favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଚାରି ପାଞ୍ଚଟି ଦୁର୍ଘଟଣାପାଇଁ ୧୩୦ କୋଟି ଲୋକଙ୍କୁ ଦୋଷ ଦେଇହେବନି!!!

ଚାରି ପାଞ୍ଚଟି ଦୁର୍ଘଟଣାପାଇଁ ୧୩୦ କୋଟି ଲୋକଙ୍କୁ ଦୋଷ ଦେଇହେବନି!!!

ଗୋଟିଏ କାହାଣୀ କହୁଛି୤ ବିଶ୍ବର ଏକ ଉନ୍ନତ ଦେଶର ଏକ ଜନପଦରେ କିଛି ଲୋକ ଏକତ୍ର ରହୁଥିଲେ୤ ପରସ୍ପର ବନ୍ଧୁତ୍ବପୂର୍ଣ୍ଣ ଭାବରେ ଥିଲେ୤ ସେହି ଜନପଦରେ ଥିଲେ ଦୁଇଜଣ ବ୍ୟକ୍ତି, ଜଣଙ୍କର ନାମ ଜନ୍ ଆଉ ଜଣଙ୍କର ନାମ ଆବ୍ରାହମ୍୤ ଜନ ନିଜ ଘରେ ଗୋଟିଏ କୁକୁର ପାଳିଥିଲେ୤ ଦିନେ ସକାଳୁ ସେ କୁକୁର କୁଆଡ଼େ ଚାଲିଗଲା ଆଉ ମିଳିଲା ନାହିଁ୤ ସମୁଦାୟ ଜନପଦ ଜନଙ୍କ ଘରେ ଗହଳି କରି ସମବେଦନା ଜଣାଉଥିଲା ବେଳେ ଆବ୍ରାହନଙ୍କ ଘର ସାମନାରେ ଜନଙ୍କ କୁକୁରର ବେକରେ ପିନ୍ଧୁଥିବା ଫିତାଟି ପଡ଼ିଥିବାର ଦେଖାଗଲା୤ ଏହାକୁ ଦେଖି ଉପସ୍ଥିତ ଜନତା ମାନଙ୍କ ମଧ୍ୟରୁ ଜଣେ କେହି କହିଲା, ମୋତେ ଲାଗୁଛି ଆବ୍ରାହମ୍ କୁକୁରକୁ ମାରି ତାର ମାଂସ ଖାଇଛି୤ ନହେଲେ ତା ଘର ସାମନାରେ ଫିତା ମିଳିଲା କେମିତି୤ କୁକୁରକୁ ତ କେହି ମାରି ଖାଆନ୍ତି ନାହିଁ୤ ହଁ ଜଙ୍ଗଲୀ ପଶୁକୁ ମାରି ଖାଆନ୍ତି୤ ହେଲେ ଜନଙ୍କୁ କଥାଟା ବହୁତ ଖରାପ ଲାଗିଲା୤ ଏବଂ ସେ ସମବେତ ସମସ୍ତଙ୍କୁ ନିର୍ଦ୍ଦେଶ ଦେଲେ ଯାଇ ଆବ୍ରାହମଙ୍କୁ ପ୍ରଶ୍ନ କରିବାପାଇଁ୤ କିନ୍ତୁ କଥାଟା ଟିକେ ଅଧିକ ଉତ୍ତପ୍ତ ହୋଇଗଲା ଏବଂ ଜଣେ ପରେ ଆଉ ଜଣେ ଏମିତି କରି ଅନେକ ଲୋକ ଉତ୍ୟକ୍ତ ଅବସ୍ଥାରେ ଆବ୍ରାହମଙ୍କ ଉପରେ ଆକ୍ରମଣ କଲେ୤ ଏହି ଘଟଣାରେ ଆବ୍ରାହମଙ୍କ ପ୍ରାଣ ଚାଲିଗଲା୤

ପରଦିନ ଖବର କାଗଜରେ ବାହାରିଲା ଯେ କୁକୁର ଚୋରୀ କରିଥିବା ହେତୁ ଗୋଟିଏ ଗାଁର ଲୋକମାନେ ମିଶି ଜଣେ ଲୋକଙ୍କୁ ମାରିଦେଲେ୤ ଏମିତି ଖବର କାହିଁକି ବାହାରିଲା, କାରଣ ସେହି ଦେଶରେ ଏହି ଘଟଣାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ପୂର୍ବରୁ ସତ୍ୟାସତ୍ୟ ବିଷୟରେ ଲୋକମାନଙ୍କୁ ଜଣାଇ ଦିଆଯାଇଥିଲା୤ ବର୍ତ୍ତମାନ ଏହି କାହାଣୀ କହିବାର ଉଦ୍ଦେଶ୍ୟ ହେଲା ଏହା ଦାଦ୍ରୀ ଘଟଣା ସହ କିଛିକାଂଶରେ ମିଶୁଛି୤

ଦାଦ୍ରୀରେ ମଧ୍ୟ ଜନୈକ ହିନ୍ଦୁବ୍ୟକ୍ତି ଘରେ ପାଳିଥିବା ବାଛୁରୀଟିଏ ହଠାତ୍ ଦିନେ ହଜିଗଲା୤ ବାଛୁରୀ ହଜିଯିବାର ଦୁଃଖରେ ମିୟମ୍ରାଣ ଥିବା ବ୍ୟକ୍ତିକୁ କେହି ଜଣେ ସୂଚନା ଦେଲା ଯେ ଜନୈକ ମୁସଲମାନ ବ୍ୟକ୍ତି ଘରକୁ ମାଂସ ନେଇ ଯାଉଥିବା ବେଳେ ସେ ଦେଖିଛି ଯେ ସେ ମାଂସରେ ବାଛୁରୀର କିଛି ଅଂଶଥିଲା୤ ଏହାପରେ ସମୁଦାୟ ଗାଁ ମନ୍ଦିର ବେଢ଼ାରେ ଏକତ୍ର ହୋଇ ଏହି ବିଷୟ ଉପରେ ଚର୍ଚ୍ଚା କରୁ କରୁ ଅବସ୍ଥା ଅଶାନ୍ତ ହୋଇଗଲା ଏବଂ ବାଛୁରୀକୁ ଚୋରୀ କରିନେଇ ହତ୍ୟା କରିଥିବା ଅଭିଯୋଗରେ ଅନେକ ଲୋକ ସମ୍ପୃକ୍ତ ଲୋକକୁ ଯାଇ ମାଡ଼ମାରି ମାରିଦେଲେ୤ ମୃତ ବ୍ୟକ୍ତିକୁ ସେମାନେ ବାଛୁରୀ ଚୋରୀ କରି ହତ୍ୟା କରିଥିବା ହେତୁ ମାରିଥିଲେ (ଗାଇ ମାଂସ ଖାଇବା ପାଇଁ ମାରିନଥିଲେ)୤ କିନ୍ତୁ ଆମର ଚତୁର ରାଜନେତାମାନେ ଏହି ହତ୍ୟାକାଣ୍ଡ ପରେ ପରେ ପ୍ରଚାର କରିଦେଲେ ଯେ ଦାଦ୍ରୀରେ ଗୋମାଂସ ଖାଉଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗାଁଲୋକମାନେ ମିଶି ମାରିଦେଲେ୤
Dadri Lynching

ଏହାପରେ ଅନେକ ଘଟଣା ଘଟିଗଲା୤ ପୋଲିସ ଆସି ମୃତ ବ୍ୟକ୍ତିଙ୍କ ଘରୁ ତାଙ୍କ ରେଫ୍ରିଜେରେଟରରୁ ମାଂସକୁ ନେଇ ପରୀକ୍ଷା କରିଲେ୤ ଏହାକୁ ଦେଖି ମୃତ ବ୍ୟକ୍ତିଙ୍କ ଝିଅ କହିଲା ଯଦି ସେ ମାଂସ ଗାଈର ନ ହୋଇଥିବ ତ କଣ ମୋ ବାପା ଫେରି ଆସିବେ କି ? ଅର୍ଥାତ ଯଦି ସେ ମାଂସ ଗାଈର ହୋଇଥାଏ ତେବେ ଏହି ହତ୍ୟାକାଣ୍ଡକୁ ଠିକ୍ ବୋଲି ଧରାଯିବ କି ? ପୁଣି ଜଣେ ମରିଗଲା ପରେ ମାଂସ ନେଇ ପରୀକ୍ଷା କରିବାପାଇଁ ନିର୍ଦ୍ଦେଶ ଦେଲା କିଏ ? ଏବଂ କାହିଁକି ? ଅର୍ଥାତ ଗୋମାଂସ ଖାଇବା ଅପରାଧ ବୋଲି ପ୍ରମାଣିତ ହୋଇଗଲା ନା କଣ ? ଏହି ଘଟଣାକୁ ଗଣମାଧ୍ୟମରେ ଏତେ ବଢ଼େଇଚଢ଼େଇ କରି ଉପସ୍ଥାପନ କଲେ ଯେ ରାଜ୍ୟ ସରକାର ମୃତ ବ୍ୟକ୍ତିଙ୍କ ପରିବାର ପାଖରେ ଏକ ପ୍ରକାରର ଦୋଷୀ ହୋଇଗଲେ ଏବଂ ଅଜାଚିତ ଭାବରେ ପରିବାରକୁ ପଚାଶ ଲକ୍ଷ ପାଖାପାଖି ଟଙ୍କା ଦେଇ ପକେଇଲେ୤ ଯେଉଁ ଦେଶରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ସୈନିକମାନଙ୍କୁ କେବଳ ସେମାନଙ୍କ ଦରମାରୁ ସଞ୍ଚିତ ଧନ ମିଳିବାକୁ ବର୍ଷାଧିକ ସମୟ ଲାଗିଯାଏ, ସେହି ଦେଶରେ ଏହ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିର ପରିବାରକୁ ଏତେ ପରିମାଣର ଅନୁକମ୍ପା ରାଶି କାହିଁକି ଦିଆଗଲା?

ଯଦି ସରକାର ଜାଣିଥିଲେ ଯେ ଏହା ଏକ ସମ୍ବେଦନଶୀଳ ବିଷୟ ତା ହେଲେ ଏହି ବିଷୟରେ ସମ୍ବାଦ ପରିବେଷଣ କରୁଥିବା ଗଣମାଧ୍ୟମ ମାନଙ୍କୁ ସଠିକ୍ ବିବୃତ୍ତି ଦେଲେ ନାହିଁ କାହିଁକି ? ଏହି ଘଟଣାରେ ମୃତବ୍ୟକ୍ତିର ପରିବାରକୁ ସମବେଦନା ଜଣାଇବା ପାଇଁ ନେତା ମନ୍ତ୍ରୀମାନେ ଅହେତୁକ ଆବଶ୍ୟକତା ଅନୁଭବ କଲେ କାହିଁକି ? ଏହି ସବୁ ଘଟଣା ପଛରେ କୌଣସି ନିହିତ ଉଦ୍ଦେଶ୍ୟ ଥିଲା ପରି ଲାଗୁନାହିଁ କି ? ବିଗତ ଦିନରେ ଏମିତି ଅନେକ ସାଧାରଣ ଘଟଣାକୁ ହିନ୍ଦୁମୁସଲମାନ ଅସହିଷ୍ଣୁତା ବୋଲି କହି ପରିବେଷଣ କରାଯାଉଛି୤ ଏବଂ ଭାରତୀୟ ଗଣମାଧ୍ୟମ ଏହି ସବୁ ବିଷୟକୁ ପ୍ରାଧାନ୍ୟ ଦେଇଛନ୍ତି୤ ଏହା ଦ୍ବାରା ବିଦେଶରେ ଭାରତର ଛବି ଦୁର୍ବଳ ହେବ ବୋଲି ସେମାନେ ଜାଣିପାରୁ ନାହାନ୍ତି କି ? ଏମିତି ସବୁ ଖବର ଦେଖାଇ ସେମାନେ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ?

Dadri Lynching and demonstration

ଚାରି ପାଞ୍ଚୋଟି ଅସାଧାରଣ ଘଟଣାପାଇଁ ତମେ ସମୁଦାୟ ଦେଶକୁ ଅସହିଷ୍ଣୁ ବୋଲି କହିପାରିବ ନାହିଁ୤ ହଜାର ହଜାର ବର୍ଷର ଇତିହାସ ଆମର ଏଇ ଦେଶ ଭାରତବର୍ଷ୤ ଏଠି ବିଭିନ୍ନ ଯୁଗରେ ଏବଂ ଶତାବ୍ଦୀ ବା ସମୟରେ ଭିନ୍ନ ଭିନ୍ନ ପରିବର୍ତ୍ତନ ହୋଇଛି୤ ସନାତନଧର୍ମାବଲମ୍ବୀ ଏହି ଦେଶକୁ ଅତୀତରେ ମୁସଲମାନ ଏବଂ ପରେ ପରେ ବ୍ରିଟିଶ ଶାସକମାନେ ନିଜ ନିୟନ୍ତ୍ରଣରେ ରଖିବାର ପ୍ରଚେଷ୍ଟା କରିଛନ୍ତି୤ ଧର୍ମକୁ ଦ୍ବାହୀ ଦେଇ ଦେଶକୁ ବିଭାଜନ କରାଯାଉଥିବା ବେଳେ ମଧ୍ୟ ଦେଶରୁ ସମୁଦାୟ ମୁସଲମାନ ଧର୍ମାବଲମ୍ବୀଙ୍କୁ ଦେଶରୁ ବହିଷ୍କାର କରାଯାଇନାହିଁ୤ ସେମାନଙ୍କୁ ଆମ ଦେଶର ଏକ ଅଭିନ୍ନ ଅଙ୍ଗ ବା ଆମ ପରିବାରର ସଦସ୍ୟଭାବରେ ଗ୍ରହଣ କରିଛନ୍ତି ଏହି ଦେଶର ଉଦାର ହୃଦୟବାନ ହିନ୍ଦୁମାନେ୤ ଆଜି ଯଦି କୌଣସି ସ୍ଥାନରେ ଗୋଟିଏ ଗଣ୍ଡଗୋଳରେ କାହାର ମୃତ୍ୟୁ ହେଉଛି ତେବେ ଏହାକୁ ହିନ୍ଦୁ ମୁସଲମାନଙ୍କମଧ୍ୟରେ ବଢୁଥିବା ଅସହିଷ୍ଣୁତା ବୋଲି କହି ରାଜନୀତି କରୁଥିବା ବ୍ୟକ୍ତିମାନଙ୍କୁ ଆଜି ପର୍ଯ୍ୟନ୍ତ ଏବଂ ଆଜି ମଧ୍ୟ ଏହି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ହିନ୍ଦୁ ଓ ମୁସଲମାନ ମାନେ ଏକତ୍ର ଶାନ୍ତି ଓ ସୌହାର୍ଦ୍ଧ୍ୟରେ ରହୁଥିବା ଦେଖାଯାଉନାହିଁ ?

Demonstration for Lynching in dadri

ବିଶ୍ବର ଅନେକ ଦେଶ ତୁଳନାରେ ଆମ ଦେଶରେ ଧର୍ମବୈଷମ୍ୟ ବହୁତ ଅଧିକ୤ ଏଠି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ଶିଖ୍, ଜୈନ୍, ବୌଦ୍ଧ ଆଦି ଅନେକ ଧାର୍ମିକ ମାନ୍ୟତାର ଲୋକ ରହି ଆସୁଛନ୍ତି୤ ସମସ୍ତେ ନିଜ ନିଜ ଧର୍ମର ମୂଳ ଆଧାରକୁ ନେଇ ନିଜ ଜୀବନଶୈଳୀ ପାଳନ କରୁଛନ୍ତି୤ ଏଥିରେ କେହି କାହାର ବ୍ୟକ୍ତିଗତ ବା ଧର୍ମଗତ ବ୍ୟାପାରରେ ହସ୍ତକ୍ଷେପ କରିବା ଅତି ନଗଣ୍ୟ ଘଟଣା୤ ବରଂ ଏଠାରେ ଅନେକ ଉତ୍ସବ ସମସ୍ତେ ମିଳିମିଶି ପାଳନ କରୁଛନ୍ତି୤ ଗଣେଷ ଉତ୍ସବ ହେଉ ବା ଦୂର୍ଗାପୂଜା ଅବା ଖ୍ରୀଷ୍ଟମାସ କିମ୍ବା ଇଦ୍୤ ପ୍ରତ୍ୟେକ ପର୍ବ ସମୟରେ ଲୋକମାନେ ଅନ୍ୟଧର୍ମର ଉତ୍ସବକୁ ନିଜର ବୋଲି ଭାବି ପାଳନ କରିଛନ୍ତି୤ ରମଜାନ୍ ମାସ ଅନ୍ତରେ ଅନେକ ହିନ୍ଦୁ ବିଶିଷ୍ଟ ବ୍ୟକ୍ତିମାନେ ଇଫତାର୍ ପାର୍ଟିର ଆୟୋଜନ କରିଥାନ୍ତି, ସେମିତି ମହାରାଷ୍ଟ୍ରର ଗଣପତି ଉତ୍ସବ ସମୟରେ ମୁସଲମାନ ମାନେ ଗଣେଶ ପ୍ରତିମା ନିର୍ମାଣ କରନ୍ତି ଏବଂ ଏହି ସବୁ ପ୍ରତିମା ପୂଜାମଣ୍ଡଳ ମାନଙ୍କୁ ଦେବାପୂର୍ବରୁ ସେମାନେ ନିଜେ ଏହାର ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି, ସମାନ ଉଦାହରଣ କଲିକତାର ଦୂର୍ଗାପୂଜା ସମୟରେ ମଧ୍ୟ ଦେଖିବାକୁ ମିଳେ୤ ଭାରତରେ ଥିବା ଅନେକ ପ୍ରସିଦ୍ଧ ଚର୍ଚ୍ଚରେ ବର୍ଷର ଅଧିକାଂଶ ସମୟ ହିନ୍ଦୁ ଓ ମୁସଲମାନ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳେ, ସେମିତି ମୁମ୍ବାଇର ହାଜିଅଲ୍ଲୀ ଦରଘାର ଦୈନିକ ଅଗଣିତ ହିନ୍ଦୁ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ଏକତ୍ରିତ ହେବା ଦେଖାଯାଇପାରେ୤ ଏଠାରେ ଅସହିଷ୍ଣୁତା ତ କାହିଁ କେଉଁଠି ଦେଖାଯାଉନାହିଁ?

ଆମ ଦେଶର ଜନସଂଖ୍ୟା ୧୩୦ କୋଟି ଏବଂ ଏତେ ବିଶାଳ ଦେଶରେ ଘଟୁଥିବା ହିଂସାକାଣ୍ଡ ଯାହା ଧର୍ମଦ୍ବାରା ପ୍ରେରିତ, ତାହାର ସଂଖ୍ୟା ଅତିନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ୤ ଏହା ତୁଳନାରେ ଅଧିକ ଲୋକ ସ୍ବାସ୍ଥ୍ୟଜନିତ ସମସ୍ୟାରେ ମୃତ୍ୟୁବରଣ କରୁଛନ୍ତି, କନ୍ୟା ଭ୍ରୂଣହତ୍ୟା ଯୋଗୁଁ ମରୁଛନ୍ତି, ସଡ଼କ ଦୁର୍ଘଟଣାରେ ମରୁଛନ୍ତି୤ ଅଥଚ ହାତଗଣତି କେତୋଟି ଘଟଣାର ନିଦର୍ଶନ ଦେଇ ଭାରତରେ କ୍ରମବର୍ଦ୍ଧିଷ୍ଣୁ ଅସହିଷ୍ଣୁତାକୁ ଅତ୍ୟଧିକ ପ୍ରଚାର କରାଯାଉଛି୤ ଆଜିର ଗଣମାଧ୍ୟମମାନେ ମଧ୍ୟ ଏହି ସବୁ ଖବରକୁ ପ୍ରାଧାନ୍ୟ ଦେଉଛନ୍ତି୤ ବିଶ୍ବର ଅନେକ ଦେଶରେ ଆମ ଦେଶର ଛବି ଅନେକ ଦଶନ୍ଧିପରେ ଉନ୍ନତ ହୋଇ ଆସୁଥିବା ବେଳେ କିଛି ଲୋକଙ୍କ କାର୍ଯ୍ୟ ବା ପ୍ରଣାଳୀ ହେତୁ ଏହା ପୁଣିଥରେ ବିପନ୍ନ ହେବାକୁ ବସିଲାଣି୤

ବିଗତ କେଇ ମାସରେ ଅନେକ ବୁଦ୍ଧିଜୀବି ଓ ଲେଖକ, ନିଜ ନିଜ ପୁରସ୍କାର ସରକାରଙ୍କୁ ଫେରାଇବାରେ ଲାଗିଛନ୍ତି୤ ସେମାନେ କହୁଛନ୍ତି ଯେ ଦେଶର ବଢୁଥିବା ଅସହିଷ୍ଣୁତାକୁ ସରକାର ପରୋକ୍ଷରେ ସମର୍ଥନ ଦେଉଛନ୍ତି ଏବଂ ସମାଜରେ ରହିହେଉନାହିଁ୤ ଏମିତି ଘଟଣାମାନଙ୍କର ଉଦାହରଣ ଦିଆଯାଉଛି, ସତେ ଯେମିତି ସେ ସବୁ ଆଗରୁ କେବେ ହେଉନଥିଲା, ଏବେ ହିଁ ସେ ସବୁ ହେଉଛି୤ ସେ ଯା ହେଉ, ଆପଣମାନେ ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ବ ଏବଂ ଆପଣ ଜାଣିବା ଉଚିତ ଯେ ଏହି ଯେଉଁ ସବୁ ପୁରସ୍କାର ଆପଣ ଫେରାଉଛନ୍ତି ସେ ସବୁ ଆପଣଙ୍କୁ ସରକାର ଦେଇଛନ୍ତି ସତ ହେଲେ ତାହା ସରକାରଙ୍କ ପାଇଁ ନୁହଁ ବରଂ ଭାରତର ଜନସାଧାରଣଙ୍କ ମତକୁ ସମ୍ମାନ ଜଣାଇ ସରକାର ଏହି ସବୁ ପୁରସ୍କାର ଦେଇଛନ୍ତି୤ ଆପଣ ଯେଉଁ ପୁରସ୍କାର ସବୁ ଫେରାଉଛନ୍ତି, ତାହା ସରକାରଙ୍କୁ ନୁହଁ ବରଂ ଦେଶର ଲୋକମାନଙ୍କୁ ଫେରାଉଛନ୍ତି୤ ଏବଂ ଆପଣ ଯେଉଁ ସବୁ ବିଷୋଦଗାର କରୁଛନ୍ତି ତାହା ସରକାରଙ୍କୁ କମ ୧୩୦ କୋଟି ଜନ ସାଧାରଣଙ୍କୁ ଅଧିକ ଆକ୍ଷେପ କରୁଛି୤ ଆପଣ ଲୋକମାନଙ୍କୁ ଅପମାନିତ କରିବାପାଇଁ ପଦକ୍ଷେପ ନେଉଛନ୍ତି କାହିଁକି ? କଣ ଏମିତି ହୋଇଯାଇଛି ଯାହା ଆଗରୁ କେବେ ହୋଇନଥିଲା ? ଆପଣ ନିଜ ହୃଦୟକୁ ପଚାରି କହିପାରିବେ କି ଯେ ଏହି ଦେଶର ଅଧିକାଂଶ ଜନତା ବର୍ତ୍ତମାନ ଅସହିଷ୍ଣୁ ହୋଇଗଲେଣି ? ବିଭିନ୍ନ ଧର୍ମପ୍ରତି ସେମାନଙ୍କୁ ଦୃଷ୍ଟିକୋଣ ବଦଳି ଗଲାଣି? ପରସ୍ପରକୁ ଶତ୍ରୁଭାବରେ ଦେଖିବାକୁ ଆରମ୍ଭ କଲେଣି ? ଏହି ସବୁ ପ୍ରଶ୍ନର ଉତ୍ତର ‘ନାହିଁ’ ବୋଲି କହିବି୤ କେଉଁଠି କିଏ କୌଣସି କାରଣବଶତଃ କାହାକୁ ମାରିଲା, ଏବଂ ଦୁର୍ଭାଗ୍ୟଜନକ ଭାବରେ ସେଥିରେ ଥିବା ଲୋକ ଦୁଇଜଣ ଦୁଇଟି ଭିନ୍ନ ସମ୍ପ୍ରଦାୟର ହୋଇଥିଲେ, ତେଣୁ ଏହା ଏକ ସଂଯୋଗମାତ୍ର ହୋଇପାରେ,ଏହାକୁ ଯଦି ଆପଣ ଧାର୍ମିକ ଅସହିଷ୍ଣୁତା ବୋଲି ଭାବୁଛନ୍ତି ତେବେ ଆପଣ ଭୁଲ କରୁଛନ୍ତି୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଓଡିଶା ବିଷୟରେ କିଛି  ଅବିଶ୍ବସନୀୟ ତଥ୍ୟ

ଓଡିଶା ବିଷୟରେ କିଛି ଅବିଶ୍ବସନୀୟ ତଥ୍ୟ

ଏଠାରେ ପଢ଼ନ୍ତୁ !
ନର୍ସଦିଦି ତୁମେ କୁଆଡ଼େ ଗଲ ?

ନର୍ସଦିଦି ତୁମେ କୁଆଡ଼େ ଗଲ ?

ଏଠାରେ ପଢ଼ନ୍ତୁ !