favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ରଙ୍ଗବତୀ ରିଟର୍ଣ୍ଣସ... ତୁମେ ଫେରିଯାଅ !!!

ରଙ୍ଗବତୀ ରିଟର୍ଣ୍ଣସ... ତୁମେ ଫେରିଯାଅ !!!

ଓଡ଼ିଆର ଏକ ପ୍ରମୁଖ ଲୋକଗୀତ ତଥା ସମ୍ବଲପୁରୀ ଭାଷାରେ ଜିତେନ୍ଦ୍ର ହରିପାଲ ଗାଇଥିବା ରଙ୍ଗବତୀ ଗୀତକୁ ନେଇ ବର୍ତ୍ତମାନ ଏକ ବିବାଦ ଦେଖାଦେଇଛି୤ ଏହି ଗୀତର ଏକ ରିମିକ୍ସ ଭର୍ସନ ବର୍ତ୍ତମାନ କୋକାକୋଲା ଭାଇବସ୍ ଏବଂ ଭାୟାକମ୍ ମିଡ଼ିଆ-୧୮ ଦ୍ବାରା ପ୍ରସ୍ତୁତ କରାଯାଇ ଟିଭିରେ ପ୍ରଦର୍ଶିତ ହୋଇଛି ଏବଂ ୟୁଟ୍ୟୁବରେ ଦେଖିବାକୁ ମିଳୁଛି୤ ପ୍ରକୃତ ଗୀତଠାରୁ ସମ୍ପୂର୍ଣ୍ଣ ଅଲଗା ଶୁଣାଯାଉଥିବା ଏହି ଗୀତକୁ ଗାଇଛନ୍ତି ପ୍ରବାସୀ ଓଡ଼ିଆ ଗାୟିକା ସୋନା ମହାପାତ୍ର, ଏବଂ ତାଙ୍କ ସହ ସହଯୋଗ କରିଛନ୍ତି ରାମ ସମ୍ପତ୍ ଏବଂ ଋତୁରାଜ ମହାନ୍ତି୤ ହେଲେ ଏହି ଗୀତଟି ମୂଳ ଗୀତକୁ ବିକୃତ କରି ଗାଇବା ସହ ଏହା ମୂଳ ସ୍ବତ୍ତ୍ବ ଆଇନକୁ ଉଲଂଘନ କରୁଛି ଦର୍ଶାଇ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ୤ ୧୯୭୦ ମସିହାରେ ପ୍ରସ୍ତୁତ ହୋଇଥିବା ଏହି ଗୀତ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛି, ବାହାଘର ହେଉ ବା ପର୍ବପର୍ବାଣୀ ସବୁଠି ଏହି ଗୀତ ନିଶ୍ଚୟ ବାଜିବ୤ ହେଲେ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଗୀତ ବିରୋଧରେ ଉଭୟ ଗୀତିକାର ଏବଂ ସଂଗୀତ ନିର୍ଦ୍ଦେଶକ ଏକ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିବା ପାଇଁ କହିଛନ୍ତି୤



ଏହା ଶୁଣିବା ପରେ ଆମେ ଯାହା ଦେଖିଲୁ ଶୁଣିଲୁ ସେଇ କଥାକୁ ବିଶ୍ବାସ କରିବା ନ୍ୟାୟରେ ଆମେ ତଦନ୍ତ କରିଲୁ୤ ପ୍ରକୃତରେ ଯାହା ଦେଖିଲୁ ତାହା ଅତ୍ୟନ୍ତ ଅଗୃହଣୀୟ ହୋଇ କହିହେବ୤ ଆମେ ଜାଣିନୁ ପ୍ରକୃତରେ ସୋନା ମହାପାତ୍ରଙ୍କୁ ଓଡ଼ିଆ କହି ଆସେ ବା ପଢ଼ି ଆସେ କି ନାହିଁ, କିନ୍ତୁ ସେ ଗୀତକୁ ଯେତେ କଦର୍ଯ୍ୟ କରି ଗାଉଥିଲେ ସେଥିରୁ ଅନୁମାନ କରି ପାରୁଥିଲୁ ଯେ ସେ ବୋଧହୁଏ ଗୀତକୁ ଇଂରାଜୀ କିମ୍ବା ହିନ୍ଦୀରେ ହିଁ ଲେଖି ଗାଉଛନ୍ତି୤ ଅନେକ ସ୍ଥାନରେ ସେ ସଠିକ ପଦର ବ୍ୟବହାର କରୁନାହାନ୍ତି୤ ତାଙ୍କର ଗାୟନଶୈଳୀ ସମ୍ବଲପୁରୀ ସଂଗୀତ ପାଇଁ ଯୋଗ୍ୟ ନୁହେଁ୤ ସେ ଆଧୁନିକା ଗାୟିକା ହୋଇପାରନ୍ତି କିନ୍ତୁ ରଙ୍ଗବତୀ ପରି ଏକ ସ୍ବନାମଧନ୍ୟ ଗୀତକୁ ବିକୃତ କରି ଗାଇବାର ଅଧିକାର ତାଙ୍କର ନାହିଁ୤ ପ୍ରସ୍ତୁତ ହୋଇଥିବା ଗୀତରେ ମୂଳ ଗୀତର ତାଳ ଲୟ ସଂଗୀତ କିଛି ବି ନଥିଲା୤ ଲାଗୁଥିଲା ସତେ ଯେମିତି କେହି ଜଣେ ଜାଣିଶୁଣି ଆମ ଗୀତକୁ ବିକୃତ କରି ପ୍ରସ୍ତୁତ କରିଛି୤ ଏଥିପାଇଁ ଆମେ ଅତ୍ୟନ୍ତ ଦୁଃଖିତ୤

ବର୍ତ୍ତମାନ କଥା ଆସୁଛି, ଏହିପରି ଧୃଷ୍ଟତା ସୋନା ମହାପାତ୍ର ପ୍ରଥମଥର କରିନାହାନ୍ତି୤ ଏହା ପୂର୍ବରୁ ସେ କଟକରେ ଏକ କାର୍ଯ୍ୟକ୍ରମରେ ରଙ୍ଗବତୀ ଗୀତକୁ ସମରୂପରେ କଦର୍ଯ୍ୟକରି ପରିବେଷଣ କରିଥିଲେ, ସେତେବେଳେ ଏତେ ଅଭିଯୋଗ ଶୁଣିବାକୁ ମିଳିନଥିଲା କାହିଁକି ? ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ମଣ୍ଡଳୀ ଏହି ଗୀତକୁ ଶୁଣିବା ବେଳେ ନିଜର ଅସନ୍ତୋଷ ଜାହିର କରିନଥିଲେ କାହିଁକି ? ରାଷ୍ଟ୍ରୀୟ ସ୍ତରରେ ଜଣେ ସଫଳ ଗାୟକ ବା ଗାୟିକା ହୋଇଗଲେ ସେ ଆମ ପ୍ରସିଦ୍ଧ ଲୋକଗୀତକୁ ଏମିତି ବଦଳାଇଦେଇ ବା ବିକୃତ କରି ପରିବେଷଣ କରିପାରିବ ବୋଲି ତାଙ୍କୁ କିଏ ଅଧିକାର ଦେଲା୤ କୌଣସି ଗୀତକୁ ପରିବେଷଣ କରିବା ପୂର୍ବରୁ ଏହା ସହିତ ସେହି ଗୀତର ମୂଳ / ପ୍ରକୃତ ସ୍ବରୂପକୁ ଭଲ ପାଉଥିବା କୋଟି କୋଟି ଓଡ଼ିଆଙ୍କ ମନକୁ କେମିତି ଲାଗିବ ସେହି ବିଷୟରେ ସେମାନେ ଚିନ୍ତାଶୀଳ ହୋଇଥିଲେ ନା ନାହିଁ ?

ପ୍ରକୃତରେ ଏହି ନୂତନ କଳେବରରେ ପ୍ରସ୍ତୁତ ରଙ୍ଗବତୀ ଆମ ମନକୁ ଗଭୀର ଆଘାତ ଦେଇଛି ତେଣୁ ଆମେ ଏହାର ପ୍ରସ୍ତୁତକର୍ତ୍ତାଙ୍କୁ କ୍ଷମା କରିବୁ ନାହିଁ୤ ଏହା ଏକ ଅକ୍ଷମଣୀୟ ଅପରାଧ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ରଙ୍ଗବତୀକୁ ନେଇ ଏତେ ବିତଣ୍ଡା କାହିଁକି ?

ରଙ୍ଗବତୀକୁ ନେଇ ଏତେ ବିତଣ୍ଡା କାହିଁକି ?

ଏଠାରେ ପଢ଼ନ୍ତୁ !
ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାଫଳ ଘୋଷିତ୤

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାଫଳ ଘୋଷିତ୤

ଏଠାରେ ପଢ଼ନ୍ତୁ !