favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଚଳିତ ବର୍ଷ ନବଯୌବନ ଦର୍ଶନ ହେବନାହିଁ !!!

ଚଳିତ ବର୍ଷ ନବଯୌବନ ଦର୍ଶନ ହେବନାହିଁ !!!

ପୁରୀ ଶ୍ରୀମନ୍ଦିର ତରଫରୁ ସୂଚନା ଦିଆଯାଇଛି ଯେ ମହାପ୍ରଭୂଙ୍କ ନବଯୌବନ ଦର୍ଶନପାଇଁ ଆସୁଥିବା ଜନସମାଗମକୁ ଆଖି ଆଗରେ ରଖି ସେମାନେ ଚଳିତ ବର୍ଷର ଏହି ସମାରୋହକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିବେ ନାହିଁ୤ ଅର୍ଥାତ କେହି ବି ନବଯୌବନ ଦର୍ଶନ କରିପାରିବେ ନାହିଁ୤ ଯୁଗଯୁଗରୁ ମହାପ୍ରଭୂଙ୍କ ନବଯୌବନ ଦର୍ଶନ କରି ବୈକୁଣ୍ଠପ୍ରାପ୍ତି ହେଉଥିବା କଥା ସମସ୍ତେ ଜାଣିଥିବା ହେତୁ ଏହି ଦିନ ପୁରୀ ସହରରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି୤ ଏବଂ ଚଳିତବର୍ଷ ନବକଳେବର ହୋଇଥିବା ହେତୁ ଏହି ସମାଗମ ଦଶଲକ୍ଷରୁ ଅଧିକ ହେବ ବୋଲି ଆଶା କରାଯାଉଛି୤ ଶ୍ରୀମନ୍ଦିର ତରଫରୁ ଦିଆଯାଇଥିବା କାରଣ ମଧ୍ୟ ଯଥାର୍ଥ ବୋଲି କୁହାଯାଇପାରେ୤ ଏତେ ସଂଖ୍ୟାରେ ଭକ୍ତଙ୍କୁ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ରହି ମହାପ୍ରଭୂଙ୍କ ନବଯୌବନ ଦର୍ଶନ ସୁଯୋଗ ହୁଏତ ନ ମିଳିପାରେ ଏବଂ ସେମାନେ ଦଳାଚକଟା ହେବାପରି ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି୤ ତେଣୁ ଏହି ଉତ୍ସବକୁ ବାତିଲ କରାଗଲେ ଭକ୍ତମାନଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ୤ ଆମେ ମଧ୍ୟ ଏହାର ସପକ୍ଷରେ ହିଁ କହିବୁ୤ କାରଣ ସତରେ ଅତୀତରେ ଏମିତି ଅନେକ ଘଟଣାର ଉଦାହରଣ ଦେଇହେବ୤ ଭଗବାନଙ୍କ ସୁନାବେଶ ଦେଖିବା ବେଳେ ଦଳାଚକଟାରେ ଅଜସ୍ର ଲୋକ ପ୍ରାଣହାନୀ ହୋଇଥିବାର ଖବର ସମସ୍ତେ ଜାଣନ୍ତି୤ ତେଣୁ ଏହି କାର୍ଯ୍ୟକ୍ରମ ନ କରାଗଲେ ବି ଚଳିବ୤ ଅପରନ୍ତୁ, ଆଜିକାଲି ସମସ୍ତ କାର୍ଯ୍ୟକ୍ରମ ଟିଭିରେ ଦେଖି ହେଉଥିବା ଯୋଗୁଁ ଆମେ ଅନୁରୋଧ କରିପାରୁ ଯେ ଏହି କାର୍ଯ୍ୟକ୍ରମକୁ ବରଂ ଟିଭିରେ ସିଧାପ୍ରସାରଣ କରାଯାଉ ଏବଂ ବଡ଼ ବଡ଼ ପରଦାରେ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ରଖାଯାଉ୤ ଏହା ଫଳରେ ଲୋକମାନେ ଆଉ ମନ୍ଦିର ସମ୍ମୁଖରେ ଗହଳି କରିବେ ନାହିଁ ଏବଂ ଦଳାଚକଟା ହେବ ନାହିଁ୤ ଏବଂ ଏଥିନିମନ୍ତେ ସରକାରୀ ସ୍ତରରେ ସୂଚନା ଦିଆଯାଇପାରେ, ଯାହା ଫଳରେ ଅଜସ୍ର ଭକ୍ତ ବଡ଼ଦାଣ୍ଡରେ ଜମା ହେବେ ନାହିଁ୤ ଆସନ୍ତୁ ଏହି ବିଷୟକୁ ଆଉ ଅନ୍ୟ ଗୋଟିଏ ଦୃଷ୍ଟିରେ ଦେଖିବା୤ ନବଯୌବନ ଦର୍ଶନ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏହା ଦର୍ଶନ କରିଥାନ୍ତି୤ ଅବଶ୍ୟ ଚଳିତ ବର୍ଷ ଅଧିକ ଭକ୍ତ ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ୤ କିନ୍ତୁ ସରକାର ଓ ପ୍ରଶାସନ ଚାହିଁଲେ ସବୁ ସୁରୁଖୁରୁରେ ସମାପନ ହୋଇପାରିବ୤ ତେଣୁ ଆମ ମତରେ ଯୁଗଯୁଗରୁ ଚାଲିଆସୁଥିବା ପରମ୍ପରାକୁ ବନ୍ଦ କରିବା ଉଚିତ ହେବ ନାହିଁ୤ ଅବଶ୍ୟ ଚଳିତ ବର୍ଷର ନବକଳେବରରେ ପ୍ରାଚୀନ ସମସ୍ତ ପରମ୍ପରାକୁ ଧୁଳିସାତ୍ କରି ଦିଆଯାଇଛି ବୋଲି ପ୍ରମାଣିତ ହୋଇସାରିଛି, ତେଣୁ ଏହି ପରମ୍ପରାକୁ ମଧ୍ୟ ବନ୍ଦ କରିଦେବା କିଛି ଅସମ୍ଭବ ନୁହେଁ୤ ଶ୍ରୀମନ୍ଦିର ଭିତରର କୌଣସି ମାମଲାରେ କେହି ବି ହସ୍ତକ୍ଷେପ କରିବା ଭଳି କ୍ଷମତା ନାହିଁ୤ ତେଣୁ ଏବେ ମଧ୍ୟ ଯାହା ଦଇତାପତି ଚାହିଁବେ ତାହା ହେବ ବୋଲି ଆମେ ଭାବିନେବା ଉଚିତ୤ ହୁଏତ ଏହି କାର୍ଯ୍ୟକ୍ରମ ସମୟରେ ଦଇତାପତି ମାନଙ୍କୁ କୌଣସି ଅଧିକ ଆୟର ସମ୍ଭାବନା ଦେଖାଯାଉନଥିବ ତେଣୁ ସେମାନେ ଏହାକୁ ବନ୍ଦ କରିଦେବାକୁ ସମର୍ଥନ କରୁଥିବେ୤ ସେ ଯା ହେଉ, ପୁରୀ ଶ୍ରୀମନ୍ଦିର ଉଭୟ ରାଜତନ୍ତ୍ର ଓ ଗଣତନ୍ତ୍ରରୁ ଉର୍ଦ୍ଧ୍ବରେ ବୋଲି ପ୍ରମାଣିତ ହୋଇସାରିଲାଣି, ଏବେ ଖାଲି ଦେଖିବାକୁ ବାକି ରହିଲା, କେଉଁଦିନ ଏଇ ମନ୍ଦିରକୁ ଏଇ ଦଇତାପତିମାନେ ନିଜ ପରିବାରର ସମ୍ପତ୍ତି ବୋଲି ପ୍ରମାଣିତ କରି ବିକ୍ରୀ କରିଦେବେ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାଫଳ ଘୋଷିତ୤

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାଫଳ ଘୋଷିତ୤

ଏଠାରେ ପଢ଼ନ୍ତୁ !
ନବକଳେବରରେ ବିଭ୍ରାଟ : ଦୈବୀକୃତ ହୋଇପାରେ !!!

ନବକଳେବରରେ ବିଭ୍ରାଟ : ଦୈବୀକୃତ ହୋଇପାରେ !!!

ଏଠାରେ ପଢ଼ନ୍ତୁ !