favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ବିଶ୍ବରେ ବ୍ୟାପିଛି ଜିକା ଭୂତାଣୁ

ବିଶ୍ବରେ ବ୍ୟାପିଛି ଜିକା ଭୂତାଣୁ

ସଂପ୍ରତି ବିଶ୍ବର ଏକ ବୃହତ ଅଞ୍ଚଳ ଉପରେ ଏକ ଭୂତାଣୁ ଜନିତ ରୋଗର ଆଶଙ୍କା ଘନିଭୂତ ହେବାରେ ଲାଗିଛି୤ ଉତ୍ତର ଆମେରିକା ଏବଂ ତତ୍‌ସଂଲଗ୍ନ ଅଞ୍ଚଳମାନଙ୍କରେ ଜିକା ଭାଇରସ ନାମକ ଭୂତାଣୁ ଜନିତ ସଂକ୍ରମଣ ଦେଖିବାକୁ ମିଳିଛି, ଯାହା ଅନେକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି୤ ସୂଚନାଯୋଗ୍ୟ ଯେ ଏହି ଭୂତାଣୁଜନିତ ସଂକ୍ରମଣ ପାଇଁ କୌଣସି ପ୍ରତିଷେଧକ ଔଷଧ ବା ଟିକାର ବ୍ୟବସ୍ଥା ନାହିଁ, ଏବଂ ଚିକିତ୍ସାପରେ ମଧ୍ୟ ଏହାକୁ ପ୍ରତିରୋଧ କରିବା ଭଳି କ୍ଷମତା ଦେଖାଯାଉନାହିଁ୤ ମଶା କାମୁଡ଼ିବା ଯୋଗୁଁ ବ୍ୟାପୁଥିବା ହେତୁ ଏହା ସହଜରେ ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା ରଖୁଛି ଏବଂ ଏହାଦ୍ବାରା କୌଣସି ସ୍ବତନ୍ତ୍ର ଲକ୍ଷଣ ଦେଖାଯାଉନଥିବା ହେତୁ ଏହାଦ୍ବାରା ହେଉଥିବା ସଂକ୍ରମଣ ବିଷୟରେ ସହଜରେ ଜାଣି ହେଉନାହିଁ୤ ସାଧାରଣ ଥଣ୍ଡାଜ୍ବର ପରି ଜ୍ବର, ଦେହରେ ଫଳିଯିବା, ଆଣ୍ଠୁଗଣ୍ଠି ବ୍ୟଥା ଏବଂ ଆଖି ଧରିବା ଭଳି ଲକ୍ଷଣମାନ ଦେଖାଯାଏ୤ ଏହି ରୋଗ ସାଧାରଣତଃ ସାମାନ୍ୟରୁ ଅତି ସାମାନ୍ୟ ରହୁଥିବା ବେଳେ ଏହା କିଛି ଦିନରୁ ଆରମ୍ଭ କରି କିଛି ସପ୍ତାହ ପର୍ଯ୍ୟନ୍ତ ହୋଇପାରେ୤ କିନ୍ତୁ ଏହି ରୋଗ ହେତୁ ହାସପାତାଳରେ ଭର୍ତ୍ତି ହେବାପରି ଅବସ୍ଥା ଆସେ ନାହିଁ୤

ଏହି ରୋଗର ପ୍ରଥମ ଉପସ୍ଥିତି ବ୍ରାଜିଲଠାରେ ଦେଖାଯାଇଥିବା କଥା ମଇ ୨୦୧୫ରେ ପାନ୍ ଆମେରିକାନ୍ ହେଲ୍ଥ୍ ଅର୍ଗାନାଇଜେସନ୍ (PAHO) ଦ୍ବାରା ଜଣାଇ ଦିଆଯାଇଥିଲା୤ ଏହା ଏକ ମହାମାରୀର ରୂପ ନେଇ ସମଗ୍ର କେନ୍ଦ୍ର ଏବଂ ଦକ୍ଷିଣ ଆମେରୀକିୟ ଅଞ୍ଚଳରେ ବ୍ୟାପ୍ତ ହୋଇଥିଲା୤ ଏହା ଫଳରେ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ଗୁଲିଆନ୍ ବେରି ସିଣ୍ଡ୍ରୋମ୍ ଏବଂ ଗର୍ଭସ୍ଥ ଶିଶୁମାନଙ୍କ ମସ୍ତିଷ୍କର ଅଭିବୃଦ୍ଧି କମ ହେଉଥିବାର ଲକ୍ଷ୍ୟ କରାଯାଉଛି୤ ଏଥିପାଇଁ ବିଶ୍ବର ଅନେକ ଦେଶକୁ ଯିବା ଆସିବା ଉପରେ କଟକଣା ଜାରୀ କରାଯାଇଛି୤
Zika worldwide view
ଜିକା ଭୂତାଣୁ, ଫ୍ଲାଭିଭିରିଡ଼ି ଫ୍ୟାମିଲି ଏବଂ ଫ୍ଲାଭିଭିରିଡ଼ି ଜେନସ୍ ଅନ୍ତର୍ଭୂକ୍ତ ଭୂତାଣୁ ଅଟେ୤ ମନୁଷ୍ୟମାନଙ୍କରେ ଏହା ପ୍ରାଥମିକ ଭାବରେ ଏକ ସାଧାରଣ ଜ୍ବର ପରି ରୋଗ ସୃଷ୍ଟି କରିଥାଏ ଯାହାକୁ ଜିକା ଜ୍ବାର ବା ଜିକା ବା ଜିକା ରୋଗ ବୋଲି କୁହାଯାଏ୤ ଏହା ୧୯୫୦ ମସିହାରୁ ବିଶ୍ବର ଆଫ୍ରିକା ଏବଂ ଏସିଆ ମହାଦେଶର କିଛି ଅଞ୍ଚଳରେ ଥିବା ପ୍ରମାଣ ମିଳିଥିଲା୤ ୨୦୧୪ ମସିହାରେ ଏହା ପୂର୍ବଦିଗକୁ ବ୍ୟାପିଥିଲା, ଏବଂ ଏହା ପ୍ରଶାନ୍ତ ମହାସାଗର ପାର ହୋଇ ଫ୍ରେଞ୍ଚ୍ ପଲିନେସିଆ ଏବଂ ପରେ ଇଷ୍ଟର ଆଇଲ୍ୟାଣ୍ଡରେ ପହଞ୍ଚିବା ପରେ ୨୦୧୫ରେ କେନ୍ଦ୍ରୀୟ ଆମେରିକା ଏବଂ ଦକ୍ଷିଣ ଆମେରିକାରେ ଏହାର ପ୍ରଭାବ ଦେଖା ଦେଇଥିଲା୤ ବର୍ତ୍ତମାନ ଏହା ମାରାତ୍ମକ ମହାମାରୀର ରୂପ ନେଇଛି୤ ଏଥିପାଇଁ ବିଶ୍ବର ଚାଳିଶି ଗୋଟିଏ ଦେଶରେ ମହିଳାମାନଙ୍କୁ ଗର୍ଭଧାରଣରୁ ବାରଣ କରାଯାଉଛି୤ କାରଣ ଏହାଦ୍ବାରା ସଂକ୍ରମିତ ମହିଳାଙ୍କ ଗର୍ଭରୁ ଜନ୍ମିତ ସନ୍ତାନମାନଙ୍କ ମାନସିକ ଅଭିବୃଦ୍ଧି ନକାରାତ୍ମକ ବୋଲି ପ୍ରମାଣିତ ହୋଇଛି୤

ଏହି ଭୂତାଣୁ ପ୍ରଥମେ ଅପ୍ରେଲ ୧୯୭୪ ମସିହାରେ ଉଗାଣ୍ଡାର ଭିକ୍ଟୋରିଆ ହ୍ରଦ ନିକଟରେ ଥିବା ଜିକା ଜଙ୍ଗଲରେ ୟେଲୋ ଫିଭର୍ ରିସର୍ଚ ଇନ୍ଷ୍ଟିଟ୍ୟୁଟର ବୈଜ୍ଞାନିକ ମାନଙ୍କ ଦ୍ବାରା ଧରାଯାଇଥିବା ଏକ ମାଙ୍କଡ଼ ଦେହରୁ ମିଳିଥିଲା୤ ଏହାପରେ ଜାନୁଆରୀ ୧୯୪୮ ମସିହାରେ ଏହା ଏକ ମଶା ଦେହରୁ ମିଳିଥିଲା୤ ୧୯୫୨ ମସିହାରେ ମାଙ୍କଡ଼ ଦେହରେ ଜ୍ବର ହେବାପରେ ଏହି ଭୂତାଣୁକୁ ରକ୍ତରେ ଦେଖାଯାଇଥିଲା ଏବଂ ଏହାକୁ ଜିକା ଭୂତାଣୁ ବୋଲି ନାମାଙ୍କିତ କରାଯାଇଥିଲା୤ ମନୁଷ୍ୟମାନଙ୍କ ମଧ୍ୟରେ ଏହା ପ୍ରଥମଥର ୧୯୬୮ ମସିହାରେ ନାଇଜେରିଆରେ ମିଳିଥିଲା୤ ୧୯୫୧ଠାରୁ ୧୯୮୧ ପର୍ଯ୍ୟନ୍ତ ଏହା ଆଫ୍ରିକା ମହାଦେଶର ଅନେକ ଦେଶରେ ଦେଖାଦେଇଥିଲା୤ ଏହି ଭୂତାଣୁ ଏଡ଼ିସ୍ ମଶାଦ୍ବାରା ବ୍ୟାପିଥାଏ୤ କିନ୍ତୁ ମନୁଷ୍ୟମାନଙ୍କରେ ଏହା ଅଣସୁରକ୍ଷିତ ଯୌନ ସମ୍ପର୍କଦ୍ବାରା ମଧ୍ୟ ବ୍ୟାପିଥାଏ ଏବଂ ଗର୍ଭବତୀ ମହିଳାମାନଙ୍କଠାରୁ ଗର୍ଭରେ ଥିବା ଶିଶୁକୁ ମଧ୍ୟ ସଂକ୍ରମିତ ହୋଇପାରେ୤
Aedes mosquito
ଏହି ଭୂତାଣୁଦ୍ବାରା ହୋଇଥିବା ପ୍ରଥମ ସଂକ୍ରମଣ ୧୯୬୪ ମସିହାରେ ଲିପିବଦ୍ଧ ହୋଇଥିଲା, ଏଥିରେ ସାଧାରଣ ମୁଣ୍ଡବ୍ୟଥାରୁ ଆରମ୍ଭ କରି ଦେହରେ ଫଳିଯିବା, ଜ୍ବର ଏବଂ ଅଣ୍ଟାବ୍ୟଥା ହୋଇଥିଲା୤ ଦୁଇଦିନ ମଧ୍ୟରେ ଦେହରେ ହୋଇଥିବା ଲାଲ ରଙ୍ଗର ଦାଗ ସବୁ ଉଭେଇ ଯାଇଥିଲା ଏବଂ ତିନିଦିନ ମଧ୍ୟରେ ଜ୍ବର ମଧ୍ୟ କମ ହୋଇଥିଲା୤ ଜିକା ଭୂତାଣୁ ଦ୍ବାରା କୌଣସି ମାରାତ୍ମକ ରୋଗ ହେଉନଥିବା ଦେଖାଯାଏ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ମହିଳାଯାତ୍ରୀ କହିଲେ : ଜୋରିମାନା ଦେବିନାହିଁ, ପ୍ରଥମେ ମାଲ୍ୟାଙ୍କୁ ଧର

ମହିଳାଯାତ୍ରୀ କହିଲେ : ଜୋରିମାନା ଦେବିନାହିଁ, ପ୍ରଥମେ ମାଲ୍ୟାଙ୍କୁ ଧର

ଏଠାରେ ପଢ଼ନ୍ତୁ !
ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ !!!

ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ !!!

ଏଠାରେ ପଢ଼ନ୍ତୁ !