favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ !!!

ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ !!!

ଦେଶ ସ୍ବାଧୀନ ହେବା ପରଠାରୁ ଆମେ ଆତଙ୍କବାଦର ବିଭିନ୍ନ ସୋପାନ ଦେଇ ଗତି କରିଛୁ, ପଞ୍ଜାବର ଆତଙ୍କବାଦ ପରେ ପରେ କାଶ୍ମୀରରେ ଆତଙ୍କବାଦୀ ଗୋଷ୍ଠୀମାନେ ଆମ ଦେଶକୁ ଅଶାନ୍ତ କରିବାକୁ କୌଣସି ପଦକ୍ଷେପ ଛାଡ଼ି ନାହାନ୍ତି୤ ଶାନ୍ତିପ୍ରିୟ ଭାରତରେ ଅନୁପ୍ରବେଶ କରି ଭିନ୍ନ ଭିନ୍ନ ରାଜ୍ୟରେ ଅଶାନ୍ତର ବାତାବରଣ ସୃଷ୍ଟି କରିଛନ୍ତି୤ ଅବଶ୍ୟ ଆଜିପର୍ଯ୍ୟନ୍ତ ଏହାର ପ୍ରଭାବରୁ ଉଣାଅଧିକେ ଓଡ଼ିଶା ସମେତ ଅନେକ ଦକ୍ଷିଣର ରାଜ୍ୟ ଅଣପ୍ରଭାବିତ ହୋଇ ରହିଥିଲେ୤ କିନ୍ତୁ ବିଗତ କିଛି ଦିନର ଘଟଣା ଆମ ପାଇଁ ଚିନ୍ତାର କାରଣ ହୋଇଛି୤ ଆମ ରାଜ୍ୟର କଟକ ଜିଲ୍ଲାରୁ ଜଣେ ସନ୍ଦିଗ୍ଧ ଅଲକାଏଦାର ବ୍ୟକ୍ତି ଗିରଫ ହେବାପରେ ସମସ୍ତେ ସଚେତନ ହୋଇପଡ଼ିଛନ୍ତି୤ ଦେଶର ପୂର୍ବରେ ଥିବା ଆମ ରାଜ୍ୟରେ କେହି ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତଥିବ ବୋଲି ଭାବିବା ବେଳକୁ ଲୋମ ଟାଙ୍କୁରି ଉଠୁଛି୤ ସେ ଯା ହେଉ ଏହାପରେ ପରେ ଅନେକ ବ୍ୟକ୍ତିଙ୍କୁ ସନ୍ଦେହ କରି ଅଟକ ରଖାଯାଇଛି କିମ୍ବା ତଦନ୍ତ କରାଯାଉଛି୤

ନିକଟ ଅତୀତରେ ଭୁବନେଶ୍ବର ପୋଲିସ ସନ୍ଦେହରେ ଚାରିଜଣ ବ୍ୟକ୍ତିଙ୍କୁ ଅଟକ ରଖିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ଏବଂ ଏହାପରେ ସେମାନେ ସୁଦୂର ବିଶାଖାପାଟଣା ଠାରେ ପୋଲିସ ହାତରେ ଧରାପଡ଼ିଛନ୍ତି୤ ସେମାନେ ଦିଲ୍ଲୀର ରେଜିଷ୍ଟ୍ରେସନ ହୋଇଥିବା ଗୋଟିଏ କାରରେ ଓଡ଼ିଶା ଆସି ଭୁବନେଶ୍ବରର ଏକ ହୋଟେଲରେ ରହିବା ପାଇଁ ଚେଷ୍ଟା କରୁଥିବା ବେଳେ ହୋଟେଲର କର୍ମଚାରୀ ସେମାନଙ୍କ ପ୍ରମାଣପତ୍ର/ପାସପୋର୍ଟ ମାଗିବା ପରେ ସେମାନେ ପଳାଇ ଯାଇଥିଲେ, ଏଥିରୁ ସନ୍ଦେହ ହୋଇଥିଲା ଏବଂ ପ୍ରାଥମିକ ସୂଚନାରୁ ଜଣା ଯାଉଛି ଯେ ସେମାନେ ଇରାକରୁ ଆସିଥିବା ସନ୍ଦେହ ହେଉଛି୤
Terrorist in Odisha
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆମ ରାଜ୍ୟ ଉପରେ ଆତଙ୍କବାଦୀଙ୍କ ଦୃଷ୍ଟି ପଡ଼ିନାହିଁ ତ ? ହିନ୍ଦୁମାନଙ୍କର ଚାରୋଟି ତୀର୍ଥସ୍ଥଳରୁ ପ୍ରମୁଖ ଶ୍ରୀଜଗନ୍ନାଥପୁରୀ ଆମ ରାଜ୍ୟରେ ରହିଥିବା ଦୃଷ୍ଟିରୁ ଏହାକୁ ନିଶାଣ କରି କୌଣସି ପ୍ରକାର ଆତ୍ମଘାତୀ କାର୍ଯ୍ୟ କରାଯାଇପାରେ ବୋଲି ପୂର୍ବରୁ ଅନେକଥର ସନ୍ଦେହ ବ୍ୟକ୍ତ କରାଯାଇଛି୤ କିଛି ମାସତଳେ ପୁରୀ ରେଳଷ୍ଟେସନରେ ଠିଆହୋଇଥିବା କିଛି ଟ୍ରେନରେ ଜଣେ ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା୤ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିଲେ ସୁଦ୍ଧା ଏହା ନିଶ୍ଚୟ ଭାବରେ ଚିନ୍ତା ଉଦ୍ରେକକାରୀ ବିଷୟଟିଏ୤ ବର୍ତ୍ତମାନ ସୁଦ୍ଧା ଏହି ଘଟଣାର କାରଣ ଏବଂ ସଂପୃକ୍ତି ନେଇ କୌଣସି ସୂଚନା ମିଳିପାରିନାହିଁ୤

ତା ହେଲେ ବିଗତ ଦିନରେ ଓଡ଼ିଶାରେ ଅନଧିକୃତ ଭାବରେ ପ୍ରବେଶ କରୁଥିବା ଏହି ଚାରି/ପାଞ୍ଚ ଜଣ ବ୍ୟକ୍ତି କିଏ ଥିଲେ ଏବଂ ସେମାନେ କାହିଁକି ଓଡ଼ିଶା ଆସିଥିଲେ ତାହା ତଦନ୍ତସାପେକ୍ଷ୤ ସେମାନେ କାହିଁକି ଭୁବନେଶ୍ବରରୁ ବାହାରି ତୁରନ୍ତ ବିଶାଖାପାଟଣା ଚାଲିଗଲେ? ସେମାନେ ଭୁବନେଶ୍ବରରୁ ବିଶାଖାପାଟଣା ଓଡ଼ିଶା ଭିତର ଦେଇ ଯାଇଥିଲେ, ତେଣୁ ସେମାନେ ରାଜ୍ୟର ଦକ୍ଷିଣରେ ଥିବା ଯେ କୌଣସି ଜିଲ୍ଲାରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ କରିଥିଲେ ଏହାର ପ୍ରଭାବ କଣ ହୋଇଥାନ୍ତା? ସେମାନେ ଓଡ଼ିଶା ଭିତର ଦେଇ ଆନ୍ଧ୍ରପ୍ରଦେଶକୁ ଚାଲିଗଲେ ଅଥଚ ଆମ ପୋଲିସ ଏହାକୁ ନେଇ କୌଣସି ପ୍ରକାର ଧରପଗଡ଼ କରିପାରିଲା ନାହିଁ କାହିଁକି ? ଭୁବନେଶ୍ବରରୁ ବିଶାଖାପାଟଣା ଯିବାକୁ ଅନ୍ତତଃ ଛଅ ଘଣ୍ଟା ସମୟ ଲାଗେ ଏବଂ ପାଖାପାଖି ଚାରିଶହ କିଲୋମିଟର ରାସ୍ତା ସେମାନେ ଅତିକ୍ରମ କରିଥିଲେ ମଧ୍ୟ ତାଙ୍କୁ କୌଣସି ସ୍ଥାନରେ କେହି ଅଟକାଇଲେ ନାହିଁ କାହିଁକି ? ଭୁବନେଶ୍ବରରେ ଦେଖାଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସୂଚନା ସମଗ୍ର ରାଜ୍ୟରେ ପ୍ରସାର କରିଥିଲେ ହୁଏତ ରାଷ୍ଟ୍ରୀୟ ରାଜପଥରେ ସ୍ଥାନେ ସ୍ଥାନେ ପୋଲିସ ଧରପଗଡ଼ର ବ୍ୟବସ୍ଥା କରାଯାଇ ପାରିଥାନ୍ତା୤ ସେହି ବ୍ୟକ୍ତିମାନେ ବ୍ୟବହାର କରୁଥିବା ଗାଡ଼ିରେ ଦିଲ୍ଲୀର ରେଜିଷ୍ଟ୍ରେସନ ନମ୍ବର ଥିବା ହେତୁ ଏହା ସମ୍ଭବ ଯେ ସେମାନେ ଦିଲ୍ଲୀରୁ ହିଁ କାରରେ ହିଁ ଓଡ଼ିଶାରେ ପହଞ୍ଚିଥିଲେ୤ ଅର୍ଥାତ, ଆମ ଦେଶର ଅର୍ଦ୍ଧାଧିକ ଭାଗ ସେମାନେ କାରରେ ଭ୍ରମଣ କରିଥିଲେ୤ ସେମାନେ ବ୍ୟବହାର କରୁଥିବା କାର କେଉଁଠାରୁ ଆଣିଥିଲେ୤ ତାଙ୍କୁ ଗାଡ଼ି ଭଡ଼ାରେ ଦିଆଯାଇଥିଲା ନା ସେମାନେ ଗାଡ଼ିକୁ ଚୋରୀ କରି ଆଣିଥିଲେ? ଅନେକ ପ୍ରଶ୍ନର ଉତ୍ତର ମିଳିବା ଆବଶ୍ୟକ ଅଛି୤
All terrorists
ସେମାନେ ଯେଉଁ ହୋଟେଲକୁ ଯାଇଥିଲେ ସେଠାରେ କ୍ଲୋଜ୍ ସର୍କିଟ୍ କ୍ୟାମେରା ଲାଗିଥିଲା ନା ନାହିଁ୤ ଭୁବନେଶ୍ବରଠାରୁ ବିଶାଖାପାଟଣା ଯିବାଭିତରେ ଅନ୍ୟୁନ ପାଞ୍ଚଟି ସ୍ଥାନରେ ଟୋଲ୍ ଗେଟ୍ ରହିଛି ଏବଂ ସେହି ସବୁ ସ୍ଥାନରେ ଗାଡ଼ିର ନମ୍ବର ଲିଖିତ ଆକାରରେ ରଖାଯାଇଥିବ, ସେ ସବୁର ବିବରଣୀ ଦେଖିଲେ ହୁଏତ ସଠିକ୍ ଜଣାପଡ଼ିବ ସେମାନେ କେଉଁ ରାସ୍ତାରେ ଯାତ୍ରା କରିଥିଲେ୤ ଯଦି ବିଶାଖାପାଟଣା ପୋଲିସ କରୁଥିବା ଦାବୀ ଯେ ସେମାନେ ଚାରିଜଣଙ୍କୁ ଅଟକ ରଖିଛନ୍ତି ଏବଂ ସେମାନେ ହିଁ ଓଡ଼ିଶା ଆସିଥିଲେ ତା ହେଲେ ସେମାନଙ୍କଠାରୁ ଅନେକ ତଥ୍ୟ ମିଳି ପାରିବ୤

ବର୍ତ୍ତମାନ ବିଶ୍ବର ଇରାକ ଓ ସିରିଆ ଅଞ୍ଚଳରେ ଆଇଏସ୍ ଆଇଏସ୍ ଦ୍ବାରା ସଂଚାଳିତ ହତ୍ୟାକାଣ୍ଡ ଓ ମୃତ୍ୟୁର ବିଭୀଷିକାକୁ ଦେଖିଲେ ମନେ ହେଉଛି, ଯଦି ଏହି ବ୍ୟକ୍ତିମାନଙ୍କର ଆଇଏସଆଇଏସ୍ ସହ କୌଣସି ସମ୍ପର୍କ ଥାଏ ତେବେ ଏହା ଏକ ଗୁରୁତର ସୂଚନା୤

ସବୁବେଳେ ଆତଙ୍କବାଦୀ କାର୍ଯ୍ୟକଳାପଠାରୁ ସୁରକ୍ଷିତ ଦୂରତ୍ବରେ ରହୁଥିବା ଓଡ଼ିଶା ଯେ ବର୍ତ୍ତମାନ ସେମାନଙ୍କ ଦୃଷ୍ଟିରେ ରହିଛି ତାହା ଆମ ପାଇଁ ଚିନ୍ତାର ବିଷୟ୤ ଏଥିପାଇଁ ଆମର ସୁରକ୍ଷା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ପଡ଼ିବ, ପୋଲିସ ବିଭାଗକୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କରିବାକୁ ପଡ଼ିବ, ଏବଂ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରୀ କରିବାକୁ ପଡ଼ିବ୤ ନ ହେଲେ, ମୁମ୍ବାଇ, ଦିଲ୍ଲୀ ପରି ଓଡ଼ିଶାରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇପାରିବ ଏଥିରେ ସନ୍ଦେହ ନାହିଁ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ବିଶ୍ବରେ ବ୍ୟାପିଛି ଜିକା ଭୂତାଣୁ

ବିଶ୍ବରେ ବ୍ୟାପିଛି ଜିକା ଭୂତାଣୁ

ଏଠାରେ ପଢ଼ନ୍ତୁ !
ଯୁଗଜନ୍ମା ବ୍ୟାସକବି ଫକୀରମୋହନ ସେନାପତି

ଯୁଗଜନ୍ମା ବ୍ୟାସକବି ଫକୀରମୋହନ ସେନାପତି

ଏଠାରେ ପଢ଼ନ୍ତୁ !