favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ରଙ୍ଗବତୀକୁ ନେଇ ଏତେ ବିତଣ୍ଡା କାହିଁକି ?

ରଙ୍ଗବତୀକୁ ନେଇ ଏତେ ବିତଣ୍ଡା କାହିଁକି ?

ଅତ୍ୟନ୍ତ ଦୁଃଖର ସହିତ କହିବାକୁ ଚାହୁଁଛି, ଅନେକେ ହୁଏତ ମୋ ସହ ସହମତ ନ ହୋଇ ପାରନ୍ତି, କିନ୍ତୁ ସମୁଦାୟ ଓଡ଼ିଆ ଜାତି ହୀନମଣ୍ୟତା ବା ଇନ୍‌ଫେରିଅର୍ କଂପ୍ଲେକ୍ସ୍ ନାମକ ବେମାରୀ ଦ୍ବାରା ଆକ୍ରାନ୍ତ ହୋଇଛି, ସେଇଥିପାଇଁ ଜଣେ ଅଣ ଓଡ଼ିଆ (ଓଡ଼ିଆ ପଢ଼ି ବୁଝିପାରୁନଥିବା) ଆମ ଜାତିର ଏକ ପ୍ରସିଦ୍ଧ ଗୀତକୁ ଅତ୍ୟନ୍ତ ଅଶ୍ଳୀଳ ଓ କଦର୍ଯ୍ୟ ରୂପରେ ପରିବେଷଣ କରୁଥିବା ସତ୍ତ୍ବେ ସମସ୍ତେ ଭାବୁଛନ୍ତି ସଂପୃକ୍ତ ମହିଳା ଜଣଙ୍କ ଆମ ଉପରେ ଦୟା କରିଛନ୍ତି, ତାଙ୍କରି ଦୟାରୁ ଆମର ଓଡ଼ିଆ ଗୀତ ବିଶ୍ବଦରବାରରେ ଉପସ୍ଥାପିତ ହୋଇପାରିଛି୤ ନିଜକୁ ହୀନ ବୋଲି ବିବେଚିତ କରୁଥିବା ଲୋକଟିଏ ହିଁ ଏହିପରି କାର୍ଯ୍ୟରୁ ଆନନ୍ଦ ପାଇପାରେ୤ କାରଣ ସେ ନିଜର ଅସ୍ତିତ୍ବକୁ ନେଇ ନିଜେ ହିଁ ପ୍ରଶ୍ନବାଚୀଟିଏ ସୃଷ୍ଟି କରିଛି୤ ଆମେ ଓଡ଼ିଆ କଙ୍କଡ଼ା ଜାତି, ଜଣେ ଉଚ୍ଚସ୍ତରକୁ ଗଲେ ଆମେ ତାର ଗୋଡ଼ଟାଣୁ ବୋଲି ପଦୁଟିଏ କହିଦେଲେ ସେମାନେ ଭାବୁଛନ୍ତି ସେମାନେ ହିଁ ପ୍ରକୃତରେ ନୂତନତ୍ବକୁ ଆପଣାଇଛନ୍ତି ଆଉ ଆମେ ସବୁ ସେଇ ଅତୀତରେ ହିଁ ରହିଯାଇଛୁ୤ ହୋଇପାରେ ସତ, କିନ୍ତୁ ଆଧୁନିକତାର ଦ୍ବାହୀ ଦେଇ ଆମ ପୌରାଣିକ ଐତିହକୁ ବଳାତ୍କାର କରାଯାଉଥିବା ଆମେ କେମିତି ସହ୍ୟକରିବୁ ?

ଓଡ଼ିଆ ଗୀତକୁ ବିଶ୍ବଦରବାରରେ ପରିଚିତ କରିବାକୁ ଚାହୁଁଛ, ନିଶ୍ଚୟ କର୤ ଆମେ ବି ଅତ୍ୟନ୍ତ ଖୁସି ହେବୁ, ଗୀତର ସ୍ବର, ଲୟ ତାଳ ସବୁ ବଦଳାଇଦିଅ କିନ୍ତୁ ଅନ୍ତତଃ ଏହାର ପଦାବଳୀକୁ ତ ବିକୃତ କରନାହିଁ୤ ଅର୍ଥ ବୁଝିକରି ଗୀତ ଗାଅ୤ ଯଦି ବୁଝୁନାହଁ ପଚାରି ବୁଝ୤ କିଛି ନ ବୁଝି ନିଜେ ନିଜେ ଗୀତକୁ ରିମିକ୍ସର ନାଁ ଦେଇ ମନ ଇଚ୍ଛା ପଦଯୋଡ଼ି ଭାଙ୍ଗି ପରିବେଷଣ କରନାହିଁ୤ ଏହାଦ୍ବାରା ତୁମେ ନିଜେ ଏହି ମହାନ ଗୀତର ସୃଷ୍ଟିକର୍ତ୍ତାମାନଙ୍କ ପ୍ରତି ଅପମାନ କରୁଛ୤ ଯେଉଁମାନଙ୍କର ପରିଶ୍ରମରେ ଏହି ଗୀତ ବିଗତ ଚାରି ଦଶନ୍ଧିଧରି ଓଡ଼ିଶାର ପୁରପଲ୍ଲୀରେ ପ୍ରସିଦ୍ଧି ଲାଭ କରିଛି ସେମାନଙ୍କ ଭାବନାକୁ ତ ଅନ୍ତତଃ ସମ୍ମାନ ଦିଅ୤ ଯେଉଁ ଚାରିକୋଟି ଓଡ଼ିଆ ଲୋକ ଏହି ଗୀତ ଶୁଣିଛନ୍ତି ସେମାନଙ୍କ ଭାବନାକୁ ତ ସମ୍ମାନ ଦିଅ୤ ୟୁଟ୍ୟୁବ ଭଳି ଗୋଟିଏ ସ୍ଥାନରୁ ପାଞ୍ଚଲକ୍ଷ ଲୋକ ଏହି ଗୀତକୁ ଶୁଣିଲେ କହି ବାହାବା ନେବା ଆଗରୁ ମନେ ରଖ ବିଗତ ଚାରି ଦଶନ୍ଧିରୁ ଅଧିକ ସମୟ ଓଡ଼ିଶାର ଚାରିକୋଟିରୁ ଅଧିକ ଲୋକ ଏହି ଗୀତକୁ ଶୁଣିଆସିଛନ୍ତି, ସେମାନଙ୍କ ପାଇଁ ରଙ୍ଗବତୀର ମୋହ ଆଧୁନିକ ରଙ୍ଗ ର ମୋହ ଠାରୁ ଅଧିକ୤

ଆମେ କଣ ଏତେ ନ୍ୟୁନ ଯେ ଜଣେ ଆମ ଗୀତକୁ ନେଇ ଏକ ବିଶାଳ ପ୍ଲାଟଫର୍ମରେ ଗାଇଦେଲେ ନିଜକୁ ଧନ୍ୟ ମନେ କରିବା? ଆମର ନିଜତ୍ବ କଣ କିଛି ନାହିଁ? ଗର୍ବ କରିବା ଭଳି କଣ ଆମର କିଛି ନଥିଲା ? ରଙ୍ଗବତୀକୁ ଭଲଭାବରେ ବୁଝୁଥିବା ଯେ କୌଣସି ଓଡ଼ିଆ ନିଶ୍ଚୟ ଭାବରେ ଏହି ନୂତନ ରଙ୍ଗବତୀକୁ ଶୁଣିବା ପରେ ମନ ମଧ୍ୟରେ ଦୁଃଖି ହୋଇଥିବ୤ ଆଧୁନିକତା ଏବଂ ରିମିକ୍ସ୍ କହି କାହିଁକି ପୁରୁଣା ପ୍ରସିଦ୍ଧ ଗୀତର ଅସ୍ତ୍ରୋପଚାର କରିଛ ? ଯଦି ନୂଆ କିଛି କରିବାର ଥିଲା ତା ହେଲେ କୌଣସି ନୂଆ (ଅଣପ୍ରକାଶିତ)ଓଡ଼ିଆ ଗୀତକୁ ନେଇ କରିପାରିଥାନ୍ତ୤ ହୁଏତ ସେଥିରେ ଭୂଲଭଟକା ଥିଲେ ବି ଆମେ କିଛି ଭାବିନଥାନ୍ତୁ୤ କିନ୍ତୁ ଗୋଟିଏ ପ୍ରସିଦ୍ଧ ଓଡ଼ିଆ ଗୀତକୁ ନେଇ ତାକୁ କଦର୍ଯ୍ୟ କରି ଗାଇବା ତୁମର ମସ୍ତବଡ଼ ଭୂଲ୤

ଆଜି ଫେସବୁକରେ ଏହି ବାବଦରେ ଅନେକ ବ୍ୟକ୍ତି (ମୋ ସମେତ) ବିରୋଧ ପ୍ରକାଶ କରିଥିଲେ ଏବଂ ଅତ୍ୟନ୍ତ ଦୁଃଖର ସହ କହିବାକୁ ଚାହୁଁଛି, ଯେଉଁ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଲା, ଲାଗିଲ ସତେ ଯେମିତି ଏହି ଗୀତକୁ ପରିବେଷଣ କରିଥିବା ଗାୟିକା ଆମ ସମୁଦାୟ ଓଡ଼ିଆ ଜାତି ଉପରେ ଦୟା କରିଛନ୍ତି ଆଉ ଆମେ ତାଙ୍କର ଏହି ଦୟାର ପ୍ରତିଦାନ ବିରୋଧ କରି ଦେଉଥିବା ହେତୁ ଆମେ ହେଲୁ କଙ୍କଡ଼ା୤ କାରଣ ଜଣେ ଆମ ଭାଷାକୁ ବିଶ୍ବ ଦରବାରରେ ପ୍ରକାଶିତ କରୁଥିବା ବେଳେ ଆମେ ତାହାର ବିରୋଧ କରୁଛୁ୤ ଯେଉଁମାନେ ନିଜର ମନ୍ତବ୍ୟ ଦେଉଥିଲେ, ସେମାନେ ଘଟଣାର ଉଭୟ ଦିଗପ୍ରତି ସଚେତନ ନାହାନ୍ତି୤ ସେ ଯା ହେଉ, ଆମେ କଣ ଏତେ ନ୍ୟୁନ ଯେ ଆମର ଗୋଟିଏ ପ୍ରସିଦ୍ଧ ଗୀତକୁ ଜଣେ ଗାଇଦେଲେ ଆଉ ତାହା ୟୁଟ୍ୟୁବରେ ପ୍ରକାଶିତ ହୋଇଗଲେ ଆମେ ଧନ୍ୟ ହୋଇଯିବୁ ? ଆମ ଜାତି ଧନ୍ୟ ହୋଇଯିବ ?

ଯେଉଁମାନେ ନୂତନ ରଙ୍ଗବତୀକୁ ସମର୍ଥନ କରୁଛନ୍ତି ସେମାନେ ଆତ୍ମବିଶ୍ଲେଷଣ କରିବା ସମୟ ଆସିଛି୤ ସ୍ଥିର ଚିତ୍ତରେ ଚିନ୍ତା କରି ଦେଖନ୍ତୁ, ଏହା ଦ୍ବାରା କେଉଁପ୍ରକାରର ପ୍ରଚାର ଆମ ଭାଷାର ହେଉଛି ? ହୁଏତ ଯେଉଁ ପାଞ୍ଚଲକ୍ଷ ଲୋକ ୟୁଟ୍ୟୁବରେ ଏହାକୁ ଦେଖିଲେ ସେଥିରେ କିଛି ଲୋକ ଅଣଓଡ଼ିଆ ବି ଥାଇପାରନ୍ତି୤ ସେମାନେ ବୁଝିପାରିବେନି, କିନ୍ତୁ ତୁମେ ତ ବୁଝୁଛ ? ନା ତୁମେ ବି ଲାଜ ଛାଡ଼ିଦେଇ କହିପାରିବ, “ମୁଁ କେବେ ସ୍କୁଲରେ ଓଡ଼ିଆ ପଢ଼ିଥିଲି ଯେ ଏବେ ଆଉ କଣ ମନେ ଅଛି ? ମୁଁ ଓଡ଼ିଆ ପଢ଼ିପାରେନି୤”

ଭଗବାନ ଏହି ଜାତିକୁ ରକ୍ଷା କରନ୍ତୁ, ଯାହାର ଦାୟାଦମାନେ ସମ୍ମାନ ଓ ଅପମାନ ଭିତରେ ଥିବା ସୂକ୍ଷ୍ମ ଫରକକୁ ବୁଝିପାରୁନାହାନ୍ତି୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଆମ ପିଲାମାନେ କଣ ଦେଖୁଛନ୍ତି?

ଆମ ପିଲାମାନେ କଣ ଦେଖୁଛନ୍ତି?

ଏଠାରେ ପଢ଼ନ୍ତୁ !
ରଙ୍ଗବତୀ ରିଟର୍ଣ୍ଣସ... ତୁମେ ଫେରିଯାଅ !!!

ରଙ୍ଗବତୀ ରିଟର୍ଣ୍ଣସ... ତୁମେ ଫେରିଯାଅ !!!

ଏଠାରେ ପଢ଼ନ୍ତୁ !