ଧା ସହର ଆସିବା ପର୍ଯ୍ୟନ୍ତ ଆମେ ଜାଣିପାରିଲୁ ନାହିଁ କେତେବେଳେ ଆମେ ଅନେକ ବାଟ ଚାଲି ଆସିଲୁ ଏହାପରେ ଆମେ ପୁଣି ଗୋଟିଏ ଟୋଲ୍ ଗେଟ୍ରେ ପହଞ୍ଚିଲୁ ବ୍ରହ୍ମପୁର ଓ ଭୁବନେଶ୍ବର ମଧ୍ୟରେ ତିନୋଟି ଟୋଲ୍ ଗେଟ୍ ରହିଛି ଏବଂ ଏଥିରୁ ଦୁଇଟି ସ୍ଥାନରେ ସେମାନେ ରସିଦ କାଟି ଅର୍ଥ ଆଦାୟ କରୁଥିବା ବେଳେ ତୃତୀୟଟି ବର୍ତ୍ତମାନ ବନ୍ଦ ରହିଛି ଖୋର୍ଦ୍ଧା ପରବର୍ତ୍ତୀ ଟୋଲ୍ ଗେଟରେ ସତୁରୀ ଟଙ୍କାର ଦେୟ ଦେବାକୁ ପଡ଼େ ଏହାପରେ ଆମେ ଗାଡ଼ି ନେଇ ଆଗକୁ ବଢ଼ିଲୁ ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ବେଳକୁ ଆମେ ରାମେଶ୍ବରମ ଛକରେ ପହଞ୍ଚି କିଛି ସମୟ ପାଇଁ ବିଶ୍ରାମ ନେବାକୁ ଉଚିତ ମନେ କଲୁ ଥଣ୍ଡାପାନୀୟ, ଚା ଆଦି ସରିବାପରେ ଆମେ ପୁଣି ଅନ୍ଧାରରେ ବ୍ରହ୍ମପୁର ଆଡ଼କୁ ବାହାରିଥିଲୁ
ଖୋର୍ଦ୍ଧାପରେ ପରେ ବାଲୁଗାଁ ପାଖାପାଖି ରାସ୍ତା ଗୁଡ଼ିକ ଖୋଳି ଦେଇଥିବା ହେତୁ ରାସ୍ତାରେ ଗାଡ଼ିକୁ ତୀବ୍ରବେଗରେ ଚଳାଇବା ସମ୍ଭବ ହୋଇନଥିଲା ତଥାପି ବେଗକୁ ଅଧିକ ରଖି ଆମେ ରାତ୍ରୀ ଦଶଟା ପୂର୍ବରୁ ବ୍ରହ୍ମପୁରରେ ପହଞ୍ଚିଯାଇଥିଲୁ ଯିବାବେଳେ ଯେତେ ସମୟ ଲାଗିଥିଲା ଫେରିବା ପାଇଁ ଉଣାଅଧିକେ ଠିକ୍ ସେତିକି ସମୟ ହିଁ ଲାଗିଥିଲା, କିନ୍ତୁ ରାସ୍ତା ସଫା ଥିବା ହେତୁ ପରିଶ୍ରମ ଲାଗିନଥିଲା
ସର୍ବୋପରି ପୁରୀ ଶ୍ରୀମନ୍ଦିରକୁ ଅନେକ ଦିନପରେ ଯାତ୍ରା ଆନନ୍ଦଦାୟକ ହୋଇଥିଲା ମହାପ୍ରଭୂଙ୍କ ଦର୍ଶନ ଅତି ସହଜରେ ଓ ଅତି କମ ଗହଳିରେ ହୋଇପାରିଥିଲା ଅଶୋକାଷ୍ଟମୀ ପରି ଦିନରେ ମହାପ୍ରଭୂଙ୍କ ଦର୍ଶନ ଓ ଅବଢ଼ା ସେବନ ଅତ୍ୟନ୍ତ ଆନନ୍ଦଦାୟକ ଥିଲା
Back to Previous Page
ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ
ଭାଷା ଅଭ୍ୟୁଦୟର କାହାଣୀ
ଏଠାରେ ପଢ଼ନ୍ତୁ !
ମହିଳାଯାତ୍ରୀ କହିଲେ : ଜୋରିମାନା ଦେବିନାହିଁ, ପ୍ରଥମେ ମାଲ୍ୟାଙ୍କୁ ଧର
ଏଠାରେ ପଢ଼ନ୍ତୁ !